ଭଡ଼ଭାଇର ଟାଙ୍ଗିଆ ଚୋଟରେ ସାନ ମୃତ

ନାକ୍‌ଟିଦେଉଳ: ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ଜୀବନ ଯାଇଛି। ଶନିବାର ରାତି ପ୍ରାୟ ୯ଟା ୩୦ରେ ସମ୍ବଲପୁର ଜିଲ୍ଲା ନାକ୍‌ଟିଦେଉଳ ଥାନା ଅନ୍ତର୍ଗତ ଜାମୁଯୋରୀ ଗ୍ରାମରେ ଘଟିଛି ଏହି ବୀଭତ୍ସ ଘଟଣା। ମୃତକ ହେଲେ ଗ୍ରାମର ଅଶୋକ ପ୍ରଧାନ (୩୮)। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଅଭିଯୁକ୍ତ ବଡ଼ଭାଇ ଅର୍ଜୁନ ପ୍ରଧାନକୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ ରାତି ପ୍ରାୟ ୯ଟା ୩୦ରେ ଅଶୋକ ଜାମୁଯୋରୀ ଗାଁର ଛକରେ ନିଜ ବାଇକ୍‌ ଉପରେ ବସିଥିବା ବେଳେ ତାଙ୍କ ବଡ଼ଭାଇ ଅର୍ଜୁନ ସେଠାରେ ପହଞ୍ଚି ଅତର୍କିତ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା।

ଅଶୋକ ଜୀବନ ବଞ୍ଚାଇବାକୁ ଦୌଡ଼ିଥିଲେ ମଧ୍ୟ ଅର୍ଜୁନ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲା। ଘଟଣାସ୍ଥଳରେ ହିଁ ଅଶୋକଙ୍କ ମୃତ୍ୟୁ ହୋଇଯାଇଥିଲା। ଏହା ଦେଖିବା ପରେ ଆଖପାଖର ଲୋକମାନେ ଅର୍ଜୁନକୁ କାବୁ କରି ପୁଲିସକୁ ସୂଚନା ଦେଇଥିଲେ। ଖବରପାଇ ନାକ୍‌ଟିଦେଉଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅର୍ଜୁନକୁ ଗିରଫ କରିଥିଲା। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ପୁଲିସ କହିଛି। ତେବେ କେଉଁ କାରଣରୁ ବଡ଼ଭାଇ ଏପରି ରକ୍ତମୁଖା ହେଲା ସେ ସଂପର୍କରେ ଅଧିକ ସୂଚନା ମିଳିପାରି ନାହିଁ। ପୁଲିସ ଏହାର ଅଧିକ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର