ମହନ୍ତପୁଟରେ ଉତ୍କଟ ଜଳାଭାବ: ଅଚଳ ପାଣି ଟାଙ୍କିରେ ରଙ୍ଗ ଦେଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କାହା ସ୍ବାର୍ଥରେ

ବୈପାରିଗୁଡା: ପ୍ରବଳ ଗରମ ସାଙ୍ଗକୁ ଉତ୍କଟ ଜଳାଭାବ ଯୋଗୁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଥିବା ବେଳେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସେମାନଙ୍କ ନିକଟରେ ନ ପହଞ୍ଚିବା କେତେ କଷ୍ଟଦାୟକ ତାହା ମହନ୍ତପୁଟ ଗ୍ରାମରେ ପହଞ୍ଚିଲେ ହିଁ ଜାଣିହୁଏ। ମାସ ମାସ ଧରି ଲୋକେ ପିଇବା ପାଣି ଟୋପାଏ ନପାଇ ସେମାନେ ଯେଉଁ ଯନ୍ତ୍ରଣା ଭୋଗୁଛନ୍ତି, ଏଥିପାଇଁ ଦାୟୀ କିଏ ବୋଲି ସ୍ବାଭାବିକ ଭାବେ ମନ ଭିତରେ ପ୍ରଶ୍ନ ଉଙ୍କି ମାରେ। ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ପଞ୍ଚାୟତର ମହନ୍ତପୁଟ ଗ୍ରାମର ଏଭଳି ବିକଳ ଚିତ୍ର ସରକାରଙ୍କ ଗ୍ରାମ୍ୟ ବିକାଶ ଯୋଜନା ପ୍ରତି ଦାରୁଣ ଉପହାସ ବୋଲି କୁହାଯାଇପାରେ। ୮୦ ପରିବାର ବିଶିଷ୍ଟ ମହନ୍ତପୁଟ ଗ୍ରାମରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ତରଫରୁ ପାଣି ଟାଙ୍କି ବସାଯାଇଥିଲା। ଏହି ପାଣି ଟାଙ୍କିରେ ପାଣି ଉଠାଇବା ପାଇଁ ସ୍ବତନ୍ତ୍ର ଭାବେ ଟ୍ରାନଫର୍ମର ମଧ୍ୟ ରହିଥିଲା। ତେବେ ଗତ ଛଅ ମାସରୁ ଉର୍ଦ୍ଧ୍ବ ସମୟ ଧରି ଏହି ଟ୍ରାନଫର୍ମର ଅକାମୀ ହୋଇ ପଡ଼ିଥିଲେ ମଧ୍ୟ ଆଜିଯାଏ ମରାମତି ହୋଇ ପାରିନାହିଁ। କୈାଣସି କାରଣରୁ ପାଣି ଟାଙ୍କି ପାଇଁ ବସାଯାଇଥିବା ଟ୍ରାନଫର୍ମରରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯାଏ, ତେବେ ଟାଙ୍କିରେ ପାଣି ଉଠାଇବା ପାଇଁ ଏହାର ବିକଳ୍ପ ସ୍ବରୂପ ଲକ୍ଷାଧିକ ଟଙ୍କା ମୂଲ୍ୟର ସୋଲାର ପ୍ଲେଟ ଖଞ୍ଜା ଯାଇଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ମାତ୍ର ପନ୍ଦର ଦିନ ପରେ ସୋଲାର ପ୍ଲେଟ ଗୁଡ଼ିକ ଅଚଳ ହୋଇପଡ଼ିଲା। ଯେଉଁ ପାଣି ଟାଙ୍କି ଉପରେ ଗ୍ରାମର ୮୦ ପରିବାର ନିର୍ଭର କରି ଆସୁଥିଲେ, ସେମାନେ ଏବେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ଗ୍ରାମରେ ରହିଥିବା ଦୁଇଟି ନଳକୂପ ମଧ୍ୟରୁ ଗୋଟିଏ ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଥିବା ବେଳେ ଅନ୍ୟଟି ମଧ୍ୟ ଠିକ୍ ଭାବେ କାମ କରୁନାହିଁ। ଆଠ ଦଶ ଗରା ପାଣି ଉଠିବା ପରେ ଗୋଳିଆ ପାଣି ବାହାରୁ ଥିବାରୁ ମହିଳାମାନେ ଉପାୟହୀନ ହୋଇ ଖାଲି ଗରା ନେଇ ଘରକୁ ଫେରୁଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ଗ୍ରାମ ଠାରୁ ଅଧ କିଲୋମିଟର ଦୂରରେ ରହିଥିବା ବିଦ୍ୟୁତ ବିଭାଗର ସବ୍ ଷ୍ଟେସନ ରହିଛି, ସେଠିକୁ ଯାଇ ପାଣି ଆଣିବା ପାଇଁ ବାଧ୍ୟ ହୋଇଥାନ୍ତି।

ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ଦୟାର ପାତ୍ର ହେବା ଛଡା ଅନ୍ୟ ଉପାୟ ନଥିବା କ୍ଷୁବ୍ଧ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗ୍ରାମରେ ରହିଥିବା ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରରେ ପଢୁଥିବା ଛାତ୍ରଛାତ୍ରୀଙ୍କ ରୋଷେଇ ପାଇଁ ଯଥେଷ୍ଟ ପରିମାଣରେ ପାଣି ମିଳୁନଥିବା ଦେଖାଦେଇଛି। ସବୁଠୁ ବିଡ଼ମ୍ବନାର ବିଷୟ ହେଉଛି ଛଅ ମାସରୁ ଉର୍ଦ୍ଧ୍ବ ସମୟ ଧରି ଲୋକଙ୍କୁ ଟୋପାଏ ପାଣି ଯୋଗାଉନଥିବା ଅଚଳ ପାଣି ଟାଙ୍କି ଚାରିପଟେ ରହିଥିବା ପାଚେରୀର ସିମେଣ୍ଟ ପଲସ୍ତରା ଖସି ଖଣ୍ଡିଆ ଖାବରା ହୋଇଥିଲେ ମଧ୍ୟ ତାକୁ ପ୍ଲାଷ୍ଟର ଟିକିଏ ନକରି ମଧ୍ୟ ରଙ୍ଗ ଦିଆଯାଇଛି। ପାଣି ଟାଙ୍କି ବସିବା ପରେ ୩୦ ହଜାର ଲିଟର ପାଣି ଧାରଣ କରିବାର କ୍ଷମତା ରହିଥିବା ଉଲ୍ଲେଖ କରାଯାଇଥିଲା। ତାପର ବର୍ଷ ତାହା ବଢ଼ି ୪୦ ହଜାର ଲିଟର ବୋଲି ଲେଖାଗଲା। ଚଳିତବର୍ଷ ୫୦ ହଜାର ଲିଟର କ୍ଷମତା ରହିଥିବା ଉଲ୍ଲେଖ କରାଯାଇଛି। ଏସମ୍ପର୍କରେ ବିଭାଗର ଏସଡିଓଙ୍କୁ ପଚାରିବାରୁ ୪୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏବଂ ଭୁଲରେ ୫୦ ହଜାର ଲେଖାଯାଇଥିବା ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ପଞ୍ଚାୟତ ତରଫରୁ ନୂଆ ଟ୍ରାନଫର୍ମର ପାଇଁ ଟଙ୍କା ପୈଠ କରାଯାଇଥିଲେ ହେଁ ବିଭାଗୀୟ କର୍ମକର୍ତ୍ତା କୈାଣସି ପଦକ୍ଷେପ ନେଇ ନାହାନ୍ତି। ସ୍ଥାନୀୟ ସରପଞ୍ଚ ଆର୍ ରୋହିତ କୁମାରଙ୍କୁ ଏବିଷୟରେ ପଚାରିବାରୁ ଯଥା ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ। ଜିଲ୍ଲା ପ୍ରଶାସନ ଏବଂ ସରକାର ତୁରନ୍ତ ଏହି ସମାଧାନ କରନ୍ତୁ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର