ବିପଦରେ ଶ୍ରୀମନ୍ଦିର ରତ୍ନଭଣ୍ଡାର: କାନ୍ଥ, ଛାତ, ଚଟାଣ ସବୁ ଫାଟିଛି, ପାଣି ଗଳୁଛି

ମରାମତି ବଦଳରେ ୪ ବର୍ଷ ହେଲା ଭଣ୍ଡଉଛନ୍ତି

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ବିପଦରେ। କେବଳ ବାହାର ନୁହେଁ, ଭିତର ରତ୍ନଭଣ୍ଡାର ବି ବିପଦପୂର୍ଣ୍ଣ। କେଉଁଠୁ କାନ୍ଥ, ଛାତରୁ ଛେଲା ଛେଲା ସିମେଣ୍ଟ ଖସିଛି ତ କେଉଁଠି ସିଲିଂ ଭାରା ଭାଙ୍ଗିଯାଇଛି। ଏହାର ଚିହ୍ନବହ୍ନ ମିଳୁନି। ଛେଲା ଛେଲା ସିମେଣ୍ଟ ଖସିବା ପରେ କାନ୍ଥ, ଛାତର ରଡ୍‌ ବି ଦିଶିଲାଣି। ଏହା ଆମେ କହୁନୁ, ୩ ବର୍ଷ ତଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଯାଇ ବିଫଳ ହୋଇଥିବା ଗଜପତି ମହାରାଜଙ୍କ ପ୍ରତିନିଧି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ପ୍ରଶାସନିକ ଅଧିକାରୀଙ୍କ ସହ ପ୍ରତ୍ନତତ୍ତ୍ବ ବିଭାଗର କୋର୍ କମିଟି ହାତକାଟି ଏହା ଲେଖିଥିଲେ। ଯାହା ଆଜି ବି ରତ୍ନଭଣ୍ଡାର ରେଜିଷ୍ଟର୍‌ରେ ଉଲ୍ଲେଖ ରହିଛି। ସେ ସମୟରେ ଏହାର ତ୍ବରିତ ମରାମତି ଆବଶ୍ୟକ ବୋଲି ବି ପ୍ରତ୍ନତତ୍ତ୍ବ ବିଭାଗ କୋର୍ କମିଟି ମତ ଦେଇଥିଲା। ଆଉ ରଥଯାତ୍ରା ସମୟରେ ଏହି ମରାମତି କାମ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଏ ଭିତରେ ୪ ବର୍ଷ ବିତିବାକୁ ବସିଥିବା ବେଳେ ମରାମତି ନାଁରେ ଭଣ୍ଡଉଛନ୍ତି ପ୍ରତ୍ନତତ୍ତ୍ବ ବିଭାଗ।

ସୂଚନା ଅଧିକାର ବଳରେ ଭଣ୍ଡାର ମେକାପ ଓ ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରାଧିକୃତ ସଦସ୍ୟଙ୍କ ଦସ୍ତଖତ ସମ୍ବଳିତ କାଗଜପତ୍ର ହସ୍ତଗତ ହୋଇଛି। ଯେଉଁଥିରେ ପ୍ରାଧିକୃତ ସଦସ୍ୟମାନେ ଭିତର ଓ ବାହାର ରତ୍ନଭଣ୍ଡାର ନେଇ ଏଭଳି ଉଦ୍‌ବେଗ ପ୍ରକାଶ କରିଛନ୍ତି। ରିପୋର୍ଟରେ ଉଲ୍ଲେଖ ରହିଛି କି ରାଜ୍ୟ ସରକାରଙ୍କ ବିଧି ବିଭାଗ ପତ୍ର ମୁତାବକ ୨୦୧୮ ଏପ୍ରିଲ ୪ ତାରିଖରେ ସ୍ବତନ୍ତ୍ର କମିଟି ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ‌ଚାବି ଖୋଲାଯାଇଥିଲା। ଏହା ପରେ ସମସ୍ତ ପ୍ରାଧିକୃତ ବ୍ୟକ୍ତି ଭଣ୍ଡାର ମେକାପଙ୍କ ସହ ବାହାର ଭଣ୍ଡାର ଘରକୁ ପ୍ରବେଶ କରିଥିଲେ। ଅନୁଧ୍ୟାନ ସମୟରେ କାନ୍ଥ ଓ ଛାତରେ ଅଳନ୍ଧୁ ଲାଗିଥିବାରୁ ଝାଡ଼ୁରେ ଝାଡ଼ିବା ପରେ କାନ୍ଥ ଓ ଛାତରେ ଥିବା ଫାଟ ସ୍ପଷ୍ଟ ଦେଖା ଯାଇଥିଲା। କାନ୍ଥରେ କିଛି ସ୍ଥାନ ଓଦାଳିଆ ରହିଥିଲା।

ପ୍ରତ୍ନତତ୍ତ୍ବ ବିଭାଗର ଇଂଜିନିୟରମାନଙ୍କୁ ଏ ସଂପର୍କରେ ବିସ୍ତୃତ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ଦେବାକୁ କୁହାଯାଇଥିଲା। ପରେ ବାହାର ରତ୍ନଭଣ୍ଡାର ଘରୁ ଭିତର ରତ୍ନଭଣ୍ଡାର ଘରର ଜାଲି ଦୁଆର ଦେଇ ଭିତର ଭଣ୍ଡାର ଘରର କାନ୍ଥ ଓ ଛାତକୁ ଲାଇଟ୍‌ ପକାଇ ଅନୁଧ୍ୟାନ କରାଯାଇଥିଲା। ଅନୁଧ୍ୟାନ କରିଥିବା ଟିମ୍‌ ରତ୍ନଭଣ୍ଡାରର ସ୍ଥିତି ସଂପର୍କରେ ସବିଶେଷ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଯେଉଁଥିରେ ରତ୍ନଭଣ୍ଡାରର ସ୍ଥିତି ଉଦ୍‌ବେଗଜନକ ଥିବା ଉଲ୍ଲେଖ ରହିଥିଲା। ରିପୋର୍ଟରେ ରତ୍ନଭଣ୍ଡାର ଗୃହଠାରୁ ଆରମ୍ଭ କରି ଏହାର କାନ୍ଥ, ଚଟାଣ, ସିଲିଂ ନଷ୍ଟ ହୋଇଯାଇଥିବା ଓ ସ୍ଥାୟୀ ମରାମତି ଆବଶ୍ୟକ କରୁଥିବା କୁହାଯାଇଥିଲା। ଛାତରୁ ଚଟାଣ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଫାଟ ସୃଷ୍ଟି ହୋଇଛି। ସିଲିଂ ସପୋର୍ଟିଂ ବହୁତ ଗାଏବ ରହିଛି। ଏଣୁ ରଥଯାତ୍ରା ସମୟରେ ଅବା ବର୍ଷା ପୂର୍ବରୁ ଏହାର ମରାମତି କରିବାକୁ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏଥିପାଇଁ ୟୁଏସ୍‌ପିଭି ଟେଷ୍ଟ, ହାମର୍‌ ଟେଷ୍ଟ, କୋରୋଜନ୍‌ ରେଜିଷ୍ଟାଣ୍ଟ ଟେଷ୍ଟ, ଆର୍ଦ୍ରତା ଟେଷ୍ଟ ପାଇଁ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ପ୍ରାଧିକୃତ ପ୍ରତିନିଧି ଦଳ। ଯେଉଁଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, କୋର୍‌ କମିଟି ମୁଖ୍ୟ ଜିସି ମିତ୍ର, ପରିଚାଳନା କମିଟି ସଦସ୍ୟ ପ୍ରମୁଖ ଦସ୍ତଖତ କରିଥିଲେ। ଏ ଭିତରେ ୪ ମାସ ବିତିଥିଲେ ବି ଏହ ଚିଠି ଉପରେ କିଛି ପଦକ୍ଷେପ ନିଆଯାଇନି। ଯାହା ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରକୁ ବିପଦ ଭିତରକୁ ଠେଲି ଦେଇଛି।

ସମ୍ବନ୍ଧିତ ଖବର