କୁମ୍ଭାରଶାଳରେ କରୋନା ମାଡ଼ : ଉଜୁଡ଼ିଲା ରୋଜଗାର, ଚିନ୍ତାରେ କୁମ୍ଭକାର

ପିପିଲି : ବିଶ୍ବ ମହାମାରୀ ‘କରୋନା’ ଲକ୍‌ଡାଉନ୍‌ ସ୍ଥାନୀୟ କୁମ୍ଭାର ସମ୍ପ୍ରଦାୟର ଜୀବନ ଜୀବିକାକୁ ଛଡ଼ାଇ ନେଇଛି। ଲକ୍‌ଡାଉନ୍‌ ପରଠାରୁ କୁମ୍ଭାର ଚକ ଆଉ ଚାଲୁନି କି ଭାଟି ଜଳୁନି। କାଠ ଚକରେ ଏବେ ଉଈ ଲାଗିଗଲାଣି ବୋଲି କୁମ୍ଭକାରମାନେ ଅତି ଦୁଃଖର ସହ କହିଛନ୍ତି। ମାଟିସହ ଘାଣ୍ଟି ହୋଇ ଏହି ସମ୍ପ୍ରଦାୟର ଲୋକେ ବିଭିନ୍ନ ପ୍ରକାର ମାଟି ହାଣ୍ତି, ମାଠିଆ, ସୁରେଇ, ଢାଙ୍କୁଣୀ ଦୀପ, ଫୁଲ କୁଣ୍ତ ଇତ୍ୟାଦି ତିଆରି କରି ବଜାରରେ ବିକ୍ରୟ କରିଥାନ୍ତି। ଖାସକରି ଲକ୍‌ଡାଉନ୍‌ କଟକଣା ଯୋଗୁ ଦେବାଦେବୀ ମନ୍ଦିର ବନ୍ଦ ଥିବାରୁ ଦୀପ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉଥିବା କୁମ୍ଭକାରମାନେ ଏବେ ଆର୍ଥିକ ଅନାଟନ ଭିତରେ ଘରେ ବସି ରହିଛନ୍ତି।

ପ୍ରଭୁ ଜଗନ୍ନାଥଙ୍କର ମହାପ୍ରସାଦ ନିମନ୍ତେ ପିପିଲି ଅଞ୍ଚଳରୁ ମଧ୍ୟ ମାଟି କୋଡ଼ୁଆ ପୁରୀ ଯାଇଥାଏ। ସେହିପରି ବାହାଘର ତଥା ମାଙ୍ଗଳିକ କାର୍ଯ୍ୟ, ବିଭିନ୍ନ ପର୍ବପର୍ବାଣି, ହୋମ ଯଜ୍ଞ ଆଦି କାର୍ଯ୍ୟରେ ମଧ୍ୟ ମାଟିପାତ୍ରର ଆବଶ୍ୟକ ହୋଇଥାଏ। ପିପିଲି ବ୍ଲକ୍‌ର ନୂଆଶାସନ, ନିଜିଗଡ଼କୁରଖି, ଷଷ୍ଠସ, ବନ୍ତଳସିଂ, ଜୟପୁର, ଜଗନ୍ନାଥପୁର, ସହଜପୁର, ଯଶୁଆପୁର, ଯୋପନ, ମାଟିସାହି, କାଜିପାଟଣା, ମହାବଳପଡ଼ା ଆଦି ଗାଁର ପ୍ରାୟ ୫ହଜାର କୁମ୍ଭକାର ପରିବାର ବସବାସ କରୁଛନ୍ତି। ସାମୁଦ୍ରିକ ବାତ୍ୟା ‘ଫନି’ରେ କୁମ୍ଭକାର ମାନଙ୍କର ଭାଟି ଓ ପ୍ରସ୍ତୁତ ସାମଗ୍ରୀ ମାଟିରେ ମିଶିଯାଇଥିଲେ ମଧ୍ୟ ଅଦ୍ୟାବଧି ସରକାରୀ ସହାୟତା ମିଳିନି। ଏବେ ‘କରୋନା’ ବିପତ୍ତି କୁମ୍ଭକାରଙ୍କର ମୁଣ୍ତରେ ଚଡ଼କ ପକାଇଛି।

ମାଟି ତିଆରି ସାମଗ୍ରୀର ବିକ୍ରି ନଥିବାରୁ କୁମ୍ଭକାରମାନେ ଦୀର୍ଘ ଦେଢ଼େମାସ ହେବ ଆଉ ସାମଗ୍ରୀ ତିଆରି କରୁନାହାନ୍ତି। ବହୁ କଷ୍ଟରେ ମାଟି ସଂଗ୍ରହ କରି ତାକୁ ଅକ୍ଳାନ୍ତ ପରିଶ୍ରମ କରି ଚକଟି, ଚକରେ ଗଢ଼ି ଶୁଖାଇ, ତାକୁ ଭାଟିରେ ପୋଡ଼ିଥାନ୍ତି। କଞ୍ଚା ମାଟି ସାମଗ୍ରୀଗୁଡ଼ିକୁ ଭାଟିରେ ପୋଡ଼ିବା ପାଇଁ କାଠ, ଜାଳର ଆବଶ୍ୟକ ଥାଏ। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତି ଓ ସରକାରୀ ପ୍ରୋତ୍ସାହନର ଅଭାବ ଯୋଗୁ ଅନେକ କୁମ୍ଭକାର ଏହି କୌଳିକ ବୃତ୍ତିରୁ ଦୂରେଇ ଗଲେଣି। ଏହି ସମ୍ପ୍ରଦାୟର କଳାକୃତିକୁ ବଞ୍ଚାଇ ରଖିବାକୁ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରି ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର