ଚୀନର ତଥ୍ୟ ଚୋରି ଉଦ୍ୟମ ସାଇବର ମହାଯୁଦ୍ଧର ଭୟ

ପ୍ରସଙ୍ଗ

ଯୁକ୍ତରାଷ୍ଟ୍ର ଆମେରିକାର ‘ଫେଡେରାଲ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ’ ବା ଏଫ୍‌.ବି.ଆଇ. ଏବଂ ‘ହୋମଲାଣ୍ଡ ସିକ୍ୟୁରିଟି’ ପକ୍ଷରୁ କୁହାଯାଇଛି ଯେ ଚୀନ ଦ୍ବାରା କଂପ୍ୟୁଟର ହ୍ୟାକିଂ କରାଯାଇ ଯୁକ୍ତରାଷ୍ଟ୍ର ଆମେରିକାରେ ବିଶେଷ ଅଗ୍ରଗତି ଲାଭ କରିଥିବା ‘କୋଭିଡ୍‌-୧୯’ ପ୍ରତିଷେଧକ ଗବେଷଣାରୁ ତଥ୍ୟ ଚୋରି କରାଯିବାର ଉଦ୍ୟମ ଚାଲିଛି। ଏହି ସଂପର୍କିତ ସମ୍ବାଦ ‘ୱାଲ୍‌ ଷ୍ଟ୍ରିଟ୍ ଜର୍ନାଲ’ ଏବଂ ‘ନ୍ୟୁୟର୍କ ଟାଇମ୍‌ସ’ରେ ପ୍ରକାଶିତ ହୋଇଛି। ଖୁବ୍‌ ଶୀଘ୍ର ଆମେରିକା ଏ ସଂପର୍କରେ ସରକାରୀ ଭାବେ ଘୋଷଣା କରିବ। କହିବା ନିଷ୍ପ୍ରୟୋଜନ ଯେ ଏହାକୁ ଚୀନ ପକ୍ଷରୁ ଖଣ୍ଡନ କରାଯିବା ସହିତ କୁହାଯାଇଛି ଯେ ‘କୋଭିଡ୍-୧୯’ ଗବେଷଣା ଏବଂ ତାର ମୁକାବିଲା କ୍ଷେତ୍ରରେ ଚୀନ ସର୍ବଦା ଆଗରେ ରହିଆସିଛି। ସୁତରାଂ ଆମେରିକାର ଅଭିଯୋଗ ଅମୂଳକ। ଗଲା ସପ୍ତାହରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇଂଲାଣ୍ଡ ମିଳିତ ଭାବେ ଏକ ବୟାନ ଜାରି କରିଥିଲେ ଯେ ପ୍ରତିଷେଧକ ପ୍ରସ୍ତୁତି ଦୌଡ଼ରେ ଆଗରେ ଥିବା ଦେଶଗୁଡ଼ିକର ଚିକିତ୍ସା ଗବେଷଣା ଅନୁଷ୍ଠାନ ଏବଂ ଚିକିତ୍ସକମାନଙ୍କ କଂପ୍ୟୁଟର ହ୍ୟାକିଂ କରିବାର ଜୋରଦାର ଉଦ୍ୟମ ଚାଲିଛି। ପୁଣି କେବଳ ଚୀନ ନୁହେଁ, ରୁଷିଆ‌, ଇରାନ ଓ ଉତ୍ତର କୋରିଆ ଭଳି ଦେଶ ଏଭଳି ତଥ୍ୟ ‌େଚାରି ପ୍ରତିଯୋଗିତାରେ ସାମିଲ ଅଛନ୍ତି।

କରୋନା ସଂକ୍ରମଣ ଏକ ବିଶ୍ବ ମହାମାରୀରେ ପରିଣତ ହେବା ପଛରେ ଚୀନର ଭୂମିକା ଏବେ ତାକୁ ଏକ ଅତ୍ୟନ୍ତ ଅବିଶ୍ବସନୀୟ ରାଷ୍ଟ୍ରର ଭାବମୂର୍ତ୍ତି ପ୍ରଦାନ କରିଛି। ଅବଶ୍ୟ ପୂର୍ବରୁ ଊଣାଅଧିକେ ଅନେକ ରାଷ୍ଟ୍ର ଚୀନକୁ ଏକ ଛଳନାକାରୀ ଦେଶ ରୂପେ ଦେଖୁଥିଲେ। ଏବେ ସେମାନଙ୍କ ସେହି ଧାରଣା ଅଧିକ ଦୃଢ଼ ହୋଇଛି। ଏହା ମଧ୍ୟ ସମସ୍ତଙ୍କୁ ଅବଗତ ‌େଯ ସାଇବର ଚୋରି ଚୀନରେ ଏକ ସରକାରୀ ପ୍ରାୟୋଜିତ ସଂଗଠିତ ଉଦ୍ୟମରେ ପରିଣତ ହେଲାଣି। କିନ୍ତୁ ଚୀନ ଭିତରେ ରହି କାମ କରୁଥିବା ହ୍ୟାକର୍‌ମାନେ କେବେ ବି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ଦଣ୍ଡିତ ହେବେ ସମ୍ଭାବନା ନ ଥିବାରୁ ‌େସମାନେ ନିର୍ଭୟରେ ସେମାନଙ୍କ କାର୍ଯ୍ୟ ଜାରି ରଖିଛନ୍ତି।

ତେବେ ଏବେ ଯୁକ୍ତରାଷ୍ଟ୍ର ଆମେରିକା ଏକ ପୂର୍ଣ୍ଣ ‘ସାଇବର ଯୁଦ୍ଧ’କୁ ଓହ୍ଲାଇବା କଥା ଇଙ୍ଗିତ କଲାଣି। ଏଥିଲାଗି ପେଣ୍ଟାଗନର ‘ସାଇବର କମାଣ୍ଡ୍‌’ ଏବଂ ‘ନେସନାଲ ସିକ୍ୟୁରିଟି ଏଜେନ୍‌ସି’ ପ୍ରସ୍ତୁତ ହେଲେଣି। ଏଭଳି ମହାଯୁଦ୍ଧର ପ୍ରଭାବ ବିଶ୍ବ ଯୋଗାଯୋଗ କ୍ଷେତ୍ରରେ କିଭଳି ପଡ଼ିବ ତାହା ସମୟ କହିବ। ତେବେ ଆଶା କରିବା ଉଚିତ ଯେ କରୋନା ମହାମାରୀ କାଳରେ ଏହା ବିଶ୍ବକୁ ଅଧିକ ଆକ୍ରାନ୍ତ ନ କରୁ।

ସମ୍ବନ୍ଧିତ ଖବର