ଏକ ବିରଳ ନିଷ୍ପତ୍ତି ଓ ବଳିଦାନର କଥା

ହିରଣ୍ୟ ମହାନ୍ତି

୧୯୮୧-୮୨ ମସିହାରେ ଇନ୍ଦିରା ଗାନ୍ଧୀ ସରକାର ଆସିଲା ବେଳକୁ ଶାନ୍ତ, ସମୃଦ୍ଧ ଓ ସମ୍ଭ୍ରାନ୍ତ ପଞ୍ଜାବରେ ବିଚ୍ଛିନ୍ନିତାବାଦୀ ଓ ସ˚ତ୍ରାସବାଦୀମାନଙ୍କର ବିଦ୍ରୋହ ଖୁଲମ୍‌ଖୁଲା ରାଜରାସ୍ତା ଉପରକୁ ଓହ୍ଲାଇ ଆସିଥାଏ। ଆନ୍ଦୋଳନର ଉତ୍ସ ଥାଏ ‘ଶିରୋମଣି ଅକାଳୀ ଦଳର ନେତୃତ୍ବ’। ଶିଖମାନେ ଏକ ସ୍ବାଧୀନ ଶିଖ ରାଷ୍ଟ୍ର ଦାବିରେ ପଞ୍ଜାବର ଜନଜୀବନକୁ କେନ୍ଦ୍ର ସରକାର ବିରୋଧୀ କରି ସାରି ଥାଆନ୍ତି। ସେହି ଅଭିଳଷିତ ରାଷ୍ଟ୍ରର ନାମ ସେମାନେ ଦେଇ ଥାଆନ୍ତି ଖଲିସ୍ତାନ। ବ୍ୟାଙ୍କ୍‌ ଲୁଟ୍‌ତରାଜ, ଗହଣା ଦୋକାନମାନଙ୍କରୁ ଲୁଣ୍ଠନ, ଅନ୍ୟାନ୍ୟ ଦୋକାନମାନଙ୍କରୁ ଲୁଟ୍‌, ସ˚ପନ୍ନ ପରିବାରମାନଙ୍କ ଘରୁ ଅଳଙ୍କାର ଓ ଅର୍ଥ ଲୁଣ୍ଠନ ପରି ଅରାଜକ କାର୍ଯ୍ୟ ସେହି ସମୟରେ ମାମୁଲି ଘଟନାରେ ପରିଣତ ହୋଇଯାଇଥାଏ। ସେ ସବୁ ଅର୍ଥ ‘ଖଲିସ୍ତାନ’ ବିଦ୍ରୋହ ପାଇଁ ଖର୍ଚ୍ଚ ହେବାକୁ ଆବଶ୍ୟକ ହେଉଥାଏ। ସନ୍ଥ ଜର୍ନେଲ ସି˚ହ ଭୀନ୍‌ନ୍ଦ୍ରେନଵାଲା ଥାଆନ୍ତି ଏହି ଆନ୍ଦୋଳନକାରୀ ଶିଖମାନଙ୍କର ନେତା। ସେ ଜେଲ୍‌ରେ ଥାଇ ଏହି ଆନ୍ଦୋଳନକୁ ନେତୃତ୍ବ ଦେଇ ଚାଲିଥିଲେ।

ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ବ ସମୟ। ୧୯୭୩ ମସିହା ଅକ୍‌ଟୋବର ୧୬-୧୭ ତାରିଖରେ ଇନ୍ଦିରାଜୀ ସନ୍ଥ ହରଚାନ୍ଦ ସି˚ହ ଲଙ୍ଗାଵାଲଙ୍କ ନେତୃତ୍ବରେ ଶିରୋମଣି ଅକାଳୀ ଦଳର ଆହ୍ବାନ କ୍ରମେ ଆନନ୍ଦପୁର ସାହିବ ମୁକାମରେ ଶିଖ ସ˚ପ୍ରଦାୟର ସର୍ବାଙ୍ଗୀନ ଉନ୍ନତି କଳ୍ପେ ଏକ ସ˚କଳ୍ପ ପତ୍ର ସ˚ପାଦନ କରିଥିଲେ। ଆନନ୍ଦପୁର ସାହିବ ସ˚କଳ୍ପ ପତ୍ରରେ ଶିଖମାନେ ୧୦ଟି ଦିଗ ଉପରେ ଆଲୋକପାତ କରିଥିଲେ। ସେଥିରେ ଦେଶଦ୍ରୋହ କିମ୍ବା ରାଷ୍ଟ୍ର ଠାରୁ ପୃଥକ୍‌ ହୋଇଯିବା ପରି କିଛି ପ୍ରକାଶ୍ୟ ଅଥବା ପ୍ରଚ୍ଛନ୍ନ ଧମକ ନ ଥିଲା। ବର˚, ଅପର ପକ୍ଷରେ ସ˚କଳ୍ପ ପତ୍ରରେ ଅନେକତ୍ର ଶିଖମାନଙ୍କର ଭାରତର ସାର୍ବଭୌମତ୍ବ ପ୍ରତି ଘୋଷିତ ବିଶ୍ବାସ ଓ ସମ୍ଭ୍ରମ ଦରଜ କରାଯାଇଥିଲା। ତହିଁରେ ସେମାନେ କେବଳ ଏକ ବୃହତ୍ତର ପଞ୍ଜାବ ଗଠନ ପାଇଁ ଆହ୍ବାନ ରଖିଥିଲେ। ତାହା ସହିତ ସେଥିରେ ଅନେକ ସ୍ବାଗତଯୋଗ୍ୟ ପ୍ରସ୍ତାବମାନ ଥିଲା। ଇନ୍ଦିରା ଗାନ୍ଧୀ ପଞ୍ଜାବୀ ଭାଷାଭାଷୀ ଗୁରୁଦାସପୁର ଜିଲ୍ଲାର ଡେଲାହାଉସି, ଚଣ୍ତୀଗଡ଼, ପିଞ୍ଜୋରୋ କାଲ୍‌କା, ଅମ୍ବାଲାସଦର, ହୋସିଆରପୁର, ଗଙ୍ଗାନଗର ଜିଲ୍ଲା (ଯାହା ରାଜସ୍ଥାନର ଅନ୍ତର୍ଗତ ଥିଲା)ର ଶିଖ ଅଧ୍ୟୁଷିତ ଅଞ୍ଚଳକୁ ପଞ୍ଜାବ ପ୍ରଦେଶ ସହ ସାମିଲ କରାଇ ଦେଇଥିଲେ। କିନ୍ତୁ ତା’ ପରେ କ୍ଷମତାର ବାହାରେ ପାଖାପାଖି ତିନି ବର୍ଷ ରହି ଫେରିବା ପରେ ଶିଖଙ୍କ ଆନ୍ଦୋଳନ ତାଙ୍କୁ ଦୁଃଖ ଦେଇଥିଲା ଯେତିକି, ଜଞ୍ଜାଳ ମଧ୍ୟ ଦେଇଥିଲା ତତୋଧିକ। ସ˚ଘର୍ଷ ଭିତରେ ଜୀବନ କଟିବା ହୁଏ’ତ ଥିଲା ତାଙ୍କର ନିୟତି।

୧୯୮୧ ମସିହାରେ ସେ ଅକାଳୀ ଦଳର ନେତୃତ୍ବଙ୍କ ସହିତ ସାକ୍ଷାତ୍‌ କରି ସେମାନଙ୍କ ସମସ୍ୟା ବାବଦରେ ଅବଗତ ହେବାକୁ ଚାହିଁଥିଲେ। କିନ୍ତୁ ସେତିକି ବେଳେ ଆନ୍ଦୋଳନକାରୀମାନଙ୍କ ପକ୍ଷରୁ ତାଙ୍କୁ ପନ୍ଦର ଦଫା ସମ୍ବଳିତ ଦାବି ପତ୍ରଟିଏ ଧରାଇ ଦିଆଯାଇଥିଲା। ଦାବି ପତ୍ରର ଭାଷା ଓ ଶୈଳୀରେ ଥିଲା ଉଭୟ ବିନୟ ଓ ଆହ୍ବାନ ବା ଚ୍ୟାଲେଂଜ୍‌।

ବିଚକ୍ଷଣ ଇନ୍ଦିରା ଗାନ୍ଧୀ ବୁଝି ସାରିଥିଲେ ଯେ ସେହି ବିନୟ ଭାବ ଛଳନାପୂର୍ଣ୍ଣ; କେବଳ ଔପଚାରିକ ମାତ୍ର। ବରଂ ଆହ୍ବାନର ସ୍ବର ଅଧିକ ଶାଣିତ। ପ୍ରଥମ ଦାବି ଥିଲା ସନ୍ଥ ଜର୍ନେଲ ସି˚ହ ଭୀନ୍‌ନ୍ଦ୍ରେନଵାଲାଙ୍କର ନିଃସର୍ତ୍ତ ଖଲାସ। ପୂର୍ବ ସରକାରଙ୍କ ଅମଳରେ ତାଙ୍କ ବିପକ୍ଷରେ ରହିଥିବା ଦିଲ୍ଲୀ ରାଲି, ମେହେଟା ଓ ଚାନ୍ଦୋକଲାନ ରାଲି କାଳୀନ ସମସ୍ତ ବେଆଇନ କାର୍ଯ୍ୟର ଅଭିଯୋଗରୁ ତାଙ୍କୁ ମୁକ୍ତ କରି ଦେବା। ଦ୍ବିତୀୟରେ ଥିଲା ଦିଲ୍ଲୀ ଗୁରୁଦ୍ବାର ଉପରୁ ସରକାରୀ ନଜର ଓ ନିୟନ୍ତ୍ରଣ ହଟାଇବା। ତୃତୀୟରେ ଶିରୋମଣି ଗୁରୁଦ୍ବାର ପ୍ରବନ୍ଧକ କମିଟିର ସ୍ବୀକୃତିପ୍ରାପ୍ତ ତୀର୍ଥ ଯାତ୍ରୀମାନଙ୍କୁ ପାକିସ୍ତାନକୁ ତୀର୍ଥଯାତ୍ରା କରିବା ପାଇଁ ନିରଙ୍କୁଶ ସୁଯୋଗ ପ୍ରଦାନ କରିବା (ସେଥିପାଇଁ ସରକାରୀ ଅନୁମତିକୁ ଅଲୋ‌ଡ଼ା କରି ପକାଇବ‌ା), ଚତୁର୍ଥ ଦାବି ଥିଲା ଶିଖମାନେ ସେମାନଙ୍କର ସନ୍ତକ କୃପାଣ ସଙ୍ଗରେ ଧରି ଘରୋଇ ଏବ˚ ଆନ୍ତର୍ଜାତିକ ବିମାନରେ ଯାତ୍ରା କରି ପାରିବା। ପଞ୍ଚମ ଦାବିରେ ରହିଥିଲା ଏକ ସର୍ବଭାରତୀୟ ଗୁରୁଦ୍ବାର ଆଇନ ପ୍ରଣୀତ ହେବା। ଷଷ୍ଠରେ ଥିଲା, ‘ହରଦ୍ବାର’, ‘କୁରୁକ୍ଷେତ୍ର’ ଏବ˚ ‘କାଶୀ’ ପରି ‘ଅମୃତସର’କୁ ମଧ୍ୟ ସମାନ ମାନ୍ୟତା ପ୍ରଦାନ କରାଯିବା।

ରାଜନୈତିକ ଦାବି ମଧ୍ୟରେ ଥିଲା ପଞ୍ଜାବ ପାଇଁ କେନ୍ଦ୍ର ସରକାରଙ୍କ ଅଧିକାର ତାଲିକାରେ ରହିବ କେବଳ ବିଦେଶ ନୀତି, ଦେଶ ରକ୍ଷା, ମୁଦ୍ରା ଏବ˚ ପରିବହନ। ପଞ୍ଜାବୀ ଭାଷା ବୋଲୁଥିବା ଚଣ୍ତୀଗଡ଼ ପଞ୍ଜାବ ସହିତ ସାମିଲ ହେବ (ପୂର୍ବରୁ ଚଣ୍ଡୀଗଡ଼ ହରିଆଣାର ମଧ୍ୟ ରାଜଧାନୀ ଥିଲା)। ହରିଆଣା, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବ˚ ରାଜସ୍ଥାନରେ ପଞ୍ଜାବୀ ଭାଷାକୁୁ ଦ୍ବିତୀୟ ଭାଷାର ମାନ୍ୟତା ଦିଆଯିବ। ଉତ୍ତରପ୍ରଦେଶର ତରାଇ ଅଞ୍ଚଳରୁ ପଞ୍ଜାବୀ ଚାଷୀମାନଙ୍କୁ କୌଣସି ପରିସ୍ଥିତିରେ ନିକାଲି ଦିଆଯାଇ ପାରିବ ନାହିଁ।
କିନ୍ତୁ ସତ କହିଲେ ଶିଖ ସ˚ଗଠନର ଏ ସମସ୍ତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଇଁ ଥିଲା ଅଗ୍ରହଣୀୟ। ପ୍ରସ୍ତାବଗୁଡ଼ିକ ଭିତରୁ ଜିଦି ଓ ଧମକର ବାସନା ମିଳୁଥିଲା। ଅଧିକନ୍ତୁ, ଶିଖ ସ˚ଗଠନର ଦାବି ଅନୁସାରେ ଏକ ନୂଆ ବ୍ୟାଙ୍କ୍‌ ଗଠନ କଥା କୁହାଯାଇଥିଲା, ଯାହାର ନାମ ରହିବ ‘ପଞ୍ଜାବ ଓ ସିନ୍ଧ’ ବ୍ୟାଙ୍କ୍‌। ସେ ବ୍ୟାଙ୍କ୍‌ ଶିଖମାନଙ୍କର ପରିଚାଳନାରେ ରହିବ। ଶିଖମାନେ ସ୍ବତନ୍ତ୍ର ରାଷ୍ଟ୍ରଟିଏ ବିଷୟରେ ଚିନ୍ତା କରିଥିବାର ଏକ ପ୍ରଚ୍ଛନ୍ନ ମତଲବକୁ ଶ୍ରୀମତୀ ଗାନ୍ଧୀ ବୁଝି ପାରିଥିଲେ। ଏହା ସତ୍ତ୍ବେ ଇନ୍ଦିରା ଗାନ୍ଧୀ ଅକାଳୀ ଦଳର ପ୍ରତିନିଧିମାନଙ୍କ ସହିତ ୧୯୮୧ ମସିହାର ଅକ୍‌ଟୋବର ୧୬ ତାରିଖ ଏବ˚ ନଭେମ୍ବର ୨୬ ତାରିଖ ଦିନ ଓ ୧୯୮୨ ମସିହା ଏପ୍ରିଲ ୫ ତାରିଖ ଦିନ, ଏ ସମସ୍ତ ପ୍ରସଙ୍ଗରେ ବିଶଦ ଭାବେ ଆଲୋଚନା କରିଥିଲେ। ଘରୋଇ ଭାବେ ୧୯୮୨ ମସିହାର ନଭେମ୍ବର ୧୬ ତାରିଖ ଏବ˚ ୧୭ ତାରିଖ, ୧୯୮୩ ମସିହା ଜାନୁଆରି ୧୭ ତାରିଖ ଓ ୨୪ ତାରିଖ ଏବ˚ ୧୯୮୪ ମସିହା ମଇ ମାସ ୨୬ ତାରିଖ ଦିନ ଅତିଥି ନିବାସମାନଙ୍କରେ ପ୍ରତିଟି ବାକ୍ୟ ଓ ଶବ୍ଦ ଉପରେ ଅର୍ଥପୂର୍ଣ୍ଣ ଓ ଗମ୍ଭୀର ଆଲୋଚନା କରିଥିଲେ।
ଏହି ସମୟରେ ତାଙ୍କର ଗୋଇନ୍ଦା ବିଭାଗର ଅଫିସରମାନେ ଯେଉଁ ଖବର ତାଙ୍କ ପାଖରେ ପହଞ୍ଚାଇଥିଲେ, ତାହା ଥିଲା ଭୟଙ୍କର ଓ ବିପଦଜନକ। ସେହି ତଥ୍ୟ ଅନୁସାରେ, ଅମୃତସର ସ୍ବର୍ଣ୍ଣ ମନ୍ଦିରର ଅଭ୍ୟନ୍ତରରେ ଶିଖମାନେ ବିପଜ୍ଜନକ ଆଗ୍ନେୟାସ୍ତ୍ରମାନ ମହଜୁଦ କରିବାରେ ଲାଗିଥିଲେ ଏବଂ ଯେଉଁ କାର୍ଯ୍ୟ ସେହି ସମୟ ବେଳକୁ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିଲା। ସେତିକି ବେଳକୁ ସ୍ବର୍ଣ୍ଣ ମନ୍ଦିରର ଅଭ୍ୟନ୍ତରରୁ ନୂତନ ରାଷ୍ଟ୍ର ଖଲିସ୍ତାନର ବିଧିବଦ୍ଧ ଘୋଷଣାକୁ ଆଉ ମାତ୍ର ୩ ଦିନ ବାକି ଥାଏ।

ପ୍ରକାଶ ଥାଉ କି ଖଲିସ୍ତାନକୁ ପ୍ରଥମ ସ୍ବୀକୃତି ଦେବା ପାଇଁ ପାକିସ୍ତାନ ପୂର୍ବରୁ ଜବାବ ଦେଇ ସାରିଥିଲା। କ’ଣ କ’ଣ ସବୁ ଅସ୍ତ୍ରଶସ୍ତ୍ର ସ୍ବର୍ଣ୍ଣ ମନ୍ଦିର ମଧ୍ୟରେ ଜମା କରାଯାଇଥିଲା, ତା’ର ଏକ ତାଲିକା ୧୯୮୫ ମସିହାରେ ଶ୍ରୀମତୀ ଗାନ୍ଧୀଙ୍କ ମୃତ୍ୟୁ ପରେ ତଦାନୀନ୍ତନ ଭାରତ ସରକାର ଦ୍ବାରା ଏକ ଶ୍ବେତପତ୍ରରେ ପ୍ରକାଶିତ ହୋଇଥିଲା। ତାହା ଅନୁସାରେ ସ୍ବର୍ଣ୍ଣ ମନ୍ଦିର ପରିସରରେ କାର୍ଯ୍ୟ କରୁଥିଲା ଏକ ଗ୍ରେନେଡ୍‌ ତିଆରି କାରଖାନା। ମାରଣାସ୍ତ୍ରରେ ଭରା ଏକ ଅତିକାୟ ଗୋଦାମ ଘର ମଧ୍ୟ ରହିଥିଲା। ଗୋଟିଏ ଛୋଟ କାରଖାନା ଚାଲୁ ଅବସ୍ଥାରେ ଥିଲା, ଯେଉଁଠାରେ ଷ୍ଟେନ୍‌ଗନ୍‌ ତିଆରି ହେଉଥିଲା। ସେମାନଙ୍କ ପାଖରେ ମହଜୁଦ ଥିଲା ୫୭,୩୦୩ଟି ବନ୍ଧୁକ, ୩୭୭ଟି ସେଲ୍‌ଫ ଲୋଡିଙ୍ଗ ରାଇଫଲ୍‌, ୮୩ଟି ୧୭.୬୬ ଏମ୍‌ଏମ୍‌ ରାଇଫଲ୍‌, ୧୨ ବୋର୍‌ ବନ୍ଧୁକର ସ˚ଖ୍ୟା ଥିଲା ୮୮। ୧୨ ବୋର୍‌ ପିସ୍ତଲ ସ˚ଖ୍ୟା ଥିଲା ୬୧, ଚାଇନା ତିଆରି ୭.୬୨ ଏମ୍‌ଏମ୍‌ ରାଇଫଲ୍‌ ସ˚ଖ୍ୟା ଥିଲା ୫୨। ସେମିତି ଆସରଟେଡ୍‌ ରାଇଫଲ୍‌ ସ˚ଖ୍ୟା ଥିଲା ୭୧। ଆର୍‌.ପି.ଜି. ଆଣ୍ଟି ଟ୍ୟାଙ୍କ୍‌ କମାଣ ସ˚ଖ୍ୟା ଥିଲା ୨। ଏ ସବୁ ସହିତ ଥିଲା ୧୨୮ଟି ମାଇନ୍‌ସ। ଏହା ସହିତ ଅଭ୍ୟନ୍ତରରେ ବିଛାଇ ଦିଆଯାଇଥିଲା ସକ୍ରିୟ ବିଦ୍ୟୁତ୍‌ ତାର, ଅର୍ଥାତ୍ ଖାଲି ପାଦରେ ପ୍ରବେଶ କଲେ ମୃତ୍ୟୁ ଥିଲା ନିଶ୍ଚିତ। ସେନାଙ୍କ ସହାୟତା ବିନା, ପୁଲିସ ପ୍ରୟୋଗରେ, ପରିସ୍ଥିତିକୁ ମୁକାବିଲା କରିବା ଥିଲା ସୁଦୂର ପରାହତ। ଶୁଣିବାକୁ ମିଳିଥିଲା ଯେ ପରିସ୍ଥିତିରୁ ମୁକୁଳିବା ପାଇଁ ସେନାକୁ ବ୍ୟବହାର କରିବା ନେଇ ସରକାର ଆଦେଶ ଦେବା ପରିପ୍ରେକ୍ଷୀରେ ତତ୍କାଳୀନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସି˚ହ ଥତମତ ହୋଇଥିଲେ। ଶେଷରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦୁର୍ବାର ଚାପ ଆଗରେ ତାଙ୍କୁ ନଇଁବାକୁ ପଡ଼ିଥିଲା। ଦେଶର ସ˚ହତି ଓ ଐକ୍ୟ ରକ୍ଷା କରିବା ପ୍ରଶ୍ନ ପାଖରେ ସମ୍ଭବତଃ ଅନ୍ୟ ପନ୍ଥା ନ ଥିଲା।

ସେହି କାରଣରୁ ୧୯୮୪ ମସିହା ଅକ୍‌ଟୋବର ୩୧ ତାରିଖ ଦିନ ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଗାନ୍ଧୀ ନିଜର ଅଙ୍ଗରକ୍ଷୀ ବିୟନ୍ତ ସି˚ହ ଓ ସତଵନ୍ତ ସି˚ହଙ୍କ ଗୁଳିଚୋଟରେ ପ୍ରାଣ ହରାଇଲେ। ସେଦିନ ସକାଳେ ସେ ଏକ ସରକାରୀ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସରକାରୀ ଭବନ ସ˚ଲଗ୍ନ ପ୍ରାଙ୍ଗଣର ଏକ ମଞ୍ଚ ଉପରକୁ ଯାଉଥିବା ସମୟରେ ଏହି ଦୁଃଖଦ ଘଟନା ଘଟିଥିଲା। ‘ଅପରେସନ୍‌ ବ୍ଲୁ ଷ୍ଟାର୍‌’ ଭଳି ପଦକ୍ଷେପ ଥିଲା ଇନ୍ଦିରାଙ୍କ ପ୍ରଧାନମନ୍ତ୍ରିତ୍ବ ପାଇଁ ଏକ ଅତ୍ୟନ୍ତ ବିପଜ୍ଜନକ ଚ୍ୟାଲେଂଜ୍‌। କାରଣ ଶିଖମାନଙ୍କ ପବିତ୍ର ଧର୍ମ ଓ ଆସ୍ଥା ପୀଠ ଭିତରକୁ ସେନା ପ୍ରବେଶକୁ ଏକ ଧର୍ମଦ୍ରୋହ ଭାବେ ସେହି ସମୟରେ ଅନେକ ଦେଖିଥିଲେ, କିନ୍ତୁ ସମୟ ଓ ପରିସ୍ଥିତିର ଗାମ୍ଭୀର୍ଯ୍ୟ ଦୃଷ୍ଟିରୁ ଏହା ଏକ ଅନିବାର୍ଯ୍ୟତା ଥିଲା। କାରଣ ଆଉ କିଛି ଦିନ ମାନସିକ ଦୋଳନରେ ଝୁଲି ରହି ହେଳା କରିଥିଲେ, ସଂକଟ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥା’ନ୍ତା।

ସେତେବେଳକୁ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀମାନଙ୍କ ଆକ୍ରମଣରେ ପଞ୍ଜାବ ଲହୁଲୁହାଣ ହେବାକୁ ଲାଗିଥିଲା। ତେଣୁ ସ୍ବର୍ଣ୍ଣ ମନ୍ଦିରକୁ ଆଉ ଅଧିକ କାଳ ଲାଗି ଉଗ୍ରବାଦୀମାନଙ୍କ ଦ୍ବାରା ବ୍ୟବହୃତ ହେବାକୁ ଦେବା ଭାରତ ଲାଗି ଆତ୍ମଘାତୀ ହୁଅନ୍ତା। ଉଲ୍ଲେଖଯୋଗ୍ୟ ଯେ ଦୀର୍ଘ ପାଞ୍ଚ ବର୍ଷର ଗୋପନ ଉଦ୍ୟମରେ ବିଭେଦକାରୀ ଚକ୍ରାନ୍ତକାରୀମାନେ ଧାର୍ମିକ ଉପାସନାର ଏହି ପବିତ୍ର ପୀଠକୁ ମାରଣାସ୍ତ୍ରଭରା ଏକ ଦୁର୍ଭେଦ୍ୟ ଦୁର୍ଗରେ ପରିଣତ କରି ସାରିଥିଲେ। ଭାରତୀୟ ସେନାଙ୍କ ଦ୍ବାରା ‘ସ୍ବର୍ଣ୍ଣ ମନ୍ଦିର’କୁ ଉଗ୍ରବାଦୀମୁକ୍ତ କରିବା ପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିଥିଲା। ଶେଷରେ ଅପରେସନ ସଫଳ ହୋଇଥିଲା।

ଇନ୍ଦିରା ଗାନ୍ଧୀ ହୁଏ’ତ ଜାଣିଥିବେ ‌ଯେ ଏଭଳି ଏକ ନିଷ୍ପତ୍ତି ତାଙ୍କ ଜୀବନ ପ୍ରତି ବିପଦ ଆଣିବ। ଶୁଣାଯାଏ, ‘ଅପରେସନ ବ୍ଲୁ ଷ୍ଟାର୍‌’ ପରେ ତାଙ୍କ ପରାମର୍ଶଦାତାମାନେ ତାଙ୍କ ସୁରକ୍ଷାକାରୀଙ୍କ ମଧ୍ୟରୁ ଶିଖମାନଙ୍କୁ ହଟାଇ ଦେବା ଲାଗି ପରାମର୍ଶ ଦେଇଥି‌େଲ, ଯାହାକୁ ଇନ୍ଦିରା ଗାନ୍ଧୀ ଅଗ୍ରାହ୍ୟ କରିଥିଲେ। କାରଣ ‌ସେ ସେହି ସ୍ବାଭିମାନୀ ଜାତିର ସମ୍ମାନ ରକ୍ଷା ମଧ୍ୟ ଜାଣିଥିଲେ ଏବଂ ବୁଝିଥିଲେ ଯେ ଭାରତର ସେନାବାହିନୀକୁ ଯଦି କେଉଁ ଗୋଟିଏ ଜାତି ସର୍ବାଧିକ ପରିପୁଷ୍ଟ କରିଛି, ତାହା ହେଉଛି ଶିଖ ସଂପ୍ରଦାୟ। କେବଳ ତାଙ୍କର ଅଭିଯୋଗ ଥିଲା ବିଚ୍ଛିନ୍ନତାବାଦୀମାନଙ୍କ ଷଡ୍‌ଯନ୍ତ୍ରକୁ ନେଇ।

ସମୟ କାହା ପାଇଁ ଲିତାଏ ମଧ୍ୟ ଅପେକ୍ଷା ନ କରି ତା’ ବାଟରେ ଚାଲିଥାଏ। କିନ୍ତୁ ତା’ର ଚାଲିଯିବା ବାଟରେ ଯେଉଁ ପଦଚିହ୍ନ ଛାଡ଼ି ଯାଇଥାଏ, ତାହା ପୁରୁଷ ପୁରୁଷ ଧରି ଆମମାନଙ୍କୁ କୌଣସି ସଂକଟ ବେଳେ ନିଜ ବାଟ ନିର୍ଦ୍ଧାରଣ କରିବା ଲାଗି ଇଙ୍ଗିତ ପ୍ରଦାନ କରିଥାଏ। ଶିଖ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ, ଅପରେସନ ବ୍ଲୁ ଷ୍ଟାର୍‌ ଏବଂ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଆମ ଆଗରେ ଏକ ଦାରୁଣ ସଂକଟ ଓ ତା’ର ସମାଧାନ ଲାଗି ଏକ ବଳିଦାନର କାହାଣୀକୁ ଜୀବନ୍ତ କରିଥାଏ।

ମୋ-୯୭୭୭୨୦୫୬୮୪

ସମ୍ବନ୍ଧିତ ଖବର