ଓଡ଼ିଆ ଭାଷାର ଶାସ୍ତ୍ରୀୟ ଉତ୍ସ

ବସନ୍ତ କୁମାର ପଣ୍ତା

୨୦୧୪ ମାର୍ଚ୍ଚ ୧୧ ତାରିଖ ଦିନ ଭାରତ ସରକାରଙ୍କ ରାଜପତ୍ରରେ ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ଭାବେ ଘୋଷଣା କରାଗଲା। ଶାସ୍ତ୍ରୀୟ ଗୌରବ ଅର୍ଜନ କରିବାରେ ଓଡ଼ିଆ ହେଲା ଷଷ୍ଠ ଭାଷା, ପୁଣି ଭାରତୀୟ ଆର୍ଯ୍ୟ ଭାଷା ପରିବାରର ପ୍ରଥମ ଭାଷା। ଓଡ଼ିଆ ପୂର୍ବରୁ ତାମିଲ, କନ୍ନଡ଼, ତେଲୁଗୁ ଓ ମାଲାୟାଲାମ ଶାସ୍ତ୍ରୀୟ ମର୍ଯ୍ୟାଦା ପାଇଥିଲେ। ସ˚ସ୍କୃତ ତ ଶାସ୍ତ୍ରୀୟ ଭାଷା ଭାବରେ ବିଶ୍ବ ବିଦିତ। ତେବେ ଏହି ଶାସ୍ତ୍ରୀୟ କଥାଟା କ’ଣ? କୌଣସି ଭାଷା ଶାସ୍ତ୍ରୀୟ ଘୋଷିତ ହେବାର ଯଥାର୍ଥତା କ’ଣ?

ପ୍ରାଚୀନ ଐତିହ୍ୟ ଓ ମୌଳିକ ସାହିତ୍ୟର ପରମ୍ପରା ଥିଲେ ଗୋଟିଏ ଭାଷାକୁ ଶାସ୍ତ୍ରୀୟ ବା କ୍ଲାସିକାଲ୍‌ କୁହାଯାଉଥିଲା। ସମଗ୍ର ବିଶ୍ବରେ ସ˚ସ୍କୃତ, ଚାଇନିଜ୍‌, ଆରବିକ୍‌, ଗ୍ରୀକ୍‌ ଓ ଲାଟିନ୍‌କୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଉଥିଲା। ବିଶିଷ୍ଟ ଭାଷାବିତ୍‌ ଏଡ୍‌ଵାର୍ଡ ସାପିର‌୍‌ ନିଜର ଭାଷା ବିଷୟକ ଗ୍ରନ୍ଥରେ ଏହାକୁ ବୁଝାଇଛନ୍ତି। କିନ୍ତୁ ୨୦୦୪ରେ ଭାରତ ସରକାର ତାମିଲ ଭାଷାକୁ ଶାସ୍ତ୍ରୀୟ ଘୋଷଣା କରି ଶାସ୍ତ୍ରୀୟ ଭାଷା ପାଇଁ ଯେଉଁ ଚାରିଟି ମାନଦଣ୍ତ ସ୍ଥିର କଲେ ସେଥିରେ ଗୁରୁତ୍ବପୂର୍ଣ୍ଣ ଦୁଇଟି କଥା ରହିଲା। ପ୍ରଥମତଃ ଶାସ୍ତ୍ରୀୟ ଭାଷା ହେବା ପାଇଁ ୧୫୦୦ରୁ ୨୦୦୦ ବର୍ଷର ଐତିହ୍ୟ ଥିବ ଓ ଦ୍ବିତୀୟରେ ମୌଳିକ, ଅପ୍ରଭାବିତ ସାହିତ୍ୟ ରଚନାର ପରମ୍ପରା ଥିବ। ଏ ଦୁଇଟି ବିଷୟକୁ ଦୃଷ୍ଟାନ୍ତ ସହିତ ପ୍ରମାଣ କରାଯିବା ଫଳରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ବୋଲି ସ୍ବୀକୃତି ଲାଭ କଲା।

ଓଡ଼ିଆ ଭାଷାର ଶାସ୍ତ୍ରୀୟ ଉତ୍ସର ଦୁଇଟି ଧାରା। ଗୋଟିଏ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ଅଶୋକଙ୍କ ଶିଳାନୁଶାସନ ଠାରୁ ଆରମ୍ଭ କରି ପଞ୍ଚଦଶ ଶତାବ୍ଦୀର ଜଗନ୍ନାଥ ମନ୍ଦିରର ଜୟବିଜୟ ଶିଳାଲେଖ ପର୍ଯ୍ୟନ୍ତ ଅଭିଲେଖଗୁଡ଼ିକରୁ ଆଦିମ ଓଡ଼ିଆ ଶବ୍ଦ ସ˚ଗ୍ରହ କରି ଓଡ଼ିଆ ଭାଷାର ପ୍ରାଚୀନତା ପ୍ରମାଣ କରିବା। ଦ୍ବିତୀୟଟି ବିଭିନ୍ନ ପ୍ରାଚୀନ ଶାସ୍ତ୍ରରେ ଓ ପରିବ୍ରାଜକମାନଙ୍କର ବିବରଣୀରେ ଉଲ୍ଲେଖ ଥିବା କଳିଙ୍ଗ ଦେଶ ଓ ଉଡ୍ର ଭାଷାର ତଥ୍ୟ ସ˚ଗ୍ରହ କରି ଓଡ଼ିଆ ଭାଷା, ଜାତି ଓ ଓଡ଼ିଶା ଭୂମିର ଐତିହାସିକ ପ୍ରାଚୀନତା ପ୍ରମାଣ କରିବା।

ଖ୍ରୀଷ୍ଟପୂର୍ବ ୨୬୧ରେ ମୌର୍ଯ୍ୟ ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧ ପରେ ଦୟା ନଦୀ କୂଳରେ ଧଉଳି ପାହାଡ଼ର ପାଦ ଦେଶରେ ଓ ଗଞ୍ଜାମର ଜଉଗଡ଼ ଠାରେ ଯେଉଁ ଅନୁଶାସନ ଖୋଦିତ କରିଥିଲେ ତାହା ବ୍ରାହ୍ମୀ ଲିପିରେ ପାଲି ଭାଷାରେ ଲିଖିତ ହୋଇଥିଲେ ମଧୢ ସେଥିରେ ମଣିଷ, ଆଠ, ସିନେହ, ମିତ, ପଚ୍ଛ, ପଣନାତି, ନହେବୁ, ବୁଢ଼ା, ପୁତସତ, ଆଦି, ପ୍ରଭୃତି ଅବିକଳ ଓଡ଼ିଆ ଶବ୍ଦ ରହିଅଛି। ପୁଣି ପ୍ରଥମ ଶତାବ୍ଦୀରେ ଐର ସମ୍ରାଟ ଖାରବେଳଙ୍କ ଖଣ୍ତଗିରିର ହାତୀ ଗୁମ୍ଫା ଶିଳାଲେଖରେ ପ୍ରାଚୀନ ଓଡ଼ିଆ ଭାଷାର ସ୍ବରୂପ ଆହୁରି ସ୍ପଷ୍ଟ। ସତ୍ୟ ନାରାୟଣ ରାଜଗୁରୁ ଓ କୁଞ୍ଜ ବିହାରୀ ତ୍ରିପାଠୀ ଅଭିଲେଖକୁ ଆଧାର କରି ଓଡ଼ିଆ ଲିପି ଓ ଭାଷାର କିପରି କ୍ରମବିକାଶ ଘଟିଛି ତାହା ପ୍ରମାଣ କରିଛନ୍ତି।

ପ୍ରାଚୀନ ଗ୍ରନ୍ଥରୁ ତଥ୍ୟ ସ˚ଗ୍ରହ ଧାରାରେ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀର ବୁଦ୍ଧାୟନଙ୍କ ସୂତ୍ର ଗ୍ରନ୍ଥରେ କଳିଙ୍ଗର ଉଲ୍ଲେଖ ଅଛି। ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀର ଭରତ ମୁନିଙ୍କ ନାଟ୍ୟ ଶାସ୍ତ୍ରରେ ଉଡ୍ର ବିଭାଷାର ସ୍ପଷ୍ଟ ଉଲ୍ଲେଖ ଅଛି। ‘ଶକରାଭୀର ଚାଣ୍ତାଳ ଶବର ଦ୍ରାବିଡ଼ୋଡ୍ରଜାଃ’। କଳିଙ୍ଗର ଉଡ୍ର ଦେଶରେ କୁହାଯାଉଥିବା ଭାଷାକୁ ସେ ଉଡ୍ର ବିଭାଷା କହିଛନ୍ତି। ମହାଭାରତ ଓ ମନୁ ସ୍ମୃତିରେ ଓଡ୍ରମାନଙ୍କୁ ପୌଣ୍ତ୍ରକ, ଦ୍ରାବିଡ଼, କମ୍ବୋଜ, ଯକନ, ସକ, ପଲ୍ଲବ, ଚୀନ, କିରାତି ଓ ଖସଙ୍କ ସହିତ ବର୍ଣ୍ଣନା କରାଯାଇଛି। ଅର୍ଥଶାସ୍ତ୍ର (କୌଟିଲ୍ୟ), ରଘୁବ˚ଶ (କାଳିଦାସ), ତ୍ରିକାଣ୍ତଶେଷ, ବ୍ରହ୍ମାଣ୍ତ ପୁରାଣ, ମାର୍କଣ୍ତେୟ ପୁରାଣ ଓ କପିଳ ସ˚ହିତାରେ କଳିଙ୍ଗ ଜନପଦର ଉଲ୍ଲେଖ ଅଛି। ଲଳିତ ବିସ୍ତର ଗ୍ରନ୍ଥରେ ବୁଦ୍ଧ ଯେଉଁ ଲିପି ଶିଖିଥିଲେ ସେଥିରେ ଉଗ୍ରୀ (ଡ୍ରି) ଲିପି ରହିଥିବା କଥା ଅଛି।

ପୂର୍ବୋକ୍ତ ଗ୍ରନ୍ଥ ସହିତ ବିିଭିନ୍ନ ଐତିହାସିକ ଓ ପରିବ୍ରାଜକଙ୍କ ବିବରଣୀରେ ମଧୢ କଳିଙ୍ଗ ଭୂମି ଓ ଉଡ୍ର ଜାତି ଏବଂ ଭାଷାର ଆଲୋଚନା ମିଳିଥାଏ। ପ୍ଳିନୀଙ୍କ ‘ନେଚୁରାଲ ହିଷ୍ଟ୍ରି’ରେ ମେଘାସ୍ଥନିସ୍‌ଙ୍କୁ ଉଦ୍ଧାର କରି କଳିଙ୍ଗର ଉଲ୍ଲେଖ ରହିଛି। ଟଲେମୀଙ୍କ ଭାରତବର୍ଷର ପ୍ରାଚୀନ ଭୂଗୋଳରେ ମଧୢ କଳିଙ୍ଗର ବିଭିନ୍ନ ସ୍ଥାନର କଥା ଉଲ୍ଲେଖ ଥିବା କଥା ଜେରେମି ନିଜ ଗବେଷଣାରେ ଜଣାଇଛନ୍ତି। ଚୀନ୍‌ ପରିବ୍ରାଜକ ହୁଏନ୍‌ସାଂ ସପ୍ତମ ଶତାବ୍ଦୀରେ କଳିଙ୍ଗ ଭ୍ରମଣ କରି ଏହାର ଅଧିବାସୀ ଓ ଭାଷା ବିଷୟରେ ଉଲ୍ଲେଖ କରିଛନ୍ତି। ଏସବୁ ବ୍ୟତୀତ ହୁଇନିଙ୍ଗ, ମୁସ୍‌ଲିମ୍‌ ଭୂଗୋଳବିତ୍‌ ଇବାନ୍‌ ଖୁରଦାଦ୍‌ବିନ୍‌, ଆଲ୍‌ବେରୁଣି ଓ ଲାମା ତାରାନାଥଙ୍କ ବିବରଣୀରୁ ପ୍ରାଚୀନ କଳିଙ୍ଗ ଭୂମି ଓ ଜାତିର ପରିଚୟ ମିଳିଥାଏ। ଏ ସକଳ ତଥ୍ୟର ସହଯୋଗରେ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ପାଇଁ ଓଡ଼ିଶା ଐତିହ୍ୟର ପ୍ରମାଣ ଦିଆଯିବା ସମ୍ଭବ ହେଲା।

ଓଡ଼ିଆ ଭାଷାରେ ରଚିତ ମୌଳିକ ସାହିତ୍ୟର ସୁସମୃଦ୍ଧ ପର˚ପରା ମଧୢ ଶାସ୍ତ୍ରୀୟତା ପାଇଁ ଆଉ ଏକ ବଳିଷ୍ଠ ଯୁକ୍ତି ଭାବରେ ଉପସ୍ଥାପନ କରାଗଲା। ଗଦ୍ୟରେ ଶିଳାଲେଖ, ମାଦଳାପାଞ୍ଜି, ରୁଦ୍ର ସୁଧାନିଧି, ବ୍ରତକଥା, ଚତୁର ବିନୋଦ ପୁଣି ପଦ୍ୟରେ ଚର୍ଯ୍ୟାପଦ, ନାଥ ସାହିତ୍ୟ, ମହାଭାରତ, ଜଗମୋହନ ରାମାୟଣ, ଭାଗବତ, ହରିବ˚ଶ, ଉପେନ୍ଦ୍ରଙ୍କ ବୈଦେହୀଶ ବିଳାସ, ଗୀତାଭିଧାନ (ପଦ୍ୟରଚିତ ଓଡ଼ିଆ ଭାଷାର ପ୍ରଥମ ଅଭିଧାନ), ଦୀନକୃଷ୍ଣଙ୍କ ରସ କଲ୍ଲୋଳ, ଅଭିମନ୍ୟୁଙ୍କ ବିଦଗ୍‌ଧ ଚିନ୍ତାମଣି, କବିସୂର୍ଯ୍ୟଙ୍କ ଚମ୍ପୂ, ଭୀମଭୋଇଙ୍କ ସ୍ତୁତିଚିନ୍ତାମଣି ଇତ୍ୟାଦି ଏହାର ଉଦାହରଣ। ଏଥି ସହିତ ମହାପ୍ରଭୁ ଜଗନ୍ନାଥଙ୍କୁ କେନ୍ଦ୍ର କରି ସାର୍ବଭୌମ ସ˚ସ୍କୃତିର ଏକ ଅତୁଳନୀୟ ପର˚ପରା ସମଗ୍ର ଓଡ଼ିଆ ଭାଷା ସାହିତ୍ୟର ଶାସ୍ତ୍ରୀୟ ଉତ୍ସର ଆଦି ଆଧାର।

ନିର୍ଦ୍ଦେଶକ, ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧୢୟନ କେନ୍ଦ୍ର

ସମ୍ବନ୍ଧିତ ଖବର