ଆଜି ସୁନ୍ଦରଗଡ଼ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ଶିବିରରେ ପ୍ରବଳ ଉତ୍ସାହ ତେବେ ରାଉରକେଲା ବଦଳରେ ସୁନ୍ଦରଗଡ଼ କାହିଁକି?

ସୁନ୍ଦରଗଡ଼, : ଶନିବାର ଦିନ ସୁନ୍ଦରଗଡ଼ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୁନ୍ଦରଗଡ଼କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ପ୍ରଥମ ଗସ୍ତ ହୋଇଥିବାରୁ ତାଙ୍କୁ ପାଖରୁ ଦେଖିବା ଓ ଶୁଣିବାକୁ ସୁନ୍ଦରଗଡ଼ବାସୀ ବେଶ ଉତ୍ସୁକ ହୋଇପଡ଼ିଛନ୍ତି। ନିର୍ବାଚନ ସମୟ‌ରେ ମୋଦୀଙ୍କ ଏହି ଗସ୍ତକୁ ନେଇ ଖାସ୍ କରି ବିଜେପି ଶିବିରରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି। ତେବେ ସୁନ୍ଦରଗଡ଼ ଜିଲ୍ଲାର ପ୍ରମୁଖ ସହର ରାଉରକେଲାକୁ ନ ଯାଇ ଶ୍ରୀ ମୋଦୀ ସୁନ୍ଦରଗଡ଼ ସଦର ମହକୁମାକୁ ନିର୍ବାଚନ ପ୍ରଚାର ପାଇଁ ବାଛିବା ପ୍ରସଙ୍ଗକୁ ନେଇ ବିରୋଧୀ ମହଲରେ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଉଲ୍ଲେଖନୀୟ ଯେ ଶ୍ରୀ ମୋଦୀ ୨୦୧୫ ଏପ୍ରିଲ ୧ରେ ରାଉରକେଲା ଗସ୍ତରେ ଆସି ଦ୍ବିତୀୟ ବ୍ରାହ୍ମଣୀ ସେତୁର ନିର୍ମାଣ ଓ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ସୁପର ସ୍ପେଶାଲିଟି ହସ୍ପିଟାଲ, ମେଡିକାଲ କଲେଜ ରୂପାନ୍ତର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥି‌ଲେ। କିନ୍ତୁ ଏ ଦୁଇଟି କାମ ଏଯାଏ ପାଦେ ହେଲେ ଆଗେଇ ନାହିଁ। ଏ ଦୁଇ ପ୍ରସଙ୍ଗକୁ ନେଇ ରାଉରକେଲା ରାଜନୀତିରେ ଇତିମଧ୍ୟରେ ଅନେକ ବିତର୍କ ଏବଂ ପରିବର୍ତ୍ତନ ଘଟି ସାରିଛି। ତେଣୁ ଲୋକେ ପ୍ରଧାନମନ୍ତ୍ରୀଙ୍କୁ ଏହି ପ୍ରଶ୍ନ ପଚାରିବା କିଛି ବିଚିତ୍ର ନୁହେଁ। ଏସବୁ ତାଙ୍କୁ ଅଡ଼ୁଆରେ ପକାଇପାରେ ବୋଲି ଆଶଙ୍କା କରି ଶ୍ରୀ ମୋଦୀ ହୁଏତ ରାଉରକେଲା ବଦଳରେ ସୁନ୍ଦରଗଡ଼କୁ ବାଛିଥିବା କୁହାଯାଉଛି।
କାର୍ଯ୍ୟକ୍ରମ ଅନୁସାରେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶନିବାର ସକାଳ ୮ଟା ୪୫ରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତିକ ବିମାନ ବନ୍ଦରରୁ ଝାରସୁଗୁଡ଼ା ଅଭିମୁଖେ ବାହାରିବେ। ଠିକ୍‌ ୧୦ଟା ୨୫ରେ ସେ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଓହ୍ଲାଇବା ପରେ ୧୦ଟା ୩୦ରେ ବିମାନ ବନ୍ଦରରେ ପୂର୍ବରୁ ପ୍ରସ୍ତୁତ ଥିବା ବାୟୁ ସେନାର ସ୍ବତନ୍ତ୍ର ହେଲିକପ୍ଟରରେ ବାହାରି ୧୦ଟା ୫୫ରେ ସୁନ୍ଦରଗଡ଼ କିରେଇ ନିକଟସ୍ଥ ରୁପିଡିହି ଛତାବର ପଡ଼ିଆରେ ଓହ୍ଲାଇବେ। ପୂର୍ବାହ୍ନ ୧୧ଟାରେ ସେଠା‌ରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀମାନଙ୍କ ସପକ୍ଷରେ ଭୋଟ ମାଗିବେ। ୪୦ ମିନିଟ ସମୟ ଏହି ସାଧାରଣ ସଭାରେ ରହିବା ପରେ ୧୧ଟା ୪୫ରେ ସଭା କାର୍ଯ୍ୟ ଶେଷ କରି ୧୧ଟା ୫୫ରେ ହେଲିକପ୍ଟର ଯୋଗେ ସେ ସୋନପୁର ଉଡ଼ିଯିବେ। ଶ୍ରୀ ମୋଦୀଙ୍କ ସହ ଉକ୍ତ ସଭାରେ ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ, ବରଗଡ଼ ଲୋକସଭା ପ୍ରାର୍ଥୀ ସୁରେଶ ପୂଜାରୀ, ସୁନ୍ଦରଗଡ଼ର ୭ଟି ବିଧାନସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ, ଝାରସୁଗୁଡ଼ା ବିଜେପି ବିଧାନସଭା ପ୍ରାର୍ଥୀ ଦୀନେଶ ଜୈନ, ବ୍ରଜରାଜନଗର ପ୍ରାର୍ଥୀ ରାଧାରାଣୀ ପଣ୍ଡା ଓ କୁଚିଣ୍ଡା ପ୍ରାର୍ଥୀ ରବି ନାୟକ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସହର ଓ କି‌ରେଇ ଅଞ୍ଚଳ‌ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏସ୍‌ପିଜି ଆଇଜି ଏମ୍‌.ପି. ଗୁପ୍ତାଙ୍କ ତତ୍ତ୍ବାବଧାନରେ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ, ଏଡିଜି ଅନିରୁଦ୍ଧ ସିଂ ଓ ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରଙ୍କ ନେତୃତ୍ବରେ ଏସ୍‌ଓଜି, ଏସ୍‌ପିଜି, ୨ ଶହ ବରିଷ୍ଠ ପୁଲିସ ଅଧିକାରୀ ଏବଂ ୩୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର