ବିଦ୍ୟୁତ୍ ଆଘାତରେ ଠିକା କର୍ମଚାରୀଙ୍କ ମୃତ୍ୟୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଖୋର୍ଦ୍ଧା: ଆଜି ସକାଳେ ବେଗୁନିଆ ବ୍ଲକ ଅଧୀନ କୁଶପଲ୍ଲା ଠାରେ ବିଦ୍ୟୁତ୍ ଖୁଂଟ ଉପରେ ଚଢ଼ି ମରାମତି କରୁଥିବା ସହକାରୀ ଟେକ୍ନିସିଆନ୍ ସଂଜୟ କୁମାର ବେହେରାଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଥିଲା । ତାଙ୍କର ମୃତଦେହକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା । ତେବେ ଉପଯୁକ୍ତ କ୍ଷତିପୂରଣ ଓ ଦୋଷୀଙ୍କୁ ଦଣ୍ଡ ଦାବିରେ ମୃତକଙ୍କ ପରିବାର ଓ ସହକର୍ମୀମାନେ ଦୀର୍ଘ ସମୟ ଧରି ଧାରଣା ଦେଇଥିଲେ । ସୂଚନାନୁସାରେ, ଆଜି ସକାଳେ କୁଶପଲ୍ଲା ଠାରେ ବେଗୁନିଆ ବିଦ୍ୟୁତ୍ ଡିଭିଜନ୍ ଅଧୀନରେ ଠିକା ଭାବେ କାମ କରୁଥିବା ସହକାରୀ ଟେକ୍ନିସିଆନ୍ ସଂଜୟ ଏକ ବିଦ୍ୟୁତ୍ ଖୁଂଟ ଉପରେ ଚଢ଼ି ଛିଣ୍ଡିଯାଇଥିବା ବିଦ୍ୟୁତ୍ ତାର ମରାମତି କରୁଥିଲେ । ଏହି ସମୟରେ ହଠାତ୍ ବିଦ୍ୟୁତ୍ ସଂଯୋଗ ହୋଇଯିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

ଏହାପରେ ମୃତଦେହକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା । ସେଠାରେ ଚିକିତ୍ସାଳୟ ଫାଟକ ସମ୍ମୁଖରେ ମୃତଦେହକୁ ରଖି ସଂଜୟଙ୍କ ସମ୍ପର୍କୀୟ ଓ ସହକର୍ମୀମାନେ ଧାରଣା ଦେଇଥିଲେ । ଏହାକୁ ନେଇ ସେଠାରେ ନିୟୋଜିତ ଚିକିତ୍ସାଳୟର ସୁରକ୍ଷାକର୍ମୀ ମୃତଦେହକୁ ଫାଟକ ସମ୍ମୁଖରୁ ହଟାଇବା ପାଇଁ କହିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । କଥା ହାତାହାତି ଯାଏଁ ଯାଇଥିଲା ।

ପରେ ପୁଲିସ ଓ ବିଦ୍ୟୁତ୍ ବିଭାଗର ବରିଷ୍ଠ ଅଧିକାରୀ ପହଂଚି ସେମାନଙ୍କୁ ବୁଝାଶୁଝା କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପରେ ସାଥିରେ ନେବାକୁ ରାଜି କରାଇଥିଲେ । ଏନେଇ ଟାଉନ୍ ଥାନା ଅଧିକାରୀ ଡିଏସ୍ପି ସଂଜୟ କୁମାର ପଟ୍ଟନାୟକ କହିଛନ୍ତି ଯେ ଉତ୍ତେଜନା ପ୍ରକାଶ ପାଇବା ସୂଚନା ପାଇଁ ପୁଲିସ ପହଂଚି ପରିସ୍ଥିତିକୁ ଆୟତ୍ତ କରିଥିଲା । ଏନେଇ କୌଣସି ଲିଖିତ ଅଭିଯୋଗ ହୋଇନାହିଁ ।

ସମ୍ବନ୍ଧିତ ଖବର