ପ୍ରଥମ ଦିନରେ ସୁନ୍ଦରଗଡ଼ ଜିଲ୍ଲାରେ ୧୩୧ ପ୍ରାର୍ଥିପତ୍ର ଦାଖଲ

ଜିଲ୍ଲାରେ ୩୫ ଜିଲ୍ଲା ପରିଷଦ, ୨୭୯ ସରପଞ୍ଚ ଓ ସମିତି ସଭ୍ୟ

ରାଉରକେଲା : ଆସନ୍ତା ଫେବୃଆରୀ ୧୬ରୁ ୫ଟି ପର୍ଯ୍ୟାୟରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ। ଆଜିଠୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଆଜି ପ୍ରଥମ ଦିନରେ ମୋଟ ୧୩୧ ପ୍ରାର୍ଥୀ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ୧୦୭ ୱାର୍ଡମେମ୍ବର, ୨୦ ସରପଞ୍ଚ, ୪ ଜଣ ପଞ୍ଚାୟତ ସମିତି ସଭ୍ୟ।

ପ୍ରଥମରେ ଜିଲ୍ଲାର ମୋଟ ୩୫ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଜଣେ ହେଲେ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରି ନାହାନ୍ତି। କୁଆରମୁଣ୍ଡା ବ୍ଲକର ୨୦ଟି ପଞ୍ଚାୟତ ମଧ୍ୟରୁ ପ୍ରଥମ ଦିନରେ ଜଣେ ସରପଞ୍ଚ ଓ ୫ ଜଣ ୱାର୍ଡ ମେମ୍ବର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୨୦ ପଞ୍ଚାୟତ ବିଶିଷ୍ଟ ନୂଆଗାଁ ବ୍ଲକରେ ପ୍ରଥମ ଦିନରେ ଜଣେ ସରପଞ୍ଚ ଓ ୧୨ ଜଣ ୱାର୍ଡ ମେମ୍ବର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଶ୍ରା ବ୍ଲକର ମାତ୍ର ୩ ଜଣ ୱାର୍ଡ ମେମ୍ବର ପାର୍ଥିପତ୍ର ଦାଖଲ କରିଛନ୍ତି। କୁତ୍ରା ବ୍ଲକରେ ୩ ସରପଞ୍ଚ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବଣାଇଗଡ ବ୍ଲକରେ ଥିବା ୧୩ ପଂଚାୟତ ପାଇଁ ଗୋଟିଏ ସରପଂଚ ଓ ୫ଟି ଓ୍ୟାଡ ସଭ୍ୟ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସେହିପରି ଗୁରୁଣ୍ତିଆ ବ୍ଲକରେ ଥିବା ୧୩ ଗ୍ରାମପଂଚାୟତ ପାଇଁ ବ୍ଲକ କାର୍ଯ୍ୟାଳୟରେ ସମିତି ସଭ୍ୟ ପାଇଁ ୨୭ଟି ନାମାଙ୍କନ ପତ୍ର ବିକ୍ରୟ ହୋଇଥିବାବେଳେ ବିଭିନ୍ନ ଗ୍ରାମପଂଚାୟତରେ ୧୧ ଜଣ ସରପଂଚ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବେଳେ ୧୫ ଜଣ ୱାର୍ଡ ସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତିା ସେହିପରି ଉପଖଣ୍ତର କୋଇଡା ଓ ଲହୁଣିପଡା ବ୍ଲକରେ ସମିତି ସଭ୍ୟ, ସରପଂଚ ଓ ୱାର୍ଡ ସଭ୍ୟ ପାଇଁ ୩୨ଟି ଗ୍ରାମପଂଚାୟରେ ନାମାଙ୍କନ ପତ୍ର ବିକ୍ରୟ ହୋଇଥିବା ଜଣାପଡିଛି। ଆଗ୍ରାହୀ ପ୍ରାର୍ଥୀମାନେ ୨୩ରୁ ୨୫ ତାରିଖ ମଧ୍ୟରେ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ୨୫ ତାରିଖ ଅପରାହ୍ନରେ ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପାଇବ।

ଚଳିତ ନିର୍ବାଚନରେ ସୁନ୍ଦରଗଡ଼ ଜିଲ୍ଲାର ୧୦ ଲକ୍ଷ ୮୪ ହଜାର ୬୫୨ ଭୋଟର ୩୫ ଜିଲ୍ଲା ପରିଷଦ, ୨୭୯ ସରପଞ୍ଚ, ସମିତିସଭ୍ୟ ଓ ୩୬୨୩ ୱାର୍ଡମେମ୍ବରଙ୍କୁ ବାଛିବେ। ଆସନ୍ତା ଫେବୃଆରୀ ୧୬ରେ ଜିଲ୍ଲାର ବଡଗାଁ, କୁଆରମୁଣ୍ଡା, ଲାଠିକଟା, ବଣାଇଁଗଡ ବ୍ଲକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ୧୮ରେ ସବ୍‌ଡେଗା, କୁତ୍ରା, ନୂଆଗାଁ ଓ ବିଶ୍ରା ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହେବ। ୨୦ରେ ବାଲିଶଙ୍କରା, ରାଜଗାଙ୍ଗପୁର, କୋଇଡା ବ୍ଲକ , ୨୨ରେ ଲେଫ୍ରିପଡା, ହେମଗିରି, ଲହୁଣିପଡା ନିର୍ବାଚନ ହେବ। ୨୪ରେ ସୁନ୍ଦରଗଡ଼ ସଦର, ଟାଙ୍ଗରପାଲି ଓ ଗୁରୁଣ୍ଡିଆ ବ୍ଲକରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର