ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ଣ୍ଣବୈଷମ୍ୟବାଦ ବିରୋଧ : ଗାନ୍ଧୀ ମୂର୍ତ୍ତିକୁ ନୁହେଁ, ତାଙ୍କ ବାଣୀକୁ ଦେଖ

କୁମାର ପ୍ରଶାନ୍ତ

ଆମେରିକାର ଅଶ୍ବେତ ବା ଅଣ-ଶ୍ବେତାଙ୍ଗ ସମାଜ ଉତ୍‌କ୍ଷିପ୍ତ। ଉତ୍‌କ୍ଷିପ୍ତ ଅଶାନ୍ତ ମନର କିଛି ଛିଟା ମହାତ୍ମା ଗାନ୍ଧୀଙ୍କ ଉପରେ ମଧ୍ୟ ପଡ଼ିଛି। ଵାସି˚ଟନ୍‌ସ୍ଥିତ ଭାରତୀୟ ଦୂତାବାସ ପ୍ରବେଶ ଦ୍ବାରରେ ଥିବା ଗାନ୍ଧୀଙ୍କ ପ୍ରତିମାକୁ ବିକୃତ କରାଯାଇଛି। ପ୍ରତିମା ଉପରେ ରଙ୍ଗ ବା କୌଣସି ରସାୟନ ଢାଳି ଦିଆଯାଇଛି। ଆଖ-ପାଖରେ କିଛି ନିନ୍ଦନୀୟ ସ୍ଲୋଗାନ୍‌ ଲେଖି ଦିଆଯାଇଛି। ଆଜି ସାରା ଦୁନିଆ ଯେପରି ମୁଖା ପିନ୍ଧି ବୁଲୁଛି, ସେହି ଭଳି ଗାନ୍ଧୀଙ୍କ ପ୍ରତିମାକୁ ଘୋଡ଼ାଇଦିଆଯାଇଛି। ବିକୃତ ପ୍ରତିମା ସୁନ୍ଦର ଦିଶେ ନାହିଁ; ଏଥିପାଇଁ। ଅଣ-ଶ୍ବେତାଙ୍ଗଙ୍କ କ୍ଷୋଭ ଆ‌ମେରିକା ସୀମା ପାରିହୋଇ ସେହିସବୁ ଅଞ୍ଚଳରେ ପହଞ୍ଚିଲାଣି, ଯେଉଁଠି ସେମାନେ ସ˚ଖ୍ୟାଗରିଷ୍ଠ। ଲଣ୍ତନ୍‌ରେ ବି ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଲଣ୍ତନ୍‌ରେ ମଧ୍ୟ ଗାନ୍ଧୀଙ୍କ ପ୍ରତିମା ଉପରେ ଆକ୍ରମଣ ଉଦ୍ୟମ ହୋଇଛି। ଭିଡ଼ର କ୍ରୋଧ ସବୁ ବେଳେ ଏହି ପରି। ଭିଡ଼ରେ ମୁଣ୍ତ ସ˚ଖ୍ୟା ଅଧିକ; ତେବେ, ହୃଦୟ ନ ଥାଏ- ଏହା ହିଁ ଭିଡ଼ର ସ˚ଜ୍ଞା।

ଏହା ମଧ୍ୟ ଭୁଲିବା ନାହିଁ ଯେ, ହୃଦୟ ଭାଙ୍ଗି ଯାଇଥିବା ଲୋକ ମଧ୍ୟ ଭିଡ଼ରେ ଥାଆନ୍ତି। ଆମେ ଏବେ ଏ ଭଳି ଭିଡ଼ ସାମନାରେ ଛିଡ଼ା ହୋଇଛେ। ଲଣ୍ତନ୍‌ରେ ବିକ୍ଷୋଭକାରୀମାନେ ଏଡ୍‌ଵାର୍ଡ‌୍‌ କୋଲ୍‌ଷ୍ଟନ୍‌ଙ୍କ ପ୍ରତିମା ଉପାଡ଼ି ଫୋପାଡ଼ି ଦେଇଛନ୍ତି। ୟୁରୋପ୍‌ ଓ ଆମେରିକାରେ ଯେତେ ବେଳେ ଦାସ ବ୍ୟବସାୟ ଚାଲିଥିଲା, କୋଲ୍‌ଷ୍ଟନ୍‌ ସେହି ସମୟର ବ୍ୟକ୍ତି। ସେ ମଧ୍ୟ ଦାସ ବ୍ୟବସାୟୀ ଥିଲେ। କୃଷ୍ଣକାୟମାନଙ୍କୁ ଦାସ ବନାଇବା, କିଣା-ବିକା କରିବା ଏବ˚ ସେମାନଙ୍କ ମାଧ୍ୟମରେ ସମୃଦ୍ଧ ହେବା, ସେହି କାଳର ଧନ୍ଦା ଥିଲା। ଆମେ ମଧ୍ୟ ସେହି ଦିନ ଦେଖିଛେ। ଆମ ସମାଜରେ ବେଶ୍‌ କିଛି ସ˚ଖ୍ୟକ ଲୋକଙ୍କୁ ଅଛୁଅାଁ କହି, ନିର୍ଯାତିତ କରାଯାଉଥିଲା। ସେମାନଙ୍କୁ ଦାସ ବନାଇ, ବଳ ପୂର୍ବକ ବିଭିନ୍ନ କାମରେ ନିୟୋଜିତ କରାଯାଉଥିଲା। ଆଜି ବି ତାହାର ଅବଶେଷ ସମାଜରେ ଦେଖିବାକୁ ମିଳେ। ଲଣ୍ତନ୍‌ର ମେୟର‌୍‌ ଠିକ୍‌ କହିଛନ୍ତି- ଇ˚ଲଣ୍ଡ୍‌ର ରାଜ-ରାସ୍ତାରୁ ଔପନିବେଶିକ କାଳର ପ୍ରତୀକ ସାଜିଥିବା ପ୍ରତିମାଗୁଡ଼ିକୁ ହଟାଇ ଦିଆଯିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ଦେଶ ଓ ଲଣ୍ତନ୍‌ ମହାନଗରୀ, ଦାସ ବ୍ୟବସାୟରୁ ପ୍ରାପ୍ତ ସ˚ପଦରେ ସମୃଦ୍ଧ ହୋଇଥିବା ଏବ˚ ସଜା ଯାଇଥିବା ଏକାନ୍ତ ସତ୍ୟ। ପୁଣି, ଯେଉଁମାନଙ୍କ ଅବଦାନରେ ଏ ଦେଶ ସମୃଦ୍ଧ ସେମାନଙ୍କ ଅବଦାନର ଉଲ୍ଲେଖ କେଉଁଠି ନାହିଁ। ଏହି ସତ୍ୟ ଏବେ ସମସ୍ତଙ୍କୁ ଆନ୍ଦୋଳିତ ଓ ବିଚଳିତ କରୁଛି।

ଏସବୁ ଚାଲିବା ସହ ଏକ ଦ୍ବିତୀୟ ନାଟକ ମଧ୍ୟ ସାମନାକୁ ଆସୁଛି। ଗାନ୍ଧୀ ପ୍ରତିମାର ଅବମାନନା ପାଇଁ ଭାରତରେ ଅବସ୍ଥାପିତ ମାର୍କିନ୍‌ ରାଷ୍ଟ୍ରଦୂତ କ୍ଷମା ମାଗିଛନ୍ତି। ଉକ୍ତ ପ୍ରତିମାକୁ ଶୀଘ୍ର ଉପଯୁକ୍ତ ସମ୍ମାନର ସହ ଅବସ୍ଥାପିତ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଇ˚ଲଣ୍ତ୍‌ ସରକାର ବି ସେହି ଭଳି କିଛି ପଦକ୍ଷେପ ନେବେ। ପ୍ରତିମାକୁ ବିକୃତ କରିବା ଅପମାନଜନକ ବୋଲି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ସ୍ବୀକାର କରିଛନ୍ତି। ଏ ଭଳି ସ୍ଥିତିରେ ଭାରତ ସରକାର ଅବା ନିରବ ରହିବେ କିପରି! ଭାରତ ସରକାର ପକ୍ଷରୁ ଆମେରିକାର ରାଜ୍ୟ ମନ୍ତ୍ରାଳୟ, ପୁଲିସ୍‌ ଓ ନେସ୍‌ନାଲ୍‌ ପାର୍କ‌୍‌ ସର୍ଭିସେସ୍‌୍‌ ନିକଟରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ଟ୍ରମ୍ପ୍‌ଙ୍କୁ ଯାହା ଅପମାନଜନକ ଲାଗିଲା, ରାଷ୍ଟ୍ରଦୂତ ଯେଉଁଥି ପାଇଁ କ୍ଷମା ମାଗିଲେ ଏବ˚ ଭାରତ ସରକାର ଅଭିଯୋଗ କଲେ, ତାହା ପ୍ରକୃତରେ କ’ଣ? ଏହା ପ୍ରକୃତରେ ନିଜର ଅସଫଳତାକୁ ଲୁଚାଇବାର ଉଦ୍ୟମ। ମହାତ୍ମା ଥିଲେ କ’ଣ କହିଥାଆନ୍ତେ? କହିଥାଆନ୍ତେ- ମୋର ପ୍ରତିମାକୁ ଦେଖୁଛ; ଅଥଚ, ମୁଁ ଯାହା କହୁଛି, ଶୁଣୁନାହଁ। ତାହା ହେଲେ ଏ ଭଳି ସମ୍ମାନର ଲାଭ କ’ଣ? ଆମେ ଆଜି ଗାନ୍ଧୀଙ୍କ କଥା କେତେ ଶୁଣୁଛେ? ତାଙ୍କୁ କେତେ ସମ୍ମାନ ଦେଉଛେ? ସେ ବତାଇଥିବା ରାସ୍ତାରେ କେତେ ଯାଉଛେ? ଅଣ-ଶ୍ବେତାଙ୍ଗଙ୍କ ବିଶ୍ବ-ବ୍ୟାପୀ ପ୍ରଦର୍ଶନ ହିଁ ଗାନ୍ଧୀଙ୍କ ପ୍ରତି ପ୍ରକୃତ ସମ୍ମାନ। ସାରା ଦୁନିଆରୁ ଗାନ୍ଧୀଙ୍କ ସମସ୍ତ ପ୍ରତିମା ହଟାଇ ଦିଆଯାଉ। ଆଉ ଏହା ବଦଳରେ ସାରା ଦୁନିଆର ଅଣ-ଶ୍ବେତାଙ୍ଗ, ଶ୍ରମିକ, ନିର୍ଯାତିତଙ୍କୁ ସମ୍ମାନ ଦିଆଯାଉ। ଏ ଭଳି ସଉଦା ମୁଁ ସହର୍ଷ ମାନିନେବି। ଯଦି ଆମେରିକା କ୍ଷମା ମାଗିବାକୁ ଚାହେଁ, ପ୍ରଥମେ ନିଜର ଅଣ-ଶ୍ବେତାଙ୍ଗ ସମାଜକୁ ମାଗୁ, ଯାହାର ଧନ-ଜୀବନ ରକ୍ଷା କରିବାରେ ସରକାର ଅସମର୍ଥ ସାବ୍ୟସ୍ତ ହୋଇଆସିଲାଣି।

ମୋର ମନେପଡ଼େ, ଅଣ-ଶ୍ବେତାଙ୍ଗ ମହାନ୍‌ ଭାରତୀୟ ସମାଜବାଦୀ ନେତା ଡ. ରାମ ମନୋହର ଲୋହିଆ ଯେତେ ବେଳେ ଆମେରିକା ଗସ୍ତରେ ଯାଇଥିଲେ, ଶ୍ବେତାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ଏକ ହୋଟେଲ୍‌ ବାହାରେ ତାଙ୍କୁ ଅଟକାଇ ଦିଆଯାଇଥିଲା। ସେ ସେହିଠାରେ ହିଁ ସତ୍ୟାଗ୍ରହ ଆରମ୍ଭ କରିବାରୁ, ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଗିରଫଦାରି ସହ ହଙ୍ଗାମା ଆରମ୍ଭ ହୋଇଥିଲା। ଆମେରିକା ସରକାର ଅବିଳମ୍ବେ ବୁଝିଗଲା, ସେ କୌଣସି ସାଧାରଣ ଭାରତୀୟ ନୁହନ୍ତି। ତାଙ୍କୁ ସଙ୍ଗେସଙ୍ଗେ ମୁକ୍ତ କରାଗଲା ଏବ˚ ସରକାର କ୍ଷମା ମାଗିଲା। ସେତେ ବେଳେ ଡ. ଲୋହିଆ କହିଥିଲେ- ମୋତେ ନୁହେଁ, ସେହି ସମସ୍ତ ଅଣ-ଶ୍ବେତାଙ୍ଗଙ୍କୁ କ୍ଷମା ମାଗନ୍ତୁ, ଯେଉଁମାନଙ୍କ ଅପମାନ କରି ମଧ୍ୟ ଲଜ୍ଜିତ ହେଉନାହଁ।

ଆମେରିକାର ଅବସ୍ଥା ଏବେ ଯେପରି, ସେପରି କେବେ ପୂର୍ବରୁ ଘଟି ନ ଥିଲା। କରୋନା ପ୍ରଭାବରେ ଏହା ବିଶ୍ବରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ। ସ˚କ୍ରମିତ ହେବାରେ ଓ ତହିଁରେ ମୃତ୍ୟୁ ବରଣ କରିବାରେ ଏହା ବିଶ୍ବରେ ସର୍ବାଧକ। ଏହି ଭୂତାଣୁର ସଫଳ ପ୍ରତିଷେଧକ ଏ ପର୍ଯ୍ୟନ୍ତ ବାହାରିପାରିନାହିଁ। ତେଣୁ, ଆମେରିକାରେ ମଧ୍ୟ ସମସ୍ତେ ଆତଙ୍କିତ। ସେଠାକାର ରାଷ୍ଟ୍ରପତି ନିର୍ବାଚନ ମୁଣ୍ତ ଉପରେ। ଦ୍ବିତୀୟ ଥର ନିର୍ବାଚିତ ହେବା ପାଇଁ ଟ୍ରମ୍ପ୍‌ ଉଦ୍ୟମ ଚଳାଇଛନ୍ତି। ମଝିରେ ମଝିରେ ନିଜକୁ ସବୁଠାରୁ ବଡ଼ ଦେଶପ୍ରେମୀ ଦେଖାଇବା ପାଇଁ ନାଟକ କରିବାକୁ ପଛଉନାହାନ୍ତି। ତାଙ୍କ ଭଳି ସେବକ ଓ ଦେଶପ୍ରେମୀ ଅନ୍ୟ ରାଷ୍ଟ୍ରରେ ବି ଅଛନ୍ତି। ତେଣୁ, ସେ ଯେ ଏକଲା ନାଟକବାଜି କରୁଛନ୍ତି, ତାହା ମଧ୍ୟ ନୁହେଁ! ଆମେରିକା ଜଳୁଛି। ୨୫ ମେ ୨୦୨୦ରେ ଜଣେ ଶ୍ବେତାଙ୍ଗ ପୁଲିସ୍‌ କର୍ମଚାରୀ ସର୍ବସାଧାରଣରେ ଜଣେ ଅଣ-ଶ୍ବେତାଙ୍ଗଙ୍କୁ ଅତ୍ୟନ୍ତ ବର୍ବରତାର ସହ ଅକାରଣରେ ହତ୍ୟା କଲେ। ଲୋକଙ୍କ ସମ୍ମୁଖରେ ଛୟାଳିଶ ବର୍ଷ ବୟସ୍କ ଜର୍ଜ‌୍‌ ଫ୍ଲୟଡ୍‌ଙ୍କୁ ତଳେ ପକାଇ, ତାଙ୍କ ବେକ ଉପରେ ଆଣ୍ଠେଇଲେ। ସେ ଆର୍ତ୍ତ ଚିତ୍କାର କରୁଥିଲେ- ମୋତେ ଛାଡ଼ିଦିଅନ୍ତୁ; ମୋର ଶ୍ବାସରୁଦ୍ଧ ହୋଇଯାଉଛି। ତେବେ, ଶ୍ବେତାଙ୍ଗ ପୁଲିସ୍‌ ଅଧିକାରୀଙ୍କ ମନରେ ସାମାନ୍ୟ ଦୟା ଭାବନା ଆସି ନ ଥିଲା। ପ୍ରାୟ ନଅ ମିନିଟ୍‌ ସେ ତାଙ୍କ ବେକ ଉପରେ ସେମିତି ଆଣ୍ଠୁ ମାଡ଼ି ରହିଥିଲେ ଏବ˚ ସେହି ଅବସ୍ଥାରେ ଜର୍ଜ‌୍‌ଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ଅଣ-ଶ୍ବେତାଙ୍ଗଙ୍କ ଦଳନ-ଦମନର ଏହା ପ୍ରଥମ କି˚ବା ଶେଷ ମାମଲା ନୁହେଁ। ପ୍ରତି ବର୍ଷ ଆମେରିକାରେ ଶ୍ବେତାଙ୍ଗ ପୁଲିସ୍‌ଙ୍କ ହାତରେ ଅନ୍ୟୂନ ଶହେ ଜଣ କୃଷ୍ଣକାୟଙ୍କ ପ୍ରାଣ ଯାଉଥିବା ବିଷୟ ଏକ ପରିସ˚ଖ୍ୟାନରୁ ଜଣାଯାଏ। ଏଥି ପାଇଁ ସେଠାକାର ଅଦାଲତ କିଛି ପରିମାଣରେ ଦାୟୀ। ନାଗରିକଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ସେଠାକାର ପୁଲିସ୍‌କୁ ଅଦାଲତ କେତେକ ବିଶେଷ କ୍ଷମତା ଦେଇଛି। ଆଉ ପୁଲିସ୍‌ ବାହିନୀ ଅନେକ ସମୟରେ କ୍ଷମତାର ଅସତ୍‌ ବ୍ୟବହାର କରୁଛି। ସେଠାରେ ପୁଲିସ୍‌ର କେତେକ କାର୍ଯ୍ୟାନୁଷ୍ଠାନ ଉପରେ ଆଇନଗତ ଶୁଣାଣି କରାଯାଏନାହିଁ। କିନ୍ତୁ, ଏ ଥର ପରିସ୍ଥିତି ଭିନ୍ନ। ଅଣ-ଶ୍ବେତାଙ୍ଗ ସମାଜ ଆଉ ପୁଲିସ୍‌ର ଆତଙ୍କକୁ ହାଲୁକା ଭାବେ ନେବାକୁ ପ୍ରସ୍ତୁତ ନାହିଁ। ସେମାନେ ନିରବ ରହିବାକୁ ଚାହୁଁନାହାନ୍ତି। କରୋନା ମହାମାରୀ ବେଳେ ମଧ୍ୟ ହଜାର ହଜାର ସ˚ଖ୍ୟାରେ ପଦାକୁ ଆସି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଭୟଙ୍କର ଆଇନ-ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ସେମାନଙ୍କର ଦାବି ଦେଶ ବଦଳୁ, ଅଦାଲତ ବଦଳୁ, ପୁଲିସ୍‌ ବଦଳୁ ଏବ˚ ସମାଜ ନୂଆ ରୂପ ନେଉ। ଯଦି ପରିବର୍ତ୍ତନ ନ ଆସେ ଆଉ ଶାନ୍ତିରେ ଏକତ୍ର ସହାବସ୍ଥାନ ସ˚ଭବ ନୁହେଁ।

ଗତ ଶତାବ୍ଦୀର ଷଷ୍ଠ ଦଶକରେ ଯେତେ ବେଳେ ମାର୍ଟିନ୍‌ ଲୁଥର‌୍‌ କି˚ଗ୍‌ ଜୁନିଅର, ଗାନ୍ଧୀଙ୍କ ଅହି˚ସ ଦୃଷ୍ଟିକୋଣକୁ ଗ୍ରହଣ କରି ଲକ୍ଷ ଲକ୍ଷ କୃଷ୍ଣକାୟଙ୍କ ଗହଣରେ ରାସ୍ତାକୁ ଓହ୍ଲାଇଥିଲେ, ବେଶ୍‌ ଚହଳ ସୃଷ୍ଟି ହୋଇଥିଲା। ତେବେ, ଗାନ୍ଧୀଙ୍କ ନୀତି ଓ ଆଦର୍ଶ ଥିବାରୁ ଜଳା-ପୋଡ଼ା, ଦଙ୍ଗା-ହଙ୍ଗାମା ହୋଇ ନ ଥିଲା। ତାହା ପରେ ଏବେ ଦ୍ବିତୀୟ ଥର ପାଇଁ ଅଣ-ଶ୍ବେତାଙ୍ଗ ଆମେରିକା ଅଶାନ୍ତ ହୋଇଛି; କୃଷ୍ଣକାୟମାନେ ବହୁ ସ˚ଖ୍ୟାରେ ରାଜରାସ୍ତାକୁ ବାହାରିଛନ୍ତି। ଏଥର ହି˚ସାର ରାଜୁତି ଦେଖିବାକୁ ମିଳିଛି। ଗଭୀର ପୀଡ଼ାରୁ ଏହି ହି˚ସା ସୃଷ୍ଟ। ତେବେ, ତାହା ଧୀରେଧୀରେ ଶାନ୍ତ ହେଉଥିବା, ଆମେ ଦେଖୁଛେ। ଏ ଥର ଏହି ଆନ୍ଦୋଳନରେ ପ୍ରଥମ ଥର ପାଇଁ ସାମିଲ ହୋଇଛନ୍ତି ବହୁ ସ˚ଖ୍ୟକ ଶ୍ବେତାଙ୍ଗ ଓ ଆମେରିକାର ଏସୀୟ ବ˚ଶୋଦ୍ଭବ। ବିଭିନ୍ନ ସ୍ତର ଓ କ୍ଷେତ୍ରର ଲୋକେ ଏମାନଙ୍କ ପ୍ରତି ସହାନୁଭୂତିଶୀଳ ହୋଇଛନ୍ତି। ସେମାନଙ୍କର ସାମନା କରି ନ ପାରି ମାର୍କିନ୍‌ ପୁଲିସ୍‌ କ୍ଷମା ମାଗୁଥିବା ଆମେ ଦେଖିଲେଣି। ହ୍ବାଇଟ୍ ହାଉସ୍‌ ବା ଶ୍ବେତ ପ୍ରାସାଦ ସାମନାରେ ଯେତେ ବେଳେ ବିକ୍ଷୋଭ ହି˚ସ୍ର ରୂପ ନେଲା, ବଡ଼ ତୁଣ୍ତିଆ ମାର୍କିନ୍‌ ରାଷ୍ଟ୍ରପତି ମଧ୍ୟ ଭୂଇଁ ତଳେ ଲୁଚିବା ଆମେ ଦେଖିଲେ।

ଗାନ୍ଧୀ ଥିଲେ କ’ଣ କହିଥାଆନ୍ତେ? ବୋଧହୁଏ କହିଥାଆନ୍ତେ- ପୀଡ଼ା ସତ୍ୟ; ତେବେ, ମାର୍ଗ ଭୁଲ୍‌। ଏବେ ବି କିଛି ଦୂରରେ ଥାଉ ପଛକେ, ସେହି ଆମେରିକା ଆଗକୁ ଆସିବା ଦରକାର, ଯେଉଁଠି ଶ୍ବେତାଙ୍ଗ ଏବ˚ ଅଣ-ଶ୍ବେତାଙ୍ଗ ଏକତ୍ର ଥିବେ; ସେମାନଙ୍କ ମଧ୍ୟରେ ବିଭାଜନ ବା ଭେଦ-ଭାବ ନ ଥିବ। କେବଳ ସେହି ଆମେରିକା ହିଁ ଜୋର‌୍‌ରେ କହିପାରିବ, ପ୍ରଖର ବେଗରେ ଗତି କରିପାରିବ। ତାହାର ଉତ୍‌ଥାନ ଦ୍ବାରା ଆମେରିକାର ସ୍ଥିତି ପ୍ରକୃତରେ ମଜଭୁତ ହୋଇପାରିବ। ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ଏ ଭଳି ଆମେରିକାର ସ୍ବପ୍ନ ଦେଖିବା ସହ ମୂଳଦୁଆ ପକାଇଥିଲେ। ସେହି ରାସ୍ତାରେ ଆଗକୁ ଆଗେଇବାର ସମୟ। କରୋନା ବି କହିସାରିଲାଣି, ଆଉ ପୁରୁଣା ଦୁନିଆ ସ˚ଭବ ନୁହେଁ। ନୂଆ ଦୁନିଆ କରୋନା-ମୁକ୍ତ ହେବା ଦରକାର; ମାନସିକ କରୋନା-ମୁକ୍ତ ମଧ୍ୟ। ଏହା ବି ଭୁଲିବାନାହିଁ ଯେ, ଏ ଭଳି ମୁକ୍ତି କେବଳ ଆମେରିକାକୁ ନୁହେଁ ଆମ ସମସ୍ତଙ୍କୁ ଲୋଡ଼ା।

ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ

ସମ୍ବନ୍ଧିତ ଖବର