କଣ୍ଡକ୍ଟରଙ୍କ ଅମାନବୀୟ କାଣ୍ଡ: ଭଡ଼ା ପାଇଁ ବସ୍‌ରୁ ଠେଲିଦେଲେ

ବଡ଼ଗାଁ: ଏକ ଅମାନବୀୟ ଘଟଣା କ୍ରମରେ ଆଜି ବଡ଼ଗାଁରେ ସାମାନ୍ୟ ଟିକଟ ପାଇଁ କଣ୍ଡକ୍ଟର ଜଣେ ଯାତ୍ରୀଙ୍କୁ ବସ୍‌ରୁ ଠେଲି ଦେବା ଓ ଯାତ୍ରୀ ତଳେ ହାମୁଡ଼େଇ ପଡ଼ିବା ପରେ ବସ୍‌ର ପଛ ଚକ ଚଢ଼ି ତାଙ୍କ ପାଦ ଚୂନା ହୋଇଯାଇଛି। ସବୁଠାରୁ ଉଦ୍‌ବେଗଜନକ କଥା ହେଲା ବସ୍‌ ଚକ ତଳେ ପାଦ କଟି ଯାତ୍ରୀ ଛଟପଟ ହେଉଥିଲେ ବି ବସ୍‌ କର୍ମଚାରୀଙ୍କ ମନରେ ସାମାନ୍ୟ ସମ୍ବେଦନଶୀଳତା ପ୍ରକାଶ ପାଇଲା ନାହିଁ। ଅତି ନିଷ୍ଠୁର ଭାବେ ଗୁରୁତର ଯାତ୍ରୀଙ୍କୁ ସେଠାରେ ଛାଡ଼ି ଦେଇ ଚାଲି ଯାଇଥିଲେ। ସୁନ୍ଦରଗଡ଼ରୁ ରାଉରକେଲା ଅଭିମୁଖେ ଆସୁଥିବା ଜେଡି ଟ୍ରାଭେଲ୍ସ ନାମକ ଏକ ଘରୋଇ ବସ୍‌ରେ ଘଟିଥିବା ଏହି ଘଟଣା ବଡ଼ଗାଁ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ମାନବିକତାର ହତ୍ୟା ବୋଲି ଚର୍ଚ୍ଚା ହେଉଛି।

ଘଟଣାରୁ ପ୍ରକାଶ ବଡ଼ଗାଁ ବନଢ଼ିପା ଅଂଚଳର ରତ୍ନାକର ରୋହିଦାସ(୫୫) ଆଜି ଅପରାହ୍ନରେ ବଡ଼ଗାଁ ଆସିବା ପାଇଁ (ଓଆର୍‌ ୧୪ଏମ୍‌ ୫୫୬୬) ଜେଡି ବସ୍‌ରେ କରମଡିହିରୁ ଚଢ଼ିଥିଲେ। ବାଟରେ ଭଡ଼ା ଦେବାକୁ କେନ୍ଦ୍ର କରି ତାଙ୍କର ବସ୍‌ କଣ୍ଡକ୍ଟରଙ୍କ ସହିତ ବଚସା ହୋଇଥିଲା। ପରେ ଇତମାରେ ପହଞ୍ଚିବାବେଳକୁ ବସ୍‌ କଣ୍ଡକ୍ଟର ତାଙ୍କୁ କୁଆଡେ ଜୋରଜବରଦସ୍ତ ବସ୍‌ରୁ ଠେଲି ଦେଇଥିଲେ। ଫଳରେ ତଳେ ପଡ଼ି ଯିବା ସହ ବସ୍‌ର ପଛ ଚକ ତାଙ୍କ ଗୋଡ଼ରେ ଚଢ଼ି ଯାଇଥିଲା। ସେ ଗୁୁରୁତର ଅବସ୍ଥାରେ ରାସ୍ତାରେ ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଡାକି ପ୍ରଥମେ ବଡ଼ଗାଁ ଡାକ୍ତରଖାନାକୁ ଏବଂ ପରେ ତାଙ୍କୁ ସୁନ୍ଦରଗଡ଼କୁ ସ୍ଥାନାନ୍ତର କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଉଦ୍‌ବେଗଜନକ ହେବାରୁ ବୁର୍ଲାକୁ ପଠାଯାଇଥିବା ସୂଚନା ମିଳିଛି। ଏ ସଂପର୍କରେ ବଡ଼ଗାଁ ଥାନାରେ ଏକ ଏତଲା ହେବା ପରେ ପୁଲିସ ଘଟଣାର ଅନୁସଂଧାନ ଚଳାଇଛି। ତେବେ ବସ୍‌ କଣ୍ଡକ୍ଟର ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଯାତ୍ରୀ ଜଣଙ୍କ ମଦ ପିଇଥିବା ବେଳେ ନିଜେ ଶିଢ଼ିରୁ ଖସି ପଡ଼ିଥିବା ସଫେଇ ଦେଇଛନ୍ତି। ଆହତ ଯାତ୍ରୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେବା ସହ ବସ୍‌ କଣ୍ଡକ୍ଟର ଓ ହେଲପର୍‌କୁ କଠୋର ଦଣ୍ଡ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର