ସାଙ୍ଗ ସହିତ କୁର୍‌କୁରେ ଆଣିବାକୁ ଯାଇଥିଲେ, ଟ୍ରକ୍‌ ଧକ୍କାରେ ଶିଶୁକନ୍ୟାର ଜୀବନ ଚାଲିଗଲା

ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ, ଟ୍ରକ୍‌ ପୋଡ଼ି 

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟ ଛାତ୍ରିଆ କଣ୍ଟାଠାରେ ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣେ ୫ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଛି। ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଏହି ଦୁର୍ଘଟଣାରେ ଅନ୍ୟ ଜଣେ ନାବାଳିକା ଓ ବାଇକ ଆରୋହୀ ଆହତ ହୋଇଛନ୍ତି। ଆହତମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଟ୍ରକ୍‌ ପୋଡି ଦେଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ରାସ୍ତା ଅବରୋଧ କରିଛନ୍ତି। ମୃତକ ହେଲେ ତୃଷ୍ଣା ଓରାମ (୫)। ଆହତମାନେ ହେଲେ ତନୁଶ୍ରୀ ଓରାମ (୫) ଓ ବବଲୁ ଓରାମ (୩୬)।

ଆଜି ସନ୍ଧ୍ୟା ୬ ଟାରେ ବବୁଲୁ ତାଙ୍କ ଝିଆରୀ ତୃଷ୍ଣା ଓ ତା’ର ସାଙ୍ଗ ତନୁଶ୍ରୀକୁ ବାଇକ୍‌ରେ କୁରକୁରେ କିଣିବାକୁ ନେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ହସ୍ପିଟାଲ ରାସ୍ତା ଚାରି ଥାକିଆ ନିର୍ମାଣ ହେଉଥିବା ବେଳେ ଏହା ବାଇପାସ୍ ରାସ୍ତା ହୋଇଥିବାରୁ ସବୁବେଳେ ହଜାର ହଜାର ଟ୍ରକ୍‌ ଯାତାୟାତ କରିଥାଏ। ଦୁର୍ଘଟଣା ପରେ ଉତ୍ତେଜିତ ଲୋକ ଟ୍ରକ୍‌ରେ ନିଆଁ ଲଗାଇ ଦେଇଥିଲେ। ଦମକଳ ଆସି ନିଆଁ ଲିଭାଇଥିଲା। ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଛି। ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ରାସ୍ତା ନିର୍ମାଣ କରିବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର