ଆମ୍ବୁଲାନ୍ସକୁ ଟ୍ରକ୍‌ ପିଟିବା ଘଟଣା: ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି, ଡ୍ରାଇଭର ଗିରଫ 

ରାୟଗଡ଼ା: ରାୟଗଡ଼ା-ଭବାନୀପାଟଣା ରାଜ୍ୟ ରାଜପଥର ମଞ୍ଜୁରକୁପା ନିକଟରେ ଗତକାଲି ଘଟିଥିବା ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଅଧିକ ଚିକିତ୍ସା ପାଇଁ କୋରାପୁଟ ମେଡ଼ିକାଲ୍ କଲେଜକୁ ସ୍ଥାନାନ୍ତର ସମୟରେ ଗୁରୁତର ଲକ୍ଷ୍ମଣ କର୍ମା (୩୫)ଙ୍କ ମୃତ୍ୟୁ ହୋଇଛି। ଅମ୍ବାଦଳା ଓ ରାୟଗଡ଼ା ପୁଲିସ୍ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ କରିବା ପରେ ମହାପ୍ରୟାଣ ଗାଡ଼ି ଯୋଗେ ସମସ୍ତ ମୃତଦେହକୁ ନିଜ ଗାଁକୁ ପଠାଇ ଦିଆଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ଡ୍ରାଇଭର ଲଖବୀର୍‌ ସିଂହକୁ ପୁଲିସ୍ ଗିରଫ କରିଛି। ଏଯାବତ୍ ମୃତକଙ୍କ ପରିବାରକୁ କୌଣସି କ୍ଷତିପୂରଣ ମିଳିନଥିବା ବେଳେ ଟ୍ରଲର ମାଲିକ ଅମ୍ବାଦଳାରେ ପହଞ୍ଚିବା ପରେ କ୍ଷତିପୂରଣ ସମ୍ପର୍କରେ ପୁଲିସ୍ ଆଲୋଚନା କରିବ।

ଗିରଫ ଟ୍ରକ୍‌ର ଡ୍ରାଇଭର ଲଖବୀର୍‌ ସିଂହଙ୍କ କହିବାନୁଯାୟୀ ଖାଲି ଗାଡ଼ି ନେଇ ସମ୍ବଲପୁରରୁ ଆସୁଥିଲେ। ଏହି ସମୟରେ ଆମ୍ବୁଲାନ୍ସ ଭୁଲ୍ ରାସ୍ତାରେ ଆସି ଟ୍ରକ୍‌ର ଦେହରେ ପିଟି ହୋଇ ଯାଇଥିଲା। ଗାଡ଼ିର ବେଗ ଅଧିକ ଥିବାରୁ ଚେଷ୍ଟା କରିବା ସତ୍ତ୍ବେ ଗାଡ଼ି ଅଟକି ନଥିଲା। ଫଳରେ ଆମ୍ବୁଲାନ୍ସ ଚୁର୍‌ମାର ହୋଇଯିବା ସହ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ଏପରି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଉଭୟ ଆମ୍ବୁଲାନ୍ସ ଓ ଟ୍ରଲର ରାସ୍ତାରୁ ଓହ୍ଲାଇ ଜମି ଭିତରକୁ ପଶି ଯାଇଥିଲା। ଆଜି ପୂର୍ବାହ୍ନ ୧୦ଟାରେ ୩ ମୃତକ ସୁଶାନ୍ତ ବିଶି (୪୭), ଭକ୍ତ ହଂସ (୩୦) ଓ ଆମ୍ବୁଲାନ୍ସ ଡ୍ରାଇଭର ଅଭୟ କୁଶୁଲିଆ (୪୦)ଙ୍କ ମୃତଦେହ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସେହିପରି କୋରାପୁଟ ସ୍ଥାନାନ୍ତର ବେଳେ ରାସ୍ତାରେ ମୃତ୍ୟୁ ହୋଇଥିବା ଲକ୍ଷ୍ମଣ କର୍ମାଙ୍କ ଶବ ରାୟଗଡ଼ା ମେଡ଼ିକାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଦୁର୍ଘଟଣାରେ ଗୁରୁୁତ୍ବର ଆହତ ଜିତେନ୍ଦ୍ର ଭୋଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ, ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡା ଥାନା କପଳାଭଟ୍ଟା ଗାଁର ହନୀ ହଂସଙ୍କ ଚିକିତ୍ସାଧୀନ ଅବସ୍ଥ‌ାରେ ଶୁକ୍ରବାର ବିଷମକଟକ ଖ୍ରୀଷ୍ଟିଆନ୍ ହସ୍ପିଟାଲରେ ମୃତ୍ୟୁ ହେବା ପରେ ଦୁର୍ଘଟଣାର ଶିକାର ହୋଇଥିବା ମୃତଦେହକୁ ନେଇ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଅଭିମୁଖେ ଯାଉଥିଲେ। ଅପରାହ୍ନରେ ଅମ୍ବାଦଳା ଥାନା ମଞ୍ଜୁରକୁପା ନିକଟରେ ସମ୍ବଲପୁରରୁ ଟିକିର ଅଭିମୁଖେ ଦୃତ ଗତିରେ ଆସୁଥିବା ମାଲବାହୀ ଟ୍ରଲର ଭାରସାମ୍ୟ ହରାଇ ଆମ୍ବୁଲାନ୍ସକୁ ସମ୍ମୁଖ ଭାଗରୁ ଧକ୍କା ଦେଇଥିଲା। ଫଳରେ ଗତକାଲି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣେ ଆହତଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର