ସହରାଞ୍ଚଳ ଗରିବଙ୍କୁ ପ୍ରଶାସନର ଉପେକ୍ଷା, ପୌର ଓ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ପ୍ରଭାବିତ ମହିଳା

ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ

ସୁନ୍ଦରଗଡ଼: ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା, ଗୃହହୀନଙ୍କୁ ଆବାସ, ବସ୍ତି ଅଞ୍ଚଳ ନିର୍ମାଣ, ସହରାଞ୍ଚଳ ଜୀବିକା ମିଶନରେ କାମ କରିଥିବା ଶ୍ରମିକ ଓ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ମଜୁରି ପ୍ରଦାନ ଦାବିକୁ ମାସ ମାସ ଧରି ସୁନ୍ଦରପଡ଼ ପୌରପ୍ରଶାସନ ଉପେକ୍ଷା କରିଆସୁଥିବା ଅଭିଯୋଗରେ ଆଜି ପ୍ରଭାବିତ ବସ୍ତି ମହିଳାମାନେ ଏହାର ତୀବ୍ର ପ୍ରତିବାଦ କରିଥିଲେ।

ଆଜି ସକାଳ ୮ଟାରୁ ଶହଶହ ମହିଳା ପୌରପରିଷଦ କାର୍ଯ୍ୟାଳୟକୁ ଘେରାଉ କରି ପୌର ନିର୍ବାହୀ ଅଧିକାରୀଙ୍କୁ ଏହାର ଜବାବ ରଖିବାକୁ ଡାକିଥିଲେ। କିନ୍ତୁ ବହୁ ସମୟ ଅପେକ୍ଷା କରିବା ପରେ ମଧ୍ୟ ଅଧିକାରୀ ନଆସିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଖବର ପାଇ ଯୁବନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀ ବିକ୍ଷୋଭସ୍ଥଳକୁ ଆସି ପୌର ନିର୍ବାହୀ ଅଧିକାରୀଙ୍କୁ ଫୋନ୍ କରି ମହିଳାମାନଙ୍କ ଅଭିଯୋଗ ଶୁଣିବାକୁ ଅନୁରୋଧ କରିଥିଲେ। ଏହା ପରେ ଅଧିକାରୀ ଏକ ପ୍ରତିନିଧିଦଳକୁ ଭିତରକୁ ଆସି ଆଲୋଚନା କରିବାକୁ କହିଥିଲେ। ଯାହାକୁ ଆନ୍ଦୋଳନକାରୀ ପ୍ରତ୍ୟାଖ୍ୟାନ କରି ସମସ୍ତଙ୍କ ସାମ୍ନାରେ ଜବାବ ରଖିବାକୁ ଦାବି କରିଥିଲେ। ଏହି ସମୟରେ କିଛି ଯୁବକ ସେଠାକୁ ଆସି ଆନ୍ଦୋଳନକାରୀଙ୍କୁ ବିରୋଧ କରିବାରୁ ସାମାନ୍ୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ପୌର ଅଧିକାରୀ ଯୁବକମାନଙ୍କୁ ଡାକିଥିବା ଅଭିଯୋଗ କରି ବର୍ଷିଥିଲେ। ଏହା ପରେ ଅଧିକାରୀ ଅଫିସରେ ତାଲା ମାରି ସମସ୍ତ ପୌର କର୍ମଚାରୀମାନଙ୍କ ସହ ଘଟଣା ସମ୍ପର୍କରେ ଅଭିଯୋଗ କରିବାକୁ ଜିଲ୍ଲାପାଳଙ୍କ ପାଖକୁ ଯାଇଥିଲେ। ଅନ୍ୟପଟେ ଉତ୍ତ୍ୟକ୍ତ ମହିଳାମାନେ ପୌର ଅଫିସରୁ ଜିଲ୍ଲାପାଳଙ୍କ ଅଫିସକୁ ଯାଇ ଘେରିଥିଲେ। ପୌର ନିର୍ବାିହୀ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ତହସିଲଦାର ଯୋଗେଶ୍ବର ଭୋଇ ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଦୁଇ ଅଧିକାରୀଙ୍କ ଉପସ୍ଥିତିରେ ପୌର ନିର୍ବାହୀ ଅଧିକାରୀ ଅପ୍ରେଲ ୧୬ରୁ ଜମି ପଟ୍ଟା, ଗୃହହୀନଙ୍କୁ ଆବାସ, ବସ୍ତି ଅଞ୍ଚଳ ନିର୍ମାଣ, ସହରାଞ୍ଚଳ ଜୀବିକା ମିଶନରେ କାମ କରିଥିବା ଶ୍ରମିକ ଓ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ମଜୁରି ପ୍ରଦାନ ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।

ସମ୍ବନ୍ଧିତ ଖବର