ବେଆଇନ ମାଙ୍କଡ଼ା ପଥର ଖଣି ଉପରେ ଚଢ଼ଉ, ୨ ଟ୍ରକ୍ ଓ ୩ ପାୱାର ଟିଲର ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ତହସିଲ ଅଧୀନରେ ଚାଲିଥିବା ବିଭିନ୍ନ ବେଆଇନ ମାଙ୍କଡ଼ାପଥର ଖଣି ଉପରେ ଆଜି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଚଢ଼ଉ କରାଯାଇଛି। ଚଢ଼ଉରେ ୨ଟି ମିନି ଟ୍ରକ୍, ପଥର କାଟିବା ପାଇଁ ବ୍ୟବହୃତ ୩ ପାୱାର ଟିଲରକୁ ଜବତ କରାଯାଇଛି। ତେବେ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ଜଣାଯାଇଛି। ସୂଚନାନୁସାରେ, ଆଜି ସକାଳ ୧୦ଟାରୁ ତହସିଲଦାର ପଦ୍ମ ଚରଣ ସାହୁଙ୍କ ନେତୃତ୍ୱରେ ତହସିଲ କାର୍ଯ୍ୟାଳୟର ଏକ ଟିମ୍ ଖୋର୍ଦ୍ଧା ଓ ଆଖପାଖ ଅଂଚଳରେ ଚାଲିଥିବା ବେଆଇନ ମାଙ୍କଡ଼ା ପଥର ଖଣି ଗୁଡ଼ିକ ଉପରେ ଚଢ଼ଉ କରିଥିଲେ। କଦଳୀବାଡ଼ି ଠାରେ ଚଢ଼ଉରେ ୨ଟି ୪୦୭ ଟ୍ରକ୍ (ଓଆର୍୦୨ ବିଏ ୯୫୬୧ ଓ ଓଆର୍ ୦୨ ଇ ୪୩୯୯) ଜବତ କରାଯାଇଥିଲା।

Sambad

ସେହିଭଳି କାଇପଦର ଠାରେ ସରକାରୀ ଜମିରେ ଚାଲିଥିବା ଏକ ବେଆଇନ ମାଙ୍କଡ଼ା ପଥର ଖଣି ଉପରେ ଚଢ଼ଉ କରାଯାଇ ପଥର କାଟିବା ପାଇଁ ବ୍ୟବହୃତ ୨ଟି ପାୱାର ଟିଲର ଜବତ କରାଯାଇଥିବା ବେଳେ କୁମାରବସ୍ତ ଠାରୁ ଗୋଟିଏ ପାୱାରଟିଲର ଜବତ କରାଯାଇଛି। ଏନେଇ ସୂଚନା ଦେଇ ତହସିଲଦାର ଶ୍ରୀ ସାହୁ କହିଛନ୍ତି ଯେ ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ। ଗାଡ଼ି ଓ ପାୱାର ଟିଲରକୁ ଜବତ କରାଯାଇ ଖୋର୍ଦ୍ଧା ତହସିଲ କାର୍ଯ୍ୟାଳୟରେ ରଖଯାଇଛି। ଗାଡ଼ି ମାଲିକଙ୍କୁ ନୋଟିସ୍ କରାଯାଇଛି ସେମାନଙ୍କ ବିରୋଧରେ ଆଇନାନୁସାରେ ଜୋରିମାନା ଆଦାୟ କରାଯିବ।

ସମ୍ବନ୍ଧିତ ଖବର