ସେମାନେ ଫେରୁଛନ୍ତି

ଘାସିରାମ ପଣ୍ଡା

ବାହାର ରାଜ୍ୟରେ ଥିବା ଲୋକେ ଘରକୁ ଫେରୁଛନ୍ତି। ଆଗେ ବାହାରୁ କେହି ଗାଁକୁ ଆସୁଥିଲେ ସ୍ୱାଗତ କରାଯାଉଥିଲା। ଏବେ ପଚରା ଯାଉଛି ଏମାନେ କାହଁକି ଆସୁଛନ୍ତି? କାରଣ, ଏମାନଙ୍କ ଠାରୁ ଗାଁ-ଗାଁରେ କରୋନା ରୋଗ ବ୍ୟାପି ଯାଇପା‌େରେ। ସେଥି ଲାଗି ସରକାର ମଧ୍ୟ ସଚେତନ। ତେଣୁ ଘର ବାହୁଡ଼ା ଶ୍ରମିକମାନେ ଗାଁ ମାଟିରେ ପାଦ ଦେଲା ପରେ କ’ଣ ସବୁ କରାଯିବ ସେ ନେଇ ପ୍ରସ୍ତୁତି ହୋଇଛି।

ସରକାର ପ୍ରତ୍ୟେକ ପଞ୍ଚାୟତରେ ସାମୟିକ କ୍ବାରାଣ୍ଟାଇନ୍‌ କେନ୍ଦ୍ର ସବୁ ସ୍ଥାପନ କରିଛନ୍ତି। ବାହାରୁ ଆସିବାକୁ ଥିବା ପ୍ରତ୍ୟେକଙ୍କୁ ଏହି କେନ୍ଦ୍ରରେ ଚଉଦ ଦିନ ସଂଗରୋଧରେ ରହିବାକୁ ପଡ଼ିବ। ପଂଚାୟତିରାଜ ବିଭାଗ ଓ ସ୍ୱତନ୍ତ୍ର ରିଲିଫ କମିସନର ଏହାର ପରିଚାଳନା ପାଇଁ ଦିଶା ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ପ୍ରତ୍ୟେକଙ୍କ ପାଇଁ ରହିବା, ଖାଇବା ଇତ୍ୟାଦିର ମାଗଣା ବ୍ୟବସ୍ଥା କରାଯାଇଛି। ଯେହେତୁ ମହିଳା, ପୁରୁଷ, ଶିଶୁ, ବୟସ୍କ ଏଭଳି ବିଭିନ୍ନ ବୟସ ଓ ଲିଙ୍ଗ ବର୍ଗରେ ଲୋକ ଆସିବେ, ସେମାନଙ୍କ ଆବଶ୍ୟକତା ଆଧାରରେ ବ୍ୟବସ୍ଥା କରାଯିବା କଥା ମଧ୍ୟ କୁହାଯାଇଛି।

ଇତି ମଧ୍ୟ‌େର ପ୍ରାଥମିକ ପର୍ଯ୍ୟାୟରେ କିଛି ପ୍ରବାସୀ ଶ୍ରମିକ ଓଡ଼ିଶାରେ ପହଞ୍ଚିଛନ୍ତି। କିନ୍ତୁ କେତେକ ସ୍ଥାନରେ ପ୍ରଶାସନର ଅନୁଭୂତି ଖଟା ରହିଛି। କାରଣ କିଛି ପ୍ରବାସୀ ଶ୍ରମିକଙ୍କ ଆଚରଣ ନିୟମ ଉଲ୍ଲଂଘନକାରୀ ହୋଇଥିବା ଦେଖିବାକୁ ମିଳିଛି। ଏହା ଦ୍ବାରା ଶ୍ରମିକମାନଙ୍କ ଘର ବାହୁଡ଼ାକୁ ନେଇ ଯେଉଁମାନେ ସନ୍ତୁଷ୍ଟ ନ ଥିଲେ, ସେମାନେ ବଳ ପାଇଛନ୍ତି। ଏହା ସତ ଯେ ପ୍ରବାସୀ ଶ୍ରମିକମାନେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ପଡ଼ି ରହିଥିଲେ ଏବଂ ଅନେକ ଦିନ ପରେ ନିଜ ଭିଟାମାଟିରେ ପାଦ ଦେଇଥିବା ହେତୁ ସେମାନେ ଆବେଗାତିଶଯ୍ୟର ଶିକାର ହୋଇଥିବା ସମ୍ଭବ। ଏହା ବି ସତ ହୋଇପାରେ ଯେ ସେମାନଙ୍କ ଲାଗି ହୋଇଥିବା ଖାଦ୍ୟର ବ୍ୟବସ୍ଥା ସେମାନଙ୍କୁ ଅରୁଚିକର ହୋଇଥିବ। କିନ୍ତୁ ସେମାନେ ଭୁଲିଗଲେ ଯେ ଏହା ଏକ ଅସାଧାରଣ ସ୍ଥିତି ଏବଂ ସରକାର ତଥା ପ୍ରଶାସନ ଏକ ବିଶାଳ କାର୍ଯ୍ୟ ହାତକୁ ନେଇଛନ୍ତି। ପୁଣି ଏହା ମଧ୍ୟ ସତ ଯେ ଶାନ୍ତିପୂର୍ଣ୍ଣ ଉପାୟରେ ଏହାର ପ୍ରତିବାଦ କରାଯାଇ ପାରିଥାଆନ୍ତା। କିନ୍ତୁ, ସରକାରଙ୍କ ‘ସଙ୍ଗରୋଧ’ ନିୟମକୁ ଭାଙ୍ଗିବା, କୋଭିଡ୍‌-୧୯ ମୁକାବିଲା ଲାଗି ଦିନରାତି ଏକାକାର କରି କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ବା କ୍ବାରାଣ୍ଟାଇନ୍ କେନ୍ଦ୍ରରୁ ଲୁଚି ପଳାୟନ କରିବା କସ୍ମିନ କାଳେ ବରଦାସ୍ତଯୋଗ୍ୟ ନୁହେ। ଏହା ଦ୍ବାରା ଘରକୁ ଫେରିବାକୁ ଓଡ଼ିଶା ବାହାରେ ଅପେକ୍ଷା କରି ରହିଥିବା ଅସଂଖ୍ୟ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଅଯଥା ବିଭ୍ରାନ୍ତିକର ଧାରଣା ସୃଷ୍ଟି ହୋଇଛି।

ସ୍ୱାଧୀନତା ପରବର୍ତ୍ତୀ ସମୟରେ ବୋଧହୁଏ ପ୍ରଥମ ଥର ପାଇଁ ଏତେ ସଂଖ୍ୟାରେ ଲୋକଙ୍କର ଏଭଳି ବ୍ୟବସ୍ଥିତ ଢଙ୍ଗରେ ସ୍ଥାନାନ୍ତରଣ କରାଯାଉଛି। ଅଭିଜ୍ଞତାର ଅଭାବରେ ସମ୍ବଳ ଥାଇ ବି ପ୍ରସ୍ତୁତିରେ ଅଭାବ ଦେଖାଦେଇ ପାରେ। ଏଣୁ ସରକାର ମଧ୍ୟ ବିଭିନ୍ନ ସ୍ତରରେ ପରାମର୍ଶ ଗ୍ରହଣ କରିବା ଦରକାର। ଶିବିର ପରିଚାଳନା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଲୋକଙ୍କ ବ୍ୟବହାର, ପ୍ରତିକ୍ରିୟା ଓ ମାନସିକ ସ୍ଥିତିକୁ ପରଖି ପଦକ୍ଷେପ ନେବାର ଆବଶ୍ୟକତ‌‌‌ା ରହିଛି।

ପରିଶେଷରେ ଏକ ହୃଦୟଗ୍ରାହୀ ଉଦାହରଣ ସହିତ ଲେଖାକୁ ସମାପ୍ତ କରିବା। ରାଜସ୍ଥାନର ପଲସାନା ଠାରେ ଏକ କ୍ବାରାଣ୍ଟାଇନ୍‌ କେନ୍ଦ୍ରରେ ରହିଥିବା ଶ୍ରମିକମାନେ ଲକ୍ଷ୍ୟ କଲେ ଯେ ସେମାନଙ୍କୁ ଆଶ୍ରୟ ଦେଇଥିବା ବିଦ୍ୟାଳୟ ଘରଟି ମରାମତି ଅଭାବରୁ ଦୟନୀୟ ସ୍ଥିତିରେ ଅଛି। ଏହି ଶ୍ରମିକମାନେ ପ୍ରଶାସନକୁ ମରାମତି ସରଞ୍ଜାମ ମାଗିଲେ। ତା ପରେ ସେମାନେ ସେହିଠାରେ ସାମାଜିକ ଦୂରତା ରକ୍ଷା କରି ସ୍କୁଲ ଘରଟିର ମରାମତି ଓ ରଙ୍ଗଦିଆ କାମ ଚଉଦ ଦିନରେ ସାରିଲେ। ସେମାନଙ୍କର ଏଭଳି କାମକୁ ପୂରା ଦେଶବାସୀ ଅନେକ ଦିନ ଯାଏ ମନେ ରଖି‌େବ। ଏଥିରୁ ସମସ୍ତଙ୍କ ଲାଗି ଅନେକ କିଛି ଶିକ୍ଷା ଲାଭ କରିବାର ଅଛି।

ମୋ-୯୪୩୮୩୪୧୭୯୪

ସମ୍ବନ୍ଧିତ ଖବର