କାର୍‌ ଚାଳକ ହେଲ୍‌ମେଟ୍‌ ପିନ୍ଧି ନଥିବାରୁ କଟିଲା ଚାଲାଣ

ସମ୍ବଲପୁର: କାର୍‌ ଚଲାଉଥିଲେ ବି ଆପଣଙ୍କୁ ହେଲ୍‌ମେଟ୍‌ ପିନ୍ଧିବାକୁ ପଡ଼ିବ। ଆଜ୍ଞା ଏ କଥା ଆମେ କହୁନୁ, ଏକଥା କହୁଛି ଟ୍ରାଫିକ୍‌ ବିଭାଗ। ଜଣେ ବ୍ୟକ୍ତି କାର୍‌ ଚଲାଇବା ବେଳେ ହେଲ୍‌ମେଟ୍‌ ପିନ୍ଧି ନଥିବାରୁ ଟ୍ରାଫିକ୍‌ ବିଭାଗ ୧୦୦୦ ଟଙ୍କାର ଚାଲାଣ କାଟିଛି। ଏ ନେଇ ମେସେଜ୍‌ ଆସିବା ପରେ କାର୍‌ ମାଲିକ ପ୍ରଥମେ ଚକିତ ହୋଇଯାଇଥିଲେ। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଟ୍ରାଫିକ୍‌ ବିଭାଗକୁ ଲୋକେ ସମାଲୋଚନା କରିଛନ୍ତି।

ସମ୍ବଲପୁର ଟ୍ରାଫିକ୍‌ ପୁଲିସ ପକ୍ଷରୁ ଓଡି ୦୨ ଏଭି ୪୭୪୦ ଗାଡ଼ି ନାଁରେ ଚାଲାଣ ନମ୍ବର ଓଆର୍‌୩୩୬୪୫୨୨୦୫୦୪୧୯୧୭୨୩ କଟାଯାଇଥିଲା। ଏହି ଚାଲାଣ ବୁଧବାର ସନ୍ଧ୍ୟା ୭ଟା ୧୭ ମିନିଟ୍‌ରେ କଟାଯାଇଥିବା ବେଳେ ଚାଲାଣ ବାବାଦକୁ ୧୦୦୦ ଟଙ୍କା ପୈଠ କରିବାକୁ କହାଯାଇଛି। ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଉଥିବା କାରଣ ଦର୍ଶାଇ ଏହି ଜରିମାନା କଟାଯାଇଛି। ତେବେ କାର୍‌ ମାଲିକ ସୁମିତ ମହାନ୍ତି ଏ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଟ୍ରାଫିକ୍‌ ବିଭାଗ ଏହାର ସମାଧାନ କରୁ ବୋଲି କହିଛନ୍ତି। ଅନ୍ୟପଟେ କେଉଁ ପରିସ୍ଥିତିରେ ଏଭଳି ଚାଲାଣ କଟାଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର