ଅସୁସ୍ଥ ବନ୍ଧୁଙ୍କୁ ଭେଟିବାକୁ ଯାଉଥିଲେ ବାଟରେ ଛକିଥିଲା ମୃତ୍ୟୁ

ଦୁର୍ଘଟଣାରେ ପ୍ରାଣ ହରାଇଲେ ତିନି ଯୁବକ; ଶୋକାକୁଳ ପରିବେଶରେ ହେଲା ଶେଷକୃତ୍ୟ, ବାରିପଦାରେ ଦୁଃଖର ଛାୟା

ବାରିପଦା: ଭୁବନେଶ୍ବରରେ ଥିବା ଜଣେ ବନ୍ଧୁ ଅସୁସ୍ଥ ଥିଲେ। ତାଙ୍କୁ ଭେଟିବା ସହିତ ଆଉ ଏକ ହସ୍‌ପିଟାଲକୁ ସ୍ଥାନାନ୍ତର କରିବାର ଥିଲା। ‌ଲକ୍‌ଡାଉନ ଥିବାରୁ ସକାଳୁ ସକାଳୁ ଭୁବନେଶ୍ବରରେ ପହଞ୍ଚିଗଲେ କଥା ସରିଲା। ଏହା ଭାବି ବାରିପଦାରୁ ବିଳମ୍ବିତ ରାତିରେ ଏକ ବାଲେନୋ ଗାଡ଼ିରେ ବାହାରିଥିଲେ ୫ ସାଙ୍ଗ। ମାତ୍ର କିଏ ଜାଣିଥିଲା ବାଟରେ ଏପରି ମୃତ୍ୟୁ ଛକି ବସିଛି ବୋଲି। ବନ୍ଧୁଙ୍କୁ ଭେଟିବାକୁ ଯାଉଥିବା ଏହି ଯାତ୍ରା ତାଙ୍କର ଶେଷଯାତ୍ରା ହେବ ବୋଲି। ରାତି ପାହିଲେ ଥିଲା ଅକ୍ଷୟ ତୃତୀୟା। ମାତ୍ର ଅକ୍ଷୟ ତୃତୀୟାର ସମସ୍ତ ଖୁସି ହଜିଗଲା। ବାରିପଦାରୁ ଭୁବନେଶ୍ବର ଯାଉଥିବାବେଳେ ବାଲେଶ୍ବର ବିର୍‌ଲା ଟାୟାର୍‌ କାରଖାନା ନିକଟସ୍ଥ ପୋଲରୁ ଖସି ପ୍ରାଣ ହରାଇଛନ୍ତି ବାରିପଦାର ୩ ଉଦୀୟମାନ ଯୁବକ। ମୃତକମାନେ ହେଲେ ତକତପୁର ଅଞ୍ଚଳର ରବୀନ୍ଦ୍ର ସାହୁ(ମନୁଆ), ସନ୍ତୋଷ ପଣ୍ଡା(ଟୁକୁନ) ଏବଂ ଖୁଣ୍ଟା ବ୍ଲକ୍‌ ଚିଲ୍‌ମା ଅଞ୍ଚଳର ଦେବାଶିଷ ଆଚାର୍ଯ୍ୟ(ପିଣ୍ଟୁ)। ଗତକାଲି ରାତି ପ୍ରାୟ ୧୨ଟାରୁ ୧ ମଧ୍ୟରେ ତିନି ମୃତକ ସେମାନଙ୍କର ବନ୍ଧୁ ଅଭିଷେକ ଦାସ ଏବଂ ସୁନୀଲ ମହାନ୍ତିଙ୍କ ସହିତ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲେ। ଅଭିଷେକଙ୍କ କାର୍‌ରେ ବାହାରିଥିଲେ ପାଞ୍ଚ ବନ୍ଧୁ। ମାତ୍ର ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳରେ ପ୍ରାଣ ହରାଇଛନ୍ତି ୩ ଯୁବକ।

Sambad

‌ଏଥିସହିତ ଅଭିଷେକ ଏବଂ ସୁନୀଲ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଏନେଇ ବାରିପଦାରେ ଦୁଃଖର ଛାୟା ଖେଳିଯାଇଛି। ଏପରି ଢଙ୍ଗରେ ତିନି ଉଦୀୟମାନ ଯୁବକଙ୍କର ମୃତ୍ୟୁକୁ ସହଜରେ କେହି ଗ୍ରହଣ କରି ପାରୁନାହାଁନ୍ତି। ଆଜି ଶୋକାକୁଳ ପରିବେଶ ମଧ୍ୟରେ ସ୍ଥାନୀୟ ବାରୁଣୀ ଶ୍ମସାନ ଘାଟରେ ମୃତ ରବୀନ୍ଦ୍ର ଏବଂ ସନ୍ତୋଷଙ୍କର ଶେଷକୃତ୍ୟୁ ସମ୍ପନ୍ନ ହୋଇଥିଲା। ଦେବାଶିଷଙ୍କ ମରଶରୀରକୁ ତାଙ୍କ ଗାଁକୁ ନେଇଥିଲେ ସମ୍ପର୍କୀୟ। ମୃତ ରବୀନ୍ଦ୍ର ଏମ୍‌ପିସି ସ୍ବୟଂଶାସିତ ମହାବିଦ୍ୟାଳୟରୁ ପାଠ ପଢ଼ିବା ସହିତ ଜିଲ୍ଲାର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଞ୍ଜସେନାର ଜିଲ୍ଲା ଛାତ୍ର ଉପସଭାପତି ମଧ୍ୟ ଥିଲେ। ସେହିପରି ମହାରାଜା ଶ୍ରୀରାମଚନ୍ଦ୍ରଭଞ୍ଜ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଶଙ୍କର୍ଷଣ ପଣ୍ଡାଙ୍କ ସାନ ଭାଇ ସନ୍ତୋଷ ତକତପୁରରେ ଏକ ମୋବାଇଲ୍‌ ଷ୍ଟୋର୍‌ କରିଥ‌ିଲେ। ଅନ୍ୟ ଜଣେ ମୃତକ ଦେବାଶିଷ ମଧ୍ୟ ଜଣେ ଯୁବ ବ୍ୟବସାୟୀ ଥିଲେ। ତିନି ଯୁବକଙ୍କ ଏପରି ଅକାଳ ବିୟୋଗରେ ବାରିପଦାର ବହୁ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି।

Sambad

ଆଜି ଥିଲା ରକ୍ତଦାନ ପାଳି, ଆଉ ଫେରିଲେନି ମନୁଆ ଭଞ୍ଜ‌େସେନା ପକ୍ଷରୁ ପିଆରଏମ୍‌ ହସ୍‌ପିଟାଲରେ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ରକ୍ତଦାନ କରାଯାଇଥାଏ। ଏହିକ୍ରମରେ ପ୍ରତି ଶନିବାର ଛାତ୍ରନେତା ରବୀନ୍ଦ୍ର ସାହୁ ଓରଫ୍‌ ମନୁଆଙ୍କର ପାଳି ଥାଏ। ତାଙ୍କ ନେତୃତ୍ବରେ ପ୍ରତି ଶନିବାର ରକ୍ତଦାନ କରାଯାଇଥାଏ। ଆଜି ମଧ୍ୟ ତାଙ୍କର ପାଳି ଥିଲା। ମାତ୍ର ବିଧିର ବିଧାନ ବୋଧହୁଏ କିଛି ଅଲଗା ଥିଲା। ‌ସବୁକଥାରେ ଆଗକୁ ସାହାଯ୍ୟ ପାଇଁ ବାହାରି ପଡ଼ୁଥିବା ମନୁଆ କିନ୍ତୁ ଆଉ ଫେରିନଥିଲେ ରକ୍ତଦାନ କରିବାକୁ। ବନ୍ଧୁଙ୍କୁ ଦେଖା କରି ସାନ୍ତ୍ବନା ଦେବାକୁ ଯାଉଥିବା ବେଳେ ଆରପାରିକୁ ଚାଲିଯାଇଛନ୍ତି ସେ। ଏନେଇ ଭଞ୍ଜ‌ସେନା ପକ୍ଷରୁ ମୃତକଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛ

ସମ୍ବନ୍ଧିତ ଖବର