ବନ୍ଧୁକ ବେପାରି ଗିରଫ: ୫ ପିସ୍ତଲ, ୯ ଗୁଳି ଜବତ

ସମ୍ବଲପୁର: କିଛି ମାସର ବ୍ୟବଧାନରେ ସମ୍ବଲପୁର ପୁଲିସ୍‌ ପୁଣି ଜଣେ ବନ୍ଧୁକ ବେପାରିକୁ ଧରିବାରେ ସଫଳ ହୋଇଛି। ବନ୍ଧୁକ ବେପାରରେ ସଂପୃକ୍ତ ସମ୍ବଲପୁର ଦଲେଇପଡ଼ା ବାଟ ମଂଗଳାଗଳି ପାଖ ନିବାସୀ ହୁସେନ ଖାନଙ୍କ ପୁଅ ଟିକୁ ଓରଫ ମହମ୍ମଦ ଜାହିନ ଖାନଙ୍କୁ ରବିବାର ରାତିରେ ସିନ୍ଦୁରପଙ୍କରୁ ଗିରଫ କରାଯାଇଛି। ଦୁଇଟି ଅତ୍ୟାଧୁନିକ ପିସ୍ତଲ ସମେତ ୫ଟି ପିସ୍ତଲ,୯ଟି ଜୀବନ୍ତ ଗୁଳି, ୨ଟି ଖୋକା, ଗୋଟିଏ ସ୍କୁଟି(ଓଡି୧୫ଜି-୭୬୮୮) ଓ ୨ଟି ଦାମୀ ମୋବାଇଲ ଫୋନ୍‌ ଜବତ କରାଯାଇଥିବା ଉତ୍ତରାଂଚଳ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।
ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ସତ୍ୟବ୍ରତ ଭୋଇ କହିଲେ, ସମ୍ବଲପୁରରେ ପିସ୍ତଲ ବିକ୍ରି ପାଇଁ ଏକ ରାକେଟ୍‌ କାମ କରୁଥିବା ନେଇ ଏସପି ସଂଜୀବ ଅରୋରାଙ୍କୁ ଖୁପିଆ ସୂଚନା ଦେଇଛନ୍ତି। ଏସ୍‌ପିଙ୍କ ସୂଚନା ଆଧାରରେ ୨୦ ତାରିଖ ସନ୍ଧ୍ୟା ସାଢ଼େ ୭ଟାରେ ସିନ୍ଦୁରପଙ୍କସ୍ଥିତ ବନ ବିଭାଗ ଚେକ୍‌ ଗେଟ୍‌ରେ ଇନ୍‌ସପେକ୍ଟର ଲୋକେଶ୍ୱର ସାହୁ, ସଦର ଥାନା ଓଆଇସି ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ଛକି ରହିଥିଲେ। ଯାଂଚ ବେଳେ ଗାଡ଼ି ଡିକିରୁ ଜାହିନ ଖାନଠାରୁ ଇଟାଲି ନିର୍ମିତ ଗୋଟିଏ ଏମ୍‌ଏମ୍‌ର ପିସ୍ତଲ, ଦୁଇଟି ଦେଶୀ ସିଂଗଲ ସଟ୍‌ ପିସ୍ତଲ, ଗୋଟିଏ ୭.୬୫ ଏମ୍‌ଏମ୍‌ର ସେମି-ଅଟୋମେଟିକ ପିସ୍ତଲ, ଗୋଟିଏ ଡବଲ ବ୍ୟାରେଲ ସିଂଗଲ ସଟ୍‌ ପିସ୍ତଲ, ୭.୬୫ ଏମ୍‌ଏମ୍‌ର ଦୁଇଟି ଗୁଳି, ୧୨ ବୋର୍‌ର ୩ଟି ଗୁଳି ଏବଂ .୩୮ ଏମ୍‌ଏମ୍‌ର ୪ଟି ଗୁଳି ଜବତ ହୋଇଥିଲା। ଜାହିନ ସହିତ ଅନ୍ୟ କେତେକ ବ୍ୟକ୍ତି ମଧ୍ୟ ଏହି ରାକେଟରେ ରହିଛନ୍ତି।

ସେମାନଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଧରିବା ପାଇଁ ପ୍ରୟାସ ଚାଲିଛି। ଅତ୍ୟାଧୁନିକ ପିସ୍ତଲଗୁଡ଼ିକ ୩୦ ହଜାରରୁ ୪୦ ହଜାର ମଧ୍ୟରେ ସେ ବିକ୍ରି କରୁଥିଲା। ୨୦୧୪ ମସିହାରୁ ଅପରାଧ ଦୁନିଆ ପାଦ ଦେଇଥିବା ଜାହିନ ନାମରେ ଗଂଜେଇ କାରବାରରେ ସଂପୃକ୍ତ ଥିବା ନେଇ ରେଢ଼ାଖୋଲ ଥାନାରେ ଗୋଟିଏ ମାମଲା ରହିଛି। ଟାଉନ ଥାନାରେ ଗୋଟିଏ ଲୁଟ୍‌ ମାମଲା ସମେତ ୩ଟି ମାମଲା ରହିଛି ବୋଲି ଡିଆଇଜି ଶ୍ରୀ ଭୋଇ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ସଂଜୀବ ଅରୋରା, ସଦର ଥାନା ଅଧିକାରୀ ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର