କ୍ଷତିରେ ଚାଳିଛି ରାଜ୍ୟ କାଜୁ ଉନ୍ନୟନ ନିଗମ ଜୟପୁର ଡିଭିଜନ, ନର୍ସରୀ ବଂଚାଇ ରଖିଛି ଡିଭିଜନ

ଗ୍ରାମବାସୀଙ୍କ କବଜାରେ ୧୮ହଜାର ହେକ୍ଟର, ୨ହଜାର ହେକ୍ଟର ଜମିର ହେଉଛି ଇ-‌ଟେଣ୍ଡର, ଟେଣ୍ଡରରେ ଗତ ବର୍ଷ କେହି ଭାଗ ନେଲେନି

ଜୟପୁର (ସୁରେଶ କୁମାର ନାଇଡୁ): ରାଜ୍ୟ ସରକାରଙ୍କ ଲାଭକାରୀ ନିଗମ ମଧ୍ୟ‌ରୁ ରାଜ୍ୟ କାଜୁ ଉନ୍ନୟନ ନିଗମ ଅନ୍ୟତମ।  ତେବେ  ଜୟପୁର ଡିଭିଜନ୍ ଏବେ କ୍ଷତିରେ ଚାଳୁଛି।  ୨୦୦୭ ମସିହା ପର୍ଯ୍ୟନ୍ତ ନିଗମ କାଜୁବାଡ ଗୁଡିକୁ ନିଲାମ କରି ୭୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଜସ୍ବ ପାଉଥିଲା। ତେବେ ୨୦୦୭ମସିହାରେ ଦଫାୟତି ଜମି ପଟ୍ଟା ସରକାର ବିତରଣ କରିବା ପରେ ବିଭିନ୍ନ ଗାଁର ଗ୍ରାମବାସୀ ଏବଂ ପୁର୍ବରୁ କାଜୁବାଡର ଦେଖାରଖା କରୁଥିବା ଲୋକେ  ନିଗମର  ୯୦ପ୍ରତିଶତ ବାଡ଼କୁ ନିଜ ଅକ୍ତିଆରରେ ରଖିଛନ୍ତି।  ଏହା ପର ଠାରୁ କାଜୁ ଉନ୍ନୟନ ନିଗମକୁ ପୂର୍ବରୁ ଯେଉଁ ପରିମାଣର ଟଙ୍କା ମିଳୁଥିଲା ସେଥିକି ନ ମିଳି କ୍ଷତିରେ ଚାଳୁଛି।  ଏବେ ନିଗମକୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଥିବା ୨ଟି ନର୍ସରୀ ହିଁ ବଂଚାଇ ରଖିବାରେ ସହାୟକ ହୋଇଥିବା କହିଛନ୍ତି  ଭାରପ୍ରାପ୍ତ ପରିଚାଳକ ତଥା ଜିଲ୍ଲା ଉପ ଉଦ୍ୟାନ ନିର୍ଦେଶକ ସଂଜୟ କୁମାର ମହନ୍ତ। ଏପରି ଦୀର୍ଘ ବର୍ଷ ଧରି କ୍ଷତିରେ ଜୟପୁର ଡିଭିଜନ ଚାଳୁଥିବାରୁ ଏହାକୁ ବନ୍ଦ କରିବାକୁ ବି ନିଗମ ଯୋଜନା କରୁଥିବା ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ କାଜୁ ବଗିଚା ସୃଷ୍ଟି କରାଯାଇ ରାଜ୍ୟ କାଜୁ ଉନ୍ନୟନ ନିଗମକୁ ବିନା ଜମି ପଟ୍ଟା(ରେକର୍ଡ ଅଫ୍ ରାଇଟସ୍ ) ହସ୍ତାନ୍ତର କରାଯାଇଥିଲା। ନିଗମର ନନ୍ଦପୁର, ପାଡୁଆ ଆଦି ଅଂଚଳରେ ୪୪ଟି ବାଡ଼ରେ ୮ହଜାର ହେକ୍ଟର ଜମିରେ କାଜୁ ବାଡ଼ ରହିଥିଲା। ସେଭଳି ଲମତାପୁଟ, ମାଛକୁଣ୍ଡ ଓ ଅନକାଡିଲ୍ଲୀ ଅଂଚଳରେ ୬୭ଟି ବାଡ଼ ୧୧ହଜାର ହେକ୍ଟର, ସେମିଳିଗୁଡା, ପୋଡାଗଡ, ଟାମିଲି, ନିଗମାନିଗୁଡା ଅଂଚଳରେ୪ଟି ବାଡ଼ ପ୍ରାୟ ୮୫୦ଏକର ଜମି ପରିମିତ ଅଂଚଳରେ କାଜୁ ବାଡ ରହିଥିଲା। ୨୦୦୭ମସିହା ପରେ ରାଜ୍ୟ ସରକାର ଦଫାୟତି ଜମି ପଟ୍ଟା ବିତରଣ ଆରମ୍ଭ କରିଥିଲେ। କାଜୁ ବାଡ଼କୁ ନିଲାମରେ ନେଇ ଦେଖାରଖା କରୁଥିବା ଗ୍ରାମବାସୀ ଓ ପୁରା ଗାଁର ଲୋକମାନେ ଏସବୁ କାଜୁ ବାଡ଼କୁ ସେ ସମୟରେ ନିଜ ଅଧିନକୁ ଜୋର ଜବରଦସ୍ତ ନେଇ ଯାଇଥିଲେ। କାଜୁ ବାଡ଼ ଗୁଡିକର ଜମି ପଟ୍ଟା ନିଗମ ନାଁରେ ନଥିବାରୁ ନିଗମ ବି ଆଇନର ଆଶ୍ରୟ ନେଇ ପାରି ନଥିଲେ। ଏପରିକି  ପୁଲିସରେ ଅଭିଯୋଗ କରିବା କିମ୍ବା କୋର୍ଟରେ ମାମଲା ବି ଦର୍ଜ କରାଇ ପାରୁନି  ବୋଲି କହିଛନ୍ତି ଭାରପ୍ରାପ୍ତ ପରିଚାଳକ ଶ୍ରୀ ମହନ୍ତ।

ନିଗମର ଅଧିକାରୀମାନେ କେବଳ  ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏସଂପର୍କରେ କେବଳ କାଗଜପତ୍ରରେ ଅବଗତ କରାଇ  ଚୁପ ହୋଇ ରହିଯାଇଛନ୍ତି। ଏହା ବାଦେ ବି କିଛି କର୍ମଚାରୀଙ୍କ ପ୍ରଚେଷ୍ଠାରେ ନନ୍ଦପୁର ବ୍ଲକର କିଛି କାଜୁ ବାଡ, ସେମିଳିଗୁଡା, ପଡାଗଡ ଅଂଚଳରୁ ବର୍ଷକୁ ୨୦ଲକ୍ଷ ମିଳୁଛି ବୋଲି କହିଛନ୍ତି ଭାରପ୍ରାପ୍ତ ପରିଚାଳକ। ନିଗମ ଅଧିନରେ ଥିବା ବାଡକୁ ନେଇ ଗତ କିଛି ବର୍ଷ ହେବ ଇ-ଟେଣ୍ଡର ହେଉଛଇ।  ଗ୍ରାମବାସୀ ଓ କାଜୁବାଡ଼ ନେଉଥିବା ବ୍ୟକ୍ତି ମାନେ ଜାଣି ନପାରି ଏଥିରେ ଭାଗ ନେଉ ନାହାନ୍ତି। ତେବେ ନିଗମର କର୍ମଚାରୀ ମାନେ ହିଁ ଗ୍ରାମବାସୀଙ୍କ ନାଁରେ ‌ଇ-ଟେଣ୍ଡର ଦାଖଲ କରି ଚାକିରୀ ବଂଚାଇ ଆସୁଛନ୍ତି ବୋଲି କିଛି କର୍ମଚାରୀ କହିଛନ୍ତି। ତେବେ ଗତ ବର୍ଷ କେହି ଇ-ଟେଣ୍ଡରରେ ଭାଗ ନେଇ ନଥିଲେ। ଏହା ବାଦେ ବି ବହୁ କଷ୍ଟରେ ବଗିଚା ବାବଦକୁ ପ୍ରାୟ ୧୧ଲକ୍ଷ ଟଙ୍କା ଆଦୟ କରାଯାଇଥିବା କହିଛନ୍ତି ଭାରାପ୍ରାପ୍ତ ପରିଚାଳକ।

ତେବେ ନିଗମ ଅଧିନରେ ଥିବା ଜୟନ୍ତଗିରୀ, କୋରାପୁଟ ସହ ନବରଙ୍ଗପୁର ଜିଲ୍ଲାର ନର୍ସରୀ କାଜୁ ଚାରା ପ୍ରସ୍ତୁତ କରି ବିଭିନ୍ନ ସରକାରୀ ବିଭାଗକୁ ଯୋଗାଯାଉଛି। ଜୟନ୍ତଗିରୀ ଓ ନବରଙ୍ଗପୁର ନର୍ସରୀରୁ ଚାରା ବିକ୍ରୀରେ ପ୍ରାୟ ୨୦ଲକ୍ଷ ଟଙ୍କା ନିଗମକୁ ଲାଭରେ ମିଳିବା ସହ ଏହାହିଁ ନିଗମକୁ ବଂଚାଇ ରଖିଛି ବୋଲି  କହିଛନ୍ତି ଭାରାପ୍ରପ୍ତ ପରିଚାଳକ ଶ୍ରୀ ମହନ୍ତ।  ଅନ୍ୟ ପକ୍ଷରେ ନିଗମର ସ୍ଥାୟୀ କର୍ମଚାରୀ ଭାବେ ଜଣେ ୩ୟ ଶ୍ରେଣୀ , ୨ଜଣ ୪ର୍ଥ ଶ୍ରେଣୀ ଓ ୩ଟି ନର୍ସରୀର ୩ଜଣ ସହାୟକ ଅଛନ୍ତି।  ଅସ୍ଥାୟୀ ଭାବେ ୪୨ଜଣ ଜଗୁଆଳି ରହିଛନ୍ତି।

ଜୟପୁର ଡିଭିଜନର ପରିଚାଳକ ସୁଦର୍ଶନ ସ୍ବାଇଁ ଗତ ୨୦୧୯ରେ ଅବସର ନେବା ପର ଠାରୁ ଭାରପ୍ରାପ୍ତ ଦାୟିତ୍ବରେ ହିଁ ଜିଲ୍ଲା କୃଷି ଉପନିର୍ଦେଶକ ରହିଛନ୍ତି। ତେବେ ଏତେ ସଂଖ୍ୟକ କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ପରେ ନିଗମକୁ ଆୟ ଠାରୁ ଅଧିକା ବ୍ୟୟ ହେବା ସହ କ୍ଷତି ସହିବାକୁ ପଡ଼ୁଥିବା ସୂଚନା ମିଳିଛି।  ରାଜ୍ୟ କାଜୁ ଉନ୍ନୟନ ନିଗମ ପକ୍ଷରୁ କିଭଳି ସବୁ ଜମିର ନିଜ ନାଁରେ ପଟ୍ଟା ହୋଇ ପାରିବ ସେ କାଗଜପତ୍ର ପ୍ରସ୍ତୁତି ଚାଳିଛି ବୋଲି  କହିଛନ୍ତି ଭାରପ୍ରାପ୍ତ ପରିଚାଳକ ମହନ୍ତ। ଏପରି କ୍ଷତିରେ ଚାଳିଲେ ଜୟପୁର ଡିଭିଜନ ବନ୍ଦ ହୋଇଯିବ ଏଥିରେ ଦ୍ବିମତ ନାହିଁ ବୋଲି ଅବସରପ୍ରାପ୍ତ ପରିଚାଳକ କହିଛନ୍ତି।

ସମ୍ବନ୍ଧିତ ଖବର