ଭାରତୀୟ ରେଳକୁ ୬୦ ହଜାର ମାଟିପାତ୍ର ଯୋଗାଇ ଡମପଡ଼ାର ଓମ୍‌ ସାଇ ସ୍ବୟଂସହାୟକ ଗୋଷ୍ଠୀ ପ୍ରଶଂସିତ

କଟକ: ଭୁବନେଶ୍ବର, ଖୋର୍ଦ୍ଧା ପରେ ଏବେ କଟକ ଷ୍ଟେସନ୍‌କୁ ମାଟିପାତ୍ର ଯୋଗାଉଛନ୍ତି ‘ଓମ୍‌ ସାଇ ସ୍ଵୟଂ ସହାୟକ ଗୋଷ୍ଠୀ।’ ୬ ହଜାର ମାଟିକପ୍‌ରୁ ବ୍ୟବସାୟ ଆରମ୍ଭ କରିଥିବା ଏହି ସଂସ୍ଥା ‌‌ଇତିମଧ୍ୟରେ ୬୦ ହଜାର ମାଟି କପ୍‌ ଯୋଗାଇ ସାରିଲାଣି। କଟକ ଜିଲ୍ଲା ଡମପଡ଼ା ବ୍ଲକ ଅଧୀନ ତାଳବସ୍ତ ଗ୍ରାମର ୪୦ ପରିବାର ମାଟି ଚା’ କପ୍‌, ମାଟି ପାତ୍ର ନିର୍ମାଣ କରି ତିନୋଟି ଷ୍ଟେସନ୍‌, ଓମ୍‌ଫେଡ୍‌ ଓ ବିଭିନ୍ନ ଆଉଟ୍‌ଲେଟ୍‌କୁ ଯୋଗା‌ଇ ଦେଉଛନ୍ତି। ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ଓର୍‌ମାସ ଦ୍ଵାରା କଟକ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଜୀବିକା ମିସନ କାର୍ଯ୍ୟକ୍ରମର ଏଭଳି ଅଗ୍ରଣୀ ଯୋଜନା ପାଇଁ ଧନ୍ୟବାଦ ଦେଇଛନ୍ତି।

ତାଳବସ୍ତ ଗ୍ରାମର ୩୦ଟି କୁମ୍ଭକାର ପରିବାର ଏବଂ ୧୦ଟି ତେଲି ଓ ଗୌଡ ପରିବାର ଏଭଳି ବିଶୁଦ୍ଧ ତଥା ସ୍ୱାସ୍ଥ୍ୟ ଉପୋଯୋଗୀ ପାତ୍ର ଆଉ କପ ନିର୍ମାଣ କରୁଛନ୍ତି। ଏହି ପାତ୍ର ଗୁଡିକ ଗରମ ଖାଦ୍ୟ, ଚାହା, ଗରମ କ୍ଷୀର, ଥଣ୍ଡା କୁଲଫି, ଆଇସକ୍ରିମ ପ୍ରସ୍ତୁତି ତଥା ବ୍ୟବହାର ପାଇଁ ଆବଶ୍ୟକ ପଡିଥାଏ। ଏହି ମାଟିର ତିଆରି କପ ପିଛା ୨ ଟଙ୍କା ପ୍ରସ୍ତୁତକାରୀଙ୍କୁ ଦିଆଯାଉଛି।

ଓମ୍‌ ସାଇ ସ୍ଵୟଂ ସହାୟକ ଗୋଷ୍ଠୀର ପ୍ରଥମ ଉତ୍ପାଦ ପୂର୍ବତଟ ରେଳବାଇକୁ ପ୍ରଦାନ କରାଯାଇଛି ବୋଲି ଓରମାସ୍‌ର ଯୁଗ୍ମ ମୁଖ୍ୟନିର୍ବାହୀ ଅଧିକାରୀ ବିପିନ ରାଉତ ପ୍ରକାଶ କରିଛନ୍ତି। ଓରମାସ ସହାୟତାରେ ଓମ୍‌ ସାଇ ସହାୟକ ଗୋଷ୍ଠୀର ସାମର୍ଥ୍ୟ ବଢାଇବା ପାଇଁ ଆବାସିକ ପୁଞ୍ଜି ଏବଂ ତାଲିମ ପ୍ରଦାନ କରାଯାଇ ୨୦ଟି ବିଦ୍ୟୁତ୍ ଚାଳିତ ପୋଟୋର ମେସିନ ପ୍ରଦାନ କରାଯାଇଛି। ତାଳବସ୍ତଠାରେ ‘ରୁର୍‌ର୍ବାନ’ ଯୋଜନାରେ ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ସୃଦୁଢ କରିବା ପାଇଁ ୬ ଜଣ କୁମ୍ଭକାରଙ୍କୁ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ତାଲିମ୍‌ ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର