କେବେ ସରିବ ପଳପଳା ନଦୀ ଉପରେ ତାରାଯୋଡ଼ି ପୋଲ ?

 ସ୍ରୋତରେ ଭାସି ଜୀବନ ହରାଇଲେଣି ଏକାଧିକ ଲୋକ

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ପୂରଣ ହେଇପାରୁନି ଏକାଧିକ ପ୍ରକଳ୍ପ। ଏହାର ଏକ ପ୍ରକୃଷ୍ଟ ଉଦାହରଣ ହେଉଛି ଜିଲ୍ଲାର ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନ ଶାମାଖୁଣ୍ଟା ବ୍ଲକର ତାରାଯୋଡ଼ି ଓ କୁଚିଳାଘାଟି ଗ୍ରାମର ସୀମାରେଖା ଟାଣିଥିବା  ପଳପଳା ନଦୀ ଉପରେ ନିର୍ମାଣାଧୀନ ପୋଲ ।  ପଳପଳା ନଦୀଟି ଶିମିଳିପାଳ ଅଭୟାରଣ୍ୟରୁ ବାହାରି ବୁଢ଼ାବଳଙ୍ଗ ନଦୀରେ ମିଶିଛି । ନଦୀର ଉପରମୁଣ୍ଡା ଶିମିଳିପାଳ ଅଭୟାରଣ୍ୟରେ ବର୍ଷା ହେଲେ ପଳପଳା ନଦୀରେ ପ୍ରଖର ବେଗରେ ପାଣି ପ୍ରବାହିତ ହୋଇଥାଏ । ଏହି ସମୟରେ କୁଚିଳାଘାଟି ଓ ତାରାଯୋଡ଼ିର ଉଭୟ ପାଶ୍ୱର୍ରେ ଥିବା ରହିଥିବା ଗ୍ରାମଗୁଡ଼ିକ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ । ଜନସାଧାରଣଙ୍କ ଦିର୍ଘ ଦିନର ଦାବି ଓ ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ପଳପଳା ନଦୀ ଉପରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪ କୋଟି ୨୨ଲକ୍ଷ ୨ ହଜାର ୬୭ ଟଙ୍କା ବ୍ୟୟ ବରାଦରେ ନିର୍ମିତ ହେଉଥିବା ଉକ୍ତ ପୋଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୬ ଅକ୍ଟୋବର ୨୬ରେ ଶିଳାନ୍ୟାସ କରିଥିବା ସମୟରେ ତତ୍କାଳୀନ ସମୟରେ ସ୍ଥାନୀୟ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବ୍ୟାପାର ମନ୍ତ୍ରୀ ସୁଦାମ ମାର୍ଣ୍ଡି ମଧ୍ୟ ଉପସ୍ଥିତ ରହିଥିଲେ । ୧୫୦.୭୮ ମିଟର ଲମ୍ବର ଏହି ପୋଲ ନିର୍ମାଣ ନିମନ୍ତେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ(ପ୍ୟାକେଜ ନଂ ଓଆର ୨୧ ଏଲବି ୨୨) ପକ୍ଷରୁ ପୁରୀ ଜିଲ୍ଲା ବାଙ୍କପୁରର ପାଟସୁନ୍ଦରପୁର ଅଞ୍ଚଳର ଅକ୍ଷୟ କୁମାର ମହାନ୍ତିଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଠିକାଦାର ଓ ବିଭାଗ ମଧ୍ୟରେ ହୋଇଥିବା ଚୁକ୍ତିନାମା ଆଧାରରେ ୨୦୧୬ ଅଗଷ୍ଟ ୨୬ରେ କାର୍ଯ୍ୟ ଆରମ୍ଭ ଓ ୨୦୧୭ ନଭେମ୍ବର ୨୫ ମଧ୍ୟରେ କାର୍ଯ୍ୟ ସମାପ୍ତି ହେବାର ରହିଥିଲା । ଯାହା ନିର୍ମାଣସ୍ଥଳରେ ଲାଗିଥିବା ଫଳକ ସୂଚନା ଦେଉଛି ।  କିନ୍ତୁ କାର୍ଯ୍ୟ ସମାପ୍ତି ନିମନ୍ତେ ଧାର୍ଯ୍ୟ ସମୟସୀମାଠାରୁ ୩ ବର୍ଷ ୬ ମାସ ୧ ଦିନ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି । ପୋଲର ତଳେ କଂକ୍ରିଟ ଚଟାଣ ଉପରେ ପାଣି ପ୍ରବାହିତ ହେଉଥିବା କାରଣରୁ ଚଟାଣରେ ଶିଉଳି ଜମି ଯାଇଛି । ଏହା ଉପରେ ସ୍କୁଲ ପିଲା ଓ ସ୍ଥାନୀୟ ଜନସାଧାରଣ ନଦୀ ପାର ହୋଇଥାନ୍ତି । ନଦୀର ଉପର ମୁଣ୍ଡରେ ବର୍ଷା ହେଲେ ନଦୀରେ ଆସୁଥିବା ପାଣିର ବେଗ ପ୍ରଖର ହୋଇଥାଏ । ଏହି ସମୟରେ ନଦୀ ପାର ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କାହାରି ପାଦ ଖସି ଗଲେ ମୃତ୍ୟୁ ସୁନିଶ୍ଚିତ ହୋଇଥାଏ ।  ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଅନୁସାରେ ଏହା ସେମାନଙ୍କ ନିମନ୍ତେ ମୃତ୍ୟୁ ଦୂତ  ସାଜିଛି । ଗତ ୨୦୧୯ ଅଗଷ୍ଟରେ ବାରିପଦା ସଦର ଥାନା ଅଧୀନରେ ଥିବା ଲକ୍ଷ୍ମୀପୋଷି(ରଙ୍ଗାମାଟିଆ) ଗ୍ରାମର ସାଲଖାନ କିସ୍କୁ(୫୦) ଏହି ପଳପଳା ନଦୀ ପାର ହେଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲା ଏବଂ ଦୁଇ ଦିନ ପରେ  କୁଚିଳାଘାଟି-ବାଲିଡ଼ିହା ମଧ୍ୟସ୍ଥଳୀରୁ ତାର ଗଳିତ ଶବକୁ ଉଦ୍ଧାର କରାଯାଇଥିଲା ଓ ଖବରପାଇ କୁଳିଅଣା ଥାନା ପୁଲିସ ପହଁଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲକୁ ପଠାଇ ଦେଇଥିଲେ । ସେହିପରି ଉକ୍ତ ସ୍ଥାନରେ ନଦୀର ସ୍ରୋତରେ ଏହା ପୂର୍ବରୁ ପ୍ରାୟ ୩ ଜଣ ଭାସି ଯିବା ସହ ସେମାନଙ୍କର ମୃତ୍ୟୁ ହୋଇଥିବାର ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି । ଜନସାଧାରଣଙ୍କ ଯାତାୟତର ସୁବିଧା ନିମନ୍ତେ ତାରାଯୋଡ଼ି ଓ କୁଚିଳାଘାଟିକୁ ସଂଯୋଗ କରିବା ନିମନ୍ତେ ଏହି  ପୋଲ ନିର୍ମାଣ କାର୍ଯ୍ୟ ୨୦୧୬ରୁ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲର ନିର୍ମାଣ କାର୍ଯ୍ୟ ଶେଷ ହେବାର ନାମ ଧରୁ ନଥିବା ବେଳେ ଜନସାଧାରଣଙ୍କ ମୃତ୍ୟୁର କାରଣ ପାଲଟିଛି । ଏହି ସମୟରେ ପୋଲ ନିର୍ମାଣ କଚ୍ଛପ ଗତିରେ ଆଗେଇ ଚାଲିଥିବା ବେଳେ ବିଭାଗୀୟ ପଦାଧିକାରୀ, ଅଧିକାରୀ, ଜିଲ୍ଲାପ୍ରଶାସନ ଓ ନିର୍ବାଚିତ ଲୋକପ୍ରତିନିଧିମାନେ ଏଦିଗରେ ନିଘା ନାହିଁ କି ପଘା ନାହିଁ ନୀତିକୁ ଆପଣେଇ ନେଇଥିବାର କୁହାଯାଇଛି ।  କେବଳ ଏତିକି ନୁହେଁ ତଦାରଖ ଦାୟିତ୍ୱରେ ରହିଥିବା ବିଭାଗୀୟ ଅଧିକାରୀଙ୍କର ପାଦ ପଡ଼ୁ ନ ଥିବାରୁ ଠିକାଦାର ନିମ୍ନମାନର ନିର୍ମାଣ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ବିଜେପି ଯୁବନେତା ଦିନେଶ ଦାସ । ସ୍ଥାନୀୟ ଜନସାଧାରଣ ଏହି ପ୍ରକାରର ଅସୁବିଧାକୁ ନେଇ ବିଭିନ୍ନ ସମୟରେ ସ୍ୱର ଉଠାଇ ଆସୁଥିଲେ ମଧ୍ୟ ଏହା ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅଥବା ବିଧାୟକ କିମ୍ବା ସରକାରଙ୍କ ନିକଟରେ ପହଁଞ୍ଚିପାରୁ ନାହିଁ । ଆଉ କେତେ ଜଣଙ୍କର ଜୀବନ ଯିବା ସହ ଅସୁବିଧାର ସମ୍ମୁଖୀନ ହେବା ପରେ ସରକାର ଓ ବିଭାଗର ମନ ଶାନ୍ତ ହେବ ବୋଲି ସ୍ଥାନୀୟ ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି । ଏଥି ସହିତ ଆଗକୁ ବର୍ଷା ଋତୁ ଆସୁଛି, ନଦୀରେ ସ୍ରୋତରେ ବେଗ ପ୍ରଖର ହେବ । ସହେି ସମୟରେ କୃଷି କାର୍ଯ୍ୟରେ ଜନସାଧାରଣଙ୍କୁ ନଦୀ ପାରି ହେବାକୁ ପଡ଼ିବ । ସେହିପରି ସ୍କୁଲ ଖୋଲିବାକୁ ଯାଉଥିବା ବେଳେ ଛୋଟ ଛୋଟ ପିଲାମାନେ ମଧ୍ୟ ନଦୀ ପାରି ହୋଇ ସ୍କୁଲକୁ ଯିବେ । ତେଣୁ ଅବିଳମ୍ବେ ପୋଲର ନିର୍ମାଣ କାର୍ଯ୍ୟ ଶେଷ କରିବା ସହ ନିର୍ମାଣ କାର୍ଯ୍ୟର ସଠିକ୍ ଭାବେ ତଦାରଖ କରାଯିବା ନିମନ୍ତେ ଜନସାଧାରଣ ଦାବୀ କରିଛନ୍ତି । ତେବେ ଏ ବିଷୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯିବାରୁ ପୋଲକୁ ନେଇ ଅନେକ ଷ୍ଟୋରୀ ରହିଛି । ପୋଲର ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା । ତେବେ ଏହି ୧୫ ଦିନ ହେବ କାର୍ଯ୍ୟ ଆରମ୍ଭ ହୋଇଛି । ବର୍ଷା ଦିନ ପୂର୍ବରୁ ରାସ୍ତାଟି ସମ୍ପୂର୍ଣ୍ଣ ହୋଇ ନ ପାରିଲେ ମଧ୍ୟ ଗାଡ଼ି ଯିବା ଆସିବା କରିପାରିବା ଭଳି ରାସ୍ତାଟିଏ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ।
ସମ୍ବନ୍ଧିତ ଖବର