ପୁଅର ଠେଙ୍ଗା ମାଡ଼ରେ ବାପର ମୃତ୍ୟୁ, ଅଭିଯୁକ୍ତ ଗିରଫ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ପାଲକୋଣ୍ଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଏହି ଗାଁରେ ପୁଅର ଠେଙ୍ଗା ମାଡ଼ରେ ବାପର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଗତକାଲି ରାତିରେ କୌଣସି ଏକ ଘଟଣାକୁ ନେଇ ବାପା ଭୀମା ମାଡ଼କାମୀ ଏବଂ ପୁଅ ଇଙ୍ଗା ମାଡ଼କାମୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା ଧିରେ ଧିରେ ଉଗ୍ରରୂପ ଧାରଣ କରିଥିଲା। ଫଳରେ ଇଙ୍ଗା ରାଗିଯାଇ ପାଖରେ ଥିବା ଏକ ଠେଙ୍ଗାରେ ବାପର ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା। ଏଥିରେ ବାପା ଭୀମା ଘଟଣାସ୍ଥଳରେ ହିଁ ଛଟପଟ ହୋଇ ମୃତ୍ୟୁବରଣ କରିଥିଲେ।

ତେବେ ପରିବାର ଲୋକେ ଏହି ଘଟଣାକୁ ଚପାଇଦେବାକୁ ଚେଷ୍ଟା କରୁଥିବା ଜଣାପଡିଥିଲା। ପରେ ମାଲକାନଗିରି ପୁଲିସ କୌଣସି ସୂତ୍ରରୁ ଖବର ପାଇ ଆଇଆଇସି ରାମ ପ୍ରସାଦ ନାଗଙ୍କ ନେତୃତ୍ୱରେ ପୁଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଇଙ୍ଗା ମାଡକାମୀକୁ ଗିରଫ କରିବାରେ ସଫଳ ହୋଇଥିଲା। ପୁଲିସ ଇଙ୍ଗାକୁ ଥାନାକୁ ଆଣି ପଚରାଉଚରା କରିବା ସହ କୋର୍ଟ ଚାଲାଣ କରିଥିବା କହିଛି।

ସମ୍ବନ୍ଧିତ ଖବର