ସାହିତ୍ୟ ଏକାଡେମୀ- ଅତୀତର ଅପେରା

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

ଏବେ ଆମ ସାହିତ୍ୟ ଏକାଡେମୀରେ ଯେଉଁ ଅପେରା ଚାଲିଛି- ତାହାର କିଛି କଥା ଏହି ସ୍ତମ୍ଭର ପୂର୍ବ ଅଧ୍ୟାୟ (୬ ଜାନୁଆରି)ରେ କୁହାଯାଇଛି। କିନ୍ତୁ ଏ ଅପେରା ଯେ ଆଜିର- ତାହା ନୁହେଁ। ଓଡ଼ିଶା ସାହିତ୍ୟ ଏକାଡେମୀର ଆରମ୍ଭ ଦିନରୁ ମଝିରେ ମଝିରେ ଏପରି ଅପେରା ଚାଲିଆସିଛି। ପୂର୍ବ ସଭାପତି, ସଂପାଦକମାନଙ୍କର ଆତ୍ମଜୀବନୀ ବା ସ୍ମୃତିଲେଖଗୁଡ଼ିକରେ ଏହାର ଅନେକ ଦୃଶ୍ୟ ଅଙ୍କିତ ହୋଇଛି।

ଡକ୍ଟର ହରେକୃଷ୍ଣ ମହତାବଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ, ଓଡ଼ିଶା ସାହିତ୍ୟ ଏକାଡେମୀ ସମେତ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଓଡ଼ିଶା ଲଳିତକଳା ଏକାଡେମୀ ଗଠିତ ହୋଇଥିଲା। ସେ ମଧ୍ୟ ଥିଲେ ତାହାର ତୃତୀୟ ସଭାପତି। ଆତ୍ମଜୀବନୀ ‘ଆରବ ସାଗରରୁ ଚିଲିକା’ରେ ସେ ଲେଖିଛନ୍ତି- “ସାଂସ୍କୃତିକ କାର୍ଯ୍ୟର ତିନୋଟି ଏକାଡେମୀ ପ୍ରତିଷ୍ଠିତ ହେଲା। … ତିନୋଟି ଏକାଡେମୀ, ଯଥା- ସାହିତ୍ୟ ଏକାଡେମୀ, ସଂଗୀତ ନାଟକ ଏକାଡେମୀ ଓ ଲଳିତକଳା ଏକାଡେମୀ।” ସେଥିରେ ସେ ଏହା ବି ଲେଖିଛନ୍ତି- ୧୯୫୭ରୁ ୧୯୬୦ ମଧ୍ୟରେ ଯେଉଁ କେତୋଟି ବିଷୟରେ ସଫଳତା ଲାଗି ସେ ଆତ୍ମସନ୍ତୋଷ ଲାଭ କରିଥିଲେ, ସେଥିମଧ୍ୟରୁ ଏହି ତିନି ଏକାଡେମୀର ପ୍ରତିଷ୍ଠା ଗୋଟିଏ। ସେତେବେଳେ ସେ ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ, ଶିକ୍ଷା ବିଭାଗକୁ ନିଜ ହାତରେ ରଖିଥିଲେ ଏବଂ ଏକାଡେମୀ କାର୍ଯ୍ୟତଃ ଥିଲା ଶିକ୍ଷା ବିଭାଗର ଅଧୀନସ୍ଥ।

ସେତେବେଳେ ଏହି ତିନି ଏକାଡେମୀ ତିନିଟି ହେଲେ ମଧ୍ୟ, ଥିଲା ଗୋଟିଏ। କାରଣ, ତାହାର ସଭାପତି ଓ ସଂପାଦକ ଅଲଗା ନଥିଲେ। କିନ୍ତୁ ଏ ତିନିଟି ମଧ୍ୟରୁ ସାହିତ୍ୟ ଥିଲା ମୁଖ୍ୟ; ତେଣୁ ମୁଖ୍ୟତଃ ସାହିତ୍ୟିକ ହିଁ ତାହାର ସଭାପତି ଓ ସଂପାଦକ ରୂପେ ନିଯୁକ୍ତ ହେଉଥିଲେ। ଏହି ତିନି ଏକାଡେମୀ ଜନ୍ମଲାଭ କରିଥିଲେ ଦିଲ୍ଲୀରେ ‘ସାହିତ୍ୟ ଅକାଦେମି’ର ପ୍ରତିଷ୍ଠା ପରେ। ରାଜ୍ୟର ଏହି ତିନି ଏକାଡେମୀ ପରସ୍ପରଠାରୁ ପୃଥକ୍ ଓ ସ୍ୱତନ୍ତ୍ର ହେବା ପୂର୍ବରୁ, ଏକାଡେମୀ ସମୂହର ସଂପାଦକ ଥିଲେ ବିଶିଷ୍ଟ ନାଟ୍ୟକାର ମନୋରଂଜନ ଦାସ। ଆତ୍ମଜୀବନୀ ‘ସ୍ମୃତି ସଂଳାପ’ରେ, ‘ସାହିତ୍ୟ ଅକାଦେମି’ର ଏକ ଇତିହାସ ପୁସ୍ତକ (Three Decades: A Short History of Sahitya Akademy, 1954-1984)ରେ ମୁଦ୍ରିତ ସାର୍ ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କର ଏକ ଉକ୍ତିକୁ ଉଦ୍ଧାର କରି ସେ କହିଛନ୍ତି, “ସାହିତ୍ୟରେ ସିଦ୍ଧିଲାଭ କରିଥିବା ବ୍ୟକ୍ତିମାନଙ୍କୁ ସ୍ୱୀକୃତି ଦେବା, ସଫଳତାର ସମ୍ଭାବନା ଥିବା ବ୍ୟକ୍ତିମାନଙ୍କୁ ଉତ୍ସାହ ପ୍ରଦାନ କରିବା, ସର୍ବସାଧାରଣଙ୍କ ରୁଚିର ଅଭିବୃଦ୍ଧି କରିବା ଏବଂ ସାହିତ୍ୟ ଓ ସାହିତ୍ୟ ସମାଲୋଚନାର ମାନ ଉନ୍ନତ କରିବା ହେଉଛି ଏକାଡେମୀର ଉଦ୍ଦେଶ୍ୟ।”

‘ସ୍ମୃତି ସଂଳାପ’ରେ ସେ ଏହା ମଧ୍ୟ କହିଛନ୍ତି- ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ସଭାପତିତ୍ୱରେ କେନ୍ଦ୍ର ସାହିତ୍ୟ ଅକାଦେମି ସ୍ଥାପିତ ହୋଇଥିଲା ୧୯୫୪ ମାର୍ଚ୍ଚ ମାସରେ। ତାହାର ଉଦ୍‌ଘାଟନୀ ଉତ୍ସବରେ ବିଶିଷ୍ଟ ଦାର୍ଶନିକ ଓ ରାଜନୀତିଜ୍ଞ, ସେତେବେଳର ଉପରାଷ୍ଟ୍ରପତି ଏସ୍‌. ରାଧାକୃଷ୍ଣନ୍ ଅକାଦେମିର ଲକ୍ଷ୍ୟ ବୁଝାଇ ଏହା କହିଥିଲେ। ଏହି ଲକ୍ଷ୍ୟ ରଖି କେନ୍ଦ୍ର ସରକାରଙ୍କ ଦ୍ୱାରା ଅକାଦେମିଗୁଡ଼ିକ ଗଠିତ ହେବା ପରେ, ତା’ରି ଅନୁକରଣରେ ଓଡ଼ିଶାରେ ଓ ଅନ୍ୟାନ୍ୟ ରାଜ୍ୟରେ ରାଜ୍ୟ ଏକାଡେମୀମାନ ସ୍ଥାପିତ ହୋଇଥିଲା। ଭାଷା ଭିତ୍ତିରେ ଗଠିତ ପ୍ରଥମ ଓ ପ୍ରମୁଖ ରାଜ୍ୟ ଭାବରେ, ଓଡ଼ିଶା ବିଧାନସଭାରେ ଏଥିପାଇଁ ଏକ ସଂକଳ୍ପ ଗୃହୀତ ହୋଇ ୨୫ ଜୁଲାଇ ୧୯୫୭ରେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗରୁ ପ୍ରକାଶ ପାଇଥିଲା ଏକ ବିଜ୍ଞପ୍ତି (ନଂ-୮୨୭୫/ଇ)। ଫଳରେ ସେହିଦିନ ହିଁ ଜନ୍ମ ନେଇଥିଲା ଓଡ଼ିଶା ସାହିତ୍ୟ ଏକାଡେମୀ।

ସେହି ଅନୁସାରେ, ଓଡ଼ିଶା ସାହିତ୍ୟ ଏକାଡେମୀର ଜନ୍ମ, ତିଥି, ବାର ଓ ଲଗ୍ନ ଇତ୍ୟାଦି ହେଉଛି- ଶ୍ରାବଣ କୃଷ୍ଣ ତ୍ରୟୋଦଶୀ, ଗୁରୁବାର; ରାଶି ମିଥୁନ ଓ ନକ୍ଷତ୍ର ଆର୍ଦ୍ରା; ଲଗ୍ନ ତୃତୀୟ ପାଦ ଧନୁ। କିନ୍ତୁ ଜନ୍ମ ତାରିଖ ସମାନ ଥିଲେ ମଧ୍ୟ, ଏହି ଏକାଡେମୀର ଆଉ ଏକ ଜନ୍ମବର୍ଷ ଅଛି। ସେହି ବର୍ଷଟି ହେଉଛି ୧୯୭୦। କାରଣ, ଜନ୍ମଲାଭର ଦୀର୍ଘ ୧୩ ବର୍ଷ ପରେ, ୧୮୬୦, ସୋସାଇଟି ଆକ୍ଟର ଧାରା ୨୧ ଅନୁସାରେ, ଏହା ୨୫ ଜୁଲାଇ ୧୯୭୦ରେ ହିଁ ପଞ୍ଜିକୃତ ହୋଇଥିଲା। ପଞ୍ଜୀକରଣ ସଂଖ୍ୟା- ୫୫୮୪/୮୪, ୧୯୭୦-୭୧।

କିନ୍ତୁ ୧୯୫୭ରେ ଯେପରି ଭାବରେ ଓଡ଼ିଶା ସରକାରଙ୍କ ମହତାବ ମନ୍ତ୍ରିମଣ୍ଡଳ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରତିଷ୍ଠା କରିଥିଲେ, ସେଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ବିଶିଷ୍ଟ କବି ଓ ଶିକ୍ଷାବିତ୍ ଡକ୍ଟର ମାୟାଧର ମାନସିଂହ। କାରଣ, ଏହି ଏକାଡେମୀର ପ୍ରତିଷ୍ଠା ପୂର୍ବରୁ, ବହୁ ଯତ୍ନ ଓ ବହୁ ଆଶା ନେଇ, ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାହାର ଏକ ଯୋଜନା ପ୍ରସ୍ତୁତ କରିଥିଲେ ସେ। ଏ ସଂପର୍କରେ ଆତ୍ମଜୀବନୀ ‘ଶିକ୍ଷାବିତ୍‌ର ଗାଥା’ରେ ସେ ଲେଖିଛନ୍ତି, “ବିଶ୍ୱବିଦ୍ୟାଳୟ ଏତେ ଯତ୍ନ ଓ ଏତେ ଆଶାରେ ଯୋଜନା ତିଆରି କରି ଓ ସିନେଟ୍‌ରେ ସର୍ବସମ୍ମତିରେ ପାସ୍ କରାଇ, ସର୍କାରଠୁଁ ସ୍ୱୀକୃତି ପାଇବ ବୋଲି ଜଳ ଜଳ କରି ଅନେଇଛି; କିନ୍ତୁ ନୂତନ ମନ୍ତ୍ରିମଣ୍ଡଳ… ନିଜ ବୃଦ୍ଧାଙ୍ଗୁଷ୍ଠି ତଳେ ରହିବା ଭଳି ସାହିତ୍ୟ ଆକାଡେମୀଟିଏ ଠିଆ କରିଦେଲେ।… କୌଣସି ରାଜ୍ୟର ସାହିତ୍ୟ ଆକାଡେମୀ ବା ଆକାଡେମୀ ନାମଧାରୀ କୌଣସି ହେଲେ ଅନୁଷ୍ଠାନ, ଏକ ସର୍କାରୀ ଡିପାର୍ଟମେଣ୍ଟ ନୁହେଁ। ଏହା ଆକାଡେମୀ ଶବ୍ଦର ହିଁ ଅପମାନ।”

୧୯୭୦ରେ ଏକ ସମିତି ରୂପେ ପଞ୍ଜୀକରଣ ହେବାବେଳେ ମଧ୍ୟ, ସାହିତ୍ୟ ଏକାଡେମୀକୁ ସରକାରଙ୍କ ବୃଦ୍ଧାଙ୍ଗୁଷ୍ଠି ତଳେ ରଖିବାର ସେହି ପ୍ରକ୍ରିୟାଟିକୁ ଆହୁରି ଦୃଢ଼ କରିଦିଆଯାଇଥିଲା। ଏ ସଂପର୍କରେ ‘ସ୍ମୃତି ସଂଳାପ’ରେ ଏକାଡେମୀ ସମୂହର ପ୍ରାକ୍ତନ ସଂପାଦକ ମନୋରଂଜନ ଦାସ ସ୍ପଷ୍ଟ ଭାବରେ ଲେଖିଛନ୍ତି- “ଓଡ଼ିଶା ସାହିତ୍ୟ ଏକାଡେମୀକୁ ଜୁଲାଇ ୨୫ ତାରିଖରେ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମୀକୁ ୧୯୭୧ ଜୁନ୍ ୧୨ ତାରିଖରେ ରେଜିଷ୍ଟ୍ରି କରାଯାଇଥିଲା। କେନ୍ଦ୍ର ସାହିତ୍ୟ ଏକାଡେମୀର ସମ୍ବିଧାନ ଅବଲମ୍ବନରେ ଓଡ଼ିଶା ଏକାଡେମୀଗୁଡ଼ିକର ସମ୍ବିଧାନ ପ୍ରସ୍ତୁତ ହୋଇଥିଲେ ମଧ୍ୟ, କେନ୍ଦ୍ର ଓ ରାଜ୍ୟ ଏକାଡେମୀର ସମ୍ବିଧାନ ମଧ୍ୟରେ ରହିଥିଲା ଗୁରୁତ୍ୱପୂର୍ଣ୍ଣ ତାରତମ୍ୟ। କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ସେହି ଏକାଡେମୀର ସାଧାରଣ ପରିଷଦ ଦ୍ୱାରା ନିର୍ବାଚିତ ହେବାର ବ୍ୟବସ୍ଥା ଥିଲେ ମଧ୍ୟ, ‘ଓଡ଼ିଶା ଏକାଡେମୀ’ଗୁଡ଼ିକର ସଭାପତିମାନେ କିନ୍ତୁ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଉଥିଲେ। କେନ୍ଦ୍ର ଏକାଡେମୀଗୁଡ଼ିକ ସେମାନଙ୍କର ସଂପାଦକମାନଙ୍କୁ ସ୍ୱାଧୀନ ଭାବେ ନିଯୁକ୍ତି ଦେଉଥିଲେ; ଏଠି ନିଯୁକ୍ତି ଦିଆଯାଉଥିଲା ସରକାରଙ୍କ ଦ୍ୱାରା। ଏହା ବ୍ୟତୀତ, ଏକାଡେମୀଗୁଡ଼ିକର ସମ୍ବିଧାନରେ ଏପରି କିଛି ଧାରାମାନ ଖଞ୍ଜି ଦିଆଯାଇଥିଲା, ଯାହା ଫଳରେ ଏକାଡେମୀଗୁଡ଼ିକୁ ସରକାରଙ୍କର ଏକ ତଳିଆ ଅଫିସ୍ ରୂପେ ଚଳିବାକୁ ପଡ଼ୁଥିଲା।”

କେବଳ ଏତିକି ନୁହେଁ- ସରକାରଙ୍କର ଏହି କର୍ତ୍ତୃତ୍ୱ କାଳକ୍ରମେ ଏପରି ଏକ ପରମ୍ପରା ସୃଷ୍ଟି କରିଥିଲା ଯେ ତାହା ଫଳରେ, ରାଜ୍ୟ ସରକାରଙ୍କର ସାଂସ୍କୃତିକ ବ୍ୟାପାର ବିଭାଗର ମନ୍ତ୍ରୀ, ସାହିତ୍ୟ ଏକାଡେମୀର ସଭାପତି ହେଉଥିଲେ। ଉଦାହରଣସ୍ୱରୂପ, ଏକାଡେମୀର ପ୍ରତିଷ୍ଠା ପରେ, ଓଡ଼ିଆ ସାହିତ୍ୟରେ କବିମନୀଷୀ ଭାବେ ଖ୍ୟାତ ପଣ୍ଡିତ ନୀଳକଂଠ ଦାସ ପ୍ରଥମ ସଭାପତି, ତାଙ୍କ ପରେ ପ୍ରଖ୍ୟାତ ସାରସ୍ୱତ ସାଧକ ଲକ୍ଷ୍ମୀନାରାୟଣ ସାହୁ ଏବଂ ତାଙ୍କ ପରେ ତୃତୀୟ ସଭାପତି ଭାବେ ଡକ୍ଟର ହରେକୃଷ୍ଣ ମହତାବ ସଭାପତି ପଦ ଅଳଙ୍କୃତ କରିଥିବା ବେଳେ, ପରବର୍ତ୍ତୀ କାଳରେ ରାଜ୍ୟ ସରକାରଙ୍କ ଶିକ୍ଷା ଓ ସାଂସ୍କୃତିକ ବ୍ୟାପାର ବିଭାଗର ମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀମାନେ ସଭାପତି ପଦ ମଣ୍ଡନ କରିବାର ଧାରା ପ୍ରଚଳିତ ହୋଇଥିଲା। ସେହିକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୋଇଥିଲେ- ଶରତକୁମାର କର, ନନ୍ଦିନୀ ଶତପଥୀ, ଯଦୁନାଥ ଦାସମହାପାତ୍ର, ଗଙ୍ଗାଧର ମହାପାତ୍ର, ସେକ୍ ମତଲୁବ୍ ଅଲ୍ଲି ଓ ବିଶ୍ୱଭୂଷଣ ହରିଚନ୍ଦନ। ମଝିରେ କେବଳ, ନନ୍ଦିନୀ ଶତପଥୀ (୧.୦୭.୧୯୭୨-୨୧.୩.୧୯୭୩)ଙ୍କ ପରେ ଏବଂ ଯଦୁନାଥ ଦାସମହାପାତ୍ର (୧୦.୪.୧୯୭୪-୧୯.୧୦.୧୯୭୫)ଙ୍କ ପୂର୍ବରୁ, ବର୍ଷାଧିକ କାଳ (୨୨.୩.୧୯୭୩-୯.୪.୧୯୭୪) ସଭାପତି ପଦରେ ବସିଥିଲେ ଜଣେ ପ୍ରାଶାସନିକ ଅଧିକାରୀ, ଅତିରିକ୍ତ ମୁଖ୍ୟ ଶାସନସଚିବ ହେରମ୍ବ ନାରାୟଣ ଦାସ ମହାପାତ୍ର। କାରଣ, ସେତେବେଳେ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। ଏ ପ୍ରସଙ୍ଗରେ, ୨୬ ଜୁନ୍ ୧୯୭୭ ଠାରୁ ୧୮ ଜୁଲାଇ ୧୯୭୬ ପର୍ଯ୍ୟନ୍ତ ସଭାପତି ଥିବା ବିଶ୍ୱଭୂଷଣ ହରିଚନ୍ଦନ, ଆତ୍ମଜୀବନୀ ‘ସଂଗ୍ରାମ ସରିନାହିଁ’ରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ଲେଖିଛନ୍ତି। ସେ କହିଛନ୍ତି, “ସାଂସ୍କୃତିକ ବ୍ୟାପାର ବିଭାଗର ମନ୍ତ୍ରୀ ସାହିତ୍ୟ ଏକାଡେମୀର ସଭାପତି ରହୁଥିବାରୁ, ମୁଁ ୧୯୭୭ରେ ଜନତାପାର୍ଟି ସରକାରର ଏ ବିଭାଗର ମନ୍ତ୍ରୀ ଭାବେ ଏହାର ସଭାପତି ହେଲି। ମନ୍ତ୍ରୀ ଯେହେତୁ ସେ ବିଭାଗର ମୁଖ୍ୟ, ସାହିତ୍ୟ ଏକାଡେମୀର ସଭାପତି ନହେଲେ ସୁଦ୍ଧା, ତା’ର ଉନ୍ନତି ଓ ବିକାଶ ପାଇଁ ସେ ତ ସବୁ କାମ କରିପାରିବେ। ତା’ଛଡ଼ା ସାହିତ୍ୟ ଏକାଡେମୀର ସଭାପତି ଜଣେ ପ୍ରତିଷ୍ଠିତ ସାହିତ୍ୟିକ ହେଲେ, ସାହିତ୍ୟର ବିକାଶ ପାଇଁ ସେ ତାଙ୍କ ଜ୍ଞାନର ଉପଯୋଗ କରିପାରିବେ ଏବଂ ଏଥିପାଇଁ ପୂରା ସମୟ ଦେଇପାରିବେ। ତେଣୁ ସାହିତ୍ୟ ଏକାଡେମୀର ସଭାପତି ଜଣେ ସାହିତ୍ୟିକ ହେବାର ନିଷ୍ପତ୍ତି ମୁଁ ନେଇଥିଲି।”

କେବଳ ଏତିକି ନୁହେଁ; ସାହିତ୍ୟ ଏକାଡେମୀର ପୁନର୍ଗଠନ କରି ତାହାକୁ କାର୍ଯ୍ୟତଃ ତିନିଟି ଏକାଡେମୀରେ ପରିଣତ କରିବାର ଶ୍ରେୟ ମଧ୍ୟ ବିଶ୍ୱଭୂଷଣ ହରିଚନ୍ଦନଙ୍କର। ପ୍ରତି ଏକାଡେମୀର ସଭାପତି, ସେହି କ୍ଷେତ୍ରର ଜଣେ ଅତି ସମ୍ମାନିତ ଓ ଜ୍ଞାନଦୀପ୍ତ ବ୍ୟକ୍ତି ହୁଅନ୍ତୁ, ଏହା ଥିଲା ତାଙ୍କର ଉଦ୍ଦେଶ୍ୟ। ତାହା ଫଳରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦ ବିଭାଗୀୟ ମନ୍ତ୍ରୀ ବା ରାଜ୍ୟ ଶାସନର ପଦାଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ କବଳରୁ ପୁଣି ଫେରି ଆସିଥିଲା ସାହିତ୍ୟିକଙ୍କ ହାତକୁ। ସଭାପତି ପଦରେ ଅଧିଷ୍ଠିତ ହୋଇଥିଲେ, ଓଡ଼ିଆ ସାହିତ୍ୟର ବିଶିଷ୍ଟ ଓ ବରିଷ୍ଠ କବି ସଚ୍ଚିଦାନନ୍ଦ ରାଉତରାୟ।

ଏ ସଂପର୍କରେ ଶ୍ରୀ ହରିଚନ୍ଦନ ‘ସଂଗ୍ରାମ ସରିନାହିଁ’ରେ ଲେଖିଛନ୍ତି- “ଲବ୍‌ଧପ୍ରତିଷ୍ଠ କବି ଓ ସାହିତ୍ୟିକ ସଚ୍ଚି ରାଉତରାୟଙ୍କୁ ସାହିତ୍ୟ ଏକାଡେମୀର ସଭାପତି କରିବାକୁ ଗଲାବେଳେ ଖୁବ୍ ବିରୋଧ ହେଲା। … ନିଜେ ସଚ୍ଚି ରାଉତରାୟ କହିଥିଲେ, ଗୋଟିଏ ଟାଣୁଆ ଲବି ତାଙ୍କୁ ବିରୋଧ କରୁଛି; ସେମାନେ ତାଙ୍କୁ କେବେ ବି ସଭାପତି କରାଇଦେବେ ନାହିଁ। ଏସବୁ ଦେଖି ମୋର ଜିଦ୍ ଆହୁରି ବଢ଼ିଗଲା ଏବଂ ମୋର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ମୁଁ ଦୃଢ଼ସଂକଳ୍ପ ହୋଇଗଲି। ମୁଖ୍ୟମନ୍ତ୍ରୀଙ୍କୁ ଫାଇଲ୍ ପଠାଇଦେଇ, ତାଙ୍କ ପାଖରେ ବସି ମୋର ଏ ପ୍ରସ୍ତାବକୁ ଅନୁମୋଦନ କରିବାକୁ କହିଲି। ନୀଳମଣିବାବୁ କହିଲେ- ସଚ୍ଚିବାବୁ ବଡ଼ ସାହିତ୍ୟିକ; ହେଲେ ତାଙ୍କୁ ଖୁବ୍ ବିରୋଧ ହେଉଛି। ଏ ସଂସ୍ଥାକୁ ଚଳାଇପାରିବେ ନାହିଁ ବୋଲି ସବୁ କହୁଛନ୍ତି। ଓଡ଼ିଶାର ଜଣେ ପ୍ରଖ୍ୟାତ ଓ ସମ୍ମାନିତ କବି ଓ ସାହିତ୍ୟିକଙ୍କୁ ସଭାପତି କରିବାକୁ ମୁଁ ପ୍ରସ୍ତାବ ଦେଇଛି; ସେ ହିଁ ସାହିତ୍ୟ ଏକାଡେମୀର ସଭାପତି ହେବାପାଇଁ ମୁଁ ଜିଦ୍ ଧରିବାରୁ, ମୁଖ୍ୟମନ୍ତ୍ରୀ ଫାଇଲ୍‌ରେ ତାହାକୁ ଅନୁମୋଦନ କରି ମୋ ବିଭାଗକୁ ପଠାଇଦେଲେ।”

ସେଦିନ କେବଳ ସଚ୍ଚି ରାଉତରାୟ ସାହିତ୍ୟ ଏକାଡେମୀର ସଭାପତି ହୋଇନଥିଲେ; ପୁନର୍ଗଠିତ ଅନ୍ୟ ଦୁଇ ଏକାଡେମୀ ମଧ୍ୟରୁ, ଜଷ୍ଟିସ୍ ହରିହର ମହାପାତ୍ର ସଂଗୀତ ନାଟକ ଏକାଡେମୀର ଏବଂ ବିପିନ ବିହାରୀ ଚୌଧୁରୀ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ବି ହୋଇଥିଲେ।
ସଚ୍ଚି ରାଉତରାୟ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୋଇଥିଲେ ୧୯ ଜୁଲାଇ ୧୯୭୮ରେ ଏବଂ ସେ ସେହି ପଦରେ ରହିଥିଲେ ୨୫ ଅଗଷ୍ଟ ୧୯୮୧ ପର୍ଯ୍ୟନ୍ତ। ପରେ ଯଥାକ୍ରମେ ଆଉ ଚାରିଜଣ ବିଶିଷ୍ଟ ସାହିତ୍ୟିକ- ସୁରେନ୍ଦ୍ର ମହାନ୍ତି, ମହାପାତ୍ର ନୀଳମଣି ସାହୁ, ମନୋରମା ମହାପାତ୍ର ଓ କିଶୋରୀ ଚରଣ ଦାସ ମଧ୍ୟ ସାହିତ୍ୟ ଏକାଡେମୀର ସଭାପତି ଆସନ ଅଳଙ୍କୃତ କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ପଦରେ ଥାଇ ସାହିତ୍ୟ ଏକାଡେମୀର ସଭାପତି ପଦ ଅଧିକାର କରିବାର ଧାରା ପୁଣି ଆରମ୍ଭ ହେଲା ଜାନକୀବଲ୍ଲଭ ପଟ୍ଟନାୟକଙ୍କଠାରୁ। ସେ ସେହି ପଦରେ ଅଧିଷ୍ଠିତ ଥିଲେ ୧ ଜାନୁଆରି ୧୯୯୮ ଠାରୁ ୧୨ ମେ ୧୯୯୯ ପର୍ଯ୍ୟନ୍ତ। ସେ ଅବଶ୍ୟ ଥିଲେ ବିଶିଷ୍ଟ ଲେଖକ, ଅନୁବାଦକ ଓ ସଂପାଦକ; କିନ୍ତୁ ତାହା ପରଠାରୁ ରାଜ୍ୟ ଶାସନ କ୍ଷେତ୍ରରେ ଧରି ନିଆଗଲା ଯେ ମୁଖ୍ୟମନ୍ତ୍ରୀ ହିଁ ହେବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି। ଫଳରେ- ସେପରି କିଛି ସାହିତ୍ୟ ପ୍ରତିଭା କିମ୍ବା ଓଡ଼ିଶାର ସାହିତ୍ୟକ୍ଷେତ୍ରକୁ ଅବଦାନ ନଥାଇ, ୧୩ ମେ ୧୯୯୯ଠାରୁ ୧୬ ଜୁଲାଇ ୨୦୦୦ ପର୍ଯ୍ୟନ୍ତ ଆଉ ତିନିଜଣ ମୁଖ୍ୟମନ୍ତ୍ରୀ ହିଁ ଏହି ପଦ ଅଧିକାର କରିଥିଲେ। ସେହି ତିନି ମୁଖ୍ୟମନ୍ତ୍ରୀ ହେଉଛନ୍ତି- ଗିରିଧର ଗମାଙ୍ଗ (୧୩ ମେ ୧୯୯୯-୫ ଡିସେମ୍ବର ୧୯୯୯), ହେମାନନ୍ଦ ବିଶ୍ୱାଳ (୬ ଡିସେମ୍ବର ୧୯୯୯-୪ ମାର୍ଚ୍ଚ ୨୦୦୦) ଓ ନବୀନ ପଟ୍ଟନାୟକ (୫ ମାର୍ଚ୍ଚ ୨୦୦୦-୧୬ ଜୁଲାଇ ୨୦୦୦)।

ପରବର୍ତ୍ତୀ କାଳରେ, ଅର୍ଥାତ୍ ନବୀନ ପଟ୍ଟନାୟକଙ୍କ ସଭାପତି ପଦ ପରେ, ୧୭ ଜୁଲାଇ ୨୦୦୦ ଠାରୁ ଅବଶ୍ୟ ଓଡ଼ିଆ ସାହିତ୍ୟିକମାନେ ହିଁ ସଭାପତି ପଦରେ ଅଧିଷ୍ଠିତ ହୋଇଆସୁଛନ୍ତି; କିନ୍ତୁ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରତିଷ୍ଠା ଦିନ ଠାରୁ ସମିତି ଭାବରେ ଏହା ପଞ୍ଜିକୃତ ହେବା ପର୍ଯ୍ୟନ୍ତ, ଏବଂ ତା’ ପରଠାରୁ ଏ ପର୍ଯ୍ୟନ୍ତ- ସାହିତ୍ୟ ଏକାଡେମୀ ଯେ ସରକାରଙ୍କ କର୍ତ୍ତୃତ୍ୱାଧୀନ ଭାବରେ ସରକାରର ଏକ ‘ତଳିଆ ବିଭାଗ’ ଭାବରେ କାମ କରିଆସୁଛି- ଏହାର ଅନେକ ନିଦର୍ଶନ ଅଛି। ଗୋଟିଏ ନିଦର୍ଶନ- ଏବେ ଏହି ଏକାଡେମୀରେ ପୁରସ୍କାର ଚୟନକୁ ନେଇ ଚାଲିଥିବା ଅପେରା। ଏ ଅପେରା ଯେ ଅତୀତରୁ ଚାଲି ଆସିଥିବା ଅପେରାର ଏକ ନୂଆ ଅଧ୍ୟାୟ, ଏଥିରେ କୌଣସି ସନ୍ଦେହ ନାହିଁ।

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର