କୁକୁଡା ଲଢ଼େଇରେ ପହଂଚି ନିଜକୁ ପୁଲିସ ପରିଚୟ ଦେଲେ ୩ ସାମ୍ବାଦିକ, ୨ ଗିରଫ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଶିଖପାଲୀଠାରେ ଚାଲୁଥିବା ଏକ କୁକୁଡା ଲଢ଼େଇ ସମୟରେ ତିନି ଜଣ ସାମ୍ବାଦିକ ନିଜକୁ ପୁଲିସ କହି ଡରାଇ ଧମକାଇ ଚାନ୍ଦା ଆଦାୟ କରୁଥିଲେ। ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣକୁ ମାଲକାନଗିରି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ ଡିସେମ୍ବାର ୩୦ ତାରିଖ ବୁଧବାର ଦିନ ମାଲକାନଗିରି ଥାନା ଅନ୍ତର୍ଗତ ଶିଖପାଲୀ ଠାରେ କୁକୁଡା ଲଢ଼େଇ ଚାଲୁଥିବା ବେଳେ ଧନୁଞ୍ଜୟ ଟିକାଦାର ନିଜକୁ ପୁଲିସ ଏସଡିପିଓ, ପ୍ରିୟରଂଜନ ପଣ୍ଡା ନିଜକୁ ମାଲକାନଗିରି ଆଇଆଇସି ଡ୍ରାଇଭର ଏବଂ ଅନ୍ୟ ଜଣେ ବ୍ୟକ୍ତି ଏସଡିପିଓଙ୍କ ଅଙ୍ଗରକ୍ଷୀ କହି କୁକୁଡା ଲଢ଼େଇ ଚଲାଉଥିବା ବ୍ୟକ୍ତିଙ୍କୁ ଡରାଇଥିଲେ। ୨୦ ହଜାର ଟଂକା ନଦେଲେ ସମସ୍ତଙ୍କୁ ବାନ୍ଧି ନେବାକୁ ଭୟ ଦେଖାଇଥିଲେ।

ତେବେ ପୁଲିସ ଆସିଥିବା ଜାଣିପାରି ଲୋକେ ଭୟ ଆତଙ୍କ ହୋଇଥିବା ବେଳେ ତୁରନ୍ତ ଏହାକୁ ରଫାଦଫା କରିବାକୁ କୁହଯାଇଥିଲା। କୁକୁଡା ଲଢ଼େଇ ଚଳାଉଥିବା ବ୍ୟକ୍ତି ଜଣକ ତୁରନ୍ତ ୩ ହଜାର ଟଂକା ଦେବା ସହ ଆସନ୍ତା ବୁଧବାର ଅର୍ଥାତ ଜାନୁୟାରି ୬ ତାରିଖ ଦିନ ଆସିଲେ ବଳକା ଟଂକା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଏହି ଘଟଣା ମାଲକାନଗିରି ଆଇଆଇସି ରାମ ପ୍ରସାଦ ନାଗଙ୍କ ନିକଟରେ ପହଞ୍ଚିଥିଲା।ତୁରନ୍ତ ଗତକାଲି ଶ୍ରୀ ନାଗଙ୍କ ନେତୃତ୍ବରେ ଏକକ ଟିମ ଶିଖପାଲୀ ଠାରେ ଜଗି ରହିଥିଲେ। ଧନୁଞ୍ଜୟ ଟିକାଦାର କୁକୁଡାଗାଲିକୁ ଯାଇ ଟଂକା ମାଗୁଥିବା ବେଳେ ପୁଲିସ ତାକୁ କାବୁ କରିଥିଲା। ତେବେ ଏମାନେ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇଛନ୍ତି। ତେବେ ସାମ୍ବାଦିକ ହୋଇ କାହିଁକି ପୁଲିସର ପରିଚୟ ଦେଇ କୁକୁଡା ଲଢ଼େଇରୁ ଟଂକା ଆଦାୟ କରୁଥିଲେ ବୋଲି ପୁଲିସ ପଚରାଉଚରା କରିବା ସହ ଏମାନଙ୍କ ନାମରେ କେଶ ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।  ତିନି ଜଣଙ୍କ ମଧ୍ୟରୁ ଆଉ ଜଣେ ନିଜକୁ ସାମ୍ବାଦିକ ବଲାଉଥିବା ବ୍ୟକ୍ତି ଫେରାର ରହିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର