ନୀଳାଚଳ ପରିସରରେ ୪ ଦିନ ‌ହେଲା ଟ୍ରେନ୍ ଅଟକ

ଯାଜପୁର/ଦାନଗଦୀ: ବର୍ଷେ ହେଲା କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ କଳିଙ୍ଗନଗରର ଏକ ମାତ୍ର ସରକାରୀ ଉଦ୍ୟୋଗ ନୀଳାଚଳ କାରଖାନାରେ ତାଲା ପଡ଼ିଛି। ୧୧ ମାସ ହେଲା ହଜାରହଜାର କର୍ମଚାରୀ ଦରମା ପାଇନଥିବା ବେଳେ କାରଖାନାରୁ ଗଚ୍ଛିତ ସାମଗ୍ରୀ ବିକ୍ରି କରି ଏମଏମଟିସି ତାର ଅର୍ଥ ଭରଣା କରୁଥିବା ପ୍ରତିବାଦରେ କର୍ମଚାରୀମାନେ ଉତ୍‌କ୍ଷିପ୍ତ ହୋଇପଡ଼ିଛନ୍ତି। ୪ଦିନ ହେଲା ଶତାଧିକ କର୍ମଚାରୀ ‌ଟ୍ରେନ୍‌ ଧାରଣାରେ ବସିରହି ଲାମକୋକ୍ ବୋଝେଇ ଟ୍ରେନ୍ କାରଖାନା ପରିସରରେ ଅଟକ ରଖିଛନ୍ତି।

ଏହି ଘଡ଼ିସନ୍ଧି ସମୟରେ ନୀଳାଚଳ କାରଖାନାର ପରିଚାଳନା ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ଝା ଛୁଟିରେ ପଳାଇଛନ୍ତି। ୧ମାସ ହେଲା ଦରମା ନପାଇ ଭୋକ ଉପବାସରେ ଭୟଙ୍କର କରୋନା ସମୟରେ ଦିନ କାଟୁଥିବା କର୍ମଚାରୀମାନେ ଆନ୍ଦୋଳନକୁ ତୀବ୍ର କରିବାକୁ ସଜବାଜ ହେଉଛନ୍ତି। ପ୍ରକାଶ ଥାଉକି ଗତ ଗୁରୁବାର ସକାଳେ ୨୪ ଶହ ଟନ୍ ଲାମ୍‌କୋକ୍ ବୋଝେଇ ଟ୍ରେନ୍ ନୀଳାଚଳ କାରଖାନା ପରିସରରୁ ଛତିଶଗଡ଼ର ଜେଏସଡବ୍ଲୁ କାରଖାନା ଅଭିମୁଖେ ଯାତ୍ରା କରିବାର ଥିଲା। ପୂର୍ବରୁ କର୍ମଚାରୀମାନେ କାରଖାନା ପରିସର ରେଳ ଧାରଣାରେ ବସିରହି ଲୋଡିଂ ଟ୍ରେନ୍‌ ଅଟକ ରଖିଥିଲେ।

୪ ଦିନ ହେଲା ଟ୍ରେନ୍ ଅଟକ ରହିଥିବା ସତ୍ତ୍ବେ ନୀଳାଚଳ କର୍ତ୍ତୃପକ୍ଷ କିମ୍ବା ମୁଖ୍ୟ ଅଂଶୀଦାର ଏମଏମଟିସି ପକ୍ଷରୁ କେହି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିନାହାନ୍ତି। ଟ୍ରେନ୍ ଅଟକ ରହିବା ଫଳରେ ପ୍ରତି ଘଣ୍ଟାକୁ ୧୦ ହଜାର ଟଙ୍କା ହିସାବରେ ଆସନ୍ତା କାଲି ସକାଳ ସୁଦ୍ଧା ୯ଲକ୍ଷ ୬୦ହଜାର ଟଙ୍କା ଡ୍ୟାମେଜ୍ ସୁଟ୍ ହେଲାଣି। ଏଥିପ୍ରତି କାହାରି ଗୁରୁତ୍ବ ନାହିଁ। ଏପରିକି ଆନ୍ଦୋଳନକାରୀ କର୍ମଚାରୀ ଟ୍ରେନ ଅଟକ କରିବା ଦିନ ଠାରୁ ଏମଡି ଶ୍ରୀ ଝା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଛୁଟିରେ ପଳାଇଛନ୍ତି। ଆନ୍ଦୋଳନକାରୀ କର୍ମଚାରୀମାନେ ଦିନରାତି ଖରା କାକରରେ ରେଳଧାରଣାରେ ବସି ରହିଛନ୍ତି। ଦରମା ନଦେବା ପର୍ଯ୍ୟନ୍ତ ରେଳଧାରଣା ଉପରେ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ଏହି ଧାରଣାରେ ନିର୍ବାହୀ ସଂଘ, ସମସ୍ତ ୟୁନିୟନ ଓ ମିଳିତ ମଞ୍ଚ କର୍ମକର୍ତ୍ତା ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର