ଜ୍ଞାନର ସାଗର, ଅଜ୍ଞାନର ଗାଡ଼ିଆ

କୁମାର ପ୍ରଶାନ୍ତ

କଥାଟା ବହୁତ ପୁରୁଣା, ମାତ୍ର ଆମେ ବାରମ୍ବାର ତା’କୁ ନୂଆ କରି ଚାଲିଛନ୍ତି। ‘ଯିଏ ଜ୍ଞାନର ସାଗରରେ ପାଦ ଦିଏ ସେ ଲଗାତାର ପହଁରୁଥାଏ, ଯିଏ ଅଜ୍ଞାନର ଅନ୍ଧାରି କୂଅରେ ବୁଡ଼ ଦିଏ, ସେ ତା’ ଭିତରେ ହିଁ ଘୂରିବୁଲେ।’ ଜ୍ଞାନ ଆଉ ଅଜ୍ଞାନକୁ ଚିହ୍ନିବା କେମିତି ବୋଲି କେହି ପ୍ରଶ୍ନ କଲେ ମୁଁ କହିବି ଯାହା ଦ୍ବାରା ବ୍ୟକ୍ତିଗତ ଓ ସାମୂହିକ ବିବେକର ରାସ୍ତା ଖୋଲିଥାଏ, ତାହା ଜ୍ଞାନ; ଆଉ ଯିଏ ବିବେକର ପ୍ରତିଟି ଖୋଲା ଦରଜାକୁ ବନ୍ଦ କରିଦିଏ, ତାହା ଅଜ୍ଞାନ। ମାତ୍ର ମୁଁ କୂଅ କଥା ତ ନୁହେଁ, ଗାଡ଼ିଆ କଥା କହୁଛି। ଖରାପ ସଡ଼କ ଓ କ୍ଷେତବାଡ଼ିରେ ସୃଷ୍ଟ ଖାଲଖମାକୁ ଗାଡ଼ିଆ କହନ୍ତି, ଯାହା ପାଖରେ ନିଜର ବୋଲି କିଛି ନ ଥାଏ- ସେଥିରେ ଜମିଥିବା ପାଣି ବି ତାହାର ହୋଇନଥାଏ। ବର୍ଷାର ଦୟାରୁ ତାହା ମିଳିଥାଏ, ତଥାପି ସାଗର ନ ହେଲେ ନାଇଁ, ନିଜକୁ ପୋଖରୀ ଭାବି ସେହି ଗାଡ଼ିଆ ଗର୍ବରେ ଯା’ଆସ କରୁଥିବା ଲୋକଙ୍କ ଶରୀର-କପଡ଼ା ଅସନା କରିଚାଲିଥାଏ। ସେହିପରି ‘ମଣିଷ ଗାଡ଼ିଆ’ ବି ରହିଛି ଯିଏ ହ୍ବାଟ୍‌ସଆପ୍‌ ବିଶ୍ବବିଦ୍ୟାଳୟ କି ଫମ୍ପା ଚ୍ୟାନେଲ୍‌ କି ପୀତ ପୁସ୍ତକରୁ ଇତିହାସ ପଢ଼ି, ଶିଖି ତାହାକୁ ଦୋହରାଇଥାଏ ଏବଂ ସମାଜର ପାଦ-ଲୁଗାପଟା ଖରାପ କରିଦିଏ।

ନିଜର ଏହି କଷଟି ପଥରରେ ଜ୍ଞାନବାପି ମସ୍‌ଜିଦ ବିବାଦକୁ ତଉଲିବା ଦ୍ବାରା ଭାରତୀୟ ସମାଜକୁ ଅଜ୍ଞାନର କୁଲକ୍ଷଣ ଏମିତି ଘେରିଗଲା ପରି ଜଣାଯାଉଛି ଠିକ୍ ଯେମିତି ଏହି ଅଜ୍ଞାନ ଶ୍ରୀଲଙ୍କାକୁ ଘେରିଯାଇ ଆଣ୍ଠେଇ ଦେଇଛି। ସ୍ବାଧୀନତାର ଦ୍ବାରଦେଶରେ ଆମେ ଛିଡ଼ା ହୋଇଥିଲା ବେଳେ ଆମ ସହିତ ଏପରି କିଛି ଘଟିଥିଲା। ଗାନ୍ଧୀଜୀଙ୍କ ପରି ବିରାଟ ବ୍ୟକ୍ତିତ୍ବ ବି ଅଜ୍ଞାନର ସେହି ବିସ୍ଫୋରଣରେ ହତପ୍ରଭ-ଅସହାୟ ହୋଇଯାଇଥିଲେ ଏବଂ ତାହାକୁ ଦେଖି ଦେଖି ଆମେ ମରି-ମାରି ଭାଙ୍ଗିପଡ଼ିଥିଲେ। ଆମର ଇଚ୍ଛା ଥାଉ ବା ନ ଥାଉ, ଇତିହାସ ନିଜର ଉପେକ୍ଷାର ଦଣ୍ଡ ଏପରି ଦେଇଥାଏ।

କୌଣସି ମନ୍ଦିରକୁ ଭଙ୍ଗାଯାଇ ଜ୍ଞାନବାପି ମସ୍‌ଜିଦ ନିର୍ମିତ ହୋଇଛି କି ନାହିଁ, ସେ ପ୍ରଶ୍ନ ଆଉ ସର୍ବେକ୍ଷଣ କୃତଘ୍ନତା ହେବ। ଭିଡିଓର ଇଲେକ୍ଟ୍ରୋନିକ ଦୃଷ୍ଟି କଥା ଛାଡ଼ନ୍ତୁ, ଜ୍ଞାନର ନିଜସ୍ବ ମାନବ ଦୃଷ୍ଟିରେ ଦେଖିଲେ ବି କୌଣସି ଭଗ୍ନାବଶେଷ ଉପରେ ଉକ୍ତ ମସ୍‌ଜିଦ ଛିଡ଼ା ହୋଇଥିବା ଜଣାପଡ଼ିବ। ତାହାକୁ ଫାଙ୍କିବାର କୌଣସି ପ୍ରୟାସ ସଫଳ ହେବନାହିଁ କି ସତ ବି ହେବନାହିଁ। ମାତ୍ର ମାନବୀୟ ଇତିହାସର କେହି ବି ଜ୍ଞାନବାପି ଦର୍ଶିତାରେ ଆମକୁ ବୁଝାଇଦେବ କି ବିଶ୍ବ ମନୁଷ୍ୟ ସଭ୍ୟତା ନିଜର ବିକାଶ କ୍ରମରେ କେତେ କେତେ ଦୁର୍ଭାଗ୍ୟପୂର୍ଣ୍ଣ ମୁହୂର୍ତ୍ତ ବିତାଇଛି ଯେଉଁଥିରେ ଆମ ପରି ନରରୂପୀ ରହିଛନ୍ତି, କଞ୍ଚା ମାଂସାହାରୀ ବି ରହିଛନ୍ତି? ଏପରି କେତେ ଯେ କୁପ୍ରଥା ଆମ ଜୀବନକ୍ରମର ଅଂଶ ପାଲଟିଛି ଯାହାକୁ ଆମେ ଆଜି ଆମ ସଭ୍ୟ ଜୀବନରେ ସ୍ଥାନ ଦେବାକୁ ଚିନ୍ତା ବି କରିପାରୁନାହେଁ। ସେ ସବୁ ମୁହୂର୍ତ୍ତକୁ ଅତିକ୍ରମ କରି ଆମେ ଆଜି ଏଇଠି ପହଞ୍ଚିଛେ।

ତାହା ଭିତରେ ଏମିତି ବି ସମୟ ଥିଲା ଯେବେ ଆକ୍ରମଣକାରୀ ନିଜର ବିଜୟ ଜାହିର କରିବା ଲାଗି ପରାଜିତ ଜାତି ବା ଅଞ୍ଚଳର ଉପାସନା ପୀଠକୁ ଧ୍ବଂସ କରି ସେଠାରେ ନିଜର ଧର୍ମସ୍ଥଳୀ ନିର୍ମାଣ କରୁଥିଲା। ବିଜୟୀ ରାଜା ପରାଜିତ ରାଜ୍ୟର ମହିଳାଙ୍କୁ ନିଜର ପୁରସ୍କାର ବସ୍ତୁ ମଣୁଥିଲା। ରାଜା ସେମାନଙ୍କୁ ବଳାତ୍କାର କରି ତାଙ୍କ ଉପରେ ସ୍ବେଚ୍ଛାଚାରିତା ପ୍ରୟୋଗ କରୁଥିଲା ଏବଂ ନିଜର ଭୋକିଲା ସିପାହିମାନଙ୍କ ମଧ୍ୟରେ ମହିଳାମାନଙ୍କୁ ବାଣ୍ଟିଦେଉଥିଲା। ସେତେବେଳେ ଆକ୍ରମଣକାରୀ ଉପାସନା ପୀଠଗୁଡ଼ିକୁ ଭାଙ୍ଗିବା ଓ ମହିଳାଙ୍କୁ ଉଠାଇନେବା ହିଁ ପରାଜିତର ପୌରୁଷକୁ ପଦଦଳିତ କରି ବିଲୋପ କରିବାର ପ୍ରତୀକ ରୂପେ ବିବେଚିତ ହେଉଥିଲା। ଆମେ ଏହିସବୁ କଥା ପଢ଼ିଲେ ଲଜ୍ଜିତ ହେଉ ଏବଂ ସେଥିରୁ ଆଗକୁ ବଢ଼ିବାର ସଂକଳ୍ପ କରୁ। ମାତ୍ର ଏମିତି କେତେ ଜଣ ଅଜ୍ଞାନୀ ଆଜି ବି ସେଗୁଡ଼ିକର ଗୌରବଗାନ ଜାହିର କରନ୍ତି। ଏମିତି ଲେଖିଲା ବେଳେ ଲଜ୍ଜିତ ହେବାକୁ ପଡୁଛି, ତଥାପି ଲେଖିବାକୁ ପଡୁଛି ଯେ ଆଜି ବି ଆମେ ସେଥିରୁ ଖୁବ୍ ଅଧିକ ଅଗ୍ରସର ହୋଇପାରିନାହୁଁ। ଆଜି ବି ଦଙ୍ଗା ବେଳେ ଅନ୍ୟ ଧର୍ମର ମହିଳାଙ୍କୁ ଅପମାନିତ କରିବା ସ୍ବାଭାବିକ ଭାବେ ଗୌରବର ବିଷୟ ଭାବେ ବିବେଚିତ ହେଉଛି; ଯୁଦ୍ଧରେ ସୈନିକଙ୍କୁ ବଳାତ୍କାରର ଲାଇସେନ୍‌ସ ମିଳିଥାଏ। ଆଜି ଏକବିଂଶ ଶତାବ୍ଦୀରେ ମଧ୍ୟ ୟୁକ୍ରେନ୍‌ର ମହିଳାଙ୍କ ସହ ଏପରି ଘଟିଛି, ଘଟି ଚାଲିଛି ବି। ଦଳିତଙ୍କର ବସ୍ତିକୁ ଜଳାଇ, ସେମାନଙ୍କର ସାମାଜିକ ରୀତିନୀତିକୁ ଅପମାନିତ କରି, ସେମାନଙ୍କର ଜାଗାବାଡ଼ିକୁ ବଳପୂର୍ବକ କବ୍‌ଜା କରି, ସେମାନଙ୍କର ଝିଅବୋହୂଙ୍କ ସହ ବଳାତ୍କାର କରିବା ପଛରେ କୋଉ ମାନସିକତା କାମ କରୁଛି?

ଆମ ଯବାନମାନେ ନାଗାଲାଣ୍ଡ, ଆସାମ, କାଶ୍ମୀର ଓ ତଥାକଥିତ ଆଦିବାସୀ ଆତଙ୍କବାଦୀଙ୍କ ମୁକାବିଲା କରିବା ନାଆଁରେ ଏସବୁ କରିଛନ୍ତି, କରି ଚାଲିଛନ୍ତି ମଧ୍ୟ। ଲୋକତାନ୍ତ୍ରିକ ସମାଜର ସେନା ଆଉ ଚେଙ୍ଗିଜ ଖାଁର ଲୁଣ୍ଠନ ମଧ୍ୟରେ ବେଶୀ କିଛି ଫରକ ମିଳିବନି! ତେବେ ଆମକୁ ଏଠି ଫଇସଲା କରିବାକୁ ହେବ ଯେ ଇତିହାସକୁ ଦୋହରାଇବାରେ ନା ତାହାକୁ ବଦଳାଇବାରେ ଆମେ ଅଧିକ ଗର୍ବ ଅନୁଭବ କରିପାରିବା। ଇତିହାସକୁ ବଦଳାଇବା ଏକ କଠିନ କାର୍ଯ୍ୟ, ଠିକ୍ ଯେପରି ଆମେ ସମସ୍ତେ ମାନବ ରୂପରେ ଜନ୍ମ ନେଉ, ମାତ୍ର ମନୁଷ୍ୟ ହେବା ବହୁତ କଠିନ।

ଆମେ ସେଭଳି କଠିନ ପରିଶ୍ରମକୁ ଭୟ କରୁ। ଯଦି ଭୟ କରୁ ନ ଥାଆନ୍ତେ ତେବେ ଅଭଦ୍ର ବର୍ବର ଭାବରେ ‘ପ୍ରତି ମସ୍‌ଜିଦ ତଳେ ମନ୍ଦିର କାହିଁକି ରହିଛି’ ବୋଲି ବାରମ୍ବାର ପ୍ରଶ୍ନ କରୁଛନ୍ତି ବା କାହିଁକି? ସମ୍ପୂର୍ଣ୍ଣ ସତ ନ ହେଲେ ବି ଏ କଥା ନିଶ୍ଚିତ ଯେ ଭାରତରେ ହିନ୍ଦୁ ସର୍ବଦା ସଂଖ୍ୟାଗରିଷ୍ଠ ରହି ଆସିଛନ୍ତି, ସେହିପରି ମନ୍ଦିର ସଂଖ୍ୟା ବି ଅଧିକ ରହିଥିଲା। ଯଦି କୌଣସି ଲୁଣ୍ଠନକାରୀ ବା ଆକ୍ରମଣକାରୀ ଭାରତ ଉପରେ ଆକ୍ରମଣ କଲା, ତେବେ ସମୟାନୁକ୍ରମେ ନିଜ ବିଜୟର ପ୍ରମାଣ ଭାବେ ସେ କ’ଣ ଛାଡ଼ିଯାଇଥିବ? ମନ୍ଦିର ଭାଙ୍ଗିଥିବ ଆଉ ମସ୍‌ଜିଦ ତୋଳିଥିବ। ଅନ୍ୟ ସମୟରେ ଅନ୍ୟ କିଛି ହୋଇଛି। ତେବେ ଆଜି ଆମେ କ’ଣ କରିପାରିବା? ହିନ୍ଦୁମାନେ କେତେ ଯେ ବୌଦ୍ଧବିହାରକୁ ମନ୍ଦିରରେ ପରିବର୍ତ୍ତନ କରିଛନ୍ତି, ତା’ର କ’ଣ ହିସାବ କରିବା? ବଦ୍ରିନାଥ ମନ୍ଦିର ସମ୍ପର୍କରେ ମଧ୍ୟ ଏକ କାହାଣୀ ଶୁଣାଯାଏ କି ତାହା ଅଷ୍ଟମ ଶତାବ୍ଦୀ ଯାଏ ଏକ ବୌଦ୍ଧ ମନ୍ଦିର ଥିଲା ଯାହାକୁ ଆଦି ଶଙ୍କରାଚାର୍ଯ୍ୟ ହିନ୍ଦୁ ମନ୍ଦିରକୁ ରୂପାନ୍ତରିତ କରିଦେଇଥିଲେ। ତାଜା ଉଦାହରଣ ସ୍ବରୂପ, ବୈଷ୍ଣୋଦେବୀ ମନ୍ଦିରର ପରିଚାଳନାକର୍ତ୍ତାଙ୍କ ଦ୍ବାରା ସେଠାରେ ମୁସଲମାନମାନଙ୍କ ପାଇଁ କେବଳ ଆଶ୍ରୟର ବ୍ୟବସ୍ଥା କରାଯାଇନି, ରମଜାନ ସମୟରେ ମୁସଲମାନ ଯାତ୍ରୀଙ୍କ ପାଇଁ ସେଠାରେ ଇଫତାରୀ ବ୍ୟବସ୍ଥା ରଖାଯାଇଛି। ତେଣୁ କାଲି ଯଦି କୌଣସି ମୁସଲମାନ ତାହାକୁ ନିଜର ବୋଲି ଦାବି କରେ?

ମୋତେ କେହି ପଚାରିଲେ ମୁଁ ଅବିଳମ୍ବେ କହିବି ଯେ ବଦ୍ରିନାଥ ମନ୍ଦିର ସମ୍ପର୍କରେ କୌଣସି ସର୍ବେକ୍ଷଣର ଆବଶ୍ୟକତା ନାହିଁ କି ତାହା ବୌଦ୍ଧବିହାର ହୋଇଥିବାର ଇତିହାସକୁ ତର୍ଜମା କରିବା ଜରୁରୀ ନୁହେଁ। ତାହା ଠାରୁ ଏବଂ ଏପରି ଅନେକ ଇତିହାସ ଠାରୁ ଆମ ସମାଜର ବର୍ତ୍ତମାନ ହିଁ ଅଧିକ ସଂରକ୍ଷଣୀୟ। ବଦ୍ରିନାଥ ଆମର ପବିତ୍ରତମ ପୀଠ ମଧ୍ୟରୁ ଗୋଟିଏ ବୋଲି ଆମର ବର୍ତ୍ତମାନ କହୁଛି, ତାହାର ଏହି ସ୍ବରୂପ ବଜାୟ ରହିବା ଦରକାର। ଏଥି ସହିତ ଇଚ୍ଛା କରିବି, ଯତ୍ନ କରିବି ଏବଂ ଏଥି ପ୍ରତି ସମାଜକୁ ସଜାଗ କରିବି ଯେ ଓଡ଼ିଶାର ଜଗନ୍ନାଥ ମନ୍ଦିର ଓ ଝାଡ଼ଖଣ୍ଡର ବୈଦ୍ୟନାଥ ମନ୍ଦିର ଆଦି ଧାର୍ମିକସ୍ଥଳୀ ଏଭଳି ଉଜ୍ଜ୍ବଳ ଏବଂ ପ୍ରାଣବାନ ହୋଇଯାଉ ଯେପରି ଆଗକୁ କେବେ କୌଣସି ବିନୋବାଙ୍କୁ ପ୍ରବେଶ ମନା ନ ହେବ, ତାଙ୍କୁ ପିଟା ନ ଯିବ ଏବଂ କୌଣସି ଗାନ୍ଧୀଙ୍କ ଉପରେ ଆକ୍ରମଣ ନ ହେବ।

ଇତିହାସର କଳାପୃଷ୍ଠାକୁ ଆମେ ଓଲଟାଇବା ଆରମ୍ଭ କଲେ ନିଜର ଚେହେରା ଲୁଚାଇବା କଠିନ ହୋଇପଡ଼ିବ। କେଉଁଠି କଳା ଓ ଗୋଲାମ ଲୋକ ମିଳିବେ ଯେଉଁମାନେ ଗୋରାଙ୍କ ଉପରେ ସେପରି ବର୍ବରତା କରିବାକୁ ଚାହିବେ; ଆମେରିକାର ଶ୍ବେତ ସମାଜ ଲୋହିତ ଭାରତୀୟମାନଙ୍କୁ କ’ଣ ବା କହିବ ଯେତେବେଳେ ସେମାନେ ନିଜ ଅସ୍ତିତ୍ବର ପ୍ରତିଟି ସତ୍ତାକୁ ଫେରାଇବାକୁ କହିବେ? ପୁରୁଷମାନଙ୍କୁ ଗୋଟିଏ ଦିନ ପାଇଁ ଆତ୍ମସମର୍ପଣ କରିବାକୁ ମହିଳାମାନେ ଚାହିବେ, ସମାଜର ବାକି ବର୍ଗଙ୍କୁ ସଭ୍ୟ କରିବା ଲାଗି ଏକ ସୁଯୋଗ ଦେବାକୁ ପଛୁଆ-ଦଳିତ-ଆଦିବାସୀମାନେ ନିବେଦନ କରିବେ। ଏଥି ସହିତ କୌଣସି ଭିଡିଓଗ୍ରାଫି ବିନା ବି ଇଂରେଜମାନେ ପ୍ରମାଣ କରିଦେବେ କି ଦୁଇଶହରୁ ଅଧିକ ବର୍ଷ ଧରି ଭାରତ ସେମାନଙ୍କର ଉପନିବେଶ ହୋଇ ରହିଥିଲା ଯେଉଁଠି ସେମାନେ ବହୁତ କିଛି ନିବେଶ କରିଥିଲେ; ସୁତରାଂ ସେମାନଙ୍କୁ ସେମାନଙ୍କ ଉପନିବେଶ ଫେରାଇ ଦିଆଯାଉ। ଯଦି ଏହା କଳ୍ପନାକୁ ଅଧିକ ଟଣା ଓଟରା କରିବା ଭଳି ମନେ ହେଉଛି ତେବେ ନିଜ ଭିତରେ ଥିବା ପୁଟିନ୍‌ଙ୍କୁ ଶୁଣନ୍ତୁ ଯିଏ ୟୁକ୍ରେନ୍‌କୁ ବାରମ୍ବାର ଗୋଟିଏ କଥା ମନେ ପକେଇ ଦେଉଛନ୍ତି ଯେ ତୁମର ଅସ୍ତିତ୍ବକୁ ଆମେ ଦି‌େନ ଗଢ଼ିଥିଲୁ, ତେଣୁ ଆଜି ତାହାକୁ ମାଟିରେ ମିଶାଇବାର ଅଧିକାର ଆମର ରହିଛି ଏବଂ ସାରା ଦୁନିଆ ଆଖି ଖୋଲି ଆମର ତାଣ୍ଡବ ନୃତ୍ୟ ଦେଖି ଚାଲିଥିବ। ଆଉ ଇଏ ବି ଇତିହାସର ଏମିତି ଅଗଣିତ କଳା ପୃଷ୍ଠା ଯାହା କେତେକ ଜାଜ୍ବଲ୍ୟମାନ ସୁବର୍ଣ୍ଣ ପୃଷ୍ଠା ସହ ଆମର ଐତିହ୍ୟ ହୋଇ ରହିଛି। ଆମେ ଏଥିପାଇଁ ମଣିଷ ଯେ ଆମେ ତାହାକୁ ଜାଣି-ଜଣାଇପାରୁଛେ, ତାହାକୁ ପଢ଼ି-ପଢ଼ାଇପାରୁଛେ, ମାତ୍ର ତାହାକୁ ଦୋହରାଉ ନାହୁଁ। ଯିଏ ଇତିହାସକୁ ଦୋହରାଇବାର ଅନ୍ଧ ଦୌଡ଼ ଲଗାଏ, ସେ କିପରି ଇତିହାସ ଦ୍ବାରା ମରିଯାଏ, ସେ କାହାଣୀ ମଧ୍ୟ ଇତିହାସରେ ହିଁ ମିଳିଯିବ। ତେଣୁ ପ୍ରତି ଇତିହାସର ଛିନ୍ନ ତାରିଖ (କଟ୍‌ ଅଫ୍‌ ଡେଟ୍‌) ଏଇ ମୁହୂର୍ତ୍ତ- ବର୍ତ୍ତମାନରୁ ହିଁ ଆରମ୍ଭ ହୋଇଥାଏ।

ଜଣେ ନିର୍ବୋଧ ଚିତ୍କାର କରୁଛି ଯେ ଆମେ ୧୯୪୭କୁ ନୁହେଁ, ୧୧୯୨କୁ ହିନ୍ଦୁ ଇତିହାସର ପ୍ରାରମ୍ଭ ମାନୁଛୁ, କାରଣ ସେହି ବର୍ଷ ପୃଥ୍ବୀରାଜ ଚୌହାନଙ୍କୁ ମହମ୍ମଦ ଘୋରୀ ହରାଇଥିଲେ। ଅନ୍ୟପଟେ ଆଉ ଜଣେ ମହାମୂଢ଼ ଚିତ୍କାର କରି କହିପାରେ ଯେ ଆମ ଭାରତ ଇତିହାସର ପ୍ରାରମ୍ଭ ସପ୍ତମ ଶତାବ୍ଦୀରୁ ଗଣନା କରିବୁ ଯେତେବେଳେ ଭାରତକୁ ଇସଲାମ ଆସିବାର ପ୍ରଥମ ପ୍ରମାଣ ରହିଛି। ଏଠାରେ କେହି ମଧ୍ୟ ଚିତ୍କାର କରୁଛି ଯେ ଭାରତକୁ ୧୯୪୭ ନୁହେଁ, ୨୦୧୪ରେ ସ୍ବାଧୀନତା ମିଳିଲା। ୧୯୪୭ରେ ମିଳିଥିବା ସ୍ବାଧୀନତା ତ ଭିକ୍ଷାରେ ମିଳିଥିଲା, ଆଉ ଏଇ ଭିକ୍ଷାମଗା ଶୁଣି ‘ସେମାନେ ସମସ୍ତେ’ ହସୁଛନ୍ତି। ଏଭଳି ସ୍ଥିତିରେ କେହି ଚିତ୍କାର କରିବ ଯେ ଆମେ ଆମର ଇତିହାସକୁ ଖ୍ରୀ.ପୂ. ୬୨୩ (କ୍ୟାଲେଣ୍ଡର ଗଣନା ପୂର୍ବରୁ ବି)ଠାରୁ ମାନୁଛୁ ଯେବେ ଆମର ପ୍ରଥମ ମସ୍‌ଜିଦ କେରଳରେ ନିର୍ମିତ ହୋଇଥିଲା। ପୁଣି କିଏ କହିବ ଯେ ଆମର ପ୍ରଥମ ଗୀର୍ଜା ଯେବେ ନିର୍ମିତ ହେଲା ସେବେ ଠାରୁ ଭାରତର ଅସ୍ତିତ୍ବକୁ ଆମେ ମାନୁଛୁ। ପୁଣି କିଏ ଦାବି କରି ବସିବ ଯେ ଆମର ପ୍ରଥମ ଆତଶବହେରାମ (ଜୋରୋଷ୍ଟ୍ରିଆନମାନଙ୍କ ପବିତ୍ର ଉପାସନା ପୀଠ) ଯେବେ ନିର୍ମିତ ହେଲା, ସେବେ ଠାରୁ ଭାରତକୁ ଆମେ ସ୍ବୀକାର କରୁଛୁ। ସେହିପରି ପ୍ରଥମ ଗୁରୁଦ୍ବାର ନିର୍ମାଣ ପର ଠାରୁ ଭାରତର ଅସ୍ତିତ୍ବର ହିସାବ କରିବାକୁ କେହି ଉନ୍ମାଦଗ୍ରସ୍ତ ମଧ୍ୟ ସାମନାକୁ ଆସିଯିବ।

ଏମିତି ସବୁ ଯଦି ଘଟିବ, ଭାରତ କେମିତି ବଞ୍ଚି ରହିବ? ସେଥିପାଇଁ ବାବରୀ ମସ୍‌ଜିଦ ଆଳରେ ଯେବେ ସ୍ବାଧୀନ ଭାରତର ପରିକଳ୍ପନା ଉପରେ ଆକ୍ରମଣ ହେଲା, ତେବେ ଆମ ସଂସଦ ଧାର୍ମିକସ୍ଥଳୀ ଆଇନ ୧୯୯୧ ପ୍ରସ୍ତୁତ କଲା ଏବଂ ୧୯୪୭ର ସ୍ବାଧୀନତାକୁ ଆମର ବର୍ତ୍ତମାନର ‘କଟ୍‌ ଅଫ୍‌ ଡେଟ୍‌’ ଭାବେ ଗ୍ରହଣ କଲା। କୌଣସି ବି ଜୀବିତ ଲୋକତାନ୍ତ୍ରିକ ସମାଜର ପ୍ରଥମ ଲକ୍ଷଣ ହେଲା ସେ ନିଜ ଭିତରେ ଉଠୁଥିବା କିଛି ବି ସମସ୍ୟାର ସମାଧାନ ନିଜ ଭିତରେ ହିଁ ଖୋଜିଥାଏ ଯେମିତି ନିଜ ଭିତରେ ଉଠୁଥିବା ଅବିରାମ ଲହଡ଼ିକୁ ସାଗର ନିଜ ଭିତରେ ଥଇଥାନ କରିବାକୁ ନିରନ୍ତର ପ୍ରୟାସ କରି ଚାଲିଥାଏ। ଯେଉଁ ସମାଜ ଏପରି କରିବା ଛାଡ଼ିଦିଏ, ସେ ନିଜର ପ୍ରତିକୂଳ ଲହଡ଼ିରେ ବୁଡ଼ିଯାଏ। ଆମେ ସେମିତି ଏକ ସ୍ଥିତିରେ ଅବତୀର୍ଣ୍ଣ ହୋଇଛୁ। ନିଜକୁ ସମ୍ଭାଳି ଆମେ କୂଳକୁ ଫେରିପାରିବା ନା ବୁଡ଼ି ମରିବା ତାହା ଦେଖିବାକୁ ରହିଲା।

ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ

ସମ୍ବନ୍ଧିତ ଖବର