ଜୈବାସ୍ତ୍ରରୁ ଆଗ୍ନେୟାସ୍ତ୍ର!

ଅବନୀର˚ଜନ ନାୟକ

ଏକ ରିପୋର୍ଟ ଅନୁଯାୟୀ ଚୀନ, ରୁଷ ଓ ଆମେରିକା ସମେତ ପ୍ରାୟ ୧୬ ଗୋଟି ଦେଶ ପାଖରେ ଜୈବାସ୍ତ୍ର ମହଜୁଦ ଅଛି। ଜୈବାସ୍ତ୍ର ଉପରେ ଅଧିକ ଗବେଷଣା ଜାରି ରଖିଥିବା ବେଳେ ଚୀନ୍‌ର ଉହାନ୍‌ ପରୀକ୍ଷାଗାରରୁ ଲିକ୍‌ ହୋଇ ‘କରୋନା’ ଭୂତାଣୁ ସଂକ୍ରମଣ ହୋଇଛି ବୋଲି ଅନେକ ବିଶ୍ବାସ କରନ୍ତି। ଏବେ ‘କୋଭିଡ୍‌-୧୯’ର ସଂକ୍ରମଣରେ ଦୁଇ ଲକ୍ଷ ସତୁରି ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ ଏହି ସଂଖ୍ୟା କେତେ କୋଟି ଅତିକ୍ରମ କରିବା ସମ୍ଭବ। ଏହା ପ୍ରଥମ ଓ ଦ୍ବିତୀୟ ବିଶ୍ବଯୁଦ୍ଧର ମୃତାହତଙ୍କ ସ˚ଖ୍ୟା ନିକଟବର୍ତ୍ତୀ ହୋଇପାରେ। ପ୍ରଥମ ଓ ଦ୍ବିତୀୟ ବିଶ୍ବଯୁଦ୍ଧରେ ସମାନ ସ˚ଖ୍ୟକ ଦେଶ ଅର୍ଥାତ୍‌ ୧୨ଟି ଲେଖାଏଁ ଦେଶ ଯୁଦ୍ଧ ଲଢ଼ିଥିବା ବେଳେ କୋଭିଡ୍‌-୧୯ ବିରୋଧରେ ଏ ଯାବତ୍‌ ୨୧୦ଟି ଦେଶ ଅବତୀର୍ଣ୍ଣ ହୋଇଛନ୍ତି। ଏଣୁ ଏହି ଯୁଦ୍ଧକୁ ଆମେ ତୃତୀୟ ବିଶ୍ବଯୁଦ୍ଧ ବୋଲି ଆଖ୍ୟା ଦେଇପାରିବା। ତେଣୁ, ଏହି ଅବସରରେ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍‌ଙ୍କ ଉକ୍ତି ମନେପଡ଼େ। ସେ କହୁଥିଲେ, ‘ତୃତୀୟ ବିଶ୍ବଯୁଦ୍ଧରେ କେଉଁ କେଉଁ ଅସ୍ତ୍ରଶସ୍ତ୍ର ପ୍ରୟୋଗ ହେବ ତାହା ମୁଁ କହିପାରିବି ନାହିଁ, କିନ୍ତୁ ଚତୁର୍ଥ ବିଶ୍ବଯୁଦ୍ଧରେ ଠେଙ୍ଗା, ବାଡ଼ି ଓ ଢେଲା, ପଥର ବ୍ୟବହୃତ ହେବ: ଏକଥା ମୁଁ କହିପାରେ।’ ତୃତୀୟ ବିଶ୍ବଯୁଦ୍ଧରେ ଅତ୍ୟାଧୁନିକ ଗଣବିଧ୍ବ˚ସୀ ଆଗ୍ନେୟାସ୍ତ୍ର ପ୍ରୟୋଗ ହୋଇପାରେ ବୋଲି ଆଶଙ୍କା କରି ସେ ଏଭଳି ମତ ଦେଇଥିଲେ। କିନ୍ତୁ ଆମେ ଏବେ ତୃତୀୟ ବିଶ୍ବଯୁଦ୍ଧକୁ ଔଷଧ, ଭ୍ୟାକ୍‌ସିନ, ମାସ୍କ୍‌ ଓ ସାନିଟାଇଜର ସାହାଯ୍ୟରେ ଲଢୁଛୁ।

ଚୀନର ଉହାନ ସହରରୁ ଉତ୍ପତ୍ତି ହୋଇ ସମଗ୍ର ବିଶ୍ବରେ କାୟା ବିସ୍ତାର କରିଥିବା କରୋନା ମହାମାରୀର ଜଗତ୍‌କରଣ ପାଇଁ ବିଶ୍ବର ଅନେକ ଅଗ୍ରଣୀ ରାଷ୍ଟ୍ର ସିଧାସଳଖ ଚୀନକୁ ଦାୟୀ କରିଛନ୍ତି। ଏହା ଦ୍ବାରା ସମଗ୍ର ବିଶ୍ବର ଅର୍ଥ ବ୍ୟବସ୍ଥା ଖିନଭିନ ହୋଇ ଯାଇଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍‌ ଭୀଷଣ କ୍ଷୁବ୍‌ଧ। ଆମେରିକା ସହିତ ଇ˚ଲାଣ୍ତ ଓ ଜର୍ମାନୀ ମଧ୍ୟ ବିଶ୍ବାସ କରନ୍ତି ଯେ ଭୂତାଣୁ ସ˚କ୍ରମଣର ପ୍ରାରମ୍ଭିକ ସମୟରୁ ଯଦି ଚୀନ ଠିକ ତଥ୍ୟ ପ୍ରଦାନ କରିଥାଆନ୍ତା, ତେବେ ପରିସ୍ଥିତି ଆଜି ଭଳିଆ ହୋଇ ନ ଥାଆନ୍ତା। ଏହି ବେପରଵା ମନୋଭାବ ପାଇଁ ସେମାନେ ଚୀନ ଠାରୁ ବିପୁଳ ପରିମାଣର କ୍ଷତିପୂରଣ ଦାବି କଲେଣି। ଜନୈକ ଭାରତୀୟ ଆଇନଜୀବୀ ମଧ୍ୟ ଚୀନ୍‌ ବିରୋଧରେ ବିପୁଳ ରାଶିର ଏକ କ୍ଷତିପୂରଣ ମୋକଦ୍ଦମା ଅନ୍ତର୍ଜାତୀୟ ନ୍ୟାୟାଳୟରେ ଦାଏର କରିସାରିଲେଣି। କିନ୍ତୁ ସେଥିପ୍ରତି ଚୀନର ନିଘା ନାହିଁ। ଏଣେ ମହାମାରୀ ମୁକାବିଲାରୁ ବିଶ୍ବବାସୀଙ୍କ ନଜର ହଟାଇବା ପାଇଁ ଅତ୍ୟନ୍ତ ଅମାନବୀୟ ଭାବରେ ଚୀନ ତାର ସାମରିକ ଶକ୍ତି ପ୍ରଦର୍ଶନ ଜାରି ରଖିଛି। ଦକ୍ଷିଣ ଚୀନ୍‌ ସାଗର ଉପରେ ନିଜର ଏକଚାଟିଆ ଅଧିକାର ସାବ୍ୟସ୍ତ କରିବା ପାଇଁ ଦୀର୍ଘ ଦିନରୁ ଚୀନର ପ୍ରୟାସ ଜାରି ରହି ଆସିଛି। ଏବେ ସେହି ଅଞ୍ଚଳରେ ତା’ର ବିଭିନ୍ନ ଯୁଦ୍ଧ ଜାହାଜ ଘୂରି ବୁଲି ଆତଙ୍କ ସୃଷ୍ଟି କରିବାରେ ଲାଗିଛନ୍ତି। କେବଳ ସେତିକି ନୁହେଁ, ସେହି ଅଞ୍ଚଳର ପ୍ରାୟ ୮୦ଟି ଦ୍ବୀପ ଓ ଟାପୁର ନାମକୁ ପରିବର୍ତ୍ତନ କରି ସେଗୁଡ଼ିକୁ ନିଜର ବୋଲି ଚୀନ ବିଶ୍ବବାସୀଙ୍କୁ ଏକ ସନ୍ଦେଶ ଦେଇଛି। ଚୀନର ଏହି କାର୍ଯ୍ୟ ସୁପର ପାଓ୍ୱାର ଆମେରିକାକୁ ଶକ୍ତ ଝଟକା ଦେଇଛି। ଏଣୁ ଆମେରିକା ମଧ୍ୟ ତା’ର ଯୁଦ୍ଧ ପୋତ ସେ ଅଞ୍ଚଳରେ ମୁତୟନ କଲାଣି। ଏହାର ପରିଣାମ ସ୍ବରୂପ ସେ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି।

ଚୀନ୍‌ର କାର୍ଯ୍ୟ ଭାରତ ଲାଗି ମଧ୍ୟ ଉଦ୍‌ବେଗର କାରଣ ହୋଇଛି। କାରଣ, ଦକ୍ଷିଣ ଚୀନ ସାଗରସ୍ଥିତ ଦ୍ବୀପଗୁଡ଼ିକ ଉପରୁ ଭାରତ ମହାସାଗରର ପୂର୍ବ ଭାଗରେ ଚୀନ୍‌ ତା’ର ସାମରିକ କାର୍ଯ୍ୟକଳାପ ବୃଦ୍ଧି କରିପାରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନଙ୍କର ମତ। ଚୀନ ଯେ କେବଳ ଦକ୍ଷିଣ ଚୀନ ସାଗରାଞ୍ଚଳରେ ଉତ୍ତେଜନା ବୃଦ୍ଧିର କାରଣ ହୋଇଛି ତା’ ନୁହେଁ, ତାଇଓ୍ୱାନର ସ୍ବାଧୀନତାକୁ ଖତମ କରି ତାକୁ ଦଖଲ କରିବା ପାଇଁ ମଧ୍ୟ ଯୁଦ୍ଧ ଜାହାଜ ପ୍ରେରଣ କରିଛି। ଦକ୍ଷିଣ ଚୀନ ଅଞ୍ଚଳରେ ତା’ର ଦାଦାଗିରି ବିରୋଧରେ ଜାତିସ˚ଘରେ ଫେରାଦ ହେବାରୁ ପ୍ରତିହି˚ସା-ପରାୟଣ ଚୀନର ଯୁଦ୍ଧ ଜାହାଜ ଭିଏତନାମର ଏକ ଜାହାଜକୁ ଧକ୍କା ମାରି ବୁଡ଼ାଇ ଦେଇଛି। ପୁଣି ଏତିକିରେ ସନ୍ତୁଷ୍ଟ ନ ରହି ନିଜ ଦେହ ବଳ ଦେଖାଇବାକୁ ଯାଇ ପାକିସ୍ତାନର ସହଭାଗିତାରେ ଲୋପନୂରସ୍ଥିତ ପରୀକ୍ଷା କେନ୍ଦ୍ରରେ କମ୍‌ ତୀବ୍ରତା ବହନ କରୁଥିବା ଏକ ପରମାଣୁ ବୋମାକୁ ପରୀକ୍ଷା କରିଥିବା ଜଣାଯାଇଛି। କରୋନା ଭୁତାଣୁ ସ˚କ୍ରମଣ କାଳରେ ସମଗ୍ର ବିଶ୍ବ ତ୍ରାହି ତ୍ରାହି ଡାକୁଥିବା ବେଳେ ଚୀନର କାର୍ଯ୍ୟକଳାପକୁ ବାଧା ଦିଆଯାଇ ପାରୁନାହିଁ। ସୁତରାଂ, ତାହା ବିଶ୍ବ ଶାନ୍ତି ପ୍ରତି ବିପଦ ସୃଷ୍ଟି କରିଛି।

ଅନ୍ତର୍ଜାତୀୟ ଉତ୍ତେଜନା ବୃଦ୍ଧି କରିବାରେ ଚୀନ୍‌ର ଘନିଷ୍ଠ ସହଯୋଗୀ ଉତ୍ତର କୋରିଆ ଓ ପାକିସ୍ତାନ ମଧ୍ୟ ପଛରେ ପଡ଼ି ନାହାନ୍ତି। ଉତ୍ତର କୋରିଆ ଗତ ମାର୍ଚ୍ଚ ମାସରେ ୫୫୦ କି.ମିରୁ କମ୍‌ ଦୂରତାର ଲକ୍ଷ୍ୟ ଭେଦ କରିପାରୁଥିବା ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି ଏବଂ ଭୂତାଣୁ ସ˚କ୍ରମଣରେ ଘର ବୁଡ଼ି ପାଣି ଆଣ୍ଠୁଏ ହୋଇଥିବା ସତ୍ତ୍ବେ ପାକିସ୍ତାନ ତାର ସାମରିକ ଦଳ ପ୍ରଦର୍ଶନରୁ ନିବୃତ୍ତ ରହିନାହିଁ। ଚୀନ ବଳରେ ବାହୁବଳୀ ଭାବୁଥିବା ପାକିସ୍ତାନ ଚଳିତ ବର୍ଷର ଫେବ୍ରୁଆରି ଓ ଏପ୍ରିଲ ମାସରେ ଦୁଇ ଗୋଟି କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ସୁତରାଂ, ଏହି ତିନି ଅମାନିଆ ରାଷ୍ଟ୍ରକୁ ନେଇ ଗଠିତ ଅସାଧୁ ତ୍ରିଭୁଜ ମେଣ୍ଟ ଅନ୍ତର୍ଜାତୀୟ ଶାନ୍ତିପ୍ରତି ବିପଦ ସୃଷ୍ଟି କରିଛନ୍ତି।

ଜୈବାସ୍ତ୍ରର ପ୍ରୟୋଗ ଓ ଆଗ୍ନେୟାସ୍ତ୍ରର ପରୀକ୍ଷାନିରୀକ୍ଷା ଏବେ ଆମେରିକା ଓ ଚୀନ୍‌କୁ ମୁହାଁମୁହିଁ ଅବସ୍ଥାକୁ ଆଣିଛି। ଭୂତାଣୁ ସ˚କ୍ରମଣ ମାଧ୍ୟମରେ ଆମେରିକା ଉପରେ ଆକ୍ରମଣ କରାଯାଇଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ୍‌ କହୁଥିଲା ବେଳେ ସେ ଦେଶର ମୃତାହତ ଓ ଆର୍ଥିକ କ୍ଷତି ପାଇଁ ଚୀନକୁ ଉତ୍ତରଦାୟୀ କରାଯିବା ଆବଶ୍ୟକ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓ ମତ ଦେଇଛନ୍ତି।

ଚୀନରୁ ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଛି ଏବଂ ସେ ଏହାକୁ ରୋକିବା ନେଇ ଦାୟିତ୍ବହୀନ ହୋଇଛି ବୋଲି ସମସ୍ତେ ଏକମତ। ଏଭଳି ସ୍ଥଳେ ନିଜ ଭାବମୂର୍ତ୍ତିକୁ ସଜାଡ଼ିବା ବଦଳରେ ଚୀନ ଯେମିତି ତାର ଆଗ୍ନେୟାସ୍ତ୍ର ବଳ ପ୍ରଦର୍ଶନ କରୁଛି, ତାହା ଅତି ପିଲାଳିଆ କାମ ଭଳି ଲାଗୁଛି। କାରଣ ଏହା ଏକ ପରିପକ୍ବ ଦେଶର କାମ ନୁହେଁ। ଏବଂ ଏଥିରୁ ଚୀନର ଯେଉଁ ଭାବମୂର୍ତ୍ତି ପ୍ରକଟ ହେଉଛି ସେଥିରୁ ଏହି ସନ୍ଦେହ ବି ଦୃଢ଼ୀଭୂତ ହୋଇପାରେ ଯେ ‘କୋଭିଡ୍‌-୧୯’ ଭୂତାଣୁ ପ୍ରକୃତରେ ହୁଏ’ତ ଏକ ଜୈବାସ୍ତ୍ର ଥିଲା।

ମୋ-୯୪୩୭୭୬୬୮୩୩
[email protected]

ସମ୍ବନ୍ଧିତ ଖବର