ଦୋଳିରେ ଗୋଡ଼େଇ ହୋଇ ଶିଶୁକନ୍ୟାର ମୃତ୍ୟୁ

ବାଲେଶ୍ୱର: ସହଦେବଖୁଣ୍ଟା ଥାନା ଫିରିଙ୍ଗିପାଟଣା ଅଞ୍ଚଳରେ ରବିବାର ସଂଧ୍ୟାରେ ଶିଶୁକନ୍ୟାର ଅଭାବନୀୟ ମୃତ୍ୟୁ ଘଟିଛି। ମୃତ ଶିଶୁକନ୍ୟାର ନାମ ଚାନ୍ଦିନୀ ମହାନ୍ତି(୬)। ମିଳିଥିବା ସୂଚନା ମୁତାବକ, ଫିରିଙ୍ଗିପାଟଣାର ମାନସ ମହାନ୍ତିଙ୍କ ଝିଅ ଚାନ୍ଦିନୀ ଆଜି ସଂଧ୍ୟା ସମୟରେ ଘରେ ଦୋଳିରେ ଝୁଲୁଥିଲା। ଦୁର୍ଭାଗ୍ୟବଶତଃ, ସେଥିରେ ଗୋଡ଼େଇ ହୋଇ ଶିଶୁଟିର ବେକ ଚାପି ହୋଇଯାଇଥିଲା। ଘରଲୋକ ଦେଖି ସେଠାକୁ ଯିବାବେଳକୁ ଶିଶୁଟି ଚେତାଶୂନ୍ୟ ହୋଇଯାଇଥିଲା। ତୁରନ୍ତ ତାକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ ଡାକ୍ତର ଶିଶୁଟିର ଏପରି ମୃତ୍ୟୁ ସମ୍ପର୍କରେ ହସ୍ପିଟାଲ ଫାଣ୍ଡି ପୁଲିସକୁ ସୂଚନା ଦେଇଥିଲେ। ହେଲେ ଫାଣ୍ଡି ପୁଲିସ ମୃତ ଶିଶୁକୁ ବ୍ୟବଚ୍ଛେଦ ପାଇଁ ନ ପଠାଇ ତାଙ୍କ ଘରଲୋକଙ୍କୁ ହସ୍ତାନ୍ତର କରିଥିବା ଦେଖାଯାଇଥିଲା। ଏ ସମ୍ପର୍କରେ ଫାଣ୍ଡି ଅଧିକାରୀ ବିଜୟ କୁମାର ନାୟକଙ୍କୁ ପଚାରିବାରୁ ସେ କହିଥିଲେ, ରିସିଭ ଡେଥ୍‌ କେସ୍‌ର ବ୍ୟବଚ୍ଛେଦ କରାଯିବାର ନିୟମ ରହିଛି। ହେଲେ ମୃତକଙ୍କ ପରିବାର ସେଥିପାଇଁ ଅନିଚ୍ଛା ପ୍ରକାଶ କରିବାରୁ ସେ ଘଟଣା ବାବଦରେ ଟାଉନ ଥାନା ଅଧିକାରୀ ଓ ହସ୍ପିଟାଲ ଏଡିଏମ୍‌ଓଙ୍କୁ ଜଣାଇଲେ। ସେମାନଙ୍କ ଅନୁମତି ମିଳିବା ପରେ ମୃତ ଶିଶୁଟିକୁ ତାର ବାପା-ମା’ଙ୍କୁ ଦିଆଯାଇଥିବା ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର