ଅଭିନବ ପଞ୍ଚାୟତିରାଜ ପ୍ରୟୋଗ ଓ ଆଶାବାଦ

ମଧୁସୂଦନ ପତି

ପ୍ରବାସୀ ଶ୍ରମିକମାନଙ୍କ ଘର ବାହୁଡ଼ା ହେତୁ କରୋନା ସ˚କ୍ରମଣର ହାର ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ତାର ମୁକାବିଲା ପାଇଁ ସରକାର ନେଇଥିବା ଏକ ସାହସିକ ପଦକ୍ଷେପ ଥିଲା ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ। ବହୁ ସ˚ଖ୍ୟକ ଶ୍ରମିକ ସ˚କ୍ରମିତ ହୋଇ ଗାଁ ଗଣ୍ତାକୁ ଫେରୁଥିବାରୁ ସେଇ କ୍ଷେତ୍ରରେ ପଞ୍ଚାୟତିରାଜର ସୁଯୋଗ ନେବା ଏକ ବିଚକ୍ଷଣ ବାସ୍ତବବାଦୀ ପ୍ରୟୋଗ ଥିଲା ନିଶ୍ଚୟ। ଗ୍ରାମୀଣ ଅଞ୍ଚଳରେ ଅଧିକ ସୁବିଧାଜନକ ପ୍ରଶାସନିକ ମାଧୢମ କାର୍ଯ୍ୟକାରୀ କରିବା ଏକ ଅସମ୍ଭବ ବ୍ୟାପାର ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ରୋଗୀ ଚିହ୍ନଟ କରିବା, ସଙ୍ଗରୋଧ, ଶାରୀରିକ ଦୂରତା ପ୍ରଭୃତି ନିୟମ ବଳବତ୍ତର କରିବା ଇତ୍ୟାଦି କାମ ପାଇଁ ପଞ୍ଚାୟତର ସକ୍ରିୟତା ଏକାନ୍ତ ଆବଶ୍ୟକ। ସେଥି ନିମନ୍ତେ ଜରୁରୀକାଳୀନ କ୍ଷମତା ପ୍ରଦାନ ଯଥାର୍ଥ ଥିଲା। ତେବେ କେବଳ ସା˚ପ୍ରତିକ ସ୍ବାସ୍ଥ୍ୟଗତ ବିପର୍ଯ୍ୟୟର ମୁକାବିଲା ଲାଗି ନୁହେଁ, ଏଭଳି ଅଭିନବ ପ୍ରୟୋଗର ଅନୁଭୂତି ବିଭିନ୍ନ ପ୍ରକାର ସମସ୍ୟା ସମାଧାନ କ୍ଷେତ୍ରରେ ଆଶାବାଦ ସଂଚାର କରିଛି।

ଏହି ସମୟରେ ଅନେକ ସରପଞ୍ଚ ସେମାନଙ୍କୁ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି ‘ତାଲାବନ୍ଦ’ କଟକଣା ଲାଗୁ କଲେ। ଏଭଳି ପଦକ୍ଷେପ ନେବା ପାଇଁ ଯେଉଁ ସ୍ତରର ଆତ୍ମବିଶ୍ବାସ ଲୋଡ଼ା, ତାହା ହୁଏତ ପୂର୍ବରୁ ସେମାନଙ୍କର ନ ଥିବ। ଏଥିପାଇଁ ଅବଶ୍ୟ ସେମାନଙ୍କୁ ପ୍ରଶାସନିକ ପରାମର୍ଶ ଦିଆଯାଇଥିବ। ମାତ୍ର ସେମାନେ ଆପଣାର ନିର୍ବାଚନ ମଣ୍ତଳୀରେ ନିଜର ଚିରପରିଚିତ ସମାଜ ମଧୢରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଯେଭଳି ଦମ୍ଭ ଦେଖାଇଲେ, ତାହା ସେମାନଙ୍କ ପାଇଁ ଏବ˚ ସେମାନଙ୍କ ଅଞ୍ଚଳ ପାଇଁ ଗୋଟିଏ ନୂଆ ଅନୁଭୂତି ନିଶ୍ଚୟ। ତାଲାବନ୍ଦ ଏବେ ଗୋଟିଏ ସାଧାରଣ ବ୍ୟବସ୍ଥା ହୋଇ ଯାଇଥିଲେ ସୁଦ୍ଧା ଗ୍ରାମାଞ୍ଚଳର ଲୋକେ ଏଭଳି ପଞ୍ଚାୟତୀ ସ୍ବାୟତ୍ତ କ୍ଷମତା ପ୍ରୟୋଗ ନେଇ ଚକିତ ହୋଇଥିବେ। ଜିଲ୍ଲାର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀଙ୍କ କ୍ଷମତା ସରପଞ୍ଚମାନେ ବ୍ୟବହାର କରୁଥିବାରୁ ପଞ୍ଚାୟତିରାଜ ଘେନି ଗୋଟିଏ ନୂଆ ଭାବବୋଧ ପ୍ରସାର ଲାଭ କରିଥିବ। ଅବଶ୍ୟ, ସମ୍ବିଧାନର ଏକାଦଶ ଅନୁସୂଚିରେ ଉଲ୍ଲିଖିତ ବିଷୟ ସବୁ ଉପରେ ପଞ୍ଚାୟତର ଭୂମିକା ନେଇ ପୂର୍ବରୁ ଗ୍ରାମବାସୀଙ୍କ ସଚେତନତା ରହିଥିବ। ମାତ୍ର, ସିଧାସଳଖ ଜିଲ୍ଲାପାଳଙ୍କ ପ୍ରତିନିଧି ରୂପେ ବସ୍ତୁତଃ ପ୍ରଶାସନିକ ଦାୟିତ୍ବ ନିର୍ବାହ କରିବା ନିଶ୍ଚୟ ଏକ ବିଶେଷ ଧରଣର ଅନୁଭୂତି ହୋଇଥିବ।

ଏଥିରେ ସମଗ୍ର ସରକାରୀ କଳ ପାଇଁ ଏକ ନୂଆ ପ୍ରଶାସନିକ ସ˚ସ୍କୃତିର ଆଭାସ ଆସିଥିବା ସମ୍ଭବ। ଏହା ସ୍ବୀକାର କରିବାକୁ ହେବ ଯେ ଦଳୀୟ ରାଜନୀତିର ଚାପରେ ପଥହୁଡ଼ା ହେଉଥିବା ତୃଣମୂଳ ସ୍ତରର ଗଣତନ୍ତ୍ର ପାଇଁ ଏହା ନୂଆ ସମ୍ଭାବନାଟିଏ ଖୋଲି ଦେଇଛି। ପଞ୍ଚାୟତିରାଜ ବ୍ୟବସ୍ଥା ମଧ୍ୟକୁ ଦଳୀୟ ରାଜନୀତି ଓ ଗଣତାନ୍ତ୍ରିକ ଅପସ˚ସ୍କୃତିର ଅନୁପ୍ରବେଶ ବିଷୟ ସୁବିଦିତ। ତେବେ, କରୋନା ମହାମାରୀ କାଳରେ ଏ ସବୁର ଊର୍ଦ୍ଧ୍ବକୁ ଉଠି ସରପଞ୍ଚମାନଙ୍କ ଦ୍ବାରା ଅଧିକ ଦାୟିତ୍ବସ˚ପନ୍ନ ଆଚରଣର ପ୍ରଦର୍ଶନ ରାଜନୈତିକ ନୀତିବୋଧ ତଥା ସମାଜ ସ˚ସ୍କାର ଦିଗରେ ଛୋଟ ବାଟଟିଏ ଫିଟାଇ ଦେଇଛି। ସରପଞ୍ଚମାନଙ୍କୁ ପ୍ରଦାନ କରାଯାଇଥିବା ଏଭଳି ଅଧିକାର ଯଦି କରୋନା ପରବର୍ତ୍ତୀ ସ୍ଥିତିରେ ମଧ୍ୟ ଭିନ୍ନ ରୂପରେ ସୁରକ୍ଷିତ ରଖାଯାଏ, ତେବେ ଗ୍ରାମାଞ୍ଚଳରେ ସମାଜ ଓ ରାଜନୀତିର ଗଠନମୂଳକ ପାରସ୍ପରିକତା ଉନ୍ନତ ହେବ। ଏଥିରେ ପ୍ରଶାସନିକ ପାରସ୍ପରିକତା ମଧ୍ୟ ଅଧିକ ସମ୍ମାନାସ୍ପଦ ହୋଇପାରିବ।

ଏହି ସମୟରେ କିଛି ସରପଞ୍ଚଙ୍କ ଦ୍ବାରା ଦୁର୍ନୀତିର ଅଭିଯୋଗ ମଧୢ ଶୁଣିବାକୁ ମିଳିଲା। ସେହି ପରିପ୍ରେକ୍ଷୀରେ ରାଧାନାଥ ବର୍ଣ୍ଣିତ ଚିତ୍ରଟିଏ ଏ ମନକୁ ଆସିଲା। ସାପ ପାଟିରେ ପଡ଼ି ବେଙ୍ଗଟିଏ ବିକଳ ରାବ କରୁଛି। ଏହି ସମୟରେ ତା ମୁଣ୍ତ ପାଖରେ ଉଡୁଥିବା ଛୋଟ କଙ୍କିଟିଏକୁ ଗିଳି ଦେବାକୁ ମଧ୍ୟ ଉଦ୍ୟମ କରୁଛି। ଏଣୁ ଆଜିକାର ଦୁର୍ଦ୍ଦିନରେ ମଧୢ କରୋନା ଠଶରୁ ଦୂରେଇ ରହିବା ପାଇଁ କହୁଥିବା ସମସ୍ତ ବ୍ୟକ୍ତି ଯେ ଦୁର୍ନୀତି ଠାରୁ ଦୂରେଇ ରହିବେ ତାହା ଆଶା କରାଯାଇ ନ ପାରେ। କିନ୍ତୁ ଅନେକ ସରପଞ୍ଚ ଅତ୍ୟନ୍ତ ନିଷ୍ଠାପର ଓ ଦୃଢ଼ମନା ଭାବେ ଦାୟିତ୍ବ ନିର୍ବାହ କରୁଥିବା ଦେଖିବାକୁ ମିଳିଛି। ଯେଉଁ ଗ୍ରାମାଞ୍ଚଳରେ ଏଭଳି ହୋଇଛି, ସେଠାରେ ଗୋଟିଏ ନୂତନ ଜୀବନୀ ଶକ୍ତି ସଞ୍ଚରିତ ହୋଇଛି, ଯାହା ଜରିଆରେ ଗଣତନ୍ତ୍ରର ସବଳତା ପାଇଁ ନୂଆ ଭିତ୍ତିଭୂମିଟିଏ ପ୍ରସ୍ତୁତ ହୋଇଯାଇଛି ବୋଲି କହିଲେ ଭୁଲ୍‌ ହେବନାହିଁ। ଏହି ପରିପ୍ରେକ୍ଷୀରେ କେତେକ ଗ୍ରାମରେ ସଙ୍ଗରୋଧ କେନ୍ଦ୍ର ଛାଡ଼ି ଘରକୁ ଫେରୁଥିବା ଲୋକେ କାନ୍ଦି କାନ୍ଦି ସରପଞ୍ଚମାନଙ୍କୁ ପ୍ରଣାମ କରି ବିଦାୟ ନେଉଥିବା ଭଳି ମର୍ମସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ସ୍ଥିତି ପଞ୍ଚାୟତିରାଜ ଅନୁଷ୍ଠାନକୁ ସଶକ୍ତ କରିଛି ନିଶ୍ଚୟ। ଏ ପରିପ୍ରେକ୍ଷୀରେ ମୁଖ୍ୟ କଥା ହେଉଛି ରାଜନୈତିକ ନେତୃମଣ୍ତଳୀ ଏବ˚ ପ୍ରଶାସକ ଗୋଷ୍ଠୀ ସରପଞ୍ଚମାନଙ୍କୁ ନୂଆ ଦୃଷ୍ଟିରେ ଦେଖିବା ଏବ˚ ସେମାନଙ୍କର ଗଠନମୂଳକ ସାମର୍ଥ୍ୟକୁ ଅଧିକ ପାରଦର୍ଶୀ କରି ସେମାନଙ୍କ ଉପରେ ଗୁରୁ ଦାୟିତ୍ବ ଅର୍ପଣ କରିବା। ଏହା ହେଲେ ପର˚ପରାଟିଏ ବିକଶିତ ହେବ। ଆଜି ସେମାନଙ୍କୁ ସତର୍କ ନିରୀକ୍ଷକ ଓ ସଙ୍ଗରୋଧ-ନିୟନ୍ତ୍ରକ ଭାବେ ବ୍ୟବହାର କରି ପରେ ଯଥାପୂର୍ବ˚ ସ୍ଥିତିକୁ ଫେରାଇ ନେଲେ ଏ ଅଭିନବ ପ୍ରୟୋଗଟି ବ୍ୟର୍ଥ ହୋଇଯିବ। ପଞ୍ଚାୟତିରାଜ ଅନୁଷ୍ଠାନର ସଫଳତା ଉପରେ ଭାରତୀୟ ଗଣତନ୍ତ୍ରର ଭବିଷ୍ୟତ ଅନେକ ପରିମାଣରେ ନିର୍ଭରଶୀଳ। ସେଇ ଅନୁଷ୍ଠାନରେ ଦାୟିତ୍ବ ନେଉଥିବା ବ୍ୟକ୍ତିମାନଙ୍କୁ ଉପଯୁକ୍ତ ମାଧୢମ ଭାବେ ପ୍ରସ୍ତୁତ କରିବା ଦାୟିତ୍ବ ଆମରି। ତାହା କରି ପାରିଲେ ସେମାନେ ସହରୀ ଭୋଟଦାତାମାନଙ୍କ ଠାରୁ ଅଧିକ ନିର୍ଣ୍ଣାୟକ ହୋଇ ପାରିବାର ସମ୍ଭାବନା ରହିଛି।

ଏ ପ୍ରସଙ୍ଗରେ ମହାତ୍ମା ଗାନ୍ଧୀଙ୍କ ଗ୍ରାମାଭିମୁଖୀ ହେବାର ଆଭିମୁଖ୍ୟ ସ୍ମରଣୀୟ। ଭାରତବର୍ଷରେ ଗାଁ ହିଁ ସବୁ ଦିନ ସହରକୁ ବ˚ଚେଇ ଆସିଛି। ନିଜେ ଦୁର୍ବଳ ରହି ସହରକୁ ଗାଁ ହିଁ ସବଳ କରି ଆସିଛି। କେବଳ ଶସ୍ୟ ଉତ୍ପାଦନ କରି ସେ ତାହା କରିନାହିଁ; ନୈତିକତା ଦୃଷ୍ଟିରୁ ମଧ୍ୟ ତାହାର ଅବଦାନ ସବୁ କାଳରେ ମହତ୍ତ୍ବପୂର୍ଣ୍ଣ ଥିଲା। ଧର୍ମସ˚ସ୍ଥାପନ ସେଇଠି ହିଁ ଅଧିକ ସଶକ୍ତ। ଉଦାହରଣ ସ୍ବରୂପ, ସ୍ବାଧୀନତାର ମାତ୍ର କେଇ ବର୍ଷ ମଧୢରେ ରାଜନୈତିକ-ପ୍ରଶାସନିକ ଦୁର୍ନୀତି ପ୍ରତ୍ୟକ୍ଷ ହୋଇଥିଲା। ଗାଁମାନଙ୍କରେ ଜାତିଭେଦ-ଜନିତ ଅନ୍ୟାୟ ସବୁ ରହିଥିଲା। ମାତ୍ର କିଛି ଦଶକ ଧରି ସେଠି ସାମାଜିକ ବାୟୁମଣ୍ତଳ ବିଷାକ୍ତ ହୋଇଯାଇ ନ ଥିଲା। ସାଧାରଣ ଚାଷୀ ଓ ମଳିମୁଣ୍ତିଆମାନଙ୍କ ଚେତନାରେ ଏବ˚ ଆଚରଣରେ ସାଧୁତା, ଧୈର୍ଯ୍ୟ, ନିରଳସତା, ବିଶ୍ବସନୀୟତା ଇତ୍ୟାଦି ସୁଗୁ ସବୁର ବଳିଷ୍ଠ ଅଭିବ୍ୟକ୍ତି ସ୍ପଷ୍ଟ ଥିଲା। ସହରରୁ ହିଁ ସେଠିକି ଅସାଧୁତାର ସ˚କ୍ରମଣ ଘଟିଥିଲା ଏବ˚ କ୍ରମେ ଗଣତାନ୍ତ୍ରିକ ବିଧାନ ସବୁର କୁପ୍ରୟୋଗଜନିତ ନୈତିକ ଅବକ୍ଷୟ ବ୍ୟାପକ ହୋଇଥିଲା। ଅବଶ୍ୟ ଏହାର ଅନ୍ୟ ସବୁ କାରଣ ମଧୢ ରହିଛି। କିନ୍ତୁ ଗ୍ରାମୀଣ ଇଲାକାର ବାୟୁ ଏବେ ମଧ୍ୟ ସହର ଅପେକ୍ଷା କମ୍‌ ପ୍ରଦୂଷିତ ରହିଛି। ଗଣତାନ୍ତ୍ରିକ ବିକାଶ ହେଉ ବା ସାମାଜିକ ନୈତିକତା ହେଉ, ମନେ ହୁଏ ସକାରାତ୍ମକ ପରିବର୍ତ୍ତନର ସମ୍ଭାବନା ସେଇଠି ଅଧିକ। ଏବେ ମଧ୍ୟ ଶିକ୍ଷାର ଉପଯୁକ୍ତ ପ୍ରସାର କରି ଏବ˚ ଅର୍ଥନୈତିକ ସାମର୍ଥ୍ୟ ନିଶ୍ଚିତ କରି ସେଇ ଠାରୁ ଆମେ ଅଧିକ ଜୀବନୀ ଶକ୍ତି ସ˚ଗ୍ରହ କରିବାର ସୁଯୋଗ ରହିଛି।

ଆଜି ଗୋଟିଏ ଦୋ-ଛକିରେ ଆମେ ପହଞ୍ଚିଛେ। କରୋନାଆକ୍ରାନ୍ତ ସମାଜରେ ଜାତି, ଧର୍ମ, ସ˚ପ୍ରଦାୟ, ଉଚ୍ଚ-ନୀଚ, ଧନୀ-ଗରିବ ପ୍ରଭୃତି ଭେଦର ମାନସିକ ସ˚କ୍ରମଣ କିଛି ପରିମାଣରେ ପ୍ରଶମିତ ହୋଇଛି। ମାନବୀୟତା ଓ ଭ୍ରାତୃଭାବର ବିକାଶ ନିମନ୍ତେ ଏହା ଅବଶ୍ୟ ସହାୟକ ହେବ। ଅପର ପକ୍ଷରେ ଏହି ଅବସ୍ଥାରେ ସୁଦ୍ଧା ଆମେ ଯଦି ବୁଝିବା ନାହିଁ ଯେ ବ୍ୟକ୍ତି-ସମାଜ-ବିଶ୍ବ ଗୋଟିଏ ଅବିଭାଜ୍ୟ ସ୍ଥିତି, ତେବେ ସାମାଜିକ (ଏଣୁ ରାଜନୈତିକ) ପରିମାର୍ଜନର ସମ୍ଭାବନା କ୍ଷୀଣ ହୋଇଯିବ। କରୋନାଠୁ ମଧ୍ୟ ଅଧିକ ଉଦ୍‌ବେଗଜନକ ମାନସିକ ଏବ˚ ଆଧୢାତ୍ମିକ ସଙ୍କଟରେ ସମାଜ କବଳିତ ହୋଇଯିବ। ବିକାଶ ହେବ ଏକ ଛଳନା, ସେବା ହେବ ପ୍ରତାରଣା ଏବ˚ ସୁରକ୍ଷା ହେବ ଏକ ଅସତ୍ୟ ବିଶ୍ବାସ, ଯାହା ସମାଜକୁ ଆଶ୍ରୟ ଦେଇପାରିବ ନାହିଁ। ସାଧାରଣ ମାନବୀୟ ଭାବବୋଧ ବାହାରେ ଅନ୍ୟ ଏକ କାରଣରୁ ମଧୢ ଏ ବିଷୟଟି ଉପରେ ଗୁରୁତ୍ବ ଦେବା ପୂର୍ବାପେକ୍ଷା ଅଧିକ ଜରୁରୀ। ରାଜ୍ୟ ଏବ˚ କେନ୍ଦ୍ର ସରକାର ଏବେ ବହୁଗୁଡ଼ିଏ ଜନଜୀବନ ସୁରକ୍ଷାକାରୀ ତଥା ଅର୍ଥନୈତିକ ବିକାଶଶୀଳ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଜରୁରୀ କାଳ ହେତୁ ମୁକ୍ତ ହସ୍ତରେ ବ୍ୟୟବରାଦ କରି ଚାଲିଛନ୍ତି। କିଛି ନିୟମକାନୁନ ମଧୢ କୋହଳ କରିଛନ୍ତି। ସ୍ବାଧୀନତା ପରବର୍ତ୍ତୀ କାଳରେ ଏକା ସାଙ୍ଗରେ ଏତେ ପରିମାଣର ବିତ୍ତୀୟ ପ୍ରାବଧାନ ଓ ପ୍ରଶାସନିକ ତତ୍ପରତା ଅସାମାନ୍ୟ ଅଟେ। ଏଣୁ ସାମାଜିକ ଏବ˚ ରାଜନୈତିକ କ୍ଷେତ୍ରରେ ରହିଥିବା ଆପେକ୍ଷିକ ଭାବେ ଅଧିକତର ସକାରାତ୍ମକତାର ସୁଯୋଗ ନେଇ ଗୋଟିଏ ସୁଦୃଢ଼, ସୁସ୍ଥ ଗଣତାନ୍ତ୍ରିକ ସ˚ସ୍କୃତି ନିର୍ମାଣ ପାଇଁ ସଚେଷ୍ଟ ହେବାର ଏହା ହେଉଛି ଉପଯୁକ୍ତ ସମୟ। ଏ ସୁଯୋଗ ହାତଛଡ଼ା କରିବା ଉଚିତ ନୁହେ। ହଠାତ୍‌ ଗୋଟିଏ ବୈପ୍ଳବିକ ପରିବର୍ତ୍ତନ ହୁଏ’ତ ସମ୍ଭବ ନୁହେଁ। ମାତ୍ର ପରିବର୍ତ୍ତନର ଭାବ ଭୂମିଟିଏ ପ୍ରସ୍ତୁତ କରିବା ନିଶ୍ଚିତ ରୂପେ ସମ୍ଭବ। ଗ୍ରାମୀଣ କ୍ଷେତ୍ରରେ ନିଷ୍ଠାପରତା ଓ ସାମାଜିକ ଆତ୍ମବିଶ୍ବାସର ପ୍ରସାର ହିଁ ତାହାର ମୁଖ୍ୟ ଆଧାର ହେବ। ସେଇ କ୍ଷେତ୍ରକୁ ଅଧିକ ନିରାପଦ ଓ କ୍ଷମତାସ˚ପନ୍ନ କରିବା ନିମନ୍ତେ ରାଜନୈତିକ ନେତୃବୃନ୍ଦ ଓ ପ୍ରଶାସନିକ ଅଧିକାରୀ ସ˚କଳ୍ପବଦ୍ଧ ହେବା ଉଚିତ। ଆଜି କରୋନା ମୁକାବିଲାର ଆଗ ଧାଡ଼ିରେ ରହିଥିବା ବିଭିନ୍ନ ବର୍ଗର ସେବାକର୍ମୀ, ପୁଲିସ ତଥା ଅନ୍ୟ ଅନେକ ସାନ-ବଡ଼ ସରକାରୀ କର୍ମଚାରୀ ଏବ˚ ଅଣସରକାରୀ ସମାଜସେବୀଙ୍କ ଅକ୍ଳାନ୍ତ, ସମର୍ପିତ ତତ୍ପରତାର ଦୃଶ୍ୟ ଆମକୁ ଏକ ନବୀନ ଭାରତ ପାଇଁ ଆଶାୟୀ କରିଛି। ଏ ଦୃଶ୍ୟଟି ବାସ୍ତବ ହୋଇ ରହିଥାଉ। ମରୀଚିକା ପାଲଟି ନଯାଉ। ମରୀଚିକା ତୃଷା ମେଣ୍ଟାଏ ନାହିଁ। ତୃଷାର୍ତ୍ତକୁ ପୂର୍ବାପେକ୍ଷା ଆହୁରି ସନ୍ତପ୍ତ ଓ ବିକଳ କରେ।

ରୁଗୁଡ଼ିପଡ଼ା, ବଲାଙ୍ଗୀର

ସମ୍ବନ୍ଧିତ ଖବର