ଏଥରକ ବି ରବିରେ ତେଲିଙ୍ଗିରୀରୁ ଚାଷୀଙ୍କୁ ମିଳିବନି ପାଣି: ସ୍ଲୁଇସ୍ ଗେଟ ବନ୍ଦ ହେବ

ଜୟପୁର: ଜୟପୁର ଓ କୋରାପୁଟ ବ୍ଲକର ଚାଷୀ ମାନେ ଆଶା କରିଥିଲେ ଯେ ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପ ହେବା ପରେ ଖରିଫ ଓ ରବିରେ ପାଣି ପାଇବେ। ଏବଂ ଏହି ପାଣିରେ ୨ଟି ଚାଷ କରିବେ। ଦୀର୍ଘ ୧୭ବର୍ଷ କାଳ ଏହି ପ୍ରକଳ୍ପ ପାଇଁ ଅଂଚଳବାସୀ ଅପେକ୍ଷା କରି ରହିଥିଲେ। ଗତ ୨ବର୍ଷ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଲୋକାର୍ପିତ କରିଥିଲେ। ଏହା ପରେ ଚାଷୀମାନେ ଆଶାବାନ୍ଧିଥିଲେ ଯେ ପ୍ରକଳ୍ପର କାମ ସରିଗଲାଣି। ଏଣିକି ପାଣି ମିଳିବ। ଏବଂ ଚାଷ କରିବେ। ଗତ ବର୍ଷ ସେଭଳି ସ୍ଲୁଇସ୍ ଗେଟ ବନ୍ଦ କରାଯିବା ଯୋଜନା କରାଯାଇ ପାଣି ଦିଆଯାଇ ନଥିଲା। ସେଭଳି ଏହି ବର୍ଷ ବି ରବିଚାଷ ପାଇଁ ଚାଷୀ ପାଣି ପାଇବେ ନାହିଁ ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ଏବେ ଜଳଭଣ୍ଡାରରେ ୬୧୯ମିଟର ପାଣି ଥିବା ବେଳେ ୬୩୩ମିଟର ରହିବା ଆବଶ୍ୟକ। ସେଭଳି ପ୍ରକଳ୍ପ ଆରମ୍ଭ ସମୟରେ କରାଯାଇଥିବା ସ୍ଲୁଇସ୍ ଗେଟଟିକୁ ବନ୍ଦ କରାଯିବାକୁ ଗତ ବର୍ଷ ପ୍ରୟାସ କରାଯାଇଥିଲେ ହେଁ ଡିଜାଇନ୍ ଆସି ପାରି ନଥିବାରୁ ଏହା ହୋଇ ନଥିଲା। ତେବେ ଏହି ବର୍ଷ ଡିଜାଇନ୍ କାମ ସରିଛି। ଭୁବନେଶ୍ବର ଜଳସେଚନ ବିଭାଗର ଡ୍ୟାମ ଡିଭିଜନର ବୈଷୟିକ ଯନ୍ତ୍ରୀ ଓ କର୍ମଚାରୀମାନେ ଆସି ତଦାରଖ କରିବା ପରେ ସ୍ଲୁଇସ୍ ଗେଟକୁ ବନ୍ଦ କରାଯିବା କାମ ଆରମ୍ଭ ହେବ। ଏଥିପାଇଁ ଜଳଭଣ୍ଡାରର ପାଣି ନିଷ୍କାସନ୍ କରାଯିବ। ତେବେ ପାଣି ସ୍ପିଲ୍ ୱେ ପର୍ଯ୍ୟନ୍ତ ଛଡାଯିବ। ଯେଉଁ ପାଣିକୁ ତେଲିଙ୍ଗିରୀ ନଦୀରେ ଛଡାଯିବ।

ତେବେ ଏହି ପାଣିରେ ରବି ପାଇଁ ଧାର୍ଯ୍ୟ ରଖାଯାଇଥିବା ୩ହଜାର ହେକ୍ଟର ଜମିରେ ଚାଷ କରିବା ସମ୍ଭବ ପର ନୁହେଁ। ତେଣୁ କେବଳ ସ୍ପିଲ୍ ୱେରେ ଛଡାଯିବା ପାଣିରେ ସ୍ଥାନୀୟ ଚାଷୀମାନେ ତେଲିଙ୍ଗିରୀ ନଦୀ କୁଳରେ ପନି ପରିବା ଚାଷ ହିଁ କରି ପାରିବେ। ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପର ବିଭିନ୍ନ ବିଭାଗର ଯନ୍ତ୍ରୀ, ଚାଷୀ, କୃଷି ବିଭାଗର ଅଧିକାରୀଙ୍କୁ ନେଇ ବି ଏକ ବୈଠକ ଏହାରି ମଧ୍ୟରେ ହୋଇଥିବା ସୂଚନା ମିଳିଛି। ଜିଲ୍ଲାପାଳ ସ୍ପିଲ୍ ୱେ ପର୍ଯ୍ୟନ୍ତ ପାଣି ଛାଡିବାକୁ ନିର୍ଦେଶ ଦେଇଥିବା ଏବଂ ରବିରେ ଏଥରକ ପାଣି ଛଡାଯିବ ନାହିଁ ବୋଲି କହିଛନ୍ତି ତେଲିଙ୍ଗିରୀ କେନାଲ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଶାନ୍ତ ମହାରାଣା।

ସ୍ଲୁଇସ୍ ଗେଟକୁ ବନ୍ଦ କରାଯିବା ପାଇଁ ଡିଜାଇନ୍ ଆସି ସାରିଛି, ଭୁବନେଶ୍ବରରୁ ଜଳସେଚନ ବିଭାଗର ଡ୍ୟାମ ଡିଭିଜନର ଇଂଜିନିୟର ଓ ବୈଷୟିକ କର୍ମଚାରୀମାନେ ଏହାରି ମଧ୍ୟରେ ଆସି ଯାଂଚ କରି ଯିବେ। ଏବଂ ଏହା ପରେ ଏହି ସ୍ଲୁଇସ୍ ଗେଟକୁ ସେମାନଙ୍କ ଉପସ୍ଥିତିରେ ବନ୍ଦ କରାଯିବ।

ଏହା ବନ୍ଦ ହେବା ଫରେ ଆସନ୍ତା ବର୍ଷ ଠାରୁ ରବି ପାଇଁ ଆରମରେ ଚାଷୀଙ୍କୁ ପାଣି ଦିଆଯାଇ ହେବ ବୋଲି କହିଛନ୍ତି ନିର୍ବାହୀ ଇଂ ମହାରାଣା। ବର୍ଷା କମ୍ ହେବା ଏବଂ ଉପରମୁଣ୍ଡରେ ବର୍ଷା ନ ହେବାରୁ ପାଣି ବି କମ୍ ରହିଛି ଏବେ ୬୧୯ମିଟର ପାଣି ଜଳଭଣ୍ଡାରରରେ ରହିଛି ବୋଲି କହିଛନ୍ତି ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ମାଙ୍ଗେଲାଲ ଜୈନ। ପ୍ରକଳ୍ପ ପାଇଁ ୧୭ବର୍ଷ ଜଗିଲୁ, ଲୋକାର୍ପଣର ୨ବର୍ଷ ପରେ ବି ଆମେ ଚାଷ କରିବାକୁ ପାଣି ନ ପାଇବା ଆମ ପାଇଁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଚାଷୀ ରବି ପୁଜାରୀ, ସନାତନ ମାଳି, ଲକ୍ଷ୍ମୀଧର ମିଶ୍ର, ହରି ହର ଶତପଥୀ।

 

ସମ୍ବନ୍ଧିତ ଖବର