ଭାଦ୍ରବର ଲୁହ

ଶ୍ରଦ୍ଧାଞ୍ଜଳି - ଗୌରହରି ଦାସ

ବର୍ଷଟିଏ ବିତିଗଲାଣି, ବିଶ୍ବାସ ହେଉନାହିଁ। ଏବେ ବି ଲାଗୁଛି ରଣଜିତ୍‌ ବାବୁ ଆମ ଗହଣରେ ଅଛନ୍ତି। ପୁଣି ପ୍ରକାଶିତ ହେବ ତାଙ୍କର ‘ଅପ୍ରସଙ୍ଗ’ ସ୍ତମ୍ଭ ‘ସମ୍ବାଦ’ ପୃଷ୍ଠାରେ, ‘କନକ ନ୍ୟୁଜ୍‌’ର ସାନ୍ଧ୍ୟ ଆଲୋଚନାରେ ସେ ଭାଗ ନେବେ ଏବଂ ଦିନତମାମର କ୍ଳାନ୍ତିକର କାମ ଶେଷରେ ମୋ କ୍ୟାବିନ୍‌କୁ ପଶିଆସି ପଚାରିବେ, ‘‘ଆଉ ସବୁ ଖବର କ’ଣ?’’

ସବୁଦିନେ ‘ଖବର କ’ଣ’ ବୋଲି ପଚାରୁଥିବା ଖବର-ମଣିଷ ଶେଷକୁ ନିଜେ ଖବର ହୋଇଗଲେ। ଗଲାବର୍ଷ ଅଗଷ୍ଟ ୧୮ ତାରିଖରେ ଭାଦ୍ରବର ବର୍ଷାଭିଜା ସନ୍ଧ୍ୟାକୁ ନିଜ ବିଦାୟର ଦୁଃଖରେ ଓଜନିଆ କରି ଚାଲିଗଲେ ରଣଜିତ୍‌ ବାବୁ। ନା ପତ୍ନୀ ସୁନୀତାଙ୍କର ଶୋକ ନା କନ୍ୟା କ୍ରାନ୍ତି ସ୍ବାଗତିକାର ଲୁହ ନା ସହକର୍ମୀ ଓ ଶୁଭେଚ୍ଛୁମାନଙ୍କର ଦୀର୍ଘଶ୍ବାସ କୌଣସିଟି ତାଙ୍କୁ ଅଟକେଇ ପାରିଲା ନାହିଁ। ସେ ଭାଦ୍ରବ ଆକାଶରେ ଲୁହ ଟୋପେ ହୋଇ ହଜିଗଲେ।

ରଣଜିତ୍‌ ବାବୁଙ୍କୁ ତାଙ୍କ ଗାଁ ମାଟି କେତେ ଭଲପାଏ ସେକଥା ଜାଣିବାର ଅବକାଶ ଜୁଟିଥିଲା ତାଙ୍କର ଏକାଦଶାହ ସ୍ମୃତିସଭାରେ ଯୋଗଦେଲାବେଳେ। ଶ୍ରୀ ଅଭୟ ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସେଇ ସଭାରେ ହଜାର ହଜାର ଲୋକ ଯୋଗ ଦେଇଥିଲେ। ସେମାନଙ୍କ ଭିତରେ ବହୁ ଲୋକପ୍ରତିନିଧି, ଶିକ୍ଷାବିତ୍‌, ଗଣମାଧ୍ୟମ ସହ ସଂପୃକ୍ତ ଅଧିକାରୀ ଥିଲେ, ଥିଲେ ମଧ୍ୟ ତାଙ୍କର ପ୍ରତିଭା ଅନୁରାଗୀ ସାଧାରଣ ମଣିଷ।

ରଣଜିତ୍‌ ଗୁରୁଙ୍କ ରକ୍ତରେ ଥିଲା ସାମ୍ବାଦିକତା। ଏହା ସାଙ୍ଗକୁ ତାଙ୍କ ଭିତରେ ଥିବା ଆବେଗ ତାଙ୍କର ଲେଖାଗୁଡ଼ିକୁ ଅଧିକ ଅର୍ଥମୟ କରୁଥିଲା। ତଥ୍ୟ ସନ୍ଧାନରେ ତାଙ୍କର ନିଷ୍ଠା ପୁଣି ଥିଲା ଆଦର୍ଶସ୍ଥାନୀୟ। ଏ କ୍ଷେତ୍ରରେ ଶାରୀରିକ ଦୁର୍ବଳତା ତାଙ୍କର ପଥ ରୋକିପାରୁ ନ ଥିଲା। ନିରବଚ୍ଛିନ୍ନ ଉଦ୍ୟମ ଓ ନିରଳସ ସାଧନା ଯୋଗୁଁ ତାଙ୍କର ସ୍ତମ୍ଭଗୁଡ଼ିକ ତଥ୍ୟଭିତ୍ତିକ ହେଉଥିଲା, ଯାହାକୁ ଅନ୍ୟମାନେ ସେମାନଙ୍କ ତଥ୍ୟର ସୂତ୍ର ବୋଲି ଗ୍ରହଣ କରୁଥିଲେ।

ଆଲୋଚନା ବେଳେ ‌େସ ଥରେ କହିଥିଲେ, ଜୀବନରେ ସେ ସିଭିଲ୍‌ ସର୍ଭିସ୍‌ରେ ଯିବାକୁ ଚାହିଥିଲେ। ଅଧ୍ୟାପନା ଥିଲା ଦ୍ବିତୀୟ ପସନ୍ଦ। ମାତ୍ର ଶେଷରେ ସେ ସାମ୍ବାଦିକ ହେଲେ। ମୁଁ ଭାବେ ଏ ଦିଇଟା ବୃତ୍ତିରେ ଯାଇ ସେ ଯାହା କରିଥାଆନ୍ତେ, ସାମ୍ବାଦିକତା ବୃତ୍ତିରେ ଥାଇ ତାହା ସେ କରିପାରିଥିଲେ। ତାଙ୍କର ସ୍ତମ୍ଭଗୁଡ଼ିକ ଓଡ଼ିଶାର ଶାସକ ଓ ବିରୋଧୀଦଳ ଉଭୟଙ୍କ ପାଇଁ ମାର୍ଗ ନିର୍ଦ୍ଦେଶିକା ପ୍ରାୟ ଥିଲା। ତାହା ଥିଲା ପୁଣି ସଚେତନ ଓଡ଼ିଆ ଏବଂ ନୂଆ ପିଢ଼ିଙ୍କ ପାଇଁ ଭବିଷ୍ୟତର ଇସ୍ତାହାର। ଅନାସକ୍ତ ଦୃଷ୍ଟିଭଙ୍ଗୀ, ନିର୍ଭୀକ ଉପସ୍ଥାପନା ଏବଂ ତଥ୍ୟପୂର୍ଣ୍ଣ ବିଶ୍ଳେଷଣ ଯୋଗୁଁ ତାଙ୍କର ପ୍ରବନ୍ଧ ଓ ଯୁକ୍ତି ସମସ୍ତଙ୍କ ପକ୍ଷେ ଗ୍ରହଣୀୟ ହୋଇପାରୁଥିଲା। ରଣଜିତ୍‌ ବାବୁଙ୍କର ବହୁ ପ୍ରବନ୍ଧ ମଧ୍ୟରୁ ଅଧିକାଂଶ ତାଙ୍କର ପ୍ରକାଶିତ ତିନିଟି ପୁସ୍ତକରେ ଅଛି। ଏସବୁ ‘ସମ୍ବାଦ’ର ସହଯୋଗୀ ଅନୁଷ୍ଠାନ ‘ଆମ ଓଡ଼ିଶା’ ଦ୍ବାରା ପ୍ରକାଶିତ। ସେ ବହିଗୁଡ଼ିକର ନାଆଁ ହେଲା- ‘ଓଡ଼ିଶା: ଏ ଡିକେଡ୍‌ ଅଫ୍‌ ମିସ୍‌ଡ ଅପର୍‌ଚୁନିଟିଜ୍‌’, ‘ବିଡ଼ମ୍ବିତ ଦଶନ୍ଧି’ ଏବଂ ‘ଓଡ଼ିଶା ରାଜନୀତି: ଶାସନ ଓ ବିକାଶ’।

ସାମ୍ବାଦିକତା ଭିନ୍ନ ଅନ୍ୟ ଯେଉଁଥିରେ ତାଙ୍କର ବିଶେଷ ଆଗ୍ରହ ଥିଲା, ତାହା ଥିଲା ନାଟକ ଓ କ୍ରିକେଟ୍‌। ଏ ଦୁଇଟି କଥା ଆଲୋଚନା ବେଳେ ସେ ପ୍ରାୟ-ପ୍ରଗଳ୍‌ଭ ପାଲଟି ଯାଉଥିଲେ।

‘ସମ୍ବାଦ’ ପରିବାର ତାଙ୍କୁ ବଡ଼ପୁଅ କହି ଗତବର୍ଷ ବିଦାୟ ଦେଇଥିଲା। ସଂପାଦକ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ନିଜ ଜନ୍ମଦିନ ପାଳନକୁ ବନ୍ଦ କରିଦେଇଥିଲେ। ସହଯୋଗୀମାନେ ସମସ୍ତେ ସେମାନଙ୍କର ଏହି ପ୍ରିୟ ଅଗ୍ରଜଙ୍କୁ ଭାବପୂର୍ଣ୍ଣ ବିଦାୟ ଜଣାଇଥିଲେ, ତାଙ୍କର ଶବାଧାରରେ ଫୁଲ ଥୋଇ।

ଯିଏ କହିଥିଲେ ଯେ ଆଖି ଆଗରୁ ମଣିଷ ଚାଲିଗଲେ ମନ ଭିତରୁ ଭୁଲି ହୋଇଯାଏ, ସେ ସଂପୂର୍ଣ୍ଣ ସତ କହି ନ ଥିଲେ। ମନରୁ ଭୁଲିବା ସହିତ ଭୌଗୋଳିକ ଦୂରତ୍ବର କୌଣସି ସଂପର୍କ ନାହିଁ। ତାହା ‌ହୋଇଥିଲେ ଏବେ ବି ଲାଗନ୍ତା ନାହିଁ କି ରଣଜିତ୍‌ ବାବୁ ସହସା କ୍ୟାବିନ୍‌ ଭିତରକୁ ପଶି ଆସିବେ। ତା’ପରେ ଆମେମାନେ କପେ ଲେଖାଏଁ ଚା’ ପିଇ ପୁଣି ନୂଆ ଆଲୋଚନାରେ ମଜ୍ଜିଯିବୁ।

ରଣଜିତ୍‌ ବାବୁ! ଆପଣ ଆମକୁ ଛାଡ଼ି ଚାଲିଯାଇଥିଲେ ସୁଦ୍ଧା ‘ସମ୍ବାଦ’ର ଆମେ ସମସ୍ତେ ଆପଣଙ୍କୁ ମନେ ରଖିଛୁ, ମନେ ରଖିଛି ‘କନକ ନ୍ୟୁଜ୍‌’। କେହି ଭୁଲିନାହାନ୍ତି, କାରଣ ଆପଣଙ୍କୁ ଭୁଲିବା ସହଜ ନୁହେଁ। ଆପଣଙ୍କର ଅନୁଜମାନେ ଆପଣ ଅଧା ଛାଡ଼ିଯାଇଥିବା କାମ ପୂରଣ କରିବାକୁ ଉଦ୍ୟମ କରୁଛନ୍ତି, ତାହା ହିଁ ପ୍ରକୃତ ସ୍ମୃତିରକ୍ଷା। ଫୁଲ ମଉଳିଯିବ, ଧୂପ ଲିଭିଯିବ, ପାଉଁଶରେ ପରିଣତ ହୋଇଯିବ ଅର୍ଘ୍ୟ ଓ ସ୍ମରଣିକା; ମାତ୍ର ଆପଣଙ୍କର କର୍ମ କେବେ ମ୍ଳାନ ହେବ ନାହିଁ। ଆପଣଙ୍କର ରଚନାଗୁଡ଼ିକ ହିଁ ଆପଣଙ୍କୁ ଚିରଦିନ ଅମର କରି ରଖିବ। ଏକଦା ବାଗ୍ମୀ ବିଶ୍ବନାଥଙ୍କ ସଂପର୍କରେ କବି ରାଧାମୋହନ ଗଡ଼ନାୟକ ଲେଖିଥିବା କବିତାରୁ ଦି’ପଦ ଉଦ୍ଧାର କରି ଆପଣଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଉଛି।
ହେ ପ୍ରତିଭାଧର ଧରି ପ୍ରତିଭାର ଜ୍ବଳନ୍ତ ବର୍ତ୍ତିକା
ଜୀବନରେ ଜାଳିଥିଲ ବହୁ ଦୀପ ବହୁତ ଦୀପିକା
କେତେ ଜଳୁଅଛି ଆଜି କାନ୍ତଦୀପ୍ତ ଆଖି
ତୁମ ପ୍ରତିଭାର ସ୍ମୃତି, ତୁମର ସେ ସାଧନାର ସାକ୍ଷୀ।

ଫିଚର ସମ୍ପାଦକ ‘ସମ୍ବାଦ’,
ଭୁବନେଶ୍ବର- ୭୫୧୦୧୦

ସମ୍ବନ୍ଧିତ ଖବର