ପ୍ରକୃତ ପରିଚୟ

କଥାଟିଏ - ଯାଯାବର

ମଣିଷ ନିଜକୁ ଚିହ୍ନିଥାଏ କି?

ଏଭଳି ଏକ ପ୍ରଶ୍ନର ଉତ୍ତରରେ ଗୁରୁ ୟୁଜି କୃଷ୍ଣମୂର୍ତ୍ତି ବିଶ୍ବବିଜୟୀ ନେପୋଲିଅନଙ୍କ ଅନ୍ତିମ ଜୀବନ କାଳର କଥାଟିଏ କହିଲେ।

ଦିଗ୍‌ବିଜୟୀ ନେପୋଲିଅନ୍ ମୁଷ୍ଟିମେୟ ସେହିଭଳି ବ୍ୟକ୍ତିମାନଙ୍କ ଭିତରୁ ଜଣେ ଥିଲେ, ଯିଏ ଯାହା ଚାହୁଁଥିଲେ କ୍ଷଣିକେ ତାହା ହିଁ ସମ୍ଭବ କରାଯାଉଥିଲା। କିନ୍ତୁ ଅନ୍ତିମ ଯୁଦ୍ଧରେ ସେ ପରାଜିତ ହେବା ପରେ ସେଣ୍ଟ ହେଲେନା ଦ୍ବୀପକୁ ନିର୍ବାସିତ ହେଲେ ଯେଉଁଠାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

ହେଲେନା ଦ୍ବୀପରେ ପହଞ୍ଚିବା ପରେ ପ୍ରଥମ ସକାଳେ ନେପୋଲିଅନ ତାଙ୍କର ଜଣେ ସହକାରୀ (ଡାକ୍ତର)ଙ୍କ ସହିତ ଏକ ସରୁ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଅପର ଦିଗରୁ ଜଣେ କୃଷକ ଆସୁଥିବାର ଦେଖିଲେ। କୃଷକ ପାଖରେ ପହଞ୍ଚି ମୁହାଁମୁହିଁ ହୋଇଯିବା ପୂର୍ବରୁ ‌ନେପୋଲିଅନ ଗୋଟିଏ ପଟକୁ ହଟିଯାଇ ତାଙ୍କୁ ବାଟ ଛାଡ଼ିଦେଲେ। ତାଙ୍କ ଡାକ୍ତର ବନ୍ଧୁ ଜଣକ କହି ଉଠିଲେ- କି ଆସ୍ପର୍ଦ୍ଧା! ଛାର ଲୋକଟି ବିଶ୍ବବିଜୟୀ ନେପୋଲିଅନଙ୍କୁ ଖାତିର କଲା ନାହିଁ?

ନେପୋଲିଅନ ତାଙ୍କୁ ଅଟକାଇ ଦେଇ କହିଲେ-ବନ୍ଧୁ, ଏ ପର୍ଯ୍ୟନ୍ତ ତୁମେ ଜାଣି ପାରିଲ ନାହିଁ ଯେ ମଣିଷ ପ୍ରକୃତରେ କ’ଣ? ମଣିଷ ଅତି ନଗଣ୍ୟ। କିନ୍ତୁ ଆମର ପ୍ରଭାବ, ପ୍ରତିପତ୍ତି, କ୍ଷମତା, ଯଶ ଏପରିକି ବେଶ ପୋଷାକ ଆମ ଭଳି ନଗଣ୍ୟ ମଣିଷକୁ ଲୁଚାଇ ପକାଇ ଏମିତି ଏକ ପରିଚିତି ଦିଏ, ଯାହାକୁ ଆମେ ଆମ ପ୍ରକୃତ ପରିଚୟ ବୋଲି ଭାବୁ। ଏବେ ମୁଁ ଜାଣିପାରୁଛି ମୁଁ ପ୍ରକୃତରେ କ’ଣ? ଏ ସବୁ ବିନା ମୁଁ ସତ‌େର କେତେ ନଗଣ୍ୟ!

ସମ୍ବନ୍ଧିତ ଖବର