ବିଫଳ ହେଲେ ଭାଙ୍ଗି ନ ପଡି ମାଡିଚାଲ: ଗୌରବ

ୟୁପିଏସସି ପରୀକ୍ଷାରେ ୮୬ତମ ରାଙ୍କ ହାସଲ କଲେ ସୁନ୍ଦରଗଡ଼ର ଗୌରବ ଅଗ୍ରୱାଲ

ସୁନ୍ଦରଗଡ଼: ସର୍ବଭାରତୀୟ ପ୍ରାଶାସନିକ ସେବା ୨୦୨୧ ବର୍ଷ ପାଇଁ ଅନୁଷ୍ଠିତ ପରୀକ୍ଷାର ଫଳାଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ସୁନ୍ଦରଗଡ଼ ମିଶନ ରୋଡସ୍ଥିତ ଗୌରବ ଅଗ୍ରୱାଲ (୨୫) ୮୬ ତମ ସ୍ଥାନ ପାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଗୌରବଙ୍କ ସଫଳତାକୁ ନେଇ ବାପାମା’ ପରିବାର ଖୁସିରେ ଫାଟି ପଡ଼ିଥିବା ବେଳେ ଘର ପରିବେଶ ଉତ୍ସବ ମୁଖର ହୋଇଛି। ତାଙ୍କୁ ବନ୍ଧୁ ପରିଜନ, ସହପାଠୀଙ୍କ ପାଖରୁ ଶୁଭେଚ୍ଛାର ସୁଅ ଛୁଟି ଆସିଛି। ଗୌରବ ପିଲାଟି ଦିନରୁ ମେଧାବୀ ଥିଲେ। ରାଉରକେଲା ସେଣ୍ଟ ପଲ୍ ସ୍କୁଲରେ ସେ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ବଲାଙ୍ଗୀରରେ ହାଇସ୍କୁଲ ପାଠ ପଢ଼ିଥିଲେ। ହାଇଦ୍ରାବାଦରେ ଇଣ୍ଟିଗ୍ରେଟେଡ୍ ଲ’ରେ ସ୍ନାତକ ଶିକ୍ଷା ପରେ ଭାରତୀୟ ପ୍ରାଶାସନିକ ସେବା ପାଇଁ ପ୍ରୟାସ ଜାରି ରଖିଥିଲେ। ୨୦୧୯ରେ ପ୍ରଥମ ପ୍ରୟାସରେ ସେ ବିଫଳ ହେଲା ପରେ ଭାଙ୍ଗି ଯାଇ ନଥିଲେ। ଆହୁରି ଅଧିକ ଉତ୍ସାହ, ନିଷ୍ଠାର ସହ ପରିଶ୍ରମ କରି ୨୦୨୧ରେ ଦ୍ବିତୀୟ ପ୍ରୟାସରେ ସଫଳ ହୋଇଥିଲେ।

ଦୈନିକ ୧୦ ରୁ ୧୨ ଘଣ୍ଟା ଏଥିପାଇଁ ପରିଶ୍ରମ କରୁଥିଲେ। ଆଜି ତାଙ୍କୁ ପରିଶ୍ରମ ଓ ବାପାମାଙ୍କ ଆଶୀର୍ବାଦର ଫଳ ମିଳିଛି ବୋଲି ସେ କହିଛନ୍ତି । ଆଶାନୁରୂପ ସ୍ଥାନ ମିଳିଛି ବୋଲି କହୁଥିବା ଗୌରବଙ୍କ ବୈଦେଶିକ ସେବା ପ୍ରତି ଆଗ୍ରହ ରହିଛି। କିନ୍ତୁ ତାହା ନମିଳିଲେ ସେ ଆଇଏଏସକୁ ପସନ୍ଦ କରିବେ ବୋଲି ପ୍ରକାଶ କରିଛନ୍ତି। ବିଫଳତାକୁ ସହଜରେ ଗ୍ରହଣ କରି ଆହୁରି ଅଧିକ ଉତ୍ସାହ, ଧୈର୍ଯ୍ୟର ସହ କଠିନ ପରିଶ୍ରମ କରି ଆଗକୁ ବଢ଼ିଲେ ସଫଳତା ନିଶ୍ଚିତ ବୋଲି ସେ ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି।

ତାଙ୍କ ବାପା ବାପା ସଜ୍ଜନ କୁମାର ଅଗ୍ରୱାଲ ଖଡ଼ଗପୁର ଠାରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଭାବେ ନିକଟରେ ଅବସର ନେଇଛନ୍ତି। ମାଆ କିରଣ ଅଗ୍ରୱାଲ ଜଣେ ଗୃହିଣୀ। ବଡ଼ ଭାଇ ସୌରଭ ଅଗ୍ରୱାଲ ହାଇଦ୍ରାବାଦ ଠାରେ ଆମାଜନରେ ଚାକିରି କରୁଛନ୍ତି। ସୁନ୍ଦରଗଡ଼ସ୍ଥିତ ଘରେ ଗୌରବ ବାପାମା’ ଓ ଜେଜେ ରାମଫୁଲ ଦାସ ଗୁପ୍ତା ଓ ଜେଜେମା ଗୋମତୀ ଦେବୀଙ୍କ ସହ ରହୁଛନ୍ତି।

ସମ୍ବନ୍ଧିତ ଖବର