ଦୂର ହେଲା ସରାପାଲି ମଣ୍ଡି ଅଚଳାବସ୍ଥା!୩ ଦିନ ହେଲା ପଡ଼ିଥିଲା ୧୨୫୩ ବସ୍ତା ଧାନ

ସମ୍ବଲପୁର/ନାକ୍ଟିଦେଉଲ : ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଲ ବ୍ଲକ ଅନ୍ତର୍ଗତ ସରାପାଲି ମଣ୍ଡିର ଧାନ ବିକ୍ରି ଅଚଳାବସ୍ଥା ଦୂର କରାଯାଇଥିବା କହିଛନ୍ତି ସିଏସଓ ପୀତାମ୍ବର ଆଚାର୍ଯ୍ୟ। ୩ ଦିନ ହେଲା ଏଠାରେ ୧୨୫୩ ପ୍ୟାକେଟ ଧାନ ପଡ଼ିରହିଛି। ସ୍ଥାନୀୟ ଚାଷୀ, ରେଢାଖୋଲ ଯୋଗାଣ ବିଭାଗ ଅଧିକାରୀ, ସରାପାଲି ଆରଏମସି ସମ୍ପାଦକ ଏବଂ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନର ମିଳିତ ହସ୍ତକ୍ଷେପ ପରେ ସମସ୍ୟାର ସମାଧାନ କରାଯାଇଛି। ସୂଚନା ଅନୁଯାୟୀ, ସରାପାଲି ମଣ୍ଡିରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମଣ୍ଡି ଖୋଲା ଯାଇଛି। ସରାପାଲି ସମେତ ସାହେବୀ ଏବଂ ନାକ୍ଟିଦେଉଲ ପଞ୍ଚାୟତରୁ ଚାଷୀମାନେ ଏଠାକୁ ଆସି ଧାନ ବିକ୍ରି କରୁଛନ୍ତି। ମାତ୍ର ଚାଷୀଙ୍କୁ ଟୋକନ ଦିଆଯିବାରେ ଅବହେଳା ଯୋଗୁଁ ବିକ୍ରି ପାଇଁ ଚାଷୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସରାପାଲି ମଣ୍ଡିରେ ଧାନ ବ୍ୟବସାୟୀଙ୍କ ହସ୍ତକ୍ଷେପ ଯୋଗୁଁ ଏଠାରେ ଧାନ ବିକ୍ରି ସମସ୍ୟା ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ସ୍ଥାନୀୟ ଚାଷୀମାନେ ଆରଏମସିରେ ତାଲା ଦେଇଥିଲେ। ଏହାର ସମାଧାନ ପାଇଁ ରେଢାଖୋଲ ଏସଏଆରସି ସୁବାସ ପଣ୍ଡା, ଏଆରସିଏସ ମହେନ୍ଦ୍ର ନନ୍ଦ, ଆରଏମସି ସମ୍ପାଦକ ଅଶୋକ ସାହୁଙ୍କ ସମେତ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ ସଭାପତି ମୁରାରି ପୁରୋହିତ, ସମ୍ପାଦକ ବ୍ୟୋମକେଶ ଠାକୁର, ଚନ୍ଦ୍ର ପଣ୍ଡା ପ୍ରମୁଖ ସରାପାଲି ମଣ୍ଡିକୁ ପହଞ୍ଚିଥିଲେ। ଚାଷୀ ସମସ୍ୟା ଏବଂ ଧାନ ବିକ୍ରି ଅବ୍ୟବସ୍ଥା ନେଇ ଆଲୋଚନା କରାଯାଇ ଥିଲା। ଶନିବାର ଠାରୁ ଏଠାରେ ଧାନ ଉଠିବ। ଏଥିସହିତ ସରାପାଲି ମଣ୍ଡି ଉପରେ ନିର୍ଭରଶୀଳ ସାହେବୀ ଏବଂ ନାକ୍ଟିଦେଉଲ ଚାଷୀଙ୍କ ପାଇଁ ସ୍ବତନ୍ତ୍ର କ୍ରୟ କେନ୍ଦ୍ର କରାଯିବ। ୩ ଗାଁ ପାଇଁ ପୃଥକ ଭାବରେ ଧାନ କ୍ରୟ ବ୍ୟବସ୍ଥା କରାଯିବା ପାଇଁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର