ଡାବୁଗାଁ ବନ ବିଭାଗ ଦ୍ବାରା ବଜ୍ରକାପ୍ତା ଉଦ୍ଧାର, ସିନେମା ଷ୍ଟାଇଲରେ ୩ ଜଣ ଆସାମୀଙ୍କୁ ଗିରଫ କଲେ ବନ କର୍ମଚାରୀ

ଡାବୁଗାଁ: ବିରଳ ପ୍ରାୟ ଏକ ମାଈ ବଜ୍ରକାପ୍ତା କୁ ୫୦ ହଜାର ଟଙ୍କାରେ ବିକ୍ରୟ ପାଇଁ ଚାଲିଥିଲା ମଶୁଧା । ଏଥି ନିମନ୍ତେ ଚୋରା ଚାଲାଣ କାରି ମାନେ ବଜ୍ରକାପ୍ତାକୁ ବିକ୍ରି ନିମନ୍ତେ ଦୁଇ ତିନୋଟି ସ୍ଥାନରେ ଯାଇ ଚେଷ୍ଟା କରିବା ପରେ ଶେଷରେ ବନ ବିଭାଗ କର୍ମଚାରୀଙ୍କ ହାତରେ ସିନେମା ଷ୍ଟାଇଲରେ ଧରା ପଡି କୋର୍ଟ ଚାଲାଣ ହେବା ଡାବୁଗାଁ ଅଞ୍ଚଳ ରେ ଚର୍ଚାର ବିଷୟ ବସ୍ତୁ ପାଲଟି ଥିବା ବେଳେ ବନ ବିଭାଗ କର୍ମଚାରୀ ୩ ଜଣ ଆସାମୀଙ୍କୁ ଗିରଫ କରି ସଫଳ ହୋଇଥିଲେ ସୁଦ୍ଧା ଏହି ଚୋରା ଚାଲାଣର ଚେର କେତେଦୂର ଲମ୍ବିଛି ତାର ତଦନ୍ତ ଜାରି ରଖିଛନ୍ତି ।

ସୂଚନା ଅନୁଯାୟୀ ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ବିଜାପୁର ଗ୍ରାମ ନିକଟରେ ବିରଳ ପ୍ରାୟ ଏକ ମାଇ ବଜ୍ରକାପ୍ତାକୁ ୫୦ ହଜାର ଟଙ୍କାରେ ବିକ୍ରି କରିବା ପାଇଁ ବୋରଗାଁ ର କପିଳାସ ହରିଜନ (୨୬), ସୀଙ୍ଗସାରି ନିକଟ ମାଝିଗୁଡ଼ା ର ଲକ୍ଷ୍ମଣ ଭତରା (୪୧) ଓ କର୍ଲାବେଡା ଗ୍ରାମର ବୁଦୁରାମ ଭତରା (୩୦) ମିଶି ମଶୁଧା ଚଳାଇଥିଲେ । ବଜ୍ରକାପ୍ତାକୁ ବିକ୍ରି କରିବା ପାଇଁ ଡାବୁଗାଁ ଓ ପାପଡାହାଣ୍ଡି ଥାନା ଅଂଚଳରେ ଗ୍ରାହକ ଯୋଗାଡ଼ ନିମନ୍ତେ ଚେଷ୍ଟା ମଧ୍ୟ କରିଥିଲେ । କିନ୍ତୁ କୌଣସି ସୂତ୍ରରୁ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ମଗର ଧନଜି ରାଓସେ ବଜ୍ରକାପ୍ତା ବିକ୍ରିପାଇଁ ଚାଲାଣ କାରି ପ୍ରସ୍ତୁତ ହେଉଥିବା ଜାଣି ଏକ ଦଳ ଗଠନ କରି ସିନେମା ଷ୍ଟାଇଲ ରେ ବନ କର୍ମଚାରୀମାନଙ୍କୁ ଗ୍ରାହକ ସାଜି ବଜ୍ରକାପ୍ତା କ୍ରୟ କରିବାକୁ ପଠାଇଥିଲେ ।

ଏହି କ୍ରମରେ ଗତ କାଲି ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁ ରଞ୍ଜନି ଗମାଙ୍ଗ, ନବରଙ୍ଗପୁର ବନାଞ୍ଚଳ ଅଧିକାରୀ ମନୋଜ କୁମାର ପାତ୍ର ଓ କର୍ମଚାରୀଙ୍କ ସହ ମିଶି ଛଦ୍ମ ବେଶରେ କେତେଜଣ କର୍ମଚାରୀ ବିଜାପୁର ଗ୍ରାମ ନିକଟରେ ଉକ୍ତ ୩ ଜଣଙ୍କ ସମ୍ପର୍କରେ ଆସି ୫୦ ହଜାର ଟଙ୍କାରେ କ୍ରୟ କରିବାକୁ କହିବାରୁ ଟଙ୍କା ଲୋଭରେ ସେମାନେ ବଜ୍ରକାପ୍ତା ଦେଖାଇଥିଲେ । ଆଗରୁ ଛକି ରହିଥିବା ବନ କର୍ମଚାରୀମାନେ ତୁରନ୍ତ ଏହି ତିନିଜଣ ଆସାମୀଙ୍କୁ ଗିରଫ କରିଥିଲେ । ସେମାନଙ୍କ ନିକଟରୁ ୨ ଟି ବାଇକ୍ ସହ ୨ ଟି ମୋବାଇଲ ଫୋନ୍ ମଧ୍ୟ ଜବତ କରାଯାଇଥିଲା।

ଆସାମୀ ତିନି ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହାର ତଦନ୍ତ ନବରଙ୍ଗପୁର ସହକାରୀ ବନ ସଂରକ୍ଷକ ଧନୁର୍ଜୟ ମହାପାତ୍ର କରୁଛନ୍ତି । ତେବେ ଏହି ବିରଳ ପ୍ରାୟ ବଜ୍ରକାପ୍ତା ଚୋରା ଚାଲାଣରେ ବଡ଼ ହାତ ଥିବା ଜଣା ପଡୁଥିବା ବେଳେ ଆଗାମୀ ଦିନରେ ତଦନ୍ତ ପରେ ସ୍ପଷ୍ଟ ଜଣା ପଡ଼ିବ । ଉଦ୍ଧାର କରାଯାଇଥିବା ମାଇ ବଜ୍ରକାପ୍ତାକୁ ସ୍ୱାସ୍ଥ୍ୟ ପରୀକ୍ଷା କରି ସୁସ୍ଥ ପରେ ପୁଣି ଜଙ୍ଗଲରେ ଛଡାଯିବ ବୋଲି ବନ ବିଭାଗ ତରଫରୁ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର