ବଳିଷ୍ଠ ଶରୀରଧାରୀ ରୁଗ୍‌ଣ!

ଝରକା

ମାତ୍ର ୨୬ ବର୍ଷ ବୟସ୍କ ଡାଲିଅନ ମାକଭର, ୩୧ ବର୍ଷ ବୟସ୍କ ଆଣ୍ଡିଆସ ମଞ୍ଜର, ୩୭ ବର୍ଷ ବୟସ୍କ ଜର୍ଜ ପିଟରସନ୍‌, ୩୧ ବର୍ଷ ବୟସ୍କ ସତନାମ ଖଟ୍ଟର, ୪୪ ବର୍ଷ ବୟସ୍କ ରିଚ୍‌ ପିଆନା ଏବଂ ୪୬ ବର୍ଷ ବୟସ୍କ ସନ୍‌ ରୋଡନ୍‌ଙ୍କ ମଧ୍ୟରେ ରହିଥିବା ସାମଂଜସ୍ୟଟି ହେଉଛି ଏମାନେ ସମସ୍ତେ ବିଶ୍ବ ସ୍ତରରେ ପରିଚିତ ଜଣେ ଜଣେ ପ୍ରସିଦ୍ଧ ‘ବଡି ବିଲ୍‌ଡର’, ଯେଉଁମାନେ ସେମାନଙ୍କ ସୁନ୍ଦର ସ୍ବାସ୍ଥ୍ୟ ଲାଗି ପୃଥିବୀ ସାରା ଲକ୍ଷ ଲକ୍ଷ ଅନୁଗାମୀ ଓ ପ୍ରଶଂସକ ଜୁଟାଇ ପାରିଥିଲେ। କିନ୍ତୁ ଏମାନଙ୍କ ମଧ୍ୟରେ ଆଉ ଯେଉଁ ଏକ ଅତ୍ୟନ୍ତ ବିମର୍ଷକର ସାମଂଜସ୍ୟ ଅଛି, ତାହା ହେଲା ଏମାନେ କେହି ଏବେ ଇହଧାମରେ ନାହାନ୍ତି। ଏତେ ଅଳ୍ପ ବୟସରେ ସେମାନଙ୍କ ମୃତ୍ୟୁର କାରଣ ହୋଇଛି ହୃଦ୍‌ଘାତ ବା ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ପ୍ରତ୍ୟଙ୍ଗର ହଠାତ୍‌ ଅଚଳାବସ୍ଥା। ବର୍ତ୍ତମାନ ସାରା ପୃଥିବୀରେ ସୁନ୍ଦର ସ୍ବାସ୍ଥ୍ୟ ଲାଗି ଦେଖା ଦେଇଥିବା ଉନ୍ମାଦନାରେ କୋଟି କୋଟି ଯୁବକଯୁବତୀ ସିଧାସଳଖ ଲଂଫ ପ୍ରଦାନ କରିଥିବା ପରିପ୍ରେକ୍ଷୀରେ ଏଭଳି ମୃତ୍ୟୁର ସଂଖ୍ୟା ଯେ ଆହୁରି ବହୁତ ଅଧିକ ହୋଇଥିବ, ଯାହା ଗଣମାଧ୍ୟମକୁ ଆସୁ ନ ଥିବ, ତାହା କେବଳ ଅନୁମାନ କରିବାର ବିଷୟ।

ତେବେ, ଏଭଳି ହେବାର କାରଣ କ’ଣ? ତାହା ହେଉଛି ନିଜର ଅଙ୍ଗ ସୌଷ୍ଠବକୁ ଅପ୍ରାକୃତିକ ଉପାୟରେ ବୃଦ୍ଧି କରିବା ଲାଗି ‘ଆନାବୋଲିକ୍‌ ଷ୍ଟେରୋଏଡ୍‌’ ଏବଂ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟର ଅନିୟନ୍ତ୍ରିତ ବ୍ୟବହାର। ମାନବ ଶରୀରର ପ୍ରାକୃତିକ ସଂରଚନା ବିରୋଧରେ ଏଭଳି ଆକ୍ରମଣ ଏବଂ ସଂଘାତ ଅନେକ ବଳିଷ୍ଠ ବପୁଧାରୀଙ୍କୁ ଭିତରେ ଭିତରେ ସାଂଘାତିକ ଭାବେ ରୁଗ୍‌ଣ କରି ପକାଉଛି। ଏ ସଂଦର୍ଭରେ ଯାହା ଅତ୍ୟନ୍ତ ଉଦ୍‌ବେଗଜନକ ତାହା ହେଲା ଏଭଳି ଘଟଣା ଏକ ମହାମାରୀ ଭଳି ବ୍ୟାପିବାରେ ଲାଗିଛି।

ମାଂସପେଶୀକୁ ବୃଦ୍ଧି କରିବା ଲାଗି ନିଆଯାଉଥିବା ଷ୍ଟେରୋଏଡ୍‌ ଏବଂ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟ କାରଣରୁ ସ୍ଥିତି କିଭଳି ବିପଜ୍ଜନକ ହୋଇପାରେ, ତା’ର କିଛି ଉଦାହରଣ ଦେଖାଯାଉ। ମୃତ୍ୟୁ ପରେ ଦେଖାଯାଇଥିଲା ଯେ ରିଚ୍‌ ପିଆନାଙ୍କ ହୃତ୍‌ପିଣ୍ଡର ଓଜନ ହୋଇଯାଇଥିଲା ପ୍ରାୟ ୬୫୦ ଗ୍ରାମ୍‌, ଯେତେବେଳେ କି ଜଣେ ସାଧାରଣ ବ୍ୟକ୍ତିଙ୍କ ହୃତ୍‌ପିଣ୍ଡର ଓଜନ ୩୦୦ରୁ ୩୫୦ ଗ୍ରାମ୍‌ ଯାଏ ହୋଇଥାଏ। ମାତ୍ର ଛବିଶ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ଡାଲିଅନ ମାକଭରଙ୍କ ହୃତ୍‌ପିଣ୍ଡର ଓଜନ ହୋଇଯାଇଥିଲା ପାଖାପାଖି ଏକ କିଲୋଗ୍ରାମ୍‌ (୮୩୫ ଗ୍ରାମ୍‌) ଏବଂ ଯକୃତର ଓଜନ ହୋଇଯାଇଥିଲା ପ୍ରାୟ ୪ କିଲୋଗ୍ରାମ୍‌, ସାଧାରଣ ଯକୃତର ଓଜନର ଦୁଇ ଗୁଣରୁ ଅଧିକ। ହୃତ୍‌ପିଣ୍ଡ ବା ଯକୃତ ମଧ୍ୟ ମାଂସପେଶୀ ହୋଇଥିବାରୁ ଏହି ରାସାୟନିକ ଦ୍ରବ୍ୟର ପ୍ରଭାବରେ ସେଗୁଡ଼ିକର ଆକାର ମଧ୍ୟ ବୃଦ୍ଧି ପାଇଥିବ ବୋଲି ଅନେକ ବିଶେଷଜ୍ଞ କହିଥାଆନ୍ତି। ସନ୍‌ ରୋଡନ୍‌ ଥିଲେ ୨୦୧୮ରେ ମିଷ୍ଟର ଅଲିଂପିଆ ଚାଂପିଅନ୍‌, ଯାହା ବିଶ୍ବର ଏକ ଶ୍ରେଷ୍ଠତମ କୃତିତ୍ବ। ତାଙ୍କ ଶରୀରର ତତ୍ତ୍ବ ନେବା ଲାଗି ଦଳେ ଡାକ୍ତର ମଧ୍ୟ ନିୟୋଜିତ ଥିଲେ। କିନ୍ତୁ ସେ ନିଜକୁ ରକ୍ଷା କରିପାରିଲେ ନାହିଁ।

ଏଭଳି ସ୍ଥଳେ ଯାହା ଆବଶ୍ୟକ ତାହା ହେଉଛି ଏହି କ୍ରୀଡ଼ା ବିଭାଗରେ ପ୍ରବେଶ କରୁଥିବା ତରୁଣ ବା ତରୁଣୀମା‌ନଙ୍କ ଲାଗି ଉପଯୁକ୍ତ ତାଲିମ ପ୍ରଦାନ ଓ ସଚେତନତାର ସୃଷ୍ଟି। ଏହି କ୍ରୀଡ଼ାରେ ସାଫଲ୍ୟ ଲାଗି ଅନ୍ୟାନ୍ୟ କ୍ରୀଡ଼ାରେ ନିଷେଧ ହୋଇଥିବା ‘ଆନାବୋଲିକ୍‌ ଷ୍ଟେ‌େରାଏଡ୍‌’କୁ ନିୟମିତ ଭାବେ ବ୍ୟବହାର କରାଯାଇଥାଏ। କିନ୍ତୁ ତାହାର ମାତ୍ରାଧିକ ଓ ଉଚ୍ଚୃଙ୍ଖଳ ବ୍ୟବହାର ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ବଳିଷ୍ଠ ଶରୀର ଭିତରେ ରହିଥିବା ରୁଗ୍‌ଣତା ପରିପ୍ରେକ୍ଷୀରେ ଏହି ପ୍ରତିଯୋଗିତାକୁ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ବୋଲି ଅଭିହିତ କରାଯିବା କେତେ ଯୁକ୍ତିଯୁକ୍ତ ତାହା ମଧ୍ୟ ଏକ ପ୍ରଶ୍ନ।

ସମ୍ବନ୍ଧିତ ଖବର