ବିଭିନ୍ନ ସମସ୍ୟା ନେଇ ୫-ଟି ସଚିବଙ୍କୁ ଭେଟିଲେ ନିର୍ବାଚିତ ଅଧ୍ୟକ୍ଷା

ଚାନ୍ଦବାଲି: ଚାନ୍ଦବାଲି ଏନଏସିର ନବ ନିର୍ବାଚିତ ପ୍ରଥମ ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ଉପାଧ୍ୟକ୍ଷ ଅମରେନ୍ଦ୍ର ସାହୁ  ଗତକାଲି ୫-ଟି ସଚିବ ଭି.କେ ପାଣ୍ଡିଆନକୁ ତାଙ୍କ କାର୍ଯ୍ୟାଳୟରେ ସୌଜନମୂଳକ ସାକ୍ଷାତ କରିଛନ୍ତି। ଏନ୍‌ଏସି ପୂର୍ବରୁ ଚାନ୍ଦବାଲି ବିଜ୍ଞାପିତ ଅଂଚଳ ପରିଷଦ ୨୦୧୨ମସିହାରେ ପଂଚାୟତ ନିର୍ବାଚନରେ ଭାଗ ନେଇଥିଲା। ତେବେ ୨୦୧୮ରେ ହେବାକୁ ଥିବା ଏନଏସି ନିର୍ବାଚନରେ ବିଭିନ୍ନ କାରଣ ପାଇଁ ନିର୍ବାଚନ ହୋଇପାରି ନ ଥିବାରୁ ଏହା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱରେ ଚାଲୁଥିଲା। ତେବେ ଏହି ଏନଏସିରେ ଅନ୍ତର୍ଭୁକ୍ତ ଥିବା ୧୫ଟି ୱାର୍ଡରୁ  ଚଳିତ ବର୍ଷ ପ୍ରଥମ ନିର୍ବାଚନରେ ଶାସକ ବିଜେଡି ୧୧ଟି, ବିଜେପି ୩ଟି ଓ କଂଗ୍ରେସ ଗୋଟିଏ କାଉନସିଲର ପଦ ହାତେଇଛି।

ପଞ୍ଚାୟତ ନିର୍ବାଚନ ଠାରୁ ଆଜି ପର୍ଯ୍ୟନ୍ତ ଲାଗି ରହିଥିବା ବିଭିନ୍ନ ସମସ୍ୟା ମଧ୍ୟରେ ଚାନ୍ଦବାଲି ଏନଏସିର ଡ୍ରେନେଜ ସମସ୍ୟା ମୁଖ୍ୟ ସମସ୍ୟା ହୋଇଥିବାରୁ ଶ୍ରୀମତୀ ସେଠୀ ୫-ଟି ସଚିବଙ୍କୁ ଅବଗତ କରାଇଥିଲେ। ଖାଲି ଡ୍ରେନେଜ ସମସ୍ୟା ନୁହେଁ ଏହି ଏନଏସିରେ କୃଷି ଓ କୃଷକଙ୍କ ସମସ୍ୟା, ଗରିବ ଓ ଭୂମିହୀନ ବ୍ୟକ୍ତିଙ୍କୁ ଆବାସ ଯୋଜନାରେ ଘର, ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ ସହିତ ପରିମଳ ବ୍ୟବସ୍ଥାକୁ କିପରି ସ୍ବଚ୍ଛତାର ସହିତ କରିହେବ ଏ ନେଇ ୫-ଟି ସଚିବଙ୍କ ସହିତ ଆଲୋଚନା କରିଥିଲେ ା ତେବେ ଖୁବ୍‌ଶୀଘ୍ର ନୂଆକରି ଏନଏସି ହୋଇଥିବା ଚାନ୍ଦବାଲି ପ୍ରତି ସବୁ ପ୍ରକାର ଶୁଭ ଦୃଷ୍ଟି ଦିଅାଯିବା ସହିତ ତୁରନ୍ତ ଲୋକମାନଙ୍କର ସମସ୍ୟା ପ୍ରତି ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଚିବ ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟପକ୍ଷରେ ଚାନ୍ଦବାଲି ଏନଏସିର ବିଭିନ୍ନ କାମର ଖସଡା ସହିତ ବାକି ପଡିଥିବା ବିଲ୍‌ ସମ୍ପର୍କରେ ଅାଲୋଚନା କରିବା ପାଇଁ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କୁ  ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଚାନ୍ଦବାଲି ଏନଏସିକୁ  ଜିଲ୍ଲାରେ ଏକ ନମ୍ବର ଏନଏସିର ମାନ୍ୟତା ଦେବା ପାଇଁ ବିଧାୟକ ଡ. ବ୍ୟୋମକେଶ ରାୟ ଲାଗି ପଡିଥିବା  ବେଳେ ଶିକ୍ଷୟିତ୍ରୀ ପଦରୁ ଅବସର ନେଇ ଅଧ୍ୟକ୍ଷା ହୋଇଥିବା ଶାନ୍ତିଲତା ସେଠୀ ନିଜର ସମସ୍ତ ଅଭିଜ୍ଞତାକୁ ଲୋକମାନଙ୍କ ସେବାରେ ଲଗାଇବା ପାଇଁ ତତ୍ପର ହୋଇ ଉଠିଛନ୍ତି।

ସମ୍ବନ୍ଧିତ ଖବର