ରାଜ୍ୟରେ ପିଭିସି ଟିକାଦାନର ଶୁଭାରମ୍ଭ କଲେ ମନ୍ତ୍ରୀ ନବ ଦାସ 

ରାଜ୍ୟର ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ବିନା ମୂଲ୍ୟରେ ମିଳିବ, ୮୮୪୦୦ ଡୋଜ୍‌ ଗଚ୍ଛିତ

ଝାରସୁଗୁଡ଼ା: ରାଜ୍ୟରେ ନିମକୋକାଲ କନଜୁଗେଟ୍‌ ଭାକ୍ସିନ (ପିସିଭି)ର ଶୁଭାରମ୍ଭ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ଆଜି ଝାରସୁଗୁଡ଼ାରୁ ଭର୍ଚୁଆଲ ମୋର୍ଡ଼ରେ ମନ୍ତ୍ରୀ ଶ୍ରୀ ଦାସ ଏହି ଟିକାକୁ ସାର୍ବଜନୀନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଜାତୀୟ ସ୍ବାସ୍ଥ୍ୟ ମିଶନପରିଚାଳନା ନିର୍ଦ୍ଦେଶିକା ଶାଳିନି ପଣ୍ଡିତ, ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶଦାତା ଡ. ପ୍ରଦୀପ ହଲଦର, ପରିବାର କଲ୍ୟାଣ ନିର୍ଦ୍ଦେଶିକ ଡ. ବିଜୟ କୁମାର ପାଣିଗ୍ରାହୀ, ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ମୋନିକା ନେସନ ପ୍ରମୁଖ ଉପସ୍ଥିତ ଥିଲେ। ଝାରସୁଗୁଡ଼ା ମଙ୍ଗଲବଜାର ଠାରେ ପ୍ରଥମେ କିଛି ଶିଶୁଙ୍କୁ ଟିକାଦାନ କରାଯାଇଥିଲା।

ଏଥିରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ, ସିଡିଏମ୍ଓ ଡ. ଲାଲମୋହନ ରାଉତରାୟ,ଡିପିଏମ୍‌ ବୁଲୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ୫ ବର୍ଷରୁ କମ୍‌ ବୟସର ଶିଶୁ, କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ଶିଶୁ, ଅପପୃଷ୍ଟିର ଶିକାର ହୋଇଥିବା ଶିଶୁଙ୍କୁ ନିମକୋକାଲ ରୋଗ ହେବାର ଆଶାଙ୍କା ଥାଏ। ଏହି ରୋଗ ପ୍ରତିରୋଧ କରିବା ପାଇଁ ଶିଶୁ ମାନଙ୍କୁ ପିସିଭି(୧୦) ଟିକାଦାନ କାର୍ଯ୍ୟକ୍ରମ କରାଯିବ। ଜୀବାଣୁ ବାହିତ ଏହି ରୋଗ ଶରୀରକୁ ବିଭିନ୍ନ ମାର୍ଗ ଦେଇ ପ୍ରବେଶ କରିଥାଏ। ଏହି ରୋଗ ହେଲେ ଫୁସ୍‌ଫୁସ୍‌ରେ ପାଣି ଜମିବା, ଫୁଲିବା, ଅମ୍ଳଜାନ ମାତ୍ରା ହ୍ରାସ ଘଟିବା, ଶ୍ବାସକ୍ରିୟାରେ ସମସ୍ୟା ଦେଖାଦେବା ସହିତ କାଶ, ଛାତି ତଳ ଭାଗ ଟାଣି ହେବା, ବାତ ମାରିବା, ଜେତାଶୂନ୍ୟ ହେବା ଲକ୍ଷଣ ଦେଖା ଦେବା ସହିତ ଶିଶୁର ମୃତ୍ୟୁ ଘଟିଥାଏ।

ଶିଶୁ ଜନ୍ମରୁ ୨୪ ମାସ ପର୍ଯ୍ୟନ୍ତ ଏହି ରୋଗ ସଂକ୍ରମଣ ହେବାର ଆଶଙ୍କା ଥିବା ବେଳେ ଅନ୍ୟ ସଂକ୍ରମିତ ରୋଗୀର କାଶ ଓ ଝିଙ୍କରେ ମଧ୍ୟ ସଂକ୍ରମିତ ହୋଇଥାଏ। ଏହି ଟିକା ରାଜ୍ୟର ସମସ୍ତ ଚିକିତ୍ସାଳୟ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ସବ୍‌ ସେଣ୍ଟର ମାନଙ୍କରେ ବିନା ମୂଲ୍ୟରେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ଏହା ଆଜି ଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି। ରାଜ୍ୟରେ ଏହି ଟିକା ୮୮ ହଜାର ୪ ଶହ ଡୋଜ୍‌ ଗଚ୍ଛିତ ରହିଥିବା ବେଳେ ଏହି ଟିକାଦାନ ଫଳରେ ଶିଶୁ ମୃତ୍ୟୁହାର ବହୁ ପରିମାଣରେ କମାଯାଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର