ଧନ୍ଦାମୂଳକ ଶିକ୍ଷା ଉପକରଣ କିଣାରେ ଦୁର୍ନୀତିର ଗନ୍ଧ, ନିର୍ଦ୍ଦିଷ୍ଟ ଯୋଗାଣକାରୀଙ୍କ ଠାରୁ କିଣିବାକୁ ଅଧିକାରୀଙ୍କ ଚାପ!

ସୁନ୍ଦରଗଡ଼: ରୋଜଗାର ବା ନିଯୁକ୍ତି ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଧନ୍ଦାମୂଳକ ଶିକ୍ଷା ଦିଆଯାଉଛି। ଏଥିରେ ପର୍ଯ୍ୟଟନ ଓ ଆତିଥ୍ୟ, ଗାଡ଼ି ମରାମତି (ଅଟୋମୋବାଇଲ୍), ପାଇକାରୀ, ସୌନ୍ଦର୍ଯ୍ୟ ଓ ସୁସ୍ଥତା, ବିଦ୍ୟୁତ ଓ ଲୁହାକାମ ଆଦି ବିଷୟରେ ଶିକ୍ଷା ଦେଇ ସେମାନଙ୍କୁ କୁଶଳୀ କରାଯିବାକୁ ବ୍ୟବସ୍ଥା ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ ୩ଟି ମହାବିଦ୍ୟାଳୟ ସମେତ ୩୯ଟି ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ଦିଆଯାଉଛି। ତେବେ ଚଳିତ ବର୍ଷ ଏସବୁ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ଉପକରଣ କିଣାରେ ଦୁର୍ନୀତିର ଗନ୍ଧ ଆସିଛି। ସମ୍ପୃକ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଆକାଉଣ୍ଟକୁ ସିଧାସଳଖ ଅନୁଦାନ ରାଶି ଯୋଗାଇ ଦିଆଯାଇଥିବା ଓ ସେହି ଅର୍ଥରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନିଜ ପସନ୍ଦରେ ବିଷୟଭିତ୍ତିକ ଉପକରଣ ସବୁ କ୍ରୟ କରିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଏଠାରେ ସମ୍ପୃକ୍ତ ବିଭାଗ ଦାୟିତ୍ବରେ ଥିବା ଅଧିକାରୀ ଏକ ନିର୍ଦ୍ଦିଷ୍ଟ ଦୋକାନ ବା ସଂସ୍ଥାରୁ ଉପକରଣ କିଣିବାକୁ ଚାପ ପକାଉଥିବା ଅଭିଯୋଗ ହୋଇଛି।

ଏପରିକି ସେହି ନିର୍ଦ୍ଦିଷ୍ଟ ସଂସ୍ଥା ବ୍ୟତୀତ ଅନ୍ୟ କୌଣସି ସଂସ୍ଥା ବା ଦୋକାନରୁ କିଣିଥିବା ଉପକରଣର ବିଲ୍କୁ ସେ ଗ୍ରହଣ କରିବେ ନାହିଁ ବୋଲି ଧମକ ଦେଉଥିବା ନିଜ ନାମକୁ ଗୋପନ ରଖିବା ସର୍ତ୍ତରେ କିଛି ଟ୍ରେନର ବା ଶିକ୍ଷକ ପ୍ରକାଶ କରିଛନ୍ତି। ଉପକରଣ କ୍ରୟ ପାଇଁ ଜିଲ୍ଲାର ୩୯ଟି ଶିକ୍ଷାନୁଷ୍ଠାନ ମଧ୍ୟରୁ ୩୩ଟି ଅନୁଷ୍ଠାନକୁ ୬୮ ଲକ୍ଷ ୫୮ ହଜାର ୧୫୮ ଟଙ୍କା ଯୋଗାଇ ଦିଆଯାଇଛି। ବିଶ୍ରା ସରକାରୀ ଉଚ୍ଚବିଦ୍ୟାଳୟ ଝିରପାନି, କୁତ୍ରା ବ୍ଲକର ସରକାରୀ ଜୁନିୟର ବିଜ୍ଞାନ ମହାବିଦ୍ୟାଳୟ, ବଣାଇଁ ବ୍ଲକର ବାଳିକା ଉଚ୍ଚବିଦ୍ୟାଳୟ ବଣାଇଁ, ହେମଗିର ବ୍ଲକର କୁଚେଡେଗା ୟୁଜି ଉଚ୍ଚବିଦ୍ୟାଳୟ, ମାଣିକେଶ୍ବରୀ ଉଚ୍ଚବିଦ୍ୟାଳୟ ତୁମଲିଆ, ବଡ଼ଗାଁ ବ୍ଲକର ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଏକମା, ବରଙ୍ଗାକଛାର ନୋଡାଲ ଉଚ୍ଚବିଦ୍ୟାଳୟ, ରାଉରକେଲା ହାୟେର ସେକେଣ୍ଡାରି ବିଦ୍ୟାଳୟ, କଲ୍ୟାଣୀଦେବୀ ନୋଡାଲ ଉଚ୍ଚବିଦ୍ୟାଳୟ ମାଲଗୋଦାମ ରୋଡ, ସେକ୍ଟର-୬ ଏନଏସି (ଏସଟି) ନୋଟାଲ ଉଚ୍ଚବିଦ୍ୟାଳୟ, ଉଦିତନଗର ସରକାରୀ ଉଚ୍ଚବିଦ୍ୟାଳୟ, ଡେଲିମାର୍କେଟ ଟାଉନ ନୋଡାଲ ଉଚ୍ଚବିଦ୍ୟାଳୟ, ବାଲିଶଙ୍କରା ବ୍ଲକର ବାଲିଶଙ୍କରା ଉଚ୍ଚବିଦ୍ୟାଳୟ, ବିରକାଲଡିହି ଉଚ୍ଚବିଦ୍ୟାଳୟକୁ ସୁନ୍ଦରଗଡ଼ ବ୍ଲକର ସୁନ୍ଦରଗଡ଼ ସରକାରୀ ଜୁନିୟର ମହାବିଦ୍ୟାଳୟ, ଲମ୍ବୋଦର ଉଚ୍ଚ ବିଦ୍ୟାଳୟ, କିଞ୍ଜିର୍ମା ଉଚ୍ଚବିଦ୍ୟାଳୟ, ଭବାନୀଶଙ୍କର ଉଚ୍ଚବିଦ୍ୟାଳୟ, ଲେଫ୍ରିପଡ଼ା ବ୍ଲକର ବାସୁଦେବ ନୋଡାଲ ଉଚ୍ଚବିଦ୍ୟାଳୟ ଡୁମାବାହାଲ, ଜୟରାମ ଉଚ୍ଚବିଦ୍ୟାଳୟ, କୋଇଡ଼ା ବ୍ଲକର ଗୋପବନ୍ଧୁ ଉଚ୍ଚବିଦ୍ୟାପୀଠ, କୁଆରମୁଣ୍ଡା ବ୍ଲକର ହରିହର ଉଚ୍ଚବିଦ୍ୟାଳୟ, ଲହୁଣୀପଡ଼ା ବ୍ଲକର ଲହୁଣୀପଡ଼ା ଉଚ୍ଚବିଦ୍ୟାଳୟ, ଲାଠିକଟା ବ୍ଲକର ଦେଓକରନ ବିଦ୍ୟାପୀଠ, ଜଲଦା ଉଚ୍ଚବିଦ୍ୟାଳୟ, ନୂଆଗାଁ ବ୍ଲକର ଲୋଆରାମ ସରକାରୀ ଉଚ୍ଚବିଦ୍ୟାଳୟ, ପଞ୍ଚାୟତସମିତି ଉଚ୍ଚବିଦ୍ୟାଳୟ, ରାଜଗାଙ୍ଗପୁର ବ୍ଲକର ଲାଞ୍ଜିବେର୍ଣ୍ଣା ଶ୍ରମିକନୀ ନୋଡାଲ ଉଚ୍ଚବିଦ୍ୟାଳୟ ବିହାବନ୍ଧ, ସବଡେଗା ବ୍ଲକର ଉପେନ୍ଦ୍ର ଉଚ୍ଚବିଦ୍ୟାଳୟ, ଟାଙ୍ଗରପାଲି ବ୍ଲକର ଟିପିଏସ ଉଚ୍ଚବିଦ୍ୟାଳୟ ବନ୍ଧପାଲିକୁ ଧନ୍ଦାମୂଳକ ଶିକ୍ଷା ଉପକରଣ କ୍ରୟ ପାଇଁ ଅନୁଦାନ ଯୋଗାଇ ଦିଆଯାଇଛି। ତେବେ ଚାପ ଯୋଗୁଁ ଅଧିକାଂଶ ବିଦ୍ୟାଳୟ କର୍ତ୍ତୃପକ୍ଷ ଉପକରଣ କିଣି ନଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଜିଲ୍ଲା ଏସଟି/ଏସସି ସଂଯୋଜକ ଦୀପକ ଦାସଙ୍କୁ ପଚାରିବାରୁ ସେ ଅଭିଯୋଗକୁ ଅସ୍ବୀକାର କରିଥିଲେ। ଅଟୋମୋବାଇଲ ପାଠ୍ୟକ୍ରମ ପାଇଁ ଆବଶ୍ୟକ ଉପକରଣ ସୁନ୍ଦରଗଡ଼ରେ ମିଳୁ ନଥିବାରୁ ସମ୍ପୃକ୍ତ ଭୋକେସନାଲ ଟ୍ରେନରମାନଙ୍କୁ କଟକ, ଭୁବନେଶ୍ବରରୁ ଆଣିବାକୁ ପରାମର୍ଶ ଦେଇଥିବା ସେ କହିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଏହାର ସତ୍ୟାସତ୍ୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର