ଏନସିଇଆରଟି ବହିରେ କଳାହାଣ୍ଡିକୁ ନେଇ ଭ୍ରମାତ୍ମକ ତଥ୍ୟ ଘଟଣା, କୋର୍ଟରେ ମାମଲା ରୁଜୁ 

ଭବାନୀପାଟଣା: କେନ୍ଦ୍ର ଶିକ୍ଷା ବିଭାଗ ଅଧୀନରେ ଥିବା ଏନସିଇଆରଟି ପକ୍ଷରୁ ପଞ୍ଚମ ଶ୍ରେଣୀର ଇଭିଏସ ପୁସ୍ତକରେ କଳାହାଣ୍ଡି ସମ୍ପର୍କରେ ଭୁଲ ତଥ୍ୟ ଶୀର୍ଷକ ଖବର ଗତ ୧୯ ତାରିଖରେ ସମ୍ବାଦରେ ପ୍ରକାଶ ପାଇଥିଲା । ଏହାକୁ ନେଇ କଳାହାଣ୍ଡି ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । କଳାହାଣ୍ଡି ଓ ନୂଆପଡା ଏସସି/ଏସଟି ଆଡଭୋକେଟ ଫୋରମର ସଂସ୍ଥାପକ ନିମାଞ୍ଚଳ ନାଏକ ଓ କଳାହାଣ୍ଡି ଆଦିବାସୀ ସଂଘର ପୂର୍ବ ସଭାପତି ଜଏନ ଶବର ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବରିଷ୍ଠ ଆଇନଜୀବୀ ଦୈତାରି ପ୍ରଧାନଙ୍କ ଜରିଆରେ ଗତକାଲି ଭବାନୀପାଟଣା ସିଭିଲଜଜ ସିନିୟର ଡିଭିଜନରରେ ମାମଲା ରୁଜୁ ହୋଇଛି ।

ଏହି ଘଟଣା ଜିଲ୍ଲା ରେ ଆଲୋଡ଼ନ ସୃଷ୍ଟି ହୋଇଛି ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ, ଏନସିଇଆରଟି ଦ୍ୱାରା ପଞ୍ଚମ ଶ୍ରେଣୀ ନିମନ୍ତେ ପ୍ରସ୍ତୁତ ପରିବେଶ ବିଜ୍ଞାନ ପୁସ୍ତକରେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଭୁଲତଥ୍ୟ ଦେଇ ଅନାହାରର ଭୂଖଣ୍ଡ ବୋଲି ଚିତ୍ରଣ କରାଯାଇଛି । ଏହାକୁ ନେଇ ସମ୍ବାଦ ରେ ଗତ ୧୯ ତାରିଖ ଦିନ ଖବର ପ୍ରକାଶ ପାଇବା ପରେ କଳାହାଣ୍ଡି ଓ ନୂଆପଡ଼ା ଏସସି/ ଏସଟି ଆଡଭୋକେଟ ଫୋରମର ସଂସ୍ଥାପକ ନିମାଞ୍ଚଳ ନାଏକ ଓ କଳାହାଣ୍ଡି ଆଦିବାସୀ ସଂଘ ର ପୂର୍ବ ସଭାପତି ଜଏନ ଶବର ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏହା ପୂର୍ବରୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦୈତାରି ପ୍ରଧାନ ନୋଟିସ ୟୁ/ଏସ ୮୦ ସିପିସି ଆରଡବ୍ଲୁ ସେକସନ ୯୧ ସିପିସି ଅନୁଯାୟୀ କଳାହାଣ୍ଡି ଜିଲ୍ଲାପାଳ, ଏନସିଇଆରଟି ନିର୍ଦ୍ଦେଶକ, କେନ୍ଦ୍ର ମାନବ ସମ୍ବଳ ସଚିବ, ଓଡିଶା ଗଣଶିକ୍ଷା ସଚିବ ଓ ସମ୍ବାଦର ପ୍ରକାଶକଙ୍କୁ ପକ୍ଷଭୁକ୍ତ କରି ଓକିଲ ନୋଟିସ ପଠାଇଥିଲେ ।

ଗତକାଲି ଭବାନୀପାଟଣା ସହରସ୍ଥିତ ସିଭିଲ ଜଜ ସିନିୟର ଡିଭିଜନ କୋର୍ଟରେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦୈତାରୀ ପ୍ରଧାନଙ୍କ ପକ୍ଷରୁ ମାମଲା ଆବେଦନ କରିଥିଲେ । ମାନ୍ୟବର କୋର୍ଟ କେସ ନଂ ୮୮/୨୦୦୦ରେ ମାମଲା ରୁଜୁ କରି ଆବେଦନକୁ ଗ୍ରହଣ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ, ୧୯୪୮ ମସିହା ଜାନୁୟାରୀ ୧ ତାରିଖରେ ସ୍ୱତନ୍ତ୍ର କଳାହାଣ୍ଡି ଓଡିଶା ରାଜ୍ୟରେ ସାମିଲ ହୋଇଥିଲା । ସ୍ବାଧୀନତା ପୂର୍ବରୁ କଳାହାଣ୍ଡି ଜିଲ୍ଲାରୁ ପଶମବଙ୍ଗର ଦୁର୍ଭିକ୍ଷ ସମୟରେ ଚାଉଳ ପଠା ଯାଇଥିଲା । ୧୯୩୦ ମସିହାରେ କଳାହାଣ୍ଡି ଜିଲ୍ଲା ସହିତ ରେଳ ଯୋଗାଯୋଗ ସଂଯୋଗ ହୋଇଥିଲା । ଏହା ଦ୍ବାରା ରାଜ୍ୟ ବାହାରକୁ ଓ ବିଦେଶକୁ ଚାଉଳ ରପ୍ତାନୀ ପାଇଁ ଏହି ରେଳପଥ ଲାଇଫ ଲାଇନ ସାଜିଥିଲା ।

କଳାହାଣ୍ଡି ଜିଲ୍ଲାରେ ପ୍ରଚୁର ପରିମାଣର ପ୍ରାକୃତିକ ସମ୍ବଳ ଓ ଖଣିଜ ପଦାର୍ଥ ଥିଲେ ମଧ୍ୟ ଏହାର ସୁବିନିଯୋଗ ହୋଇ ପାରୁନାହିଁ । ଓଡ଼ିଶା ବିଧାନସଭା ରେ ତୁମ୍ବିତୋଫାନ ହୋଇଥିଲେ ମଧ୍ୟ ସେତେବେଳେ ଜିଲ୍ଲାର ଜଣେ ମନ୍ତ୍ରୀ ଲୋକେ ଅନାହାର ଯୋଗୁଁ ପତ୍ର ଓ ଚେର ଖାଉ ନାହାନ୍ତି ବରଂ ଏହା ସେମାନଙ୍କ ନିୟମିତ ଖାଦ୍ୟ ଅଭ୍ୟାସ ବୋଲି କହିଥିଲେ । ଏହି ଘଟଣା ନେଇ ୮୦ ଦଶକ ରେ ଚର୍ଚ୍ଚା ହୋଇଥିଲା । କଳାହାଣ୍ଡି ଜିଲ୍ଲାରେ ଉପଯୁକ୍ତ ଖାଦ୍ୟ ନ ପାଇ ଲୋକେ ପତ୍ର ଓ କନ୍ଦା ଖାଇ ବଞ୍ଚୁଥିବାଭଳି ମିଥ୍ୟ ତଥ୍ୟ ଦେଇ କଳାହାଣ୍ଡି ବାସୀଙ୍କୁ ଅପମାନିତ କରାଯାଇଛି । କଳାହାଣ୍ଡି ଶସ୍ୟ ଶ୍ୟାମଲା ହେବା ସହିତ ଓଡ଼ିଶାର ଦ୍ୱିତୀୟ ଧାନ ଉତ୍ପାଦନକାରୀ ଜିଲ୍ଲା ଭାବରେ ମାନ୍ୟତା ପାଇଛି । ସେହିଭଳି ଉତ୍କୃଷ୍ଟ କପା ଉତ୍ପାଦନ କରି ରାଜ୍ୟରେ ଶ୍ରେଷ୍ଠ ସ୍ଥାନ ଦଖଲ କରିଛି । ଜିଲ୍ଲାର ଲୋକେ ସରଳ ହୋଇଥିବା ଯୋଗୁଁ ବାହାର ଲୋକେ ଶୋଷଣ କରି ବହିରାଗତ ମାନଙ୍କ ଚରାଭୁଇଁ ପାଲଟିଛି । ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ଯୋଗୁଁ ଗରିବ ହିତାଧିକାରୀମାନେ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ପାଇପାରୁ ନାହାନ୍ତି ।

ଏନସିଇଆରଟିର ସିବିଏସଇ କୋର୍ସ ଇଭିଏସ ପୁସ୍ତକର ୩୪ ନମ୍ବର ପୃଷ୍ଠାରେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଭ୍ରମାତ୍ମକ ଓ ଅପମାନ ସୂଚକ ତଥ୍ୟ ଉପସ୍ଥାପନ କରାଯାଇଛି । ଯାହା ଫଳରେ ଶିଶୁମାନଙ୍କ ମାନସିକ ସ୍ତରରେ ଖରାପ ଚିତ୍ର ଉପସ୍ଥାପନ କରାଯାଇଛି । ତେଣୁ ତୁରନ୍ତ ଏହି ପାଠ୍ୟକ୍ରମ ରେ ଏହି ତଥ୍ୟକୁ ହଟାଇବା ପାଇଁ କୋର୍ଟରେ ମାମଲା ରୁଜୁ କରିବା ପାଇଁ ଆବେଦନ କରାଯାଇଛି । ମାମଲା ରୁଜୁ ହେବା ପରେ ଏନସିଇଆରଟି ପାଠ୍ୟକ୍ରମ ବିବାଦ ଘନେଇବା ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର