୨୦୦୭ର ଆଶା ଓ ଏବର ଭାରତ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ଭାରତର ସ୍ବାଧୀନତା ପ୍ରାପ୍ତିର ଷାଠିଏତମ ବର୍ଷ ପୂର୍ତ୍ତି ଅବସରରେ ଆମ ଦେଶ କେମିତି ଚାଲିଛି, ଏହି ପ୍ରସଙ୍ଗରେ ଏକ ନିବନ୍ଧ ଲେଖିଥିଲି। ନିବନ୍ଧଟି ୧୫ ଅଗଷ୍ଟ ୨୦୦୭ରେ ‘ହିନ୍ଦୁସ୍ତାନ ଟାଇମ୍‌ସ’ରେ ପ୍ରକାଶିତ ହୋଇଥିଲା। ସେତେ ବେଳେ ଭାରତ ସୁପର‌୍‌ ପାଵାର‌୍‌ ସ୍ତରକୁ ଉନ୍ନୀତ ହେବା ପ୍ରସଙ୍ଗରେ ବେଶ୍‌ ଆଲୋଚନା ହେଉଥିଲା। ଚାଇନା ଅନ୍ତର୍ଜାତୀୟ ମଞ୍ଚରେ ପ୍ରବେଶ କରିସାରିଥିଲା; ଆଗକୁ ଆମର ପାଳି ଥିବା ପରି ଲାଗୁଥିଲା। ଏକବି˚ଶ ଶତାବ୍ଦୀ, ଏସୀୟ ଶତାବ୍ଦୀ ହେବାକୁ ଯାଉଥିବା ଆଶା କରାଯାଉଥିଲା। ଊନବି˚ଶ ଶତାବ୍ଦୀରେ ଗ୍ରେଟ୍‌ ବ୍ରିଟେନ୍‌ ଏବ˚ ବି˚ଶ ଶତାବ୍ଦୀରେ ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ବର ନେତୃତ୍ବ ନେଇଥିବା ଭଳି ଚାଇନା ଓ ଭାରତ ବିତ୍ତୀୟ ଏବ˚ ରାଜନୈତିକ ଦୃଷ୍ଟିକୋଣରୁ ଏକବି˚ଶ ଶତାବ୍ଦୀକୁ ପ୍ରଭାବିତ କରିବେ ବୋଲି ଅବଶିଷ୍ଟ ବିଶ୍ବ ବିଶ୍ବାସ କରିବା ଆରମ୍ଭ କରିଥିଲା।

ଭାରତ ବିଶ୍ବ ସ୍ତରକୁ ଉନ୍ନୀତ ହେବା ନେଇ ସର୍ବାଧିକ ଆଶାବାଦୀ ଥିଲେ ମୁମ୍ବାଇ ଓ ବେଙ୍ଗାଲୁରୁର ଉଦ୍ୟୋଗପତି ଏବ˚ ନୂଆଦିଲ୍ଲୀର ସ˚ପାଦକଗଣ। ୨୦୦୬ରେ ଡାଭୋସ୍‌ରେ ଅନୁଷ୍ଠିତ ‘ଵାର୍ଲ‌୍‌ଡ ଇକୋନୋମିକ୍‌ ଫୋରମ୍‌’ରେ ଏମାନେ ଭାରତକୁ ବିଶ୍ବର ଦ୍ରୁତ ବିକଶିତ ଗଣତନ୍ତ୍ର ଭାବେ ଉପସ୍ଥାପନ କରିବା ପାଇଁ ସମସ୍ତ ଶକ୍ତି ଖଟାଇଦେଇଥିଲେ। ଚାଇନା ତୁଳନାରେ ଭାରତରେ କାମ କରିବା ଏବ˚ ବସବାସ କରିବା ଅଧିକ ଅନୁକୂଳ ବୋଲି ଆମେରିକୀୟ ଓ ଇଉରୋପୀୟ ଉଦ୍ୟୋଗଗୁଡ଼ିକୁ ବୁଝାଇଥିଲେ। ଭାରତରେ ପୁ˚ଜି ବିନିଯୋଗ କଲେ ସେମାନେ ଅଧିକ ଲାଭବାନ ହେବେ ବୋଲି ସଙ୍କେତ ମଧ୍ୟ ଦେଇଥିଲେ।

ଉଦ୍ୟୋଗପତିମାନେ ସର୍ବଦା ଆଶାବାଦୀ। ଅପର ପକ୍ଷେ ଐତିହାସିକମାନେ ସର୍ବଦା ସ˚ଶୟୀ; ଏପରିକି ନିରାଶାବାଦୀ ବୋଲି କହିଲେ ଚଳିବ। ନିଜ ପେସାଦାର ଜୀବନର ପ୍ରବୃତ୍ତି ଦ୍ବାରା ଆକ୍ରାନ୍ତ ହୋଇ ୧୫ ଅଗଷ୍ଟ ୨୦୧୫ରେ ପ୍ରକାଶିତ ଉକ୍ତ ନିବନ୍ଧରେ ମୁଁ ଯୁକ୍ତି କରିଥିଲି ଯେ ବିଶ୍ବ ସ୍ତରରେ ଭାରତର ପ୍ରଭାବ ବାବଦରେ ଆମେ ଯାହା ଆଶା କରୁଛେ, ତାହା ଅବାସ୍ତବ। କାରଣ, ଆମେ ଏ ଯାଏ ଜାତି, ବର୍ଣ୍ଣ, ଧର୍ମ, ଶ୍ରେଣୀ ଜନିତ ସମସ୍ୟାରୁ ମୁକ୍ତ ହୋଇପାରିନାହେଁ। ଆମ ଅନୁଷ୍ଠାନଗୁଡ଼ିକ ଆମ ସମ୍ବିଧାନ ପ୍ରଣେତାଙ୍କ ଆଶାନୁରୂପ ଶକ୍ତିଶାଳୀ ହୋଇପାରିନାହାନ୍ତି। ଆମ ବିତ୍ତୀୟ ବିକାଶ କ୍ଷେତ୍ରରେ ପରିବେଶ ଅବକ୍ଷୟ ପ୍ରତିବନ୍ଧ ସାଜିଛି। ଡାଭୋସ୍‌ରେ ପ୍ରଚାରିତ କାହାଣୀରେ ବାସ୍ତବତା ପ୍ରତିଫଳିତ ନୁହେଁ। ଉପସ˚ହାରରେ ମୁଁ ଲେଖିଥିଲି- ଆମ ଦେଶ ସୁପର‌୍‌ ପାଵାର‌୍‌ ହେବାକୁ ଯାଉନାହିଁ। ଭାରତ ପୂର୍ବ ଭଳି ମଧ୍ୟମ ସ୍ଥିତିରେ ଅଛି।

ମୋର ଉଦ୍ୟୋଗପତି ବନ୍ଧୁମାନେ ମୋର ମୂଲ୍ୟାୟନ ସହ ଏକମତ ହେବେନାହିଁ ଏବ˚ ତାକୁ ନିରାଶାବାଦୀ ଭାବେ ଆଖ୍ୟାୟିତ କରିବେ ବୋଲି ମୁଁ ଜାଣିଥିଲି। ସେତେବେଳେ ତାହା ହିଁ ଘଟିଥିଲା। କିନ୍ତୁ, ବାର ବର୍ଷ ତଳେ ମୁଁ ଯାହା ଲେଖିଥିଲି, ତାହାର ଯଥାର୍ଥତା ଏବେ ବିଚାର କରନ୍ତୁ। ୨୦୦୭ ପୂର୍ବରୁ ଭାରତର ବାର୍ଷିକ ଅର୍ଥନୈତିକ ଅଭିବୃଦ୍ଧି ଆଠ ପ୍ରତିଶତରେ ଚମକୁଥିଲା। ମହାମାରୀ ଆରମ୍ଭ ହେବା ପୂର୍ବରୁ ଏହା ବାର୍ଷିକ ଚାରି ପ୍ରତିଶତକୁ ଖସି ସାରିଥିଲା। ଆଉ ଏବେ ଏହା ନକାରାତ୍ମକ ସ୍ଥିତିରେ।

୨୦୦୬ ଓ ୨୦୦୭ରେ ହୋଇଥିବା ଦାବିର ସତ୍ୟତା ଯାହା ଥାଉ ନା କାହିଁକି, ଗତ କିଛି ବର୍ଷ ହେଲା, ଆମେ ଆଉ ବିଶ୍ବର ଦ୍ରୁତ ବିକଶିତ ଗଣତନ୍ତ୍ର ନାହୁଁ। ଚାଇନା ବାବଦରେ ସେତେ ବେଳେ ଆମେ ଯାହା କହିଥିଲେ, ତାହା ମଧ୍ୟ ଠିକ୍‌ ଥିବା ପରି ଏବେ ଲାଗୁନାହିଁ। ଆମ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ହେଉ ନାହିଁ। ଭାରତକୁ ଏବେ ଏକ ସୁସ୍ଥ ଓ ପ୍ରୟୋଗାତ୍ମକ ଗଣତନ୍ତ୍ର ଭାବେ ମଧ୍ୟ ଆଖ୍ୟାୟିତ କରାଯାଇପାରିବନାହିଁ। ଶାସକ ଦଳ, ଆମର ସାର୍ବଜନୀନ ସ୍ବାୟତ୍ତ-ସ୍ବତନ୍ତ୍ର ଅନୁଷ୍ଠାନଗୁଡ଼ିକୁ ଯୋଜନାବଦ୍ଧ ଭାବେ ଦଖଲ କରିଥିବା, ପୂର୍ବରୁ ମୁଁ ଲେଖିଛି। ଆମ ପ୍ରଶାସନ, ଆମର ତଦନ୍ତକାରୀ ସ˚ସ୍ଥା, ରିଜର୍ଭ‌୍‌ ବ୍ୟାଙ୍କ୍‌, ନିର୍ବାଚନ ଆୟୋଗ, ଏପରିକି କିଛି ପରିମାଣରେ ଆମ ନ୍ୟାୟପାଳିକା ମଧ୍ୟ ସରକାର ସପକ୍ଷରେ କାମ କରୁଛି। ରାଜନେତାମାନେ ଏଗୁଡ଼ିକୁ ନିୟନ୍ତ୍ରିତ କରୁଛନ୍ତି। ଏହି ଅନୁଷ୍ଠାନଗୁଡ଼ିକ ସେମାନଙ୍କ ନିର୍ଦେଶ ପାଳନ କରୁଛନ୍ତି। ଗୋପନୀୟ ନିର୍ବାଚନୀ ବଣ୍ତ୍‌, ଆମ ଗଣତାନ୍ତ୍ରିକ ପଦ୍ଧତିକୁ ନିମ୍ନଗାମୀ କରିଛି। ବିଭିନ୍ନ ରାଜ୍ୟର ବିଧାନସଭାରେ ବିଧାୟକ କିଣା-ବିକା ଅବାଧରେ ଚାଲିଛି। ଗଣମାଧ୍ୟମର ବିପୁଳ ଭାଗ ଭାଜପା ଓ ନରେନ୍ଦ୍ର ମୋଦୀଙ୍କ ନିୟନ୍ତ୍ରଣରେ। ଯେଉଁ ଅଳ୍ପ କିଛି ସାହସର ସହ ସ୍ବାଧୀନତା ବଜାୟ ରଖିଛନ୍ତି, ସେମାନଙ୍କୁ ସରକାର ବିଭିନ୍ନ ପ୍ରକାରେ ହଇରାଣ-ହରକତ କରୁଛନ୍ତି।

ଭାରତର ସୁପର‌୍‌ ପାଵାର‌୍‌ ହେବା ସ˚ପର୍କରେ ଏକଦା ଯେଉଁମାନେ ଆଶା ପୋଷଣ କରୁଥିଲେ, ମୁଁ ଥରେ ସେମାନଙ୍କୁ ପରିହାସ କରିଥିଲି। ତେବେ, ମୁଁ ମଧ୍ୟ ଏକଦା ଭାରତକୁ ନେଇ ଆଶାବାଦୀ ଥିଲି; ଅର୍ଥନୀତି କ୍ଷେତ୍ରରେ ନୁହେଁ, ଅନ୍ୟ କ୍ଷେତ୍ରରେ। ମୁଁ ଭାରତୀୟ ଗଣତନ୍ତ୍ରର ପ୍ରଶ˚ସା କରିଥିଲି। ଏହାର ସ˚ସ୍କୃତି ଓ ଧାର୍ମିକ ବିବିଧତାକୁ ନେଇ ଗର୍ବ ପ୍ରକାଶ କରିଥିଲି। ଭାରତରେ ଜଣେ ଶିଖ ପ୍ରଧାନମନ୍ତ୍ରୀ ମୁସଲମାନ ରାଷ୍ଟ୍ରପତିଙ୍କ ଦ୍ବାରା ଶପଥ ପାଠ କରିଥିଲେ। ଆମ କରେନ୍‌ସିରେ ସ୍ଥାନ ପାଉଥିଲା, ସତରଟି ଭିନ୍ନ ଭିନ୍ନ ଭାଷାର ଲିପି। ସାଧାରଣତନ୍ତ୍ରର ଏହି ବିଶେଷତ୍ବଗୁଡ଼ିକ ମୋତେ ଆକର୍ଷିତ କରିଥିଲା।

୨୦୦୪ ଓ ୨୦୦୯ରେ ଭାଜପାର ପରାଜୟ ହିନ୍ଦୁତ୍ବର ଭବିଷ୍ୟତ୍‌ ପ୍ରସଙ୍ଗରେ ମୋ ଭଳି ଉଦାରବାଦୀଙ୍କୁ ଆତ୍ମତୃପ୍ତି ଦେଇଥିଲା। ତେବେ, ଉକ୍ତ ପରାଜୟ ସତ୍ତ୍ବେ ଆଦର୍ଶ ତଥା ରାଜନୈତିକ ଦୃଷ୍ଟିକୋଣରୁ ହିନ୍ଦୁତ୍ବର ଅବନତି ହୋଇ ନ ଥିଲା। ନରେନ୍ଦ୍ର ମୋଦୀଙ୍କ କରିତ୍‌କର୍ମା ନେତୃତ୍ବ ବଳରେ ୨୦୧୪ରେ ଅନୁଷ୍ଠିତ ନିର୍ବାଚନରେ ଭାଜପା ସ˚ଖ୍ୟାଗରିଷ୍ଠତା ଲାଭ କଲା। ମୋଦୀଙ୍କ ପ୍ରଧାନମନ୍ତ୍ରିତ୍ବର ପ୍ରଥମ ପାଳି ନୋଟ୍‌ବନ୍ଦୀ ପରୀକ୍ଷାର ବିଧ୍ବ˚ସୀ ପରିଣାମକୁ ସର୍ବଦା ମନେ ପକାଇବ। ଉକ୍ତ ପରୀକ୍ଷା ଭାରତର ଅର୍ଥନୀତିକୁ ବହୁ ବର୍ଷ ପଛକୁ ନେଇଯାଇଥିଲା। ତାଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ସମ୍ବିଧାନର ୩୭୦ ଧାରା ଉଚ୍ଛେଦନ ଓ ନାଗରିକତା ସ˚ଶୋଧନ ଆଇନକୁ ମନେ ପକାଇବ। ଏ ଦୁଇଟି ଏକତ୍ର ଭାରତର ବହୁବାଦିତା ଉପରେ କୁଠାରାଘାତ କରିଥିଲା। ଆଗକୁ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାର ଆମ ସମାଜ ଓ ଅର୍ଥନୀତିକୁ କେଉଁ ଭଳି ଆଘାତ ଦେବେ, ଦେଖିବା ବାକି ଅଛି।

ଭାରତ ସୁପର‌୍‌ ପାଵାର‌୍‌ ହେବାକୁ ଯାଉଛି କି ନା, ଅଗଷ୍ଟ ୨୦୦୭ରେ ଅନୁମାନ କରିବା କଷ୍ଟକର ଥିଲା। ତେବେ, ଭାରତ ବାବଦରେ କହିବା ପାଇଁ ଆମ ପାଖରେ ବହୁତ କିଛି ଥିଲା- ଏକ ବିଶାଳ ଓ ଜଟିଳ ବହୁବାଦୀ ରାଷ୍ଟ୍ର, ଅନେକ ଅଶିକ୍ଷିତ ଥିବା ସତ୍ତ୍ବେ ଏକ ଦୃଢ଼ ଓ ସ˚ଗଠିତ ଗଣତନ୍ତ୍ର, ବର୍ଷ ବର୍ଷ ଧରି ମରୁଡ଼ିଗ୍ରସ୍ତ ଥିବା ସତ୍ତ୍ବେ ଖାଦ୍ୟର ଅଭାବ ଦୂର କରି ପାରିଥିବା ସମାଜ ଏବ˚ ବୈଷୟିକ ବିକାଶ ପଥରେ ଦ୍ରୁତ ଗତିରେ ଆଗଉଥିବା ଏକ ଦେଶ। ସେତେ ବେଳେ ଭାରତକୁ ବିଶ୍ବ ଦରବାରରେ ଏକ ସୁପର‌୍‌ ପାଵାର‌୍‌ ଭାବେ ଉପସ୍ଥାପନ କରିବାର କୌଣସି ଆବଶ୍ୟକତା ନ ଥିଲା। କାରଣ, ଆମେ ସ୍ବାଧୀନତା ପରେ ମନ୍ଥର ଗତିରେ ନିରବରେ ଅଗ୍ରସର ହୋଇ ଚାଲିଥିଲେ। ଏବେ ଅଗଷ୍ଟ ୨୦୨୦ରେ ଭାରତ ବାବଦରେ କହିବା ପାଇଁ ହିଁ କିଛି ନାହିଁ। ‘କୋଭିଡ୍‌ ୧୯’ ଆସିବା ପୂର୍ବରୁ ଆମ ଅର୍ଥନୀତି ଦୋହଲି ସାରିଥିଲା। ଆମ ଗଣତନ୍ତ୍ର ଦୁର୍ନୀତିଗ୍ରସ୍ତ ଓ କଳଙ୍କିତ ହୋଇସାରିଥିଲା। ଆମ ସ˚ଖ୍ୟାଲଘୁ ଭୟଭୀତ ଓ ଅସୁରକ୍ଷିତ ହୋଇସାରିଥିଲେ। ଏପରିକି ସେହି ଉଦ୍ୟୋଗପତିଗଣ ଯେଉଁମାନେ ଏକଦା ବହୁତ ଆଶାବାଦୀ ଥିଲେ, ସେମାନେ ମଧ୍ୟ ତୀବ୍ର ହତାଶାଭାବ ମଧ୍ୟରେ ଡୁବି ସାରିଥିଲେ। ଆଉ ଏବେ ମହାମାରୀ ଆମର ଆର୍ଥିକ ଦୁର୍ଗତିକୁ ଅଧିକ ବଢ଼ାଇଚାଲିଛି। ଆମର ସମାଜ ଓ ଗଣତନ୍ତ୍ର ଏବେ ଦୁର୍ବଳ। ଅର୍ଥନୀତିର ପୂର୍ବାବସ୍ଥା ଫେରିପାଇବା ଲାଗି ଅନେକ ବର୍ଷ ଲାଗିଯିବ। ୨୦୧୪ ପରେ ଆମ ଗଣତନ୍ତ୍ରର ସ୍ବାୟତ୍ତ-ସ୍ବାଧୀନ ସାର୍ବଜନୀନ ଅନୁଷ୍ଠାନଗୁଡ଼ିକ ହରାଇଥିବା ଅଧିକାର ଓ ଗୌରବ ଫେରି ପାଇବେ କି ନା ଅଜଣା। ଆମ ସମାଜର ବିବିଧତା ମଧ୍ୟ ଫେରିବ କି ନା କହିହେଉନାହିଁ।

ଭବିଷ୍ୟତ୍‌ର ଐତିହାସିକମାନେ ଆମ ସାଧାରଣତନ୍ତ୍ରର ଅବକ୍ଷୟ ବାବଦରେ ବର୍ଣ୍ଣନା କରିବେ ଏବ˚ ସେଥିପାଇଁ କିଏ ବା କେଉଁ ଅନୁଷ୍ଠାନଗୁଡ଼ିକ କେଉଁ ଭଳି ଭାବେ ଦାୟୀ ତାର ଆକଳନ କରିବେ। ମୋ ଦୃଷ୍ଟିରେ ଆମ ପତନର ବୀଜ ଡ. ମନମୋହନ ସି˚ହଙ୍କ ପ୍ରଧାନମନ୍ତ୍ରିତ୍ବର ଦ୍ବିତୀୟ ପାଳିରେ ପୋତା ଯାଇଥିଲା ଏବ˚ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ପ୍ରକୃତ କ୍ଷତି ଆରମ୍ଭ ହୋଇଥିଲା। ଏଥିରେ ବିବାଦୀୟ କିଛି ନାହିଁ। ୧୫ ଅଗଷ୍ଟ ୨୦୦୭ରେ ଆମ ଦେଶ ସୁପର‌୍‌ ପାଵାର‌୍‌ ହୋଇପାରିବ କି ନାହିଁ, ଏ ପ୍ରସଙ୍ଗରେ ବିତର୍କ କରାଯିବାର ପରିସ୍ଥିତି ଥିଲା। ଏବେ ତେର ବର୍ଷ ପରେ ଏ ଭଳି ବିତର୍କର ସୁଦ୍ଧା ଅବକାଶ ନାହିଁ।

ସମ୍ବନ୍ଧିତ ଖବର