ମାଲକାନଗିରିରେ ଭାରତ ବନ୍ଦ ବେଳେ ଆନ୍ଦୋଳନକାରୀ ଏବଂ ମହିଳାଙ୍କ ମଧ୍ୟରେ ବଚସା

କଂଗ୍ରେସ ବନ୍ଦରେ ସାମିଲ କିନ୍ତୁ ପ୍ରଭାବ ଶୂନ୍ୟ

ମାଲକାନଗିରି: ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ମାଲକାନଗିରିରେ ମଧ୍ୟ ବନ୍ଦ ପାଳନ କରାଯାଇଥିଲା। ମାଲକାନଗିରି ସ୍ଥିତ ବାଲିମେଲା ଛକ ନିକଟରେ ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ ରାସ୍ତା ଅବରୋଧ କରାଯିବା ସହ ବନ୍ଦ ପାଳନ କରାଯାଇଥିଲା। କେନ୍ଦ୍ର ସରକାରଙ୍କର କୃଷକ ମାରଣ ନୀତିକୁ ବିରୋଧ କରି ସ୍ଲୋଗାନ ଦିଆଯାଇଥିଲା। ଏହି ବନ୍ଦରେ ଜିଲ୍ଲା କଂଗ୍ରେସ ମଧ୍ୟ ସାମିଲ ଥିଲା।

ଆଜି ଦିନ ଦ୍ବିପହରରେ ବନ୍ଦ ପାଳନ କରି କୃଷକ ମୋର୍ଚ୍ଚାର ସଦସ୍ୟ ମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଥିବା ବେଳେ ହଠାତ୍ ଦୁଇ ଜଣ ମହିଳା ସ୍କୁଟିରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ବଡଯାତ୍ରା ଚାଲିଥିବା ବେଳେ ପ୍ରଶାସନ କରୋନା କଟକଣାକୁ ନେଇ ରାତିରେ ନାଇଟ କର୍ଫ୍ୟୁ ଜାରି କରିଛି। ପୁଣି ଏବେ ଦିନ ବେଳା ବନ୍ଦ ପାଳନକୁ ନେଇ ମହିଳା ଦ୍ବୟ ଗର୍ଜିଥିଲେ। ତେବେ ଆନ୍ଦୋଳନକାରୀ ମାନେ ମଧ୍ୟ ମହିଳାଙ୍କ ସହ ଦୀର୍ଘ ସମୟ ଧରି ଯୁକ୍ତତର୍କ କରିଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଏବଂ ମହିଳା ଦ୍ବୟଙ୍କୁ ବୁଝାସୁଝା କରିଥିଲେ।

Sambad

ବୁଝାସୁଝା ପରେ ସ୍ଥିତି ସମାନ୍ୟ ହୋଇଥିଲା। ତେବେ ଦୁଇ ମହିଳା ବିଜେପିର ସଦସ୍ୟ ବୋଲି ଜଣାପଡିଛି। କିଛି ସମୟ ପରେ ଆନ୍ଦୋଳନକାରୀମାନେ ମଧ୍ୟ ରାସ୍ତାରୁ ହଟିଥିଲେ। ତେବେ ବନ୍ଦର ପ୍ରଭାବ ମାଲକାନଗିରି ଜିଲ୍ଲାରେ କିଛି ପଡିନଥିଲା। ସମସ୍ତ ଦୋକାନ ବଜାର ଖୋଲାଥିବା ବେଳେ ସରାକରୀ ଏବଂ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ଚାଲୁ ରହିଥିଲା।

୮ ଦାବି ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଏହି ଆନ୍ଦୋଳନ କରାଯାଇଥିଲା। ସଂଯୁକ୍ତ ମୋର୍ଚ୍ଚାର ଦାବିଗୁଡିକ ମଧ୍ୟରୁ କୃଷି ବିଭାଗ, ଜଳ ସେଚନ ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ବନ ବିଭାଗ, ମୁର୍ତ୍ତିକା ସଂରକ୍ଷଣ ବିଭାଗ, ଉଦ୍ୟାନ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ, ସମବାୟ ବ୍ୟାଙ୍କ ଆଦି ଚାଷୀ ଓ ଶ୍ରମିକମାନଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ କରାଯାଇଥିଲା। ଆଜିର ଏହି ବନ୍ଦ ବେଳେ ଘେନୁ ମୁଦୁଲି ସହ ସମସ୍ତ କୃଷକ ସମେତ କଂଗ୍ରେସର ସଭାପତି ଗୋବିନ୍ଦ ପାତ୍ରଙ୍କ ସମେତ ଅନ୍ୟ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର