ଅଙ୍ଗନବାଡିକର୍ମୀଙ୍କ ବିଶାଳ ବିକ୍ଷୋଭ: ସରକାରୀ ମାନ୍ୟତା ଓ ୫୦ ଲକ୍ଷ ଟଙ୍କାର କରୋନା ମୃତ୍ୟୁ ସହାୟତା ଦାବି

ସୁନ୍ଦରଗଡ଼: ଅଙ୍ଗନବାଡି କ୍ଷେତ୍ରରେ ଯୋଜନା ପ୍ରଥାକୁ ଉଚ୍ଛେଦ କରି ସରକାରୀ ମାନ୍ୟତା, କରୋନାରେ ମୃତ କର୍ମୀଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା, ସରକାରୀ ମାନ୍ୟତା ନମିଳିବା ଯାଏଁ ସମସ୍ତ ଅଙ୍ଗନବାଡିକର୍ମୀ ଓ ମିନି ଅଙ୍ଗନବାଡିକର୍ମୀଙ୍କୁ ସର୍ବନିମ୍ନ ୨୧ ହଜାର ଓ ସହାୟିକାଙ୍କୁ ୧୫ ହଜାର ପ୍ରଦାନ, କାର୍ଯ୍ୟରତ ଅଙ୍ଗନବାଡିକର୍ମୀ, ସହାୟିକାଙ୍କ ମୃତ୍ୟୁରେ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଓ ପରିବାରର ଜଣକୁ ଚାକିରି, କର୍ମୀଙ୍କୁ ସୁପରଭାଇଜର ପଦୋନ୍ନତିରେ ଅଗ୍ରାଧିକାର ପ୍ରଦାନ ଆଦି ୧୦ ଦଫା ଦାବି ନେଇ ଆଜି ନିଖିଳ ଓଡ଼ିଶା ଅଙ୍ଗନବାଡିକର୍ମୀ ଆସୋସିଏସନ୍ ପକ୍ଷରୁ ସୁନ୍ଦରଗଡ଼ରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଏହି ଆସୋସିଏସନର ଶହ ଶହ କର୍ମୀ ଓ ସହାୟିକା ସୁନ୍ଦରଗଡ଼ ପୁରୁଣା ବସଷ୍ଟାଣ୍ଡରୁ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସୁନ୍ଦରଗଡ଼ ଶାଖା ସଭାପତି ବାସନ୍ତୀ ବାଗ, ସମ୍ପାଦିକା ବିମଳା ଲାକ୍ରା, ସହ ସମ୍ପାଦିକା ରାଜକୁମାରୀ ବଗାର, ସବିତା ପଣ୍ଡା, ଅଖିଳ ଭାରତୀୟ ମଜଦୁର ମହାସଂଘ ସାଧାରଣ ସମ୍ପାଦିକା ଅଞ୍ଜଳି ପଟେଲ, ରାଜ୍ୟ ପ୍ରଭାରୀ ବିବେକାନନ୍ଦ ମହାନ୍ତ, କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ସମ୍ପାଦକ କୁମାର ତରୱାର ପ୍ରମୁଖ ବିକ୍ଷୋଭର ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର