ସାଥୀ କଏଦୀକୁ ନିଜ ବାହାଦୂରି ବଖାଣିବା ଅଭିଯୁକ୍ତକୁ ମହଙ୍ଗା ପଡ଼ିଲା; ହତ୍ୟାକାଣ୍ଡ ମାମଲାରେ ଜେଲରୁ ଉଠାଇନେଲା ପୁଲିସ୍

ଭୁବନେଶ୍ୱର: ଦୁଇ କଏଦୀ ନିଜ ବାହାଦୁରୀ ବିଷୟରେ ଜେଲରେ କଥା ହେଉଥିଲେ । କିଏ ବଡ ଅପରାଧ ଘଟାଇଛି, ଫୁଟାଣି ମାରି କହୁ କହୁ ଜଣେ କହିଦେଲା ସେ ଜେଲ ଆସିଛି ଏକ ଛୋଟ ଅପରାଧ ପାଇଁ, ହେଲେ ବାହାରେ ହତ୍ୟାକାଣ୍ଡ ଭଳି ବଡ ଅପରାଧ ଘଟାଇଛି । ଯାହାକୁ କେହି ଜାଣି ନାହାନ୍ତି । ବାସ କଥା ଯାଇ ପହଞ୍ଚିଗଲା ପୁଲିସ କାନରେ, ଆଉ ତା’ପରେ ନୟାପଲ୍ଲୀ ପୁଲିସ ଜେଲ ଭିତରୁ ଆସାମୀକୁ ଉଠାଇ ନେଇଛି ।

ଅପରାଧୀ ମାନିଲା ଅପରାଧ । ଜେଲରେ ବଖାଣିଲା ହତ୍ୟାକାଣ୍ଡର କାହାଣୀ । ଗତ ଜୁଲାଇ ମାସରେ ଭୁବନେଶ୍ୱର ନୟାପଲ୍ଲୀରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ କମିସନରେଟ ପୁଲିସ ନିଦ ହଜାଇ ଦେଇଥିଲା । ୭୦ ବର୍ଷିୟା ମହିଳା ତୁଳସୀ ଦେଇଙ୍କୁ ଘରେ ପଶି ମୁଣ୍ଡକୁ ହାଣି, କାନ କାଟି ଅଳଙ୍କାର ଲୁଟି ନେଇଥିବା ନୃଶଂସ ଅପରାଧୀକୁ ୫ ମାସ ଧରି ଖୋଜୁଥିଲା କମିସନରେଟ ପୁଲିସ । ହେଲେ ଅଭିଯୁକ୍ତ ଜଣକ ଅନ୍ୟ ଏକ ମାମଲାରେ ଝାରପଡ଼ା ଜେଲରେ ରହିଥିଲା । ଶେଷରେ ସାଥୀ କଏଦୀକୁ ନିଜ ବାହାଦୂରୀ ବଖାଣି ଧରାପଡିଛି ଏହି ଅଭିଯୁକ୍ତ। କିପରି ବୃଦ୍ଧାଙ୍କୁ ହାଣି ହତ୍ୟା କରିଥିଲା ନିଜ ମୁହଁରେ ଗୋଟି ଗୋଟି ବଖାଣିଥିଲା ଅଭିଯୁକ୍ତ ।

ଅଭିଯୁକ୍ତ ନାରାୟଣ ମହାନ୍ତି ନାମରେ ରହିଛି ୨୫ରୁ ଅଧିକ ମାମଲା। ସୁନା ଗହଣା ଲୁଟିବା ପାଇଁ ନୟାପଲ୍ଲୀ ଏନ-୪ର ଘର ନଂ-୨୬୩କୁ ଟାର୍ଗେଟ କରିଥିଲା ନାରାୟଣ । ଘରେ ଥିଲେ ୭୦ ବର୍ଷିୟା ମହିଳା ତୁଳସୀ ଦେଇ । ତାଙ୍କ ଘର ଭିତରେ ପଶି ସୁନା ଗହଣା ଲୁଟିବା ପାଇଁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲା ଅଭିଯୁକ୍ତ । ତୁଳସୀ ଦେବାକୁ ଅମଙ୍ଗ ହେବାରୁ ମୁଣ୍ଡ, ଦେହକୁ ବାରମ୍ବାର ହାଣି ପକାଇଥିଲା ଏହି ନୃଶଂସ ସଇତାନ ।

ଶେଷରେ କାନ କାଟି କାନଫୁଲ ନେଇ ଫେରାର ହୋଇଯାଇଥିଲା ନାରାୟଣ । ତେବେ ନାରାୟଣ ମହାନ୍ତିର ଘର ଗଂଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ବୋଲି ଜଣାପଡ଼ିଛି। ତାର ଅପରରାଧର ତାଲିକା ଯେମିତି ଲମ୍ବା, ସେତିକି ନୃଶଂସ ତାର ଆଚରଣ । ଏହି ଅପରାଧୀର ସଫ୍ଟ ଟାର୍ଗେଟ ହେଉଛନ୍ତି ମହିଳା । ପ୍ରଥମେ ସୁନା ମାଗେ ଆଉ ନ ଦେଲେ ହାଣି ସୁନା ଲୁଟ କରେ । ସବୁଠୁ ବଡ କଥା ହେଉଛି, ଲୁଟ କରୁଥିବା ସୁନା ନିଜ ଗର୍ଲଫ୍ରେଣ୍ଡକୁ ଗିଫ୍ଟ ଦିଏ ନାରାୟଣ । ସାମାନ୍ୟ ସୁନା ପାଇଁ ଜଣକୁ ହତ୍ୟା କରିବାକୁ ବି ପଛାଉ ନଥିବା ଏହି ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତ ତୁଳସୀଙ୍କ ସ୍ୱାମୀ ।

ଅଭିଯୁକ୍ତ ନାରାୟଣକୁ ଦୁଇଦିନିଆ ରିମାଣ୍ଡରେ ଆଣିଛି କମିସନରେଟ୍ ପୁଲିସ । ଏକାଧିକ ଅପରାଧରେ ତା’ର ସଂପୃକ୍ତି ଥିବାରୁ ତା’ର ଅପରାଧର ପୂରା ହିସାବନିକାଶ କରିବ ପୁଲିସ ।

ସମ୍ବନ୍ଧିତ ଖବର