ଡ୍ରଗ୍ସ ମାଫିଆଙ୍କ ସହ ଲିଙ୍କ ମାମଲା: ଜଳେଶ୍ୱରର ପୂର୍ବତନ ଆଇଆଇସିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର/ଓଲମରା: ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଜଳେଶ୍ବର ଥାନାର ପୂର୍ବତନ ଥାନାଧିକାରୀ ଧନେଶ୍ବର ସାହୁଙ୍କ ଥାନା ପରିସରରେ ଥିବା ସରକାରୀ ବାସଭବନରେ ଆଜି ଭିଜିଲାନ୍ସ ଟିମ ପହଁଞ୍ଚି କାଗଜପତ୍ର ଯାଞ୍ଚ କରିଛନ୍ତି। ଭିଜିଲାନ୍ସ ବିଭାଗର ୮ ଜଣିଆ ଟିମ ଏହି ଯାଞ୍ଚ ଟିମରେ ସାମିଲ ଅଛନ୍ତି।

ମିଳିଥିବା ସୂଚନା ମୁତାବକ, ଜଳେଶ୍ବର ଥାନାର ପୂର୍ବତନ ଆଇଆଇସି ଧନେଶ୍ବର ସାହୁଙ୍କର ଗତ ଅଗଷ୍ଟମାସରେ ଡ୍ରଗ୍ସ ମାଫିଆଙ୍କ ସହ ଏହି କାରବାର ଲାଗି ଅର୍ଥ ନେଣଦେଣକୁ ନେଇ ଏକ ଅଡିଓ ଭାଇରାଲ ହୋଇଥିଲା। ଏହାପରେ ପୂର୍ବାଞ୍ଚଳ ଆଇଜିଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ବର ଜିଲ୍ଲା ଅତିରିକ୍ତ ଏସପି ଜଳେଶ୍ବର ଥାନାରେ ପହଞ୍ଚି ଘଟଣାର ତଦନ୍ତ କରି ଉକ୍ତ ଅଡିଓ ଧନେଶ୍ବର ସାହୁଙ୍କର ବୋଲି ସ୍ପଷ୍ଟ ହେବା ପରେ ଅଗଷ୍ଟ ୧୫ତାରିଖରେ ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ନିଲମ୍ବିତ କରାଯାଇଥିଲା।

ଏହାପରେ ଗତ ସେପ୍ଟେମ୍ବର ୭ ତାରିଖରେ ଭିଜିଲାନ୍ସର ୭ଜଣିଆ ସ୍ବତନ୍ତ୍ର ଟିମ ଜଳେଶ୍ବର ଥାନାରେ ପହଞ୍ଚି ତାଙ୍କ କାର୍ଯ୍ୟାଳୟରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ। ଏଥିସହ ଏହି କାରବାରରେ ସମ୍ପୃକ୍ତ ଥିବା ଜଣେ ଗ୍ରାମରକ୍ଷୀଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲା। ତେବେ ଆଜି ତୃତୀୟଥର ପାଇଁ ଭିଜିଲାନ୍ସ ଏସପି ସନ୍ତୋଷ କୁମାର ସାମନ୍ତରାଙ୍କ ନେତୃତ୍ୱରେ ପୁଣି ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର