ସୁନ୍ଦରଗଡ଼: ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାପତ୍ର ଧୁଳିସାତ

କୁତ୍ରା: ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ପୋଷ୍ଟ ଅଫିସକୁ ଲାଗି ଏକ କୋଠା ଘରେ କେହି ନଥିବା ସୁଯୋଗରେ ଦୁର୍ବୃତ୍ତ ନିଆଁ ଲଗାଇ ଦେବାରୁ ଘରେ ଭଡାରେ ଥିବା ଗୃହକର୍ତ୍ତା ଅଜିତ ଲାକ୍ରାଙ୍କ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଯାଇଛି। ଏକ ପାରିବାରିକ କାମରେ ପରିବାର ସହ ବାହାରକୁ ଯାଇଥିବା ବେଳେ ଅଜିତ ଆଜି ଭୋର ସକାଳେ ଘରକୁ ଫେରିଥିଲେ। ସେ ଏକ ଝରକା ଖୋଲା ଥିବା ସହିତ ଝରକାରେ ଦିଆସିଲିକାଠି ପଡିଥିବା ଦେଖିଥିଲେ। ଘର ଭିତରେ ନିଆଁ ଜଳୁଥିବା ଦେଖି ‘ସମ୍ବାଦ’ର ସ୍ଥାନୀୟ ପ୍ରତିନିଧି ରାଜେଶ ସାହୁ ପ୍ରଥମେ ଅଗ୍ନିଶମ ବିଭାଗ ସହ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ।

ପରେ ପରେ ଘଟଣାସ୍ଥଳରେ କୁତ୍ରା ଅଗ୍ନିଶମ ବିଭାଗ ଅଧିକାରୀ ବାହାଦୁର କୁମାର ସେନାପତିଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀ ମାନେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ବିଦ୍ୟୁତ ବିଭାଗ ଅଧିକାରୀଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଏକ ବଡ ବିପଦକୁ ଏଡାଇ ଦିଆଯାଇ ପାରିଥିଲା। ଘରଭିତରେ ୩ଟି ଗ୍ୟାସ ସିଲିଣ୍ଡର ଥିବାରୁ ତତ୍କାଳ ତାକୁ ବାହାରକୁ ନିଆଁ ଯାଇ ଏକ ବଡ ଅଘଟଣକୁ ଏଡାଇ ଦିଆଯାଇ ପାରିଲା। ତାଙ୍କର ଘରଭିତରେ ଏକ ଜେରକ୍ସ ଦୋକାନ ମଧ୍ୟ କରିଛନ୍ତି। ଘର ଭିତରେ ଥିବା ଜେରକ୍ସ ମେସିନ, କମ୍ପୁଟର, ଫ୍ରିଜ, ପଙ୍ଖା, ଆସବାପତ୍ର ପୋଡି ସଂପୂର୍ଣ୍ଣ ପାଉଁଶ ହୋଇଯାଇଛି। ପାରିପାର୍ଶ୍ଵିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ଯୋଜନା ବୋଲି ଜଣା ପଡିଛି। କେହି ଦୁର୍ବୃତ୍ତ ଜାଣିଶୁଣି ଦିଆସିଲିରେ ନିଆଁ ଲଗେଇ ଘର ଭିତରେ ଫୋଫାଡି ଦେଇଥିବା ସଂଦେହ ହେଉଛି।

ସମ୍ବନ୍ଧିତ ଖବର