ଉଦାର କର ବ୍ୟବସ୍ଥା ଲୋଡ଼ା

କରୋନା ମୁକାବିଲା - ସହଦେବ ସାହୁ

କିଛିଦିନ ତଳେ ପଚାଣ ଜଣ ଭାରତୀୟ ରାଜସ୍ବ ସେବା ଅଧିକାରୀ କରୋନା ମୁକାବିଲା ପାଇଁ ଦଶ ଲକ୍ଷ ଟଙ୍କାରୁ ଉପରେ ଆୟ କରୁଥିବା କର ଦାତାଙ୍କ ଉପରେ ୪% କରୋନା ସେସ୍‌ ବସେଇବା, ଇନ୍‌କମ୍‌ ଟାକ୍‌ସ ୩୦%ରୁ ୪୦%ରେ ବୃଦ୍ଧି କରିବା, ସମ୍ପତ୍ତି କର ବସେଇବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। କରୋନା ଯୋଗୁଁ ଯେତେବେଳେ ଅର୍ଥନୀତି ବିପର୍ଯ୍ୟସ୍ତ, କଳକାରଖାନା, ବେପାର ବଣିଜ ବନ୍ଦ ହୋଇଯାଇଛି; ସେହି ସମୟରେ ଏପରି ପ୍ରସ୍ତାବ ଶିଳ୍ପୋଦ୍ୟୋଗୀଙ୍କୁ ଆତଙ୍କିତ କରିବା ସ୍ବାଭାବିକ। ସରକାରଙ୍କୁ ତାଙ୍କର ବରିଷ୍ଠ ଅଫିସରମାନଙ୍କର ଏପରି ଦୁର୍ଦ୍ଦିନରେ ଏହି ପ୍ରସ୍ତାବ ଅଡ଼ୁଆରେ ପକେଇ ଦେଇଛି। ସିବିଡିଟି ଏପରି ପ୍ରସ୍ତାବ ରଖିଥିବା ତିନିଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଛି।

ଭାରତୀୟ ରାଜସ୍ବ ସେବା ଅଧିକାରୀ ହୁଅନ୍ତୁ କିମ୍ବା ରାଜ୍ୟ ଜିଏସ୍‌ଟି ପ୍ରଶାସକ ହୁଅନ୍ତୁ; ସେମାନେ କର ଅସୁଲି କିମ୍ବା ଟିକସ ବୃଦ୍ଧି ବାହାରକୁ କିଛି ଚିନ୍ତା କରିପାରନ୍ତି ନାହିଁ। ସେମାନେ ଚିନ୍ତା କରିପାରନ୍ତି ନାହିଁ ଯେ କରହାର ବୃଦ୍ଧି କଲେ କିମ୍ବା ଅଧିକ କର ବସେଇଲେ ତାହାର ପ୍ରଭାବ ଶିଳ୍ପବାଣିଜ୍ୟ କିମ୍ବା ଅର୍ଥନୀତି ଉପରେ କି ପ୍ରକାର ପ୍ରଭାବ ପକେଇବ। କରୋନାରେ ଲକ୍‌ଡାଉନ୍‌/ସଟ୍‌ଡାଉନ୍‌ ସମୟରେ ଅର୍ଥବ୍ୟବସ୍ଥା ବିପର୍ଯ୍ୟସ୍ତ, କଳ କାରଖାନା ବନ୍ଦ, ଉଦ୍ୟୋଗୀମାନେ କ୍ଷତିଗ୍ରସ୍ତ, ସେତିକି ବେଳେ ଅଧିକ କର ବୋଝ ଉପରେ ନଳିତା ବିଡ଼ା ପରି; ନଇଁ ପଡ଼ିଥିବା ଅବସ୍ଥାରୁ ଶୋଇବା ଅବସ୍ଥାକୁ ନେଇଯିବ। ସରକାରଙ୍କର ମୁଖ୍ୟ ଆଭିମୁଖ୍ୟ କରୋନା ମୁକାବିଲା ସହିତ କ୍ଷତିଗ୍ରସ୍ତ ଶିଳ୍ପ ବାଣିଜ୍ୟର ପୁନରୁଦ୍ଧାର, ଶିଳ୍ପ ବାଣିଜ୍ୟକୁ ବୁଡ଼େଇବା ନୁହେଁ। ଶିଳ୍ପ ବାଣିଜ୍ୟର ପୁନରୁଦ୍ଧାର ହେଲେ ରୋଜଗାରର ସୁଯୋଗ ଆସିବ, ସାଧାରଣ ଲୋକଙ୍କର କ୍ରୟଶକ୍ତି ବୃଦ୍ଧି ପାଇବ, ସରକାର ମଧୢ ଅଧିକ ଟିକସ ପାଇବେ।

ସରକାରଙ୍କର ପ୍ରାଥମିକତା ହେଉଛି କରୋନା ପ୍ରଭାବ ନିରୋଧ କରିବା ସହିତ କରୋନାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣି ସ୍ଥିରତା ବଜାୟ ରଖିବା। କରୋନାର ପ୍ରଭାବ ହ୍ରାସ ନ ହେଲା ପର୍ଯ୍ୟନ୍ତ ଅର୍ଥନୈତିକ କାର୍ଯ୍ୟକଳାପ ଠପ୍‌ ହୋଇ ରହିଥିବ। ଦ୍ବିତୀୟ ପର୍ଯ୍ୟାୟରେ ସରକାରଙ୍କ ଦାୟିତ୍ବ ଅର୍ଥନୈତିକ କାର୍ଯ୍ୟକଳାପର ପୁନରୁଦ୍ଧାର କରିବା। ଏବେ କରୋନାକୁ ନିୟନ୍ତ୍ରଣ କରିବାକୁ ସରକାର ଖର୍ଚ୍ଚ କରୁଛନ୍ତି ଏବ˚ ସରକାରଙ୍କର ରାଜସ୍ବ ଆଦାୟରେ ମଧୢ ହ୍ରାସ ଘଟୁଛି। ସରକାରଙ୍କର ରାଜସ୍ବ ବୃଦ୍ଧି ଏବ˚ ରୋଜଗାର ସୃଷ୍ଟି କରିବାକୁ ଅର୍ଥନୈତିକ କାର୍ଯ୍ୟକଳାପର ପୁନରୁଦ୍ଧାର ଆବଶ୍ୟକ।

ରାଜ୍ୟର ସମ୍ପୂର୍ଣ୍ଣ ରାଜସ୍ବର ଅଧାରୁ ଅଧିକ ଜିଏସ୍‌ଟିରୁ ଆସିଥାଏ। ଏହି ଲେଖା ଲେଖିବା ବେଳକୁ କେନ୍ଦ୍ର ସରକାର ଏପ୍ରିଲ ମାସର ଜିଏସ୍‌ଟି ଆଦାୟ ଘୋଷଣା କରିନାହାନ୍ତି। କରୋନା ପାଇଁ ରିଟର୍ଣ୍ଣ ଦାଖଲ ହୋଇପାରୁନାହିଁ, ଫଳରେ କେତେ ଆଦାୟ ହୋଇଛି ହିସାବ କରାଯାଇପାରି ନାହିଁ। ତଥାପି କର ପ୍ରଶାସନରେ ସମ୍ପୃକ୍ତ ବିଶେଷଜ୍ଞମାନେ ଆକଳନ କରୁଛନ୍ତି, ଏପ୍ରିଲ ମାସରେ ମାର୍ଚ୍ଚ ମାସ ଆଦାୟର ଚାଳିଶରୁ ପଚାଶ ପ୍ରତିଶତ ଜିଏସ୍‌ଟି ଆଦାୟ ହୋଇଥିବ। ମାର୍ଚ୍ଚ ମାସରେ ୯୭ ହଜାର କୋଟି ଟଙ୍କା ଆଦାୟ ହୋଇଥିଲା, ତେଣୁ ଏପ୍ରିଲ ମାସର ଆଦାୟ ୪୦ରୁ ୫୦ ହଜାର କୋଟି ଟଙ୍କା ଭିତରେ ରହିବ। ଏପ୍ରିଲ ମାସର ଆଦାୟ ମାର୍ଚ୍ଚ ମାସର କାରବାର ପାଇଁ। ଯେହେତୁ ମାର୍ଚ୍ଚ ମାସ ଅପେକ୍ଷା ଏପ୍ରିଲ ମାସରେ ଅଧିକ ଦିନ ଲକ୍‌ଡାଉନ୍‌/ ସଟ୍‌ଡାଉନ୍‌ ହୋଇଛି, ମେ’ ମାସରେ ଜିଏସ୍‌ଟି ଆଦାୟ ସା˚ଘାତିକ ହ୍ରାସ ପାଇବ। ରାଜ୍ୟ ପାଇଁ ଅନ୍ୟ ଏକ ସମସ୍ୟା, ଜିଏସ୍‌ଟି ପାଇଁ କେନ୍ଦ୍ର ସରକାର ରାଜ୍ୟକୁ କ୍ଷତିପୂରଣ ଦେବା ସମ୍ଭବ ହେବ ନାହିଁ, ଯେହେତୁ କେନ୍ଦ୍ରର ମଧୢ ରାଜସ୍ବ ହାନି ଘଟୁଛି ଏବ˚ ଆଗକୁ ମଧୢ କେନ୍ଦ୍ରର ରାଜସ୍ବ ହାନି ଲାଗିରହିବ।

ସରକାରଙ୍କର ମୂଳ ଆହ୍ବାନ ହେଉଛି ରାଜସ୍ବ ବୃଦ୍ଧି ସହିତ ଅର୍ଥନୈତିକ କାର୍ଯ୍ୟକଳାପର ପୁନରୁଦ୍ଧାର କରିବା। ଶିଳ୍ପର ବିକାଶ, ବେପାର ବଣିଜରେ ବୃଦ୍ଧି ଘଟିଲେ ଲୋକେ ରୋଜଗାର ପନ୍ଥା ପାଇବେ, ଖରିଦ ବିକ୍ରି ବଢ଼ିଲେ ସରକାର ରାଜସ୍ବ ପାଇବେ। କିନ୍ତୁ ଏହି ସମୟରେ ଟିକସ ବୃଦ୍ଧି କଲେ କିମ୍ବା ଅଧିକ ଟିକସ ବସେଇଲେ, ଶିଳ୍ପସ˚ସ୍ଥା ଉଧେଇ ପାରିବ ନାହିଁ, ବେକାରି ବୃଦ୍ଧି ପାଇବ।

ବିଭିନ୍ନ ସେକ୍ଟରରୁ ଦାବି ଆସୁଛି ଦ୍ରବ୍ୟ କିମ୍ବା ସେବାକୁ କରମୁକ୍ତ କରିବାକୁ। ଦ୍ରବ୍ୟ କରମୁକ୍ତ କରିବା ଅର୍ଥନୈତିକ ଦୃଷ୍ଟିକୋଣରୁ ଅନୁକୂଳ ନୁହେଁ। ଦାବି ଆସୁଛି ସମ୍ବାଦ ଛାପା କାଗଜ ବା ନିଉଜ୍‌ ପ୍ରିଣ୍ଟ୍‌କୁ ଜିଏସ୍‌ଟିରେ କରମୁକ୍ତ କରିବାକୁ। କିନ୍ତୁ ନିଉଜ ପ୍ରିଣ୍ଟ୍‌କୁ କରମୁକ୍ତ କଲେ, ନିଉଜ ପ୍ରିଣ୍ଟ୍‌ ଉପରେ ସିନା ଜିଏସ୍‌ଟି ଦେବାକୁ ପଡ଼ିବନି, କିନ୍ତୁ ନିଉଜ ପ୍ରିଣ୍ଟ୍‌ର ଉତ୍ପାଦ ମୂଲ୍ୟରେ ବୃଦ୍ଧି ଘଟିବ। କାରଣ, ନିଉଜ ପ୍ରିଣ୍ଟ୍‌କୁ କରମୁକ୍ତ କଲେ, ନିଉଜ ପ୍ରିଣ୍ଟ୍‌ ଉତ୍ପାଦ ପାଇଁ ବ୍ୟବହୃତ କଞ୍ଚାମାଲ, ନିଉଜ ପ୍ରିଣ୍ଟ୍‌ ପ୍ରସ୍ତୁତି ପାଇଁ ମେସିନ କିମ୍ବା ନିଉଜ ପ୍ରିଣ୍ଟ୍‌ ଉତ୍ପାଦରେ ବ୍ୟବହୃତ ପରିବହନ ଆଦି ସେବା ଉପରେ ପୈଠ ଟିକସର ଫେରସ୍ତ ବା ଇନ୍‌ପୁଟ ଟାକ୍‌ସ କ୍ରେଡିଟ ମିଳିବ ନାହିଁ। ଫଳରେ ନିଉଜପ୍ରିଣ୍ଟ୍‌ର ଉତ୍ପାଦ ମୂଲ୍ୟ ବଢ଼ିଯିବ। ଯଦି ନିଉଜପ୍ରିଣ୍ଟ୍‌ ଉପରେ ଜିଏସ୍‌ଟି ଛାଡ଼ କରାଯାଏ, ଉତ୍ପାଦ ମୂଲ୍ୟ ହ୍ରାସ କରିବାକୁ ନିଉଜପ୍ରିଣ୍ଟ୍‌ ପାଇଁ ବ୍ୟବହୃତ କଞ୍ଚାମାଲ, ମେସିନ, ମେସିନ ପ୍ରସ୍ତୁତ ପାଇଁ ଦରକାର କଞ୍ଚାମାଲ ଇତ୍ୟାଦିକୁ କରମୁକ୍ତ କରିବାକୁ ପଡ଼ିବ। ତାହା ସମ୍ଭବ ନୁହେଁ। ଟିକସ ଆଦାୟ ସମ୍ପୂର୍ଣ୍ଣ ଲୋପ କଲା ପରି ହେବ।

ଏହି ସମୟରେ କରହାର (Tax Rate) ସ˚ଖ୍ୟାକୁ ହ୍ରାସ କରିବାକୁ ବିଚାର କରାଯାଇପାରେ। ଏବେ ଜିଏସ୍‌ଟିରେ ମୁଖ୍ୟତଃ ଚାରିଟା କର ହାର ରହିଛି। ୬%, ୧୨%, ୧୮% ଏବ˚ ୨୮%। ଏହି ଚାରିଟା କର ହାର ବଦଳରେ ଦୁଇଟି କର ହାର ରଖାଯାଇପାରେ। ୬% ଏବ˚ ୧୫%। ଆଦର୍ଶ ଜିଏସ୍‌ଟି ପାଇଁ ଗୋଟିଏ କର ହାର ଯଥେଷ୍ଟ। ଅନ୍ୟାନ୍ୟ ଦେଶରେ ଜିଏସ୍‌ଟିରେ ଗୋଟିଏ କର ହାର ରହିଛି। କିନ୍ତୁ ଆମ ଦେଶରେ ଏବେ ଦୁଇଟି କର ହାର, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଓ ସେବା ଉପରେ ୬% ଏବ˚ ଅନ୍ୟ ସବୁଥିରେ ୧୫% ରଖାଯାଇପାରେ। କର ହାର ସ˚ଖ୍ୟାରେ ହ୍ରାସ ଘଟିଲେ ଜିଏସ୍‌ଟି ସରଳ ହେବ, କିଛି ଦ୍ରବ୍ୟ ଓ ସେବା ଉପରେ କର ହାର ୨୮% କିମ୍ବା ୧୮%ରୁ କମ ରହିଲେ ବ୍ୟବସାୟୀ, ଉଦ୍ୟୋଗୀ ଉପକୃତ ହେବେ। ଶିଳ୍ପ ବା ବ୍ୟବସାୟୀ ଇନ୍‌ପୁଟ ଟାକ୍‌ସ କ୍ରେଡିଟ୍‌ ପାଇବେ। ଦ୍ରବ୍ୟର ମୂଲ୍ୟ କମିଯିବ, ଉପଭୁକ୍ତି ବଢ଼ିବ ଏବ˚ ରାଜସ୍ବ ମଧୢ ମିଳିବ। ଜିଏସ୍‌ଟିରେ ଗୋଟିଏ କର ହାର ରଖିବାକୁ ଆଲୋଚନା କରାଯାଉଥିଲା ଏବ˚ ତାହା କାର୍ଯ୍ୟକାରୀ କରିବାକୁ ଏହା ପ୍ରକୃଷ୍ଟ ସମୟ। ଭବିଷ୍ୟତରେ ଜିଏସ୍‌ଟିରେ ଗୋଟିଏ କର ହାର ରଖିବାକୁ ସହଜ ହେବ।

ଟିକସ ଫାଙ୍କି ରୋକିବା ଏବ˚ ଉଚିତ ଟିକସ ଆଦାୟ କରିବା ଉପରେ ମଧୢ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ମାତ୍ର ଟିକସ ଫାଙ୍କି ରୋକିବା ନାମରେ କର ପ୍ରଶାସକମାନଙ୍କୁ ଅଧିକ କ୍ଷମତା ଦେବା, ସେମାନଙ୍କୁ ଲଗାମଛଡ଼ା କରିଦେବା କେବେ ଉଚିତ ହେବ ନାହିଁ। ଏହା ନିଶ୍ଚିତ ଯେ ଅଧିକ କ୍ଷମତା ମିଳିଲେ କ୍ଷମତାର ଅପବ୍ୟବହାର ହେବ। ‘‘ଇନିସପେକ୍ଟର ରାଜ’’ ଉଚ୍ଛେଦ ଆଦର୍ଶ କର ପ୍ରଶାସନର ଲକ୍ଷ୍ୟ ରହି ଆସିଛି। ଅର୍ଥନୈତିକ ଜରୁରୀକାଳୀନ ଅବସ୍ଥା ଆଳରେ ‘‘ଇନିସପେକ୍ଟର ରାଜ’’ ଯେପରି ଫେରି ନ ଆସେ, ସେଥିପ୍ରତି ଉଚ୍ଚ ପ୍ରଶାସନ ଦୃଷ୍ଟିଦେବା ମଧୢ ଆବଶ୍ୟକ।

କେ-୮/୫୪୩, କଳିଙ୍ଗ ନଗର, ଘାଟିକିଆ, ଭୁବନେଶ୍ବର-୭୫୧୦୦୩

ସମ୍ବନ୍ଧିତ ଖବର