ସଡ଼କ ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ବସାଇ ହସ୍‌ପିଟାଲ ନେଲେ ସୁନ୍ଦରଗଡ଼ ଏସ୍‌ପି, ସାଇକେଲ ଆରୋହୀଙ୍କ ମୃତ୍ୟୁ

କୁତ୍ରା: ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ୩ ଜଣ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ବସାଇ ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ର ହସ୍‌ପିଟାଲ ପହଞ୍ଚାଇଛନ୍ତି।  ମାତ୍ର ଦୁଃଖର ବିଷୟ ଯେ ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ସାଇକେଲ ଆରୋହୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଜଣଙ୍କୁ ଚିକିତ୍ସା ଲାଗି ରାଉରକେଲା ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ‘ବିଜୁ ଏକ୍ସପ୍ରେସ୍‌ ୱେ’ରେ ମଙ୍ଗଳବାର ଅପରାହ୍ଣରେ ଦୁଇ ଜଣ ବାଇକ୍‌ ଆରୋହୀ ଓ ଜଣେ ସାଇକେଲ୍‌ ଆରୋହୀଙ୍କର ମଧ୍ୟରେ ଧକ୍କା ହୋଇଥିଲା। ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ ଚୁନିପଡ଼ା ଗାଁର ପ୍ରଦୀପ ସିଂହ ଓ ଭୀମ ସିଂହ ବାଇକ୍‌ (ଓଡି ୧୪ ଏଲ୍‌ ୨୪୪୩)ରେ ରାଜଗାଙ୍ଗପୁର ଯାଉଥିଲେ। ବିପରୀତ ଦିଗରୁ ଗମାରଡିହ ଗାଁର ରାଜେନ୍ଦ୍ର କିସ୍‌ପଟ୍ଟା ଆସୁଥିଲେ। ବାଇକ୍‌ ଓ ସାଇକେଲ୍‌ ମୁହାଁମୁହଁ ଧକ୍କା ହେବା ଫଳରେ ତିନି ଜଣ ଗୁରୁତର ହୋଇଥିଲେ।

ଦୁର୍ଘଟଣାର ଅଳ୍ପ କିଛି ସମୟ ପରେ ଏସ୍‌ପି ସୌମ୍ୟା ମିଶ୍ର ଘଟଣାସ୍ଥଳକୁ ପହଞ୍ଚି ଥିଲେ। ସେହି ସମୟରେ ଏସ୍‌ପି ମିଶ୍ର ରାଉରକେଲା ଯାଉଥିଲେ। ସେ ଆହତମାନଙ୍କୁ ସଙ୍ଗେ ସଙ୍ଗେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇଯାଇଥିଲେ। ଚିକିତ୍ସା ସମୟରେ ରାଜେନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରଦୀପ ଓ ଭୀମଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର